Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ବୁମେରାଂ

0 262

ନିକଟରେ ପେଟ୍ରୋଲ/ଡିଜେଲ ଦରରେ ଦେଖା ଦେଇଥିବା ତୀକ୍ଷ୍‌ଣ ବୃଦ୍ଧି ଯେ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପାଇଁ ଘୋର ଅସ୍ୱସ୍ତି ସୃଷ୍ଟି କରିଛି, ଏହା ସେମାନଙ୍କର ଦୃଢ଼ତମ ସମର୍ଥକମାନେ ମଧ୍ୟ ସ୍ୱୀକାର କରିବେ। କେନ୍ଦ୍ରରେ ଏଥିପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର କ୍ଷମତାରେ ଥିବା ବେଳେ ପେଟ୍ରୋଲ/ ଡିଜେଲ ଦାମ ଏହିପରି ଉଚ୍ଚା ହେବା ପାଇଁ ସେ ସରକାରକୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରି ନରେନ୍ଦ୍ର ମୋଦୀରୁ ଅରୁଣ ଜେଟ୍‌ଲୀଙ୍କ ପର୍ଯ୍ୟନ୍ତ ଭାଜପା ନେତାମାନେ କିଭଳି ତୀବ୍ର ଭର୍ତ୍ସନା କରୁଥିଲେ ତାହାର ରେକର୍ଡ ହୋଇଥିବା ଭିଡିଓ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ବହୁଳ ଭାବେ ପ୍ରସାରିତ ହେବାରେ ଲାଗିଛି। ସେ ସବୁ ସମାଲୋଚନାର କୌଣସି ଗୋଟିଏ ଶବ୍ଦ ମଧ୍ୟ ନବଦଳାଇ ତାହାକୁ ବର୍ତ୍ତମାନର ମୋଦୀ ସରକାର ପ୍ରତି ବୁମେରାଂ କରାଯାଇ ପାରିବ ଏବଂ କରାଯାଉଛି ମଧ୍ୟ।

ସେ ସମାଲୋଚନାର ଗୋଟିଏ ପ୍ରଧାନ ଅଂଶ ଥିଲା ଯେ ପେଟ୍ରୋଲ/ ଡିଜେଲ ଦର ଉଚ୍ଚା ରହିବାର କାରଣ ହେଉଛି ସରକାର ତାହା ଉପରେ ଲାଗୁ କରୁଥିବା ଟିକସ। ବର୍ତ୍ତମାନ ମଧ୍ୟ ସମାଲୋଚକମାନେ ଠିକ୍‌ ସେଇ କଥା କହୁଛନ୍ତି। ତେବେ ବର୍ତ୍ତମାନର ସରକାରଙ୍କ ସପକ୍ଷରେ ଏତିକି କୁହାଯାଇପାରେ ଯେ ଏହି ବୁମେରାଂ ମାଡ଼ ସରକାରଙ୍କୁ ବାଧିଛି। ଏହାର ପ୍ରମାଣ ସ୍ୱରୂପ ଗତ ସପ୍ତାହରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଆଦାୟ କରାଯାଉଥିବା ଏକ୍‌ସାଇଜ୍‌ ଶୁଳ୍‌କରେ ଲିଟର ପିଛା ଦୁଇଟଙ୍କା ଲେଖାଏଁ ହ୍ରାସ ଘଟାଇ ଦେଲେ। ଏ ଦୁଇ ପଦାର୍ଥ ଉପରେ କିନ୍ତୁ କେନ୍ଦ୍ର ସରକାର ଏକୁଟିଆ ଟିକସ ବସାଇ ନଥାନ୍ତି। ରାଜ୍ୟ ସରକାରମାନେ ମଧ୍ୟ ପେଟ୍ରୋଲିଅମ୍‌ ପଦାର୍ଥ ମାନଙ୍କ ଉପରେ ଭ୍ୟାଟ୍‌ ଲାଗୁ କରି ପ୍ରଭୂତ ରାଜସ୍ୱ ଆଦାୟ କରିଥାନ୍ତି। ଯେତେବେଳେ ସାରା ଦେଶ ପାଇଁ ଗୋଟିଏ ପ୍ରକାର କର ବ୍ୟବସ୍ଥା ପ୍ରଚଳନ କରାଯିବା ଉଦ୍ଦେଶ୍ୟରେ ଜିଏସ୍‌ଟି ପ୍ରବର୍ତ୍ତନ କରାଗଲା, ରାଜ୍ୟ ସରକାରମାନଙ୍କର ବିରୋଧ ଯୋଗୁଁ ପେଟ୍ରୋଲିଅମ୍‌ ପଦାର୍ଥ ମାନଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରାଯାଇ ପାରିଲା ନାହିଁ। ତେଣୁ ପେଟ୍ରୋଲ/ ଡିଜେଲ ଦାମ ଉଚ୍ଚା ରହିବାର ଅନ୍ୟ ଏକ କାରଣ ହେଲା ଏହା ଉପରେ ରାଜ୍ୟ ସରକାରମାନେ ଲାଗୁ କରୁଥିବା ଭ୍ୟାଟ୍‌।

