ଅର୍ଥନୈତିକ ପ୍ରସଙ୍ଗ ଉପରେ ମାନସ ମନ୍ଥନ କରି ବହୁଦଳୀୟ ସହଯୋଗ ବୃଦ୍ଧି ଉପରେ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡର ଡାଭୋସ୍ଠାରେ ବିଶ୍ୱ ନେତୃବୃନ୍ଦ ମିଳିତ ହେବେ। ଏହି ସମ୍ମିଳନୀ ପୂର୍ବରୁ ଓ୍ଵାର୍ଲଡ୍ ଇକନୋମିକ୍ ଫୋରମ୍ (ଡବ୍ଲ୍ୟୁଇଏଫ୍) ପକ୍ଷରୁ ୨୦୧୮ରେ ବିଶ୍ୱ ପ୍ରତି କ’ଣ ସବୁ ବିପଦର ଆଶଙ୍କା ରହିଛି, ତାର ଏକ ବିବରଣୀ ପ୍ରକାଶ ପାଇଛି। ଫୋରମ୍ ପକ୍ଷରୁ ସଦ୍ୟ ଜାରି ‘ଆନୁଆଲ୍ ଗ୍ଲୋବାଲ୍ ରିସ୍କ ରିପୋର୍ଟ’ରେ ଯେଉଁ ସବୁ ବିପଦ ସମ୍ପର୍କରେ ଆଗୁଆ ଆନ୍ତର୍ଜାତିକ ସମୁଦାୟଙ୍କୁ ସତର୍କ କରାଇ ଦିଆଯାଇଛି, ସେଥିରୁ ଗୋଟିଏ ହେଲା- ଚଳିତ ବର୍ଷ ରାଜନୈତିକ ଓ ଅର୍ଥନୈତିକ ବିବାଦ ଅଧିକ ଗୁରୁତର ରୂପ ନେବାର ଆଶଙ୍କା ରହିଛି। ଯାହା ଫଳରେ ଅର୍ଥନୈତିକ- ରାଜନୈତିକ ବିବାଦ ଯୋଗୁ ଗତବର୍ଷ ଯେଉଁ ମାତ୍ରାରେ ଅସ୍ଥିରତା, ଅଶାନ୍ତି ଓ ଉତ୍ତେଜନା ପ୍ରକାଶ ପାଇଥିଲା, ଚଳିତବର୍ଷ ତାହା ବୃଦ୍ଧି ପାଇବା ଆଶଙ୍କା ଅଧିକ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଉଲ୍ଲେଖନୀୟ ହେଲା, ଯେଉଁ ସବୁ କାରଣ ଯୋଗୁ ରାଜନୈତିକ- ଅର୍ଥନୈତିକ ବିବାଦ ଘନୀଭୂତ ହେବ ବୋଲି ଫୋରମ୍ର ରିପୋର୍ଟରେ ଆଶଙ୍କା ପ୍ରକାଶ କରାଯାଇଛି, ସେଗୁଡ଼ିକ ମଧ୍ୟରେ ପ୍ରମୁଖ କାରଣ ଭାବେ ଚୀନ୍ର ସଂପ୍ରସାରଣବାଦୀ ଅର୍ଥନୈତିକ-ଆଞ୍ଚଳିକ ନୀତି ଓ ଆଭିମୁଖ୍ୟ ବୋଲି ଦର୍ଶାଯାଇଛି। ଏହାର ଅର୍ଥ ଅର୍ଥନୈତିକ ଓ ସାମରିକ ପ୍ରଭାବ ବୃଦ୍ଧି ପାଇଁ ଚୀନ୍ର ନବ୍ୟ- ସାମ୍ରାଜ୍ୟବାଦୀ ମନୋଭାବ ବିଶ୍ୱ ଶାନ୍ତି ଓ ସ୍ଥିରତା ପ୍ରତି ବିପଦର ଆଶଙ୍କା ସୃଷ୍ଟି କରୁଛି। ରିପୋର୍ଟରେ ଗତ ୨୦୧୭ ଜୁନ୍-ଅଗଷ୍ଟରେ ପୂରା ଏସୀୟ ମହାଦେଶରେ ଅସ୍ଥିରତା ଓ ଅଶାନ୍ତିର କାରଣ ହୋଇଥିବା ‘ଡୋକଲାମ୍’ ପରିସ୍ଥିତିର ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯାଇ ଏଭଳି ଘଟଣାର ପୁନରାବୃତ୍ତି ନେଇ ଆଶଙ୍କା ପ୍ରକାଶ କରାଯାଇଛି।
