କଣା ଜାଲ

0 189

ଏହା ବର୍ତ୍ତମାନ ଏକ ଅବଧାରିତ ସତ୍ୟ ଯେ ଶରୀର ସହିତ ଆତ୍ମାର ସମ୍ପର୍କ ଯେଉଁଭଳି ଅବିଚ୍ଛେଦ୍ୟ, ଜଣେ ଭାରତୀୟ ନାଗରିକର ତାର ଆଧାର କାର୍ଡ ସହିତ ସମ୍ପର୍କ ସେଇଭଳି ଘନିଷ୍ଠ। ତେଣୁ ଆଧାର ସହିତ ସନ୍ନିହିତ ସୂତ୍ରକୁ ଧରି କୌଣସି ଜଣେ ନାଗରିକ ସମ୍ବନ୍ଧରେ ବିଭିନ୍ନ ବ୍ୟକ୍ତିଗତ ତଥ୍ୟ ସବୁ ସଂଗ୍ରହ କରି ନେଇ ହେବ ବୋଲି ଆଧାର- ବିରୋଧୀମାନେ ସର୍ବଦା ଆଶଙ୍କା ପ୍ରକାଶ କରି ଆସିଛନ୍ତି। ସମ୍ପୃକ୍ତ ବ୍ୟକ୍ତିର ଫଟୋ, ଫୋନ୍‌ ନମ୍ବର, ଠିକଣା, ପିତାମାତାଙ୍କ ନାମ ଆଦି ଭଳି ସୂଚନା ତାର ଆଧାର ସହିତ ଗୁନ୍ଥା ହୋଇଥାଏ। ଏ ସମସ୍ତ ସୂଚନା ସେ ରାଷ୍ଟ୍ର ଦ୍ୱାରା ବାଧ୍ୟ ହୋଇ ଆଧାର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛି, ଅର୍ଥାତ୍‌ ସରକାରଙ୍କ ହେପାଜତରେ ରଖିଛି। ସରକାର ତା’ର ଏହି ବ୍ୟକ୍ତିଗତ ତଥ୍ୟ ଆଉ କାହାରିକୁ ଦେଇ ଦେବା ପାଇଁ ସେ ସରକାରଙ୍କୁ କିମ୍ବା ଆଧାର କର୍ତ୍ତୃପକ୍ଷଙ୍କୁ କ୍ଷମତା ପ୍ରଦାନ କରିନାହିଁ। ଆଧାର ତଥ୍ୟ ଭଣ୍ଡାରରେ ଦେଶର ପ୍ରାୟ ଶହେ କୋଟି ଲୋକଙ୍କ ସମ୍ପର୍କରେ ଏଭଳି ବ୍ୟକ୍ତିଗତ ସୂଚନା ମାନ ମହଜୁଦ ହୋଇ ରହିଛି।

ଏ ସମସ୍ତ ବ୍ୟକ୍ତିଗତ ସୂଚନାର ଉପଯୋଗ ଓ ଦୁରୁପଯୋଗର ଅଶେଷ ସମ୍ଭାବନା ରହିଛି। ଉଦାହରଣ ସ୍ୱରୂପ ବ୍ୟବସାୟ ପ୍ରତିଷ୍ଠାନମାନେ ଏହାର ଉପଯୋଗ କରି ନିଜର ଗ୍ରାହକ ସଂଖ୍ୟାରେ ବୃଦ୍ଧି ଘଟାଇବା ଯେଉଁଭଳି ସମ୍ଭବ ଅପରାଧ ସଂଗଠନମାନେ ଏହାର ଦୁରୁପଯୋଗ କରି ନକଲି ପରିଚୟ ଆଢୁଆଳରେ ରହି ଅପରାଧ ଘଟାଇବା ସେଇଭଳି ସମ୍ଭବ। ତେଣୁ ସଂଗୃହୀତ ବ୍ୟକ୍ତିଗତ ସୂଚନା ସବୁକୁ ସୁରକ୍ଷିତ ରଖିବା ହେଉଛି ସରକାର ଓ ଆଧାର କର୍ତ୍ତୃପକ୍ଷଙ୍କ ପ୍ରଥମ ଓ ପ୍ରଧାନ ଦାୟିତ୍ୱ। ବାସ୍ତବରେ ଆଧାର ମାଧ୍ୟମରେ ସଂଗୃହୀତ ସୂଚନାମାନ କେତେଦୂର ସୁରକ୍ଷିତ, ତାହା ପରୀକ୍ଷା କରିବା ଉଦ୍ଦେଶ୍ୟରେ ଗତ ସପ୍ତାହରେ ଚଣ୍ଡୀଗଡ଼ରୁ ପ୍ରକାଶିତ ‘ଦି ଟ୍ରିବ୍ୟୁନ୍‌’ ସମ୍ବାଦପତ୍ରର ଜଣେ ସାମ୍ବାଦିକା ନିଜର ପରିଚୟ ଗୋପନ ରଖି ଆଧାର ସଂଖ୍ୟା ସହିତ ସଂଯୁକ୍ତ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ। ଫଳସ୍ୱରୂପ ସେ ମାତ୍ର ୫୦୦ ଟଙ୍କା ବିନିମୟରେ ଯେକୌଣସି ଆଧାର ସଂଖ୍ୟା ସହିତ ସମ୍ପୃକ୍ତ ସମସ୍ତ ସୂଚନାମାନ ହସ୍ତଗତ କରିପାରିଥିଲେ। ସେତିକି ନୁହେଁ କେବଳ ମାତ୍ର ୩୦୦ ଟଙ୍କା ଦେଇ ସେ ଯେ କୌଣସି ବ୍ୟକ୍ତିଙ୍କର ଆଧାର କାର୍ଡ ମଧ୍ୟ ଛପାଇ ନେଇ ପାରିଥିଲେ। ଅପରାଧୀମାନଙ୍କ ପାଇଁ ଏହା ଏକ ସୁନାଖଣିକୁ ସହଜଲବ୍‌ଧ ବାଟ ଖୋଲାଥିବା ଭଳି।

ଏହା ଯେତେବେଳେ ପ୍ରକାଶ ପାଇଲା, ଆଧାର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ତରବରିଆ ଭାବରେ ଏପରି କିଛି ଘଟିଥିବା କଥା ଅସ୍ୱୀକାର କରି ପରେ ପରେ ଏକ ପ୍ରବୋଧନା ପ୍ରକାଶ କଲେ ଯେ ଏଭଳି ସୂଚନା ଲିକ୍‌ ହେବା ଦ୍ୱାରା କୌଣସି ବିପଦ ସୃଷ୍ଟି ହୋଇ ନଥାଏ। କର୍ତ୍ତୃପକ୍ଷଙ୍କର ଏହା ପରବର୍ତ୍ତୀ ପଦକ୍ଷେପ ହେଲା ଦିଲ୍ଲୀ ପୁଲିସ୍‌ ନିକଟରେ ଦିଟ୍ରିବ୍ୟୁନ୍‌ର ସାମ୍ବାଦିକା ରଚନା ଖଇରା, ଦିଟ୍ରିବ୍ୟୁନ୍‌ ସମ୍ବାଦପତ୍ର ଏବଂ ରଚନାଙ୍କ ରିପୋର୍ଟରେ ଉଲ୍ଲେଖ ଥିବା ଏଜେଣ୍ଟ୍‌ମାନଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାଖଲ କରିବା। ଆଧାର କର୍ତ୍ତୃପକ୍ଷ ପୁଲିସ୍‌ ନିକଟରେ କରିଥିବା ଏହି ଅଭିଯୋଗ ଏବଂ ଦିଲ୍ଲୀ ପୁଲିସ୍‌ର ଏଫ୍‌ଆଇଆର୍‌ ସମ୍ବନ୍ଧରେ ଜଣା ପଡ଼ିଯିବା ପରେ ସୋସିଆଲ୍‌ ମିଡିଆରେ ଏବଂ ସାମ୍ବାଦିକ ସଂଘ ତରଫରୁ ଏହା ବିରୁଦ୍ଧରେ ତୀବ୍ର ଓ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଟେଲିକମ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଏକ ଟ୍ଵିଟ୍‌ କରି ପକାଇଲେ। ତାଙ୍କର ଜାନୁଆରି ୮ର ଏହି ଟ୍ଵିଟ୍‌ରେ ସେ ଲେଖିଥିଲେ ଯେ ଭାରତର ବିକାଶ ପାଇଁ ସରକାର ସମ୍ବାଦପତ୍ରର ସ୍ୱାଧୀନତା ତଥା ଆଧାରର ନିରାପତ୍ତା ଓ ପବିତ୍ରତା ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ସେ ମଧ୍ୟ ଆଉ ଲେଖିଥିଲେ ଯେ ପୁଲିସ୍‌ରେ ଦିଆଯାଇଥିବା ଏଫ୍‌ଆଇଆର୍‌ ହେଉଛି ଅଜଣା ବ୍ୟକ୍ତି ବିରୁଦ୍ଧରେ ଏବଂ ପ୍ରକୃତ ଅପରାଧୀଙ୍କର ଅନୁସନ୍ଧାନରେ ପୁଲିସ୍‌କୁ ସାହାଯ୍ୟ କରିବା ପାଇଁ ଦି ଟ୍ରିବ୍ୟୁନ୍‌ ଏବଂ ତା’ର ସାମ୍ବାଦିକ ମାନଙ୍କ ଠାରୁ ସହଯୋଗ ଲୋଡ଼ିବା ପାଇଁ ସେ ‘ୟୁଆଇଡିଏଆଇ’କୁ ପରାମର୍ଶ ଦେଇଥିଲେ।

ଏହି ଘଟଣାରେ ରବିଶଙ୍କର ପ୍ରସାଦଙ୍କର ଉପରୋକ୍ତ ପ୍ରତିକ୍ରିୟା ଯେ ସ୍ୱାଗତଯୋଗ୍ୟ, ଏଥିରେ ସନ୍ଦେହ ନାହିଁ। ଆଧାର କର୍ତ୍ତୃପକ୍ଷ ଟ୍ରିବ୍ୟୁନ୍‌ ରିପୋର୍ଟ ପ୍ରକାଶ ପାଇବା ପରେ ଯେଉଁଭଳି ପ୍ରତିକ୍ରିୟାଶୀଳ ପଦକ୍ଷେପ ନେଇଥିଲେ ତାହା ହେଉଛି ଅସୁବିଧାଜନକ ଖବର ବହନ କରି ଆସିଥିବା ଦୂତ ଜଣକୁ ହତ୍ୟା କଲା ଭଳି। ଆଜିକାଲି ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ‘ଶୁଷୁୁରି ବାଦନ’ (ଅନିୟମିତ କାର୍ଯ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରିବା) କୁ ପ୍ରୋତ୍ସାହିତ କରାଯାଉଥିବା ବେଳେ ଆଧାର କର୍ତ୍ତୃପକ୍ଷଙ୍କ ଉପରୋକ୍ତ କାର୍ଯ୍ୟ ଥିଲା ଶୁଷୁରିବାଦକର କଣ୍ଠରୋଧ କଲା ଭଳି। ରବିଶଙ୍କର ପ୍ରସାଦ ତାଙ୍କ ଟ୍ଵିଟ୍‌ରେ କିନ୍ତୁ ଅଧାର କର୍ତ୍ତୃପକ୍ଷଙ୍କର ଏହି ମନ୍ଦ ଉଦ୍ଦେଶ୍ୟ ସମ୍ବନ୍ଧରେ ଆଦୌ ଉଲ୍ଲେଖ କରିନାହାନ୍ତି। ଯଦିବା ଦିଲ୍ଲୀ ପୁଲିସ ତା’ର ଏଫ୍‌ଆଇଆର୍‌ରେ ଉପରୋକ୍ତ ସମ୍ବାଦପତ୍ର ଏବଂ ତା’ର ସାମ୍ବାଦିକାଙ୍କୁ ଅନ୍ତର୍ଭୁକ୍ତ କରିନାହିଁ, ଆଧାର କର୍ତ୍ତୃପକ୍ଷ ଦାଖଲ କରିଥିବା ଅଭିଯୋଗରେ ସ୍ପଷ୍ଟ ଭାବରେ ସେମାନଙ୍କ ନାମ ଉଲ୍ଲେଖ କରିଥିଲା। ରବିଶଙ୍କର ପ୍ରସାଦ କେବଳ ଏଫ୍‌ଆଇଆର୍‌ ‘ଅଜଣା ବ୍ୟକ୍ତି’ଙ୍କ ବିରୁଦ୍ଧରେ ଦରଜ ହୋଇଛି ବୋଲି କହିବା ବେଳେ ଏହି ଏଫ୍‌ଆଇଆର୍‌ ପଛରେ ନିହିତ ଥିବା ଆଧାର କର୍ତ୍ତୃପକ୍ଷଙ୍କର ମନ୍ଦ ଉଦ୍ଦେଶ୍ୟ ସମ୍ବନ୍ଧରେ ନିରବତା ଅବଲମ୍ବନ କରିଛନ୍ତି। ଶ୍ରୀ ପ୍ରସାଦ ହୃଦୟଙ୍ଗମ କରିଥିବେ ବୋଲି ଆଶା କରାଯାଏ ଯେ ଆଧାର କର୍ତ୍ତୃପକ୍ଷ ସର୍ବଦା ସମାଲୋଚନା ପ୍ରତି ଏଇଭଳି ଏକ ଶତ୍ରୁତାମୂଳକ ଆଭିମୁଖ୍ୟ ପୋଷଣ କରିଆସିଛନ୍ତି। ଏଥିରେ ପରିବର୍ତ୍ତନ ଲୋଡ଼ା। ଆଧାରର ଏଠାରେ କିପରି ଦୁରୁପଯୋଗ ହେଉଛି ତାହାର ଏକ ଚାଞ୍ଚଲ୍ୟକର ଉଦାହରଣ ନିକଟରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେତେବେଳେ ଦେଶର ଏକ ଛାମୁହାଁ ଟେଲିକମ୍‌ କମ୍ପାନି ଖୋଲିଥିବା ବ୍ୟାଙ୍କ୍‌ରେ ତା’ର ମୋବାଇଲ୍‌ ଫୋନ୍‌ ଗ୍ରାହକ ମାନଙ୍କୁ ଜବରଦସ୍ତ ଗ୍ରାହକ ବନାଇ ଦେଇଥିଲା। ଆଜିକାଲି ଅନ୍ୟ ସବୁ ସେବା ଭଳି ମୋବାଇଲ ଟେଲିଫୋନ୍‌ ସେବା ପାଇବା ପାଇଁ ଗ୍ରାହକ ମାନଙ୍କୁ ନିଜ ନିଜର ଆଧାର ସଂଖ୍ୟାକୁ ମୋବାଇଲ ଫୋନ୍‌ ସିମ୍‌ ସହିତ ସଂଯୁକ୍ତ କରିବାକୁ ହେଉଛି। ଏହା ବାଧ୍ୟତାମୂଳକ। ଏହି ସର୍ବବୃହତ ଟେଲିକମ୍‌ କମ୍ପାନି ଏହି ଆଧାର ସଂଖ୍ୟା ସବୁକୁ ବ୍ୟବହାର କରି ତା’ର ଫୋନ୍‌ ଗ୍ରାହକମାନଙ୍କୁ ତା’ର ବ୍ୟାଙ୍କ୍‌ରେ ଆକାଉଣ୍ଟ୍‌ଧାରଣକାରୀରେ ପରିଣତ କରିଦେଇଥିଲା। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ଯେ କୌଣସି ବ୍ୟାଙ୍କ୍‌ରେ ଥିବା ଆକାଉଣ୍ଟ୍‌ ସହିତ ଗ୍ରାହକର ଆଧାର ସଂଖ୍ୟା ସଂଯୁକ୍ତ ହେବା ହେଉଛି ବାଧ୍ୟତାମୂଳକ। ବୋଧହୁଏ ସମ୍ପୃକ୍ତ ଟେଲିକମ୍‌ କମ୍ପାନି କେବଳ ଏକ ଅର୍ଥଦଣ୍ଡ ଦେଇ ଖସିଯିବ। ଆଇନ ଅନୁସାରେ ଏଥିପାଇଁ ଦଣ୍ଡ ଦେବାର ଅଧିକାର କେବଳ ଆଧାର କର୍ତ୍ତୃପକ୍ଷଙ୍କ ଠାରେ ନିହିତ ଅଛି।

ଟ୍ରିବ୍ୟୁନ୍‌ ରିପୋର୍ଟ ପରେ ଯାହା ପରିଷ୍କାର ହୋଇଯାଇଛି ତାହା ହେଲା ଦେଶରେ ବର୍ତ୍ତମାନ ଯେଉଁ ବିଶାଳ ଆଧାର ଜାଲ ବିଛା ଯାଇଛି ସେ ଜାଲରେ କେଉଁଠି ଯେ କଣା ହୋଇପାରିବ ଏବଂ କଣା ହେବାରେ ଲାଗିଛି, ତାହା ଉପରେ ଆଧାର କର୍ତ୍ତୃପକ୍ଷଙ୍କର ନିୟନ୍ତ୍ରଣ ନାହିଁ। ଏହି କର୍ତ୍ତୃପକ୍ଷ ଯଦି କଣା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶକାରୀଙ୍କ ପ୍ରତି ଶତ୍ରୁ ଭାବ ପରିତ୍ୟାଗ କରି ସେମାନଙ୍କ ସାହାଯ୍ୟରେ କଣା ବୁଜିବାକୁ ଚେଷ୍ଟା କରନ୍ତେ ତେବେ ନାଗରିକମାନଙ୍କର ଗୋପନୀୟତା ଅଧିକ ସୁରକ୍ଷିତ ରହନ୍ତା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.