ଅତଏବ କେନ୍ଦ୍ର ସରକାର ସମାଲୋଚନାର ଚାପରେ ଏକ ପ୍ରତୀକାତ୍ମକ ପଦକ୍ଷେପ ନେଇ ପେଟ୍ରୋଲ- ଡିଜେଲ ଉପରେ ଏକ୍‌ସାଇଜ୍‌ ଶୁଳ୍‌କ ସାମାନ୍ୟ ହ୍ରାସ କରିଦେବା ପରେ (ପ୍ରତୀକାତ୍ମକ ଏଇଥିପାଇଁ-୨୦୧୪ରେ ପେଟ୍ରୋଲ ଉପରେ ଏକ୍‌ସାଇଜ୍‌ ଶୁଳ୍‌କ ଥିଲା ଲିଟର ପିଛା ଟ୯.୪୮ପ, ବର୍ତ୍ତମାନ ତାହା ହେଉଛି ଟ୨୧.୪୮ପ; ଡିଜେଲ ପାଇଁ ତାହା ଥିଲା ଟ୩.୫୬ ପ, ବର୍ତ୍ତମାନ ହୋଇଛି ଟ୧୩.୪୭ପ: ଏଣୁ ଲିଟର ପିଛା ଦୁଇ ଟଙ୍କା ମାତ୍ର ହ୍ରାସ ଧର୍ମକୁ ଆଖିଠାର ନୁହେଁ ତ ଆଉ କ’ଣ?) ବର୍ତ୍ତମାନ ପେଟ୍ରୋଲ/ ଡିଜେଲ ଉପରେ ଭ୍ୟାଟ୍‌ ହ୍ରାସ କରିବା ପାଇଁ ରାଜ୍ୟ ସରକାରମାନଙ୍କ ଉପରେ ଏକ ନୈତିକ ଚାପ ସୃଷ୍ଟି ହୋଇଛି। ଏହାର ପ୍ରମାଣ ସ୍ୱରୂପ ମଙ୍ଗଳବାର ଦିନ ଦେଶର ତିନିଟି ରାଜ୍ୟରେ ସେଠାକାର ସରକାରମାନେ ପେଟ୍ରୋଲ ଓ ଡିଜେଲ୍‌ ଉପରେ ଲାଗୁ ହେଉଥିବା ଭ୍ୟାଟ୍‌ରେ ହ୍ରାସ ଘୋଷଣା କରିଛନ୍ତି। ଏ ରାଜ୍ୟ ତିନିଟି ହେଲେ ମହାରାଷ୍ଟ୍ର, ଗୁଜରାଟ ଓ ହିମାଚଳ ପ୍ରଦେଶ। ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଲା ଏମାନଙ୍କ ମଧ୍ୟରୁ ପ୍ରଥମ ଦୁଇଟିରେ ଭାଜପା ସରକାର କ୍ଷମତାରେ ଥିବା ବେଳେ ତୃତୀୟ ରାଜ୍ୟଟିରେ କ୍ଷମତାରେ ଅଛି କଂଗ୍ରେସ ସରକାର।

ଏ ତିନି ରାଜ୍ୟ ମାନଙ୍କ ମଧ୍ୟରେ ଭ୍ୟାଟ୍‌ ହ୍ରାସ ଘୋଷଣା କରିବାରେ ପ୍ରଥମ ରାଜ୍ୟ ହେଉଛି ଗୁଜରାଟ। ଏଠାରେ ଉଭୟ ପଦାର୍ଥ ଉପରେ ଲାଗୁ ହେଉଥିବା ୨୮.୯୬% ଭ୍ୟାଟ୍‌ ରେଟ୍‌ରେ ୪% ଲେଖାଏଁ ହ୍ରାସ କରି ଦିଆଗଲା। ଏହାଫଳରେ ସେଠାରେ ପେଟ୍ରୋଲ ଦାମରେ ଲିଟର ପିଛା ଟ୨.୯୩ପ ଏବଂ ଡିଜେଲ ଦାମରେ ଲିଟର ପିଛା ଟ୨.୭୨ପ ଲେଖାଏଁ ହ୍ରାସ ଘଟିଛି। ମହାରାଷ୍ଟ୍ରରେ ଘଟିଥିବା ଭ୍ୟାଟ୍‌ କାଟ ଯୋଗୁଁ ସେଠାରେ ପେଟ୍ରୋଲ ଦାମରେ ଟ୨ ଏବଂ ଡିଜେଲ ଦାମରେ ଟ୧ ଲେଖାଏଁ ହ୍ରାସ ଘଟିଛି। ଏଭଳି ହ୍ରାସ ଘଟାଇବାରେ ତୃତୀୟ ରାଜ୍ୟ ଭାବରେ ସେଦିନ ବିଳମ୍ବିତ ସନ୍ଧ୍ୟାରେ ହିମାଚଳ ପ୍ରଦେଶ ସରକାର ସେଠାକାର ଭ୍ୟାଟ୍‌ରେ ୧% ହ୍ରାସ ଘଟାଇଛନ୍ତି। ଉପରୋକ୍ତ ରାଜ୍ୟମାନଙ୍କରେ ଘଟିଥିବା ଭ୍ୟାଟ୍‌ ରେଟ୍‌ରେ ହ୍ରାସର ଆକାର ବିଶାଳ ମନେ ହୋଇନଥାଏ, ତାହା ସତ। କିନ୍ତୁ ଉଭୟ ଭାଜପା ଏବଂ ଅଣ-ଭଜେପା ଶାସିତ ରାଜ୍ୟମାନେ ନେଇଥିବା ଏପରି ଏକ ସମାନ ପଦକ୍ଷେପ ଦେଶରେ କରସଂସ୍କାର କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ଭାବନା ସୃଷ୍ଟି କରିଥାଏ। ତାହା ହେଲା- ଅବଶେଷରେ ପେଟ୍ରୋଲିଅମ୍‌ ପଦାର୍ଥମାନଙ୍କୁ ଦେଶବ୍ୟାପୀ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରିବା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ଯେତେବେଳେ ପେଟ୍ରୋଲ/ ଡିଜେଲ ଦରବୃଦ୍ଧି ବିରୋଧରେ ଦେଶବ୍ୟାପୀ ସମାଲୋଚନା ଜୋର ଧରିଥିଲା, ପେଟ୍ରୋଲିଅମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେତେବେଳେ ଏହାର ସମାଧାନ ସ୍ୱରୂପ ପେଟ୍ରୋଲ, ଡିଜେଲ, ଜେଟ୍‌ ଇନ୍ଧନ, ପ୍ରାକୃତିକ ବାଷ୍ପ ଏବଂ ଅଶୋଧିତ ତୈଳ ଆଦି ସମସ୍ତ ପେଟ୍ରୋ-ପଦାର୍ଥକୁ ଜିଏସ୍‌ଟି ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯିବା ପାଇଁ ଆହ୍ଵାନ ଦେଇଥିଲେ। ଯଦି ହାରାହାରି ଭାବରେ ଦେଖାଯାଏ ତେବେ ବର୍ତ୍ତମାନ ଦେଶରେ ବଳବତ୍ତର ଥିବା ପେଟ୍ରୋଲ ଓ ଡିଜେଲ ଇନ୍ଧନ ଦରର ପ୍ରାୟ ୫୦% ହେଉଛି ସରକାରୀ ଟିକସମାନ। ଦେଶରେ ବର୍ତ୍ତମାନ ପ୍ରଚଳନ କରାଯାଇଥିବା ଜିଏସ୍‌ଟିରେ ଯେଉଁ ଚାରିଟି ମୁଖ୍ୟ ଟିକସ ହାର ଶ୍ରେଣୀ ରହିଛି, ତହିଁରେ ସର୍ବୋଚ୍ଚ ଟିକସ ହାର ହେଉଛି ୨୮%। ଯଦି ଜିଏସ୍‌ଟି ବ୍ୟବସ୍ଥାର ଅନ୍ତିମ ନିର୍ଣ୍ଣାୟକ ସଂସ୍ଥା ଜିଏସ୍‌ଟି କାଉନସିଲ୍‌ ପେଟ୍ରୋଲିୟମ୍‌ ପଦାର୍ଥମାନଙ୍କୁ ଜିଏସ୍‌ଟିରେ ଅନ୍ତିର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଏ, ତେବେ ପେଟ୍ରୋଲ ଡିଜେଲ୍‌ ଦରରେ ଯେ ଅତି କମ୍‌ରେ ୨୨% ହ୍ରାସ ଘଟିବ, ଏଥିରେ ସନ୍ଦେହ ନାହିଁ। କାରଣ ଯଦି ଜିଏସ୍‌ଟି କାଉସ୍‌ସିଲ ଏହି ପଦାର୍ଥମାନଙ୍କ ଉପରେ ସର୍ବୋଚ୍ଚ ପ୍ରଚଳିତ ହାରରେ (୨୮%) ଟିକସ ଲାଗୁ କରେ, ତେବେ ଅନ୍ତତଃ ଏତିକିଦର ହ୍ରାସ ଘଟିବା ନିଶ୍ଚିତ; ଜିଏସ୍‌ଟି କାଉନସିଲ୍‌ ଯଦି ଏହା ତଳେ ଥିବା କୌଣସି ଏକ ଟିକସ ହାର (୧୮%,୧୨%…) ଲାଗୁ କରେ ତେବେ ତ ପେଟ୍ରୋଲ/ ଡିଜେଲ ଦରରେ ଆହୁରି ଅଧିକ ହ୍ରାସ ଘଟିବ।

ଜୁଲାଇ ପହିଲାରେ ଜିଏସ୍‌ଟି ବ୍ୟବସ୍ଥାର ଶୁଭାରମ୍ଭର ଅବ୍ୟବହିତ ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଥିଲେ ଯେ ପେଟ୍ରୋଲିଅମ୍‌ ପଦାର୍ଥ ସବୁକୁ ଏହି ନୂତନ କର ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସେ କହିଥିଲେ ଯେ ରାଜ୍ୟ ଅର୍ଥ ମନ୍ତ୍ରୀ ମାନଙ୍କର ଅଧିକୃତ କମିଟିର ସୁପାରିସ ଅନୁସାରେ ଜିଏସ୍‌ଟି ପାଇଁ କରାଯାଇଥିବା ସମ୍ବିଧାନ ସଂଶୋଧନରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ସେଥିଯୋଗୁଁ ବର୍ତ୍ତମାନ ପେଟ୍ରୋଲ ଡିଜେଲ ଆଦି ଉପରେ ଶୂନ୍ୟହାର ଲାଗୁ ହେଉଛି। ଜିଏସ୍‌ଟି କାଉନସିଲ୍‌ ଯଦି ନିଷ୍ପତ୍ତି ନିଏ ତେବେ ସେ ସ୍ଥାନରେ ଟିକସ ଲାଗୁ ହେବ। ବଲ୍‌ ତେଣୁ ବର୍ତ୍ତମାନ ଜିଏସ୍‌ଟି କାଉନ୍‌ସିଲ୍‌ ପଟର ପଡ଼ିଆରେ। ଏ କାଉନସିଲ୍‌ର ସଦସ୍ୟ ହେଉଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀମାନେ। ଏପର୍ଯ୍ୟନ୍ତ ସେମାନେ ସମ୍ପୂର୍ଣ୍ଣ ସହମତି ଭିତ୍ତିରେ ଏକ ମନ ହୋଇ କାର୍ଯ୍ୟ କରି ଆସିଛନ୍ତି। ଏବେ ଉପରୋକ୍ତ ତିନି ରାଜ୍ୟର ପଦକ୍ଷେପ ଦେଖି ଆଶା ସଂଚାର ହେଉଛି ଯେ ସେମାନେ ରାଜନୈତିକ ବିଭେଦ ଭୁଲି ଏଥର ପେଟ୍ରୋଲିଅମ୍‌ ପଦାର୍ଥ ସବୁକୁ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରିଦେବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

eighteen + seventeen =