ଅଳିଆ ଭୟ

ପ୍ରାୟ ମାସକ ତଳେ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ତିଆ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଏକ ସାକ୍ଷାତ୍‌କାର ଦେବା ଅବସରରେ ଆନ୍ତର୍ଜାତିକ ରେଟିଙ୍ଗ୍‌ ସ˚ସ୍ଥା (ଷ୍ଟାଣ୍ତାର୍ଡ ଆଣ୍ତ୍‌ ପୁଅର‌୍‌, ଫିଚ୍‌, ମୁଡିଜ୍‌ ଭଳି) ଭାରତର ଋଣ ପରିଶୋଧ କ୍ଷମତାକୁ ପ୍ରଦାନ କରୁଥିବା ରେଟିଙ୍ଗ୍‌ ବା ମାନ୍ୟତା ଏବ˚ ବୈଦେଶିକ ପୁଞ୍ଜିନିବେଶକମାନଙ୍କ ଉପରେ ଏହାର ପ୍ରଭାବ ସମ୍ପର୍କରେ ମନ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ରେଟିଙ୍ଗ୍‌ ଯାହା ହେଲେ ବି ବୈଦେଶିକ ପୁଞ୍ଜିନିବେଶକମାନଙ୍କ ନିକଟରେ ଭାରତର ବିଶ୍ବସନୀୟତା ଅତୁଟ ରହିଥାଏ। ଏହା ମଧୢ ମିଛ ନୁହେଁ। ଯଦିବା ଚୀନା କରୋନା ପାଣ୍ତେମିକ୍‌ର ପ୍ରସାର ପରେ ସେମାନେ ଭାରତରୁ ବିପୁଳ ପୁଞ୍ଜି ପ୍ରତ୍ୟାହାର କରି ପଳାଇବା ଦେଖାଯାଇଛି, ଏଭଳି ଏକ ଆନ୍ତର୍ଜାତିକ ସ˚କଟ ସମୟରେ ‘ହିଟ୍‌ ମନି‘ ବା ‘ତତଲା ପଇସା’ ରୂପେ କୁଖ୍ୟାତ ଏପରି କିଛି ନିବେଶ ସାମୟିକ ଭାବରେ ଆଉ ଲାଭ ପଛରେ ନପଡ଼ି, ଅଧିକ ନିରାପତ୍ତା ଦିଗରେ ମୁହାଁଇଥାନ୍ତି। ସ˚କଟ ଦୂର ହେବା ପରେ ସେମାନେ ପୁଣି ଫେରି ଆସନ୍ତି। ଅବଶ୍ୟ ଏଭଳି ଫେରି ଆସିବା ସ˚କଟ ପରବର୍ତ୍ତୀ ଅର୍ଥନୀତିର ସ୍ବାସ୍ଥ୍ୟ ଉପରେ ନିର୍ଭର କରିଥାଏ। ଯଦି ଅର୍ଥନୀତି ସ˚କଟକୁ ପଛରେ ପକାଇ ପୁଣି ଅଭିବୃଦ୍ଧି ପଥରେ ଆଗେଇ ଚାଲେ, ତେବେ ବୈଦେଶିକ ପୁଞ୍ଜିନିବେଶକମାନେ ପୁଣି ଭାରତମୁହାଁ ହେବା ଦେଖାଯିବ।

ଶକ୍ତିକାନ୍ତ ଦାସଙ୍କ ଏହି ସାକ୍ଷାତ୍‌କାରର କେତେଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଯେଉଁ ୨୦୨୦ରେ ୨୦ ଲକ୍ଷ କୋଟି ଟଙ୍କାର ଷ୍ଟିମ୍ୟୁଲସ୍‌ ପ୍ୟାକେଜ୍‌ କଥା ନାଟକୀୟ ଢଙ୍ଗରେ ଘୋଷଣା କଲେ ଏବ˚ ତାଙ୍କର ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ପୂର୍ଣ୍ଣ ଅଣନାଟକୀୟ ଢଙ୍ଗରେ ପାଞ୍ଚ ଦିନ ଧରି ତାହାର ବିଶଦ ବିବରଣୀ ପ୍ରଦାନ କଲେ, ସେଥିରେ ଯଦି ଗୋଟିଏ ମନସ୍ତତ୍ତ୍ବ ସ୍ପଷ୍ଟ ରୂପେ ବାରି ହୋଇ ପଡ଼ିଥିଲା, ତାହା ଥିଲା ରେଟିଙ୍ଗ୍‌ ଏଜେନ୍‌ସିମାନଙ୍କ ପ୍ରତି ଶକ୍ତିକାନ୍ତ ଦାସ ପ୍ରଦର୍ଶନ କରିଥିବା ନିର୍ଭୀକ ଆତ୍ମବିଶ୍ବାସର ଠିକ୍‌ ବିପରୀତ- ସେମାନଙ୍କ ପ୍ରତି ଭୟ। ଏକ ବିଡ଼ମ୍ବନା ସଦୃଶ, ଆତ୍ମବିଶ୍ବାସର ଏହି ଅଭାବକୁ ‘ଆତ୍ମନିର୍ଭରତା’ ରୂପେ ଅଭିହିତ କରାଯାଇଥିବା ଉପରୋକ୍ତ ପ୍ୟାକେଜ୍‌ ଖୋଲା ହେବା ପରେ ଯାହା ଦେଖିବାକୁ ମିଳିଛି, ତାହା ହୁଏତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍‌ଡ ରେଗାନ୍‌ କିମ୍ବା ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ମାର୍ଗାରେଟ୍‌ ଥାଚର‌୍‌ଙ୍କ ପରି ରାଷ୍ଟ୍ରନେତା କିମ୍ବା ମିଲ୍‌ଟନ୍‌ ଫ୍ରିଡ୍‌ମ୍ୟାନ୍‌ଙ୍କ ଭଳି ‘ଯୋଗାଣ ପାର୍ଶ୍ବ’ ଉପାସକମାନଙ୍କୁ ଖୁସି କରନ୍ତା, କିନ୍ତୁ ବର୍ତ୍ତମାନ ଭାରତୀୟ ଅର୍ଥନୀତି ଆବଶ୍ୟକ କରୁଥିବା ‘ଚାହିଦା ପାର୍ଶ୍ବ’ ସହାୟତାରେ ଶୂନ୍ୟତା ଦେଖି ‘ନିଉ ଡିଲ୍‌’ ନୀତି କାର୍ଯ୍ୟକାରୀ କରି ଆମେରିକାର ଅର୍ଥନୀତିକୁ ଗଭୀର ଅଧଃପତନରୁ ଉଦ୍ଧାର କରିଥିବା କି˚ବଦନ୍ତି ରାଷ୍ଟ୍ରପତି ଫ୍ରାଙ୍କ୍‌ଲିନ୍‌ ରୁଜ୍‌ଭେଲ୍‌ଟ କିମ୍ବା ଚାହିଦା ପାର୍ଶ୍ବ ସହାୟତାର ଗୁରୁତ୍ବ ପ୍ରତି ପ୍ରଥମେ ଦୃଷ୍ଟି ଆକର୍ଷଣ କରିଥିବା ମହାନ୍‌ ଅର୍ଥନୀତିଜ୍ଞ ଜନ୍‌ ମେନାର୍ଡ‌୍‌ କିନ୍‌ସ ଘୋର ଅସୁଖୀ ହୁଅନ୍ତେ। ଯାହା ମନେହୁଏ, ଚାହିଦା ପାର୍ଶ୍ବ ପ୍ରତି ମୋଦୀ ସରକାର ଯେଉଁ ଅବହେଳା ପ୍ରଦର୍ଶନ କରିଛି, ତାହାର କାରଣ ହେଉଛି- ରେଟିଙ୍ଗ୍‌ ଭୟ।

ଯୋଗାଣ ପାର୍ଶ୍ବକୁ ମଜଭୁତ କରିବା ପାଇଁ ଉଦ୍ୟମର ଅ˚ଶ ସ୍ବରୂପ ଘୋଷିତ ପ୍ୟାକେଜ୍‌ରେ ଅର୍ଥବ୍ୟବସ୍ଥାରେ ଅଧିକ ଅର୍ଥ ଭର୍ତ୍ତି କରିବା ପାଇଁ ପଦକ୍ଷେପ ନିଆଯାଇଛି, ଉଦ୍ୟୋଗମାନଙ୍କୁ ସହଜରେ ଋଣ ମିଳିବା ପାଇଁ ବ୍ୟବସ୍ଥା କରାଯାଇଛି, ସେମାନଙ୍କୁ ଦେବାଳିଆ ହେବାକୁ ନଦେବା ପାଇଁ ଚେଷ୍ଟା କରାଯାଇଛି; ଶ୍ରମ ଆଇନ୍‌ରେ କେତେକ ଭାଜପାଶାସିତ ରାଜ୍ୟରେ ସାମୟିକ ସ˚ସ୍କାରକୁ ମଧୢ ଏଥି ସହିତ ସ˚ଯୁକ୍ତ କରାଯାଇ ପାରେ। ଖଣିରୁ ମହାକାଶ ପର୍ଯ୍ୟନ୍ତ, ପ୍ରତିରକ୍ଷାରୁ ଆଣବିକ ଶକ୍ତି ପର୍ଯ୍ୟନ୍ତ କ୍ଷେତ୍ରକୁ ଘରୋଇ ଉଦ୍ୟୋଗ ପାଇଁ ଖୋଲି ଦିଆଯାଇଛି; କୃଷି କ୍ଷେତ୍ରରେ ଯୋଗାଣ ପାର୍ଶ୍ବକୁ ବଳ ଯୋଗାଇବା ପାଇଁ ବିଭିନ୍ନ ସ˚ସ୍କାର ମାନ (ଯେମିତି ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ, ୧୯୫୫ର ସ˚ଶୋଧନ, ଇତ୍ୟାଦି) ଘୋଷଣା କରାଯାଇଛି। କିନ୍ତୁ ସରକାର ଟିକସ ଛାଡ଼ କରିନାହାନ୍ତି, ସୁଧ ଛାଡ଼ କରିନାହାନ୍ତି, ସିଧାସଳଖ ଲୋକଙ୍କ ହାତରେ କିଛି ପଇସା ଦେଇ ନାହାନ୍ତି କହିଲେ ଚଳେ। ପ୍ୟାକେଜ୍‌ ପାଇଁ ସରକାରଙ୍କ ରାଜକୋଷ ଉପରେ ତେଣୁ ଯେଉଁ ଅତିରିକ୍ତ ଚାପ ସୃଷ୍ଟି ହୋଇଛି, ତାହା ହେଉଛି ଅତ୍ୟନ୍ତ ନଗଣ୍ୟ। ଯେଉଁ ରେଟିଙ୍ଗ୍‌ ଏଜେନ୍‌ସିମାନଙ୍କୁ ଡରି ମୋଦୀ ସରକାର ଏପରି ଏକ ଯୋଗାଣ ସର୍ବସ୍ବ ପ୍ୟାକେଜ୍‌ ପ୍ରସ୍ତୁତ କରିଛନ୍ତି, ସେଇମାନେ ହିଁ ପ୍ରଦାନ କରିଥିବା ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଥାଏ। ମୋଦୀ କହିବା ଅନୁସାରେ ତାଙ୍କ ପ୍ୟାକେଜ୍‌ର ଆକାର ହେଉଛି ଭାରତର ‘ଜିଡିପି’ର ୧୦ ଶତା˚ଶ; କିନ୍ତୁ ରେଟିଙ୍ଗ୍‌ ଏଜେନ୍‌ସିମାନେ କରିଥିବା ଆକଳନ ଅନୁସାରେ ରାଜକୋଷ ଉପରେ ଏହାର ପ୍ରତ୍ୟକ୍ଷ ଚାପ ମାତ୍ର ୧ ଶତା˚ଶରୁ ଅଧିକ ହେବ ନାହିଁ।

ମୋଦୀ ସରକାରର ଏଭଳି ରେଟିଙ୍ଗ୍‌ ଭୟ ହେଉଛି ଏକ ମିଶ୍ରିତ ଭୟ: ଉଭୟ ଅର୍ଥନୈତିକ ଓ ରାଜନୈତିକ। ସରକାର ଅଧିକ ଖର୍ଚ୍ଚ କରିବାକୁ ହେଲେ ଅଧିକ ଋଣ କରିବାକୁ ହେବ, ଏଣୁ ରାଜକୋଷୀୟ ନିଅଣ୍ଟରେ ବୃଦ୍ଧି ଘଟିବ ଏବ˚ ଏକ ସ˚କୁଚିତ ‘ଜିଡିପି’ ତୁଳନାରେ ସରକାରୀ ଋଣର ଅନୁପାତରେ ବୃଦ୍ଧି ଘଟିବ। ଏପରି ଘଟିଲେ ରେଟିଙ୍ଗ୍‌ ଏଜେନ୍‌ସିମାନେ ଭାରତର ମାନ୍ୟତା (‘ସୋଭରେନ୍‌ ରେଟିଙ୍ଗ୍‌’)କୁ ଖସାଇ ଦେଇ ‘ଅଳିଆ’ ବା ‘ଜଙ୍କ୍‌’ ଶ୍ରେଣୀଭୁକ୍ତ କରିଦେବେ- ଅର୍ଥାତ୍‌ ଭାରତ ସରକାରଙ୍କର ଋଣଗ୍ରସ୍ତ ଅବସ୍ଥା ଯୋଗୁଁ ଭାରତ ଆଉ ଏକ ନିବେଶଯୋଗ୍ୟ ଦେଶ ହୋଇ ରହିବ ନାହିଁ। ଯଦି ଏପରି ଘଟେ ଭାରତକୁ ପୁଣି ‘ନିବେଶଯୋଗ୍ୟ ଶ୍ରେଣୀ’ (‘ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ଗ୍ରେଡ୍‌’)କୁ ଫେରିଆସିବା ପାଇଁ ଏତେ ଦୀର୍ଘ ସମୟ ଲାଗିବ ଯେ, ହୁଏତ ସେତେବେଳକୁ ଦେଶ ୨୦୨୪ ସାଧାରଣ ନିର୍ବାଚନ ଦ୍ବାର ଦେଶରେ ପହଞ୍ଚି ସାରିଥିବ। କହିବା ବାହୁଲ୍ୟ, ଏକ ‘ଅଳିଆ ଛାପା’ ବହନ କରି କୌଣସି ରାଜନୈତିକ ଦଳ ଭୋଟରମାନଙ୍କ ସମ୍ମୁଖୀନ ହେବା, ନିଜର ମୁଣ୍ତ ନିଜ ହାତରେ କାଟି ବିରୋଧୀ ଦଳ ହାତରେ ଧରାଇ ଦେବା ସହ ସମାନ। ତେଣୁ ସରକାରଙ୍କର ଜଗନ୍ନାଥ କୁଣ୍ତୁ ଅବତାର (ରବୀନ୍ଦ୍ରନାଥ ଠାକୁରଙ୍କ କାହାଣୀର ପ୍ରସିଦ୍ଧ କୃପଣ ଚରିତ୍ର) ପଛର ରହସ୍ୟ ବୁଝିବା କଷ୍ଟକର ନୁହେଁ। କିନ୍ତୁ ମୋଦୀ ସରକାର ଏହା ମଧୢ ହୃଦୟଙ୍ଗମ କରିବା ଉଚିତ, ବଜାରରେ ପ୍ରଥମେ ଚାହିଦାରେ ବୃଦ୍ଧି ନ ଘଟିଲେ କେହି ଉତ୍ପାଦନରେ ବୃଦ୍ଧି ଘଟାଇବାକୁ ଚାହିଁବେ ନାହିଁ କି ଋଣ ନେବେ ନାହିଁ। ଅପରପକ୍ଷେ ସରକାର ଏବେ ଯଦି ଖର୍ଚ୍ଚ ବୃଦ୍ଧି କରି ତତ୍‌କ୍ଷଣାତ୍‌ ଚାହିଦାରେ ବୃଦ୍ଧି ଘଟାନ୍ତି, ତେବେ ଯୋଗାଣ ପାର୍ଶ୍ବ ଚଳଚଞ୍ଚଳ ହୋଇ ଉଠିବ ଏବ˚ ୨୦୨୪ ବେଳକୁ ଅର୍ଥନୀତି ଏପରି ଗୋଲାପି ହୋଇ ଯାଇଥିବ ଯେ ଆନ୍ତର୍ଜାତିକ ନିବେଶକମାନେ ପୁଣି ଏ ଦିଗରେ ମୁହାଁଇବେ, ସନ୍ତୁଷ୍ଟ ଭୋଟରମାନେ ପୁଣି ସମର୍ଥନ ପ୍ରଦାନ କରିବେ। ବିତ୍ତ ମନ୍ତ୍ରୀ ସୀତାରମଣ ଏବେ କହିଛନ୍ତି ଯେ ତାଙ୍କର ନୀତି ନିର୍ଦ୍ଧାରଣ ପ୍ରକ୍ରିୟା ସମାପ୍ତ ହୋଇନାହିଁ। ଆଶା, ଏଥର ସେ ଚାହିଦା ପାଇଁ ରାଜକୋଷ ଟିକେ ଖୋଲିବେ।

ସମ୍ବନ୍ଧିତ ଖବର