ପୀଡ଼ିତାର ପ୍ରଶ୍ନ

୨୦୧୮ ଜାନୁଆରି ୨୨ ତାରିଖ ଅପରାହ୍ନରେ ଓଡ଼ିଶାରେ ଏଭଳି ଦୁଇଟି ଘଟଣା ଘଟିବା ଦେଖାଯାଇଛି, ଯାହା ମଧ୍ୟରେ ଥିବା ସ୍ପଷ୍ଟ ବିରୋଧାଭାସ ରାଜ୍ୟ ଭିତରେ ତଥା ରାଜ୍ୟ ବାହାରେ ଜନମାନସକୁ ଆନ୍ଦୋଳିତ କରି ତୋଳିଛି। ଏହି ଜାନୁଆରି ଅପରାହ୍‌ଣର ଯେଉଁ ସମୟରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନରେ ଭୂଷିତ ହୋଇ ମୁମ୍ବାଇରୁ ସଗର୍ବରେ ଘରକୁ ଫେରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିମାନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରୁଥିଲା, ପ୍ରାୟ ସେଇ ସମୟରେ କୋରାପୁଟର କୁନ୍ଦୁଲି ମେଡ଼ିକାଲରେ ନାବାଳିକା କୁନ୍ଦୁଲି ପୀଡ଼ିତାଙ୍କୁ ମୃତ ଘୋଷଣା କରାଯାଇଥିଲା। ନିଜ ଓଢ଼ଣିକୁ ରଶି ରୂପେ ବେକରେ ବାନ୍ଧି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ପୀଡ଼ିତାଙ୍କୁ କୁନ୍ଦୁଲି ମେଡ଼ିକାଲ୍‌କୁ ଅଣାଯିବା ବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇ ସାରିଥିଲା। ଠିକ୍‌ ସେତିକିବେଳେ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ଭିଡ଼ରେ ଭୁବନେଶ୍ୱର ବିମାନ ବନ୍ଦର ଓ ତାର ଆଖପାଖ ଅଞ୍ଚଳ ଫାଟି ପଡୁଥିଲା।

ଏହା ସମ୍ପୂର୍ଣ୍ଣ ସମ୍ଭବ ଯେ ପୀଡ଼ିତା ଜଣକ ପୁନେର ‘ଏମ୍‌ଆଇଟି ସ୍କୁଲ୍‌ ଅଫ୍‌ ଗଭର୍ଣ୍ଣମେଣ୍ଟ’ ନାମକ ଏକ ସଂସ୍ଥା ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନରେ ସମ୍ମାନିତ ହେବା ଖବର ସମ୍ବନ୍ଧରେ ଆଦୌ ଅବଗତ ନଥିବେ। କିନ୍ତୁ ନିଜକୁ ଧର୍ଷଣର ଶିକାର ହୋଇଥିବା ଅଭିଯୋଗ କରି ପରବର୍ତ୍ତୀ ସମୟରେ ଅକଥନୀୟ ମାନସିକ ଓ ଶାରୀରିକ ଯନ୍ତ୍ରଣା ଭୋଗ କରିଥିବା ଏହି ନାବାଳିକା ଦଳିତ ପୀଡ଼ିତା ଜଣକ ଯେଉଁ ମୁହୂର୍ତ୍ତରେ ନିଜ ହାତରେ ନିଜର ଜୀବନ ନେବାକୁ ସ୍ଥିର କରିଛନ୍ତି, ତାହା ସତେ ଯେମିତି ଉପରୋକ୍ତ ପୁରସ୍କାର ପ୍ରଦାନକାରୀ ସଂସ୍ଥାକୁ ଏକ ପ୍ରଶ୍ନ ପଚାରିବା ପାଇଁ ଉଦ୍ଦିଷ୍ଟ। ତାଙ୍କର ପ୍ରଶ୍ନଟି ହେବ- ସଂସ୍ଥାଟି ଯେଉଁ ସବୁ ମାନଦଣ୍ଡ ପ୍ରୟୋଗ କରି ଆଦର୍ଶ ମୁଖ୍ୟମନ୍ତ୍ରୀ ଚୟନ କରୁଛି, ସେଥି ମଧ୍ୟରେ କ’ଣ ନାରୀ ସୁରକ୍ଷା ଅନ୍ତର୍ଭୁକ୍ତ ନୁହେଁ?

କେବଳ ଏହି ଅଭାଗିନୀ କୁନ୍ଦୁଲି ପୀଡ଼ିତାଙ୍କ ଘଟଣା ଉପରେ ଏକ କ୍ଷିପ୍ର ଦୃଷ୍ଟି ପକାଇଲେ ମନେହୁଏ ତାଙ୍କ ପ୍ରଶ୍ନର ଉତ୍ତର ହେବ- ନାଁ। ୨୦୧୭ ଅକ୍ଟୋବର୍‌ ୧୦ରେ ଚାରିଜଣ ସୁରକ୍ଷା କର୍ମୀ ପୋଷାକରେ ଥିବା ବ୍ୟକ୍ତି ତାଙ୍କୁ ଧର୍ଷଣ କରିଥିବା କଥା ଏହି ନବମ ଶ୍ରେଣୀ ଛାତ୍ରୀ ଜଣକ ଅଭିଯୋଗ କଲାପରେ ତାଙ୍କୁ ପ୍ରଥମେ କୁନ୍ଦୁଲି ମେଡ଼ିକାଲ୍‌ ଓ ପରେ କୋରାପୁଟ ମେଡ଼ିକାଲ୍‌ କଲେଜ୍‌ରେ ଭର୍ତ୍ତି କରାଗଲା। ଏହାର ୧୮ ଦିନ ପରେ ତାଙ୍କୁ ମେଡ଼ିକାଲ୍‌ରୁ ବାହାର କରି ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖାଗଲା। ସେଠାରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପୁଣି ମେଡ଼ିକାଲ୍‌ରେ ଭର୍ତ୍ତି କରାଗଲା। ସୁସ୍ଥ ହେବା ପରେ ତାଙ୍କୁ ପୁଣି ଶିଶୁ ପରିଚର୍ଯ୍ୟା କେନ୍ଦ୍ରକୁ ଫେରାଇ ନିଆଗଲା। ତାଙ୍କର ଏହା ପରର ଜୀବନ ହେଲା ବାରମ୍ବାର ଅସୁସ୍ଥ ହୋଇ ପଡ଼ିବା, ପଚରା ପଚରି, କାଉନସେଲିଂ, ମେଡ଼ିକାଲ୍‌ରେ ଭର୍ତ୍ତି ହେବା ଓ ବାହାରିବା ଇତ୍ୟାଦି। ଇତିମଧ୍ୟରେ ଘଟଣା ଘଟିବାର ପ୍ରାୟ ମାସକ ପରେ ସମସ୍ତଙ୍କୁ ହତଚକିତ କରି ଦେଇ ପୁଲିସ୍‌ ଘୋଷଣା କଲା ଯେ ପୀଡ଼ିତାଙ୍କୁ ଆଦୌ ଧର୍ଷଣ କରାଯାଇ ନାହିଁ। ଘଟଣା ପରେ ସେ ଦୁଇ ସପ୍ତାହରୁ ଅଧିକ କାଳ ଧରି ମେଡ଼ିକାଲ୍‌ରେ ରହି କ’ଣ ପାଇଁ ଚିକିତ୍ସା ଲାଭ କରୁଥିଲେ ତା’ର କୌଣସି ସନ୍ତୋଷଜନକ ଉତ୍ତର କୌଣସି ହେଲେ ସୂତ୍ରରୁ ମିଳି ନାହିଁ। ଆଉ ଯଦି ପୁଲିସ୍‌ କହିବା ଅନୁସାରେ ଆଦୌ ଧର୍ଷଣ ଘଟି ନଥିଲା, ତେବେ ଡାକ୍ତରମାନଙ୍କୁ ତାହା ଜାଣିବା ପାଇଁ ଏତେଦିନ କାହିଁକି ଲାଗି ଗଲା?

ଘଟଣା ଅଡୁଆ ଧରିବାରୁ ସରକାର ତାହାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ ବ୍ରାଞ୍ଚ୍‌କୁ ହସ୍ତାନ୍ତର କରିବା ସଙ୍ଗେ ସଙ୍ଗେ ଏକା ସମୟରେ ଏହାର ଏକ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଚାଲିବ ବୋଲି ଘୋଷଣା କରିଥିଲେ। ଇତି ମଧ୍ୟରେ କ୍ରାଇମ୍‌ ବ୍ରାଞ୍ଚ୍‌ ଗୋଟିଏ ପର୍ଯ୍ୟାୟ ତଦନ୍ତ ସାରିଥିଲେ ମଧ୍ୟ ତଦନ୍ତର ଫଳାଫଳ ଜଣାପଡ଼ି ନାହିଁ। ଆଉ ବିଚାର ବିଭାଗୀୟ ତଦନ୍ତ ଏ ଯାଏଁ ଆରମ୍ଭ ହୋଇନାହିଁ। ଏକ ସମୟରେ ଅସୁସ୍ଥ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ସୁଦୂର କଟକ ବଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ କିନ୍ତୁ ଡାକ୍ତରମାନେ ତାଙ୍କୁ ମାନସିକ ରୋଗୀ ରୂପେ ଚିତ୍ରିତ କରିବା ପାଇଁ ଚେଷ୍ଟା କରିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଥିଲେ। ରାଜ୍ୟ ବାହାରେ କୌଣସି ମେଡିକାଲରେ ତାଙ୍କର ଡାକ୍ତରୀ ମାଇନା କରାଯାଉ ବୋଲି ସେ ଦାବି କରିଥିଲେ ମଧ୍ୟ ସରକାର ତାହା ଶୁଣି ନଥିଲେ। ଶେଷରେ ସେ ସରକାରଙ୍କ ଠାରୁ କୌଣସି ସୁବିଧା ସୁଯୋଗ ନେବାକୁ ମନା କରିଦେଇ ନିଜ ଘରକୁ ଫେରି ଯାଇଥିଲେ। ଗୋଟିଏ ପଛୁଆ ଅଞ୍ଚଳର ପଛୁଆ ବର୍ଗର କୋମଳମତି କିଶୋରୀଟି ବିଗତ ପ୍ରାୟ ଚାରିମାସ ମଧ୍ୟରେ ଯେତିକି ଏବଂ ଯେଭଳି ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲା ତାହା ଜଣେ ଅଧିକ ସ୍ୱଚ୍ଛଳ, ସୁରକ୍ଷିତ, ପରିପକ୍ୱ ବ୍ୟକ୍ତିକୁ ମଧ୍ୟ ଭାଙ୍ଗି ପକାଇବା ପାଇଁ ଯଥେଷ୍ଟ। ଶେଷରେ କିଶୋରୀଟି ନିଜର ଅଭିଯୋଗର ସତ୍ୟତା ନେଇ ଅନ୍ତିମ ଶପଥ ପାଠ ସ୍ୱରୂପ ନିଜର ଜୀବନ ହାରି ବସିଛି। ଏହାକୁ ଏକ ରାଷ୍ଟ୍ରରଚିତ ହତ୍ୟାକାଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାହା କିନ୍ତୁ ଘୋର ଚିନ୍ତାର ବିଷୟ ତାହା ହେଲା ଏହି କୁନ୍ଦୁଲି ପୀଡ଼ିତାଙ୍କର ଟ୍ରାଜେଡି ଓଡ଼ିଶାରେ ଘଟିଥିବା ଏପରି ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ଅନୁରୂପ ଭାବରେ ସରକାରୀ ଉଦାସୀନତାର ସମ୍ମୁଖୀନ ହୋଇ ଶେଷରେ ଏକ ବୀଭତ୍ସ ହତ୍ୟାକାଣ୍ଡର ଶିକାର ହୋଇଥିଲେ। ସେତେବେଳେ ଅସହାୟା ଇତିଶ୍ରୀ ପ୍ରଶାସନ ଓ ପୁଲିସର ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତରେ ଶରଣ ମାଗିଥିଲେ ମଧ୍ୟ କେହି ତାଙ୍କ ଆଡ଼କୁ ସାହାଯ୍ୟର ହାତ ବଢ଼ାଇ ନଥିଲେ। ଏବେ ଇତିଶ୍ରୀଙ୍କ ଆତ୍ମାକୁ ଉପହାସ କଲା ଭଳି ବହୁ ବିଳମ୍ବରେ ତଦନ୍ତ ହାତକୁ ନେଇଥିବା ସିବିଆଇ ହତ୍ୟାକାରୀକୁ ଧରିବାରେ ବିଫଳ ହୋଇ ଅନୁସନ୍ଧାନରେ ପୂର୍ଣ୍ଣଚ୍ଛେଦ ଟାଣିଛି। କୁନ୍ଦୁଲି ପରି ଟିକିରି ମଧ୍ୟ ତେଣୁ ଥିଲା ଏକ ରାଷ୍ଟ୍ରରଚିତ ହତ୍ୟାକାଣ୍ଡ। କେବଳ ଏଇ ଦୁଇଟି ଘଟଣା ଯେ ଓଡ଼ିଶାରେ ନାରୀମାନେ ସମ୍ମୁଖୀନ ହେଉଥିବା ଏକମାତ୍ର ଏଭଳି ଘଟଣା, ତାହା ନୁହେଁ। ଡେଲାଙ୍ଗରୁ ଆରମ୍ଭ କରି କେନ୍ଦ୍ରାପଡ଼ା, ନୟାଗଡ଼, ରାଜସୁନାଖଳା ଆଦିରେ ଘଟିଥିବା ଧର୍ଷଣ ଘଟଣାମାନ ଏଠାରେ ନାରୀ ନିରାପତ୍ତା ଉପରେ ଗୋଟିଏ ଗୋଟିଏ ପ୍ରଶ୍ନବାଚୀ ସଦୃଶ। ନେସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ ପ୍ରଦାନ କରିଥିବା ସର୍ବଶେଷ ତଥ୍ୟ ଅନୁଯାୟୀ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ଓଡ଼ିଶାରେ ଦଣ୍ଡବିଧାନ ହାର ଅତ୍ୟନ୍ତ ଶୋଚନୀୟ ସ୍ତରରେ ରହିଛି। ଓଡ଼ିଶାରେ ଏହି ଦଣ୍ଡ ପ୍ରଦାନ ହାର ମାତ୍ର ୬.୨% ହୋଇଥିବା ବେଳେ ସର୍ବଭାରତୀୟ ହାରାହାରି ହାର ହେଉଛି ଏହାର ପ୍ରାୟ ତିନି ଗୁଣ। ଅପରାଧର ଅନୁସନ୍ଧାନରେ ପୁଲିସର ଅନାଗ୍ରହ ସାଙ୍ଗକୁ ପୁଣି ମିଶିଯାଇଛି ଅଦାଲତରେ ବିଳମ୍ବିତ ବିଚାର ପ୍ରକ୍ରିୟା। ଏ ସବୁ ମିଶି ଓଡ଼ିଶାକୁ ମହିଳାମାନଙ୍କ ପ୍ରତି ଅପରାଧର ଏକ ସ୍ୱର୍ଗରେ ପରିଣତ କରିଛି। ସମସ୍ତେ ଜାଣନ୍ତି ମହାତ୍ମା ଗାନ୍ଧୀ ରାତିରେ ଏକାକିନୀ ନାରୀଟିଏ ରାସ୍ତାରେ ନିରାପଦରେ ଚାଲି ପାରିବାକୁ ସ୍ୱାଧୀନତାର ପ୍ରକୃତ ପ୍ରତୀକ ରୂପେ ବିଚାର କରