ଜୀବନ ସଂଗୀତ

ଏକ ବହୁଦଳୀୟ ଗଣତନ୍ତ୍ରରେ ନାଗରିକମାନେ ବିଭିନ୍ନ ପ୍ରସଙ୍ଗକୁ ନିଜ ନିଜର ଦଳୀୟ ଆନୁଗତ୍ୟ ଚଷମା ଦେଇ ଦେଖିଥାନ୍ତି। ଯେମିତି ଗୋ-ରକ୍ଷାକୁ ଭାରତୀୟ ଜନତା ପାର୍ଟିର ସମର୍ଥକମାନେ ନାଗରିକର ମୌଳିକ ଦାୟିତ୍ୱ ରୂପେ ବିଚାର କରୁଥିବା ବେଳେ କଂଗ୍ରେସର ସମର୍ଥକମାନେ ଏକ ସାମ୍ପ୍ରଦାୟିକ କାର୍ଯ୍ୟ ରୂପେ ନିନ୍ଦା କରିଥାନ୍ତି। ପୃଥିବୀର ପ୍ରତ୍ୟେକ ଗଣତାନ୍ତ୍ରିକ ଦେଶରେ ଏହିଭଳି ବିଚାର ବିଭାଜନ ଦେଖିବାକୁ ମିଳିଥାଏ। ଏହି ପରିପ୍ରେକ୍ଷୀରେ ଦେଖିଲେ ସ୍ପଷ୍ଟ ଭାବରେ ବୁଝାପଡ଼େ ଯେ ଏକ ଦେଶର ଜାତୀୟ ପତାକା ବା ଜାତୀୟ ସଂଗୀତ ହେଉଛି ଏଭଳି ଏକ ପ୍ରତୀକ ଯାହା ଦଳ, ମତ, ଜାତି, ଧର୍ମ ଇତ୍ୟାଦି ନିର୍ବିଶେଷରେ ପ୍ରତ୍ୟେକ ନାଗରିକ ଠାରେ ସମାନ ପ୍ରକାର ଦେଶଭକ୍ତି ସୃଷ୍ଟି କରି ସେମାନଙ୍କୁ ଏକତା ରଜ୍ଜୁରେ ବାନ୍ଧି ରାଷ୍ଟ୍ରକୁ ସୁରକ୍ଷିତ ରଖିଥାଏ।

ଏହି ଦୃଷ୍ଟିରୁ ଦେଖିଲେ ୨୦୧୬ ନଭେମ୍ବର ୩୦ ତାରିଖରେ ସିନେମା ହଲ୍‌ମାନଙ୍କରେ ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବରୁ ଜାତୀୟ ସଂଗୀତ ଗାନ କରାଯିବା ଏବଂ ସେ ସମୟରେ ସେଠାରେ ଉପସ୍ଥିତ ସମସ୍ତେ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଛିଡ଼ା ହୋଇପଡ଼ିବା ପାଇଁ ମାନ୍ୟବର ସୁପ୍ରିମ୍‌ କୋର୍ଟ ଦେଇଥିବା ନିର୍ଦ୍ଦେଶ ପଛରେ ସମ୍ପୃକ୍ତ ବେଞ୍ଚ୍‌ର ଅଧ୍ୟକ୍ଷତା କରୁଥିବା ମାନ୍ୟବର ବିଚାରପତି ଦୀପକ ମିଶ୍ରଙ୍କର ମହତ୍‌ ଉଦ୍ଦେଶ୍ୟ ସମ୍ବନ୍ଧରେ କୌଣସି ସନ୍ଦେହ ରହେ ନାହିଁ। ସେହି ରାୟରେ ସୁପ୍ରିମ୍‌ କୋର୍ଟ କହିଥିଲେ ଯେ ସିନେମା ହଲ୍‌ରେ ଜାତୀୟ ସଂଗୀତ ଗାନକୁ ଜନସାଧାରଣ ‘ମାତୃଭୂମି ପ୍ରତି ସ୍ନେହ’ ପ୍ରକାଶ କରିବାର ଏକ ସୁଯୋଗ ରୂପେ ବିଚାର କରାଯିବା ଉଚିତ। କୋର୍ଟ ଏ କଥା ମଧ୍ୟ ଉଲ୍ଲେଖ କରିଥିଲେ ଯେ ‘ଆମର ଜାତୀୟ ପରିଚୟ, ଜାତୀୟ ସଂହତି ଏବଂ ସାମ୍ବିଧାନିକ ଦେଶଭକ୍ତି’ ହେଉଛି ଜାତୀୟ ସଂଗୀତ ପ୍ରତି ସମ୍ମାନ ପ୍ରଦର୍ଶନର ଆଧାର। ଏ ସମ୍ପର୍କିତ ୧୯୭୧ର ଆଇନ ଅନୁସାରେ ଜାତୀୟ ସଂଗୀତ ପ୍ରତି ଉଚିତ ସମ୍ମାନ ପ୍ରଦର୍ଶନ କରାଯାଉନାହିଁ ବୋଲି ଅଭିଯୋଗ କରି ଶ୍ୟାମ ନାରାୟଣ ଚୌକ୍‌ସେ ନାମକ ବ୍ୟକ୍ତି ଆଗତ କରିଥିବା ରିଟ୍‌ ଆବେଦନର ବିଚାର କରି ଜଷ୍ଟିସ୍‌ ମିଶ୍ରଙ୍କ ନେତୃତ୍ୱରେ ସୁପ୍ରିମ୍‌ କୋର୍ଟର ଉପରୋକ୍ତ ବେଞ୍ଚ୍‌ ଏଭଳି ନିର୍ଦ୍ଦେଶ ଦେଇଥିଲେ।

ଜଷ୍ଟିସ୍‌ ଦୀପକ ମିଶ୍ର ସେତେବେଳେ ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ହୋଇ ନଥିଲେ। ୨୦୧୭ ଅକ୍ଟୋବର୍‌ରେ ଜଷ୍ଟିସ୍‌ ମିଶ୍ର ଆଉ ଏକ ବେଞ୍ଚ୍‌ର ନେତୃତ୍ୱ ନେଇ ଏ ସମ୍ପର୍କିତ ଅନ୍ୟ ଏକ ଆବେଦନର ବିଚାର କରିବା ବେଳକୁ ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ହୋଇ ସାରିଥିଲେ। କିନ୍ତୁ ତାଙ୍କର ଏହି ସର୍ବୋଚ୍ଚ ପଦବି ଧାରଣ ସତ୍ତ୍ୱେ ସେଇ ବେଞ୍ଚ୍‌ରେ ବସିଥିବା ତାଙ୍କର ସାଥୀ ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ଼ ୨୦୧୬ରେ ଜଷ୍ଟିସ୍‌ ମିଶ୍ର ପ୍ରଦାନ କରିଥିବା ଉପରୋକ୍ତ ନିର୍ଦ୍ଦେଶର ତୀବ୍ର ସମାଲୋଚନା କରିବାକୁ ପଛାଇ ନଥିଲେ। ସେ କହିଥିଲେ ଜଣେ ଭାରତୀୟ ତା’ର ‘ଦେଶ ଭକ୍ତିକୁ ତା’ର ଜାମାର ହାତରେ ଲଗାଇ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ।’ ମୂଳ ଇଂରେଜୀ ଆପ୍ତବାକ୍ୟରୁ ଅନୁବାଦ କରାଯାଇଥିବା ଏହି ମନ୍ତବ୍ୟର ଅର୍ଥ ହେଲା ଜଣେ ଭାରତୀୟ ନାଗରିକ ତା’ର ଦେଶଭକ୍ତିକୁ ଖୋଲାଖୋଲି ପ୍ରଦର୍ଶନ କରିବାର କୌଣସି ଆବଶ୍ୟକତା ନାହିଁ। ଆମେ କିନ୍ତୁ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ପ୍ରଦାନ କରିଥିବା ଏହି ମନ୍ତବ୍ୟ ସହିତ ଏକମତ ନୋହୁଁ। ଦେଶଭକ୍ତି ହେଉଛି ଏକ କଳ୍ପିତ ସତ୍ୟ ମାତ୍ର। ଏହା ମନୁଷ୍ୟର ନିଃଶ୍ୱାସ ପ୍ରଶ୍ୱାସ ଭଳି ସ୍ୱୟଂକ୍ରିୟ ନୁହେଁ। ଦେଶ ନିରାପଦ ରହିବା ପାଇଁ ଦେଶଭକ୍ତି ଆବଶ୍ୟକ। ଏବଂ ଦେଶଭକ୍ତି ବଞ୍ଚିରହିବା ପାଇଁ ତାହାକୁ ସର୍ବଦା ପରିପୁଷ୍ଟ କରାଯିବା ଆବଶ୍ୟକ। ଦେଶଭକ୍ତିର ଖୋଲା ପ୍ରଦର୍ଶନ ଏହାର ପୁଷ୍ଟି ସାଧନ କରିଥାଏ। କେରଳର କୋନ୍ଦୁଙ୍ଗାଲୁର୍‌ ଫିଲ୍ମ ସୋସାଇଟି ଉପରୋକ୍ତ ୨୦୧୬ ନଭେମ୍ବର ନିର୍ଦ୍ଦେଶର ପ୍ରତ୍ୟାହାର ପ୍ରାର୍ଥନା କରି ଆଣିଥିବା ଆବେଦନର ବିଚାର କରିବା ଅବସରରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଏଭଳି ମନ୍ତବ୍ୟ ପ୍ରଦାନ କରିଥିଲେ।

ଅବଶ୍ୟ ସିନେମା ହଲ୍‌ରେ ଜାତୀୟ ସଂଗୀତ ଗାନର ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ପ୍ରକାଶ କରିଥିବା ଆଶଙ୍କା ଅଧିକ ଯୁକ୍ତିଯୁକ୍ତ ଥିଲା। ସେ କହିଥିଲେ ଯଦି ତାହା କରାଯାଏ, ତେବେ ଏହା ପରେ ଦର୍ଶକମାନଙ୍କୁ ଟି ସାର୍ଟ କିଂବା ହାଫ୍‌ ପ୍ୟାଣ୍ଟ୍‌ ପିନ୍ଧି ସିନେମା ହଲ୍‌ରେ ପ୍ରବେଶ କରିବାକୁ ଦିଆଯିବ ନାହିଁ, କାରଣ ତାହା ଜାତୀୟ ସଂଗୀତ ପ୍ରତି ଅସମ୍ମାନ ସୂଚକ ରୂପେ ବିଚାର କରାଯାଇପାରେ। ଏହା ପରେ ଏଡି ବେଞ୍ଚ୍‌ ଜାତୀୟ ସଂଗୀତ ବଲ୍‌ଟିକୁ ସରକାରଙ୍କ ପଟ ପଡ଼ିଆକୁ ଗଡ଼ାଇ ଦେଇଥିଲେ। କେଉଁ ସମୟରେ ଏବଂ କେଉଁଭଳି ପରିସ୍ଥିତିରେ ଜାତୀୟ ସଂଗୀତ ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବ, ସେ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରଣାଳୟ ଏବେ ଏକ ପାଞ୍ଚ-ପୃଷ୍ଠାର ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଜଣାଇଛନ୍ତି ଯେ ଜାତୀୟ ସଂଗୀତର ଗାନ ଓ ବାଦନର ସମସ୍ତ ଦିଗ ବିଚାର କରି ଏକ ନିର୍ଦ୍ଦେଶାଳବଳୀ ପ୍ରସ୍ତୁତ କରିବା ପାଇଁ ଏକ ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ବିସ୍ତତ ବିଚାର ଆଲୋଚନା ମାଧ୍ୟମରେ ଏହା ପ୍ରସ୍ତୁତ ହେବା ପାଇଁ ଛ’ମାସ ସମୟ ଦରକାର। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ୨୦୧୬ ନଭେମ୍ବର ପୂର୍ବର ଅବସ୍ଥାକୁ ଫେରିଯିବା ପାଇଁ ସରକାର ସୁପ୍ରିମ୍‌ କୋର୍ଟଙ୍କ ନିକଟରେ ନିବେଦନ କରିଥିଲେ। ବସ୍ତୁତଃ ୨୦୧୬ର ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବେଞ୍ଚ୍‌ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ବାତିଲ କରିବା ହେଉଛି ଏହି ନିବେଦନର ମର୍ମ। ୨୦୧୮ର ବର୍ତ୍ତମାନର ସେଇ ଜଷ୍ଟିସ୍‌ ମିଶ୍ରଙ୍କର ବେଞ୍ଚ୍‌ ଏବେ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ଏକ ମଧ୍ୟମ ପନ୍ଥା ରୂପେ ବିଚାର କରାଯାଇପାରେ। ଏହି ନିର୍ଦ୍ଦେଶ ଅନୁସାରେ ସିନେମା ହଲ୍‌ରେ ଜାତୀୟ ସଂଗୀତ ଗାନ କରାଯିବ, କିନ୍ତୁ ତାହା ହେଉଛି ଇଚ୍ଛାମୂଳକ। ସିନେମା ହଲ୍‌ ମାଲିକ ଚାହିଁଲେ ଜାତୀୟ ସଂଗୀତ ଗାନ କରାଇ ପାରିବେ, ନ ଚାହିଁଲେ ବିନା ଜାତୀୟ ସଂଗୀତ ଗାନରେ ମଧ୍ୟ ଫିଲ୍ମ ପ୍ରଦର୍ଶନ କରିପାରିବେ। ଆସନ୍ତା ଛ’ମାସ ପର୍ଯ୍ୟନ୍ତ ଏହିଭଳି ଏକ ଅନିଶ୍ଚିତ ପରିସ୍ଥିତି ବଜାୟ ରହିବ।

ଏହା ସୁସ୍ପଷ୍ଟ ଯେ ସିନେମା ହଲ୍‌ରେ ଜାତୀୟ ସଂଗୀତ ଗାନ ବାସ୍ତବତା ଦୃଷ୍ଟିରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରେ। କିନ୍ତୁ ଏହା ମଧ୍ୟ ସତ ଯେ କେତେ ଦଶନ୍ଧି ତଳେ ପ୍ରତ୍ୟେକ ସିନେମା ହଲ୍‌ରେ ଫିଲ୍ମଟି ସମାପ୍ତ ହେବା ପରେ ପର୍ଦ୍ଦାରେ ଜାତୀୟ ପତାକା ଫର୍‌ ଫର ହୋଇ ଉଡୁଥିଲା ଏବଂ ‘ଜନଗଣ ମନ’ର ଧ୍ୱନିରେ ହଲ୍‌ଟି ଗୁଂଜରିତ ହେଉଥିଲା। ସେତେବେଳେ ଅଧିକାଂଶ ଦର୍ଶକ ଏହା ସରିବା ପର୍ଯ୍ୟନ୍ତ ସମ୍ମାନର ସହ ଛିଡ଼ା ହୋଇ ରହୁଥିଲେ। ଜଷ୍ଟିସ୍‌ ଦୀପକ ମିଶ୍ର ବୋଧହୁ, ସେଇ ସମୟର କଥା ସ୍ମରଣ କରି ତାଙ୍କର ପ୍ରଥମ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ବର୍ତ୍ତମାନ କିନ୍ତୁ ସମୟ ବଦଳି ଯାଇଛି। ଦେଶର ତଥାକଥିତ ଉଦାର-ବାମପନ୍ଥୀ-ବୁଦ୍ଧିଜୀବୀ ମାନଙ୍କ ମହଲରେ ଦେଶାତ୍ମବୋଧ ଏକ ମଇଳା ଶବ୍ଦରେ ପରିଣତ ହୋଇଯାଇଛି। ଜାତୀୟ ପତାକା କିଂବା ଜାତୀୟ ସଂଗୀତ ପ୍ରତି ସମ୍ମାନ ପ୍ରଦର୍ଶନକୁ ସେମାନେ ନିଜର ବ୍ୟକ୍ତି ସ୍ୱାଧୀନତାର ଅଂଶ ରୂପେ ବିଚାର କରୁଛନ୍ତି ଏବଂ ଯେଉଁମାନେ ଏହାକୁ ପ୍ରାଧାନ୍ୟ ଦେଉଛନ୍ତି ସେମାନଙ୍କୁ ଦକ୍ଷିଣପନ୍ଥୀ ସଂକୀର୍ଣ୍ଣ ଚିନ୍ତାଧାରାର ବାହକ ରୂପେ ବିଚାର କରୁଛନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ ଦେଶ ଭିତରେ ସୁରକ୍ଷିତ ରହିବା ପରେ ଯାଇ ସେମାନେ ନିଜର ବ୍ୟକ୍ତି ସ୍ୱାଧୀନତା ଉପଭୋଗ କରିପାରିବେ। ତେଣୁ ଜାତୀୟ ସଂଗୀତ ହେଉଛି ଆମର ଜୀବନ ସଂଗୀତ। ଆଶା ଏହାକୁ ଭିତ୍ତିକରି ସରକାର ଜାତୀୟ ସଂଗୀତ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବେ।

ସମ୍ବନ୍ଧିତ ଖବର