ଚୀନ୍ର ଆକ୍ରମଣାତ୍ମକ ସଂପ୍ରସାରଣବାଦୀ ଆଭିମୁଖ୍ୟ ନେଇ ଫୋରମ୍ର ରିପୋର୍ଟରେ କରାଯାଇଥିବା ଆଶଙ୍କାପୂର୍ଣ୍ଣ ଆକଳନ ଯେ ଆଦୌ ଅମୂଳକ ନୁହେଁ , ସମ୍ପୂର୍ଣ୍ଣ ରୂପେ ବାସ୍ତବଧର୍ମୀ ତା’ର ପ୍ରମାଣ ହେଲା ଚୀନ୍- ଭୁଟାନ- ଭାରତ ତ୍ରିଛକ ଡୋକ୍ଲାମ୍ର ତାଜା ଘଟଣାକ୍ରମ। ଉପଗ୍ରହ ଚିତ୍ରରୁ ସେଠାରେ ପୁଣି ଡ୍ରାଗନ୍ର ସନ୍ଦିଗ୍ଧ ଗତିବିିଧିର ସୂଚନା ମିଳିଛି। ଗତ ୨୦୧୭ ଅଗଷ୍ଟ ୨୮ରେ ଭାରତ-ଚୀନ୍ ସେନା ମଧ୍ୟରେ ଦୀର୍ଘ ବାସ୍ତରି ଦିନର ମୁହାଁମୁହିଁ ପରିସ୍ଥିତିର ଅବସାନ ଘଟିଥିଲା। ତେବେ ଚାରିମାସ ତଳେ ଡୋକଲାମ୍ରେ ଯେଉଁ ସ୍ଥିତାବସ୍ଥା ବାହାଲ ହେଲା, ଏବେ ସେହି ସ୍ଥିତାବସ୍ଥାକୁ ବିଗାଡ଼ିବା ଲାଗି ଚୀନ୍ର ପିଏଲ୍ଏ ପକ୍ଷରୁ ଯୋଜନାବଦ୍ଧ ଅଭିଯାନ ଆରମ୍ଭ ହୋଇଯାଇଛି, ଯାହା ସୀମାନ୍ତରେ ପୁଣି ଥରେ ଅଶାନ୍ତି ଓ ଦୁଇ ବୃହତ୍ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ସମ୍ପର୍କରେ ଉତ୍ତେଜନା ସୃଷ୍ଟି କରିଛି। ଉପଗ୍ରହ ଚିତ୍ର ଅନୁଯାୟୀ ବିବାଦୀୟ ଡୋକଲାମ ଉପତ୍ୟକାର ଉତ୍ତର ଭାଗକୁ ଚୀନ୍ ସେନା ସମ୍ପୂର୍ଣ୍ଣ ଭାବେ ନିଜ ଦଖଲକୁ ନେଇ ଯାଇଛନ୍ତି। ସେଠାରେ ବଙ୍କର, ହେଲିପ୍ୟାଡ୍ ରାସ୍ତା ଆଦି ସ୍ଥାୟୀ ପ୍ରତିରକ୍ଷା ଭିତ୍ତିଭୂମି ନିର୍ମାଣ କରିଛନ୍ତି।
ଯେଉଁଠି ଦୁଇ ମାସରୁ ଊର୍ଦ୍ଧ୍ୱକାଳ ଧରି ଭାରତ ଓ ଚୀନ୍ର ସୈନିକ ମୁହାଁମୁହିଁ ଅବସ୍ଥାରେ ଥିଲେ, ସେହି ସ୍ଥାନରୁ ମାତ୍ର ଶହେରୁ ଦେଢଶହ ମିଟର ଦୂରରେ ଚୀନ୍ ସେନାର ଗତିବିଧି ବୃଦ୍ଧି ନିଶ୍ଚିତ ଭାବେ ସନ୍ଦିଗ୍ଧ। ବିବାଦୀୟ ଅଞ୍ଚଳରେ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଓ ୧୬୦୦ ରୁ ୧୮୦୦ ଚୀନ୍ ସୈନ୍ୟଙ୍କ ଉପସ୍ଥିତି କେବଳ ଅଗଷ୍ଟରେ ସୀମାନ୍ତ ବୁଝାମଣା ନୁହେଁ, ସେପ୍ଟେମ୍ବରରେ ମୋଦୀ- ଜିଙ୍ଗ୍ପିଙ୍ଗ ବୁଝାମଣାର ମଧ୍ୟ ଖିଲାପ। ଡୋକଲାମ୍ରେ ଚୀନ୍ ସେନାର ସାଂପ୍ରତିକ ସନ୍ଦିଗ୍ଧ ଗତିବଧି ପରିପ୍ରେକ୍ଷୀରେ ସାମରିକ ବିଶେଷଜ୍ଞ ମହଲରେ ସନ୍ଦେହ ହେଉଛି ଯେ ୨୦୧୭ ଅଗଷ୍ଟ ୨୮ରେ ସୀମାରୁ ସେନା ପ୍ରତ୍ୟାହାର ଡ୍ରାଗନ୍ର ଏକ ଛଳନା ଥିଲା। ବାସ୍ତବରେ ଚୀନ୍ ସେନା ସମ୍ପୂର୍ଣ୍ଣ ଭାବେ ଡୋକଲାମ୍ ଛାଡ଼ି ନଥିଲେ। ଯୋଜନାବଦ୍ଧ ଭାବେ ପୁନର୍ବାର ସୈନ୍ୟ ସଂଖ୍ୟା ବଢ଼ାଇ ନିର୍ମାଣ କାର୍ଯ୍ୟ ଚାଲିଛି। ଉଲ୍ଲେଖଯୋଗ୍ୟ ଯେ ସାମରିକ ରଣକୌଶଳ ଦୃଷ୍ଟିରୁ ଡୋକଲାମ୍ରେ ଚୀନ୍ ସେନାର କୌଣସି ପ୍ରକାର ଉପସ୍ଥିତି ଭାରତୀୟ ସୁରକ୍ଷା ପ୍ରତି ବିପଦର ସଂକେତ। ଡୋକଲାମ୍ରେ ଚୀନ୍ର ସ୍ଥାୟୀ ସାମରିକ ଘାଟି ଉତ୍ତର- ପୂର୍ବ ପ୍ରତି ବିପଦ।
ନିକଟରେ ଭାରତର ସେନାଧ୍ୟକ୍ଷ ଜେନେରାଲ ରାଓ୍ଵତ୍ କହିଥିଲେ ଯେ, ସୀମାନ୍ତରେ ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ୨୦୧୭ ଜୁନ୍ ପୂର୍ବବର୍ତ୍ତୀ ପାରସ୍ପରିକ ସୌହାର୍ଦ୍ଦ୍ୟ ଫେରି ଆସିଛି। ତେବେ ସେ ପାକିସ୍ତାନ ସହ ସୀମାନ୍ତ ଅପେକ୍ଷା ଉତ୍ତର-ପୂର୍ବରେ ଚୀନ୍ ସହ ସୀମାନ୍ତ ଉପରେ ଅଧିକ ସତର୍କ ନଜର ରଖିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହାର ଅର୍ଥ ଭାରତୀୟ ସେନା ମୁଖ୍ୟ ଠିକ୍ ବୁଝିଛନ୍ତି ଯେ, ଡୋକଲାମ୍ର ଉତ୍ତରାଞ୍ଚଳରେ ଚୀନ୍ ସେନାର ଗତିବିଧି ଆଦୌ ସୌହାର୍ଦ୍ଦ୍ୟର ସଂକେତ ଦେଉନାହିଁ। ବରଂ ଛଳନା ଓ ଦୋମୁହାଁ ନୀତିର ଅଶୁଭ ସଂକେତ ଦେଉଛି, ଯାହା ସୀମାନ୍ତରେ ଅଧିକ ସତର୍କତା ଦାବି କରେ। ଇତିହାସ ଏହାର ସାକ୍ଷୀ ଯେ ସଂପ୍ରସାରଣବାଦୀ ଯୋଜନାକୁ ଚରିତାର୍ଥ କରିବା ଲାଗି ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଏ ପ୍ରକାର ଛଳନା ଓ ଦୋମୁହାଁ ନୀତି ଏକ ରଣକୌଶଳ। ଓ୍ଵାର୍ଲଡ୍ ଇକନୋମିକ୍ ଫୋରମ୍ ରିପୋର୍ଟରେ ଚୀନ୍କୁ ଏସିଆ ତଥା ବିଶ୍ୱର ନବ୍ୟ ସାମ୍ରାଜ୍ୟବାଦୀ ଖଳନାୟକ ଭାବେ ଚିତ୍ରଣର ଏହା ଯଥାର୍ଥତା ପ୍ରତିପାଦିତ କରୁଛି। ଚୀନ୍ର ସଂପ୍ରସାରଣବାଦୀ ମନୋଭାବର ଶିକାର କେବଳ ଭାରତ ନୁହେଁ। ଜାପାନ ଓ ଅନ୍ୟ କେତେକ ଏସୀୟ ପଡ଼ୋଶୀ ମଧ୍ୟ ଡ୍ରାଗନ୍ର ନିଶାଣରେ ରହିଛନ୍ତି। ବେଜିଂର ଉଚ୍ଚାକାଂକ୍ଷୀ ‘ଗୋଟିଏ ଅଞ୍ଚଳ ଗୋଟିଏ ରାସ୍ତା’ (ଓବିଓଆର୍) ପ୍ରକଳ୍ପ ନେଇ ପ୍ରଥମ ଯେଉଁ ରାଷ୍ଟ୍ରମାନେ ଉତ୍ସାହ ଦେଖାଇଥିଲେ, ଏବେ ସେହି ରାଷ୍ଟ୍ରମାନେ ନିଜର ସାର୍ବଭୌମତ୍ୱ ହରାଇବା ଆଶଙ୍କାରେ ଚିନ୍ତିତ।
ତେଣୁ ଡୋକଲାମ୍ର ସାଂପ୍ରତିକ ପରିସ୍ଥିତି ଓ ପରିବେଶ ଏହାର ପ୍ରମାଣ ଯେ ପ୍ରତିକୂଳ ବିଶ୍ୱ ଜନମତ ସତ୍ତ୍ୱେ ବେଜିଂର ଆକ୍ରମଣାତ୍ମକ ସଂପ୍ରସାରଣବାଦୀ ନୀତି ଓ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସୁନାହିଁ। ସାମ୍ରାଜ୍ୟବାଦୀ ଅଭିଳାଷ ଚରିତାର୍ଥ କରିବା ଲାଗି ବ୍ୟଗ୍ର ଡ୍ରାଗନ୍ କୂଟନୈତିକ କୌଶଳ ଅପେକ୍ଷା ସାମରିକ ଶକ୍ତି ପ୍ରୟୋଗ ଉପରେ ଅଧିକ ଗୁରୁତ୍ୱ ଦେଉଛି। ଡୋକଲାମ୍ରେ ବେଜିଂର ଆଚରଣ ଦକ୍ଷିଣ ଚୀନ୍ ସାଗରର ପ୍ରସଙ୍ଗରେ ମଧ୍ୟ ଏହାର ମତିଗତି ନେଇ ସନ୍ଦେହ ସୃଷ୍ଟି କରୁଛି।
ଡୋକଲାମ୍ର ତାଜା ଘଟଣାକ୍ରମ ପରିପ୍ରେକ୍ଷୀରେ ନୂଆଦିଲ୍ଲୀକୁ ଏକ ଦ୍ୱିସୂତ୍ରୀ ରଣକୌଶଳ ଉପରେ ବିଚାର କରିବାକୁ ପଡ଼ିବ। ପ୍ରଥମେ, ଚୀନ୍ର ସଂପ୍ରସାରଣବାଦୀ ନୀତି ଦ୍ୱାରା ପୀଡ଼ିତ ଅନ୍ୟ ଦେଶ ଓ ଚିନ୍ତିତ ବିଶ୍ୱ ସମୁଦାୟ ସହ କୂଟନୈତିକ ଓ ବ୍ୟବସାୟିକ- ଅର୍ଥନୈତିକ ସହଯୋଗ ବୃଦ୍ଧି। ଦ୍ୱିତୀୟ, ନିଜର ଆଞ୍ଚଳିକ ଅଖଣ୍ଡତା ଓ ସୁରକ୍ଷା ପାଇଁ ନିର୍ଭରଶୀଳ ‘ପ୍ରୋଟେନ୍ରଟ୍’ କ୍ଷୁଦ୍ର ରାଷ୍ଟ୍ର ଭୁଟାନର ସୁରକ୍ଷା ପାଇଁ ସାମରିକ ସାମର୍ଥ୍ୟ ଓ ଦକ୍ଷତା ବୃଦ୍ଧି। ଆଞ୍ଚଳିକ ଅଖଣ୍ଡତା ଓ ଦେଶର ସୁରକ୍ଷା ପ୍ରତି ଚୀନ ଆଡୁ ବିପଦ ବିଷୟ ଆଲୋଚନା ବେଳେ କେବଳ ଡୋକଲାମ୍ ନୁହେଁ, ଦୀର୍ଘ ୪୦୦୦ କି.ମି. ବ୍ୟାପୀ ନିୟନ୍ତ୍ରଣ ରେଖାରେ ଡ୍ରାଗନର ଅଭ୍ୟାସଗତ ଉପଦ୍ରବ ବିଷୟ ମଧ୍ୟ ବିଚାରକୁ ନେବାକୁ ହେବ। ଭାରତ-ଚୀନ ନିୟନ୍ତ୍ରଣ ରେଖାରେ ଦୁଇ ଡଜନରୁ ଅଧିକ ବିବାଦୀୟ ଅଞ୍ଚଳ ରହିଛି। ଏହାକୁ ଆଳ କରି ଚୀନ ସେନା ବାରମ୍ବାର ସୀମା ଉଲ୍ଲଂଘନ କରି ଉତ୍ତେଜନା ସୃଷ୍ଟି କରି ଆସୁଛି। ଗତ ୨୦୧୭ରେ ଚୀନ ସେନା ୪୧୫ ଥର ସୀମା ଅତିକ୍ରମ କରିଥିଲେ। ୨୦୧୬ରେ ମଧ୍ୟ ୨୭୦ରୁ ଅଧିକ ଥର ଚୀନ ସୈନ୍ୟ ସୀମା ଅତିକ୍ରମଣ କରିଥିଲେ। ଘନ ଘନ ଅତିକ୍ରମଣ ଆପୋସ ଆଲୋଚନାରେ ସୀମା ବିବାଦର ସମାଧାନ ଲାଗି କଦାପି ଏକ ଅନୁକୂଳ ସଂକେତ ନୁହେଁ। ଏହା ସ୍ୱାଭାବିକ ଭାବେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଲାଗି ଚୀନର ନିଷ୍ଠା ଓ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଏହା ନିଃସନ୍ଦେହ ଯେ, ଡୋକଲାମ ଓ ନିୟନ୍ତ୍ରଣ ରେଖାର ଅନ୍ୟ ସ୍ଥାନରେ ଚୀନ ସେନାର ଆଚରଣରେ ସାମରିକ ଓ ଅର୍ଥନୈତିକ ଅହଙ୍କାରର ଗନ୍ଧ ସ୍ପଷ୍ଟ। ଚୀନର ମୁକାବିଲା କରିବାର ସାମର୍ଥ୍ୟ ରଖୁଥିବା ଭାରତକୁ ସର୍ବଦା ଚାପରେ ରଖିବା ଲାଗି ଏହା ଏକ କୌଶଳ। ତେଣୁ ଚୀନର ମୁକାବିଲା ପାଇଁ ଭାରତକୁ ଉଭୟ ଅର୍ଥନୈତିକ ଓ ସାମରିକ ଶକ୍ତି ବୃଦ୍ଧି କରିବାକୁ ପଡ଼ିବ। ତେବେ ସାମରିକ ସାମର୍ଥ୍ୟ ଓ ଶକ୍ତି ବୃଦ୍ଧି ଅଧିକ ପ୍ରାଥମିକତା ଦାବି କରେ। ଚୀନର ପ୍ରତିରକ୍ଷା ବାବଦ ଖର୍ଚ୍ଚ ଭାରତ ତୁଳନାରେ ତିନିଗୁଣ। ଆସନ୍ତା ୨୦୨୦ ସୁଦ୍ଧା ଏହା ଚାରିଗୁଣ ହେବ। ଏହାକୁ ଆଖିଆଗରେ ରଖି ଭାରତର ସାମରିକ ବଜେଟକୁ ଆନୁପାତିକ ଭାବେ ବଢ଼ାଇବାକୁ ପଡ଼ିବ। ଚୀନ ଭଳି ଆକ୍ରମଣାତ୍ମକ ନୀତି ଭାରତ ପକ୍ଷରେ ଗ୍ରହଣୀୟ ନୁହେଁ। କିନ୍ତୁ କୌଣସି ପ୍ରକାର ଆକ୍ରମଣକୁ ପ୍ରତିହତ କରି ଆତ୍ମରକ୍ଷା ନିଶ୍ଚିତ କରିାବ ଲାଗି ପର୍ଯ୍ୟାପ୍ତ ସାମରିକ ଶକ୍ତି ଆହରଣ ଅନିବାର୍ଯ୍ୟ। ଏହା କେବଳ ଦେଶର ସୁରକ୍ଷା ପାଇଁ ନୁହେଁ, ଆଞ୍ଚଳିକ ସ୍ଥିରତା ଓ ଶାନ୍ତି ପାଇଁ ମଧ୍ୟ ଜରୁରୀ। ଏ ପରିପ୍ରେକ୍ଷୀରେ ଏହା ଏକ ସୁଖଦ ଖବର ଯେ, ଚୀନର ଉତ୍ତରାଞ୍ଚଳରେ ଲକ୍ଷ୍ୟ ଭେଦ ପାଇଁ ସାମର୍ଥ୍ୟ ରଖୁଥିବା କ୍ଷେପଣାସ୍ତ୍ର ଅଗ୍ନିର ସଫଳ ପରୀକ୍ଷଣ ହୋଇଛି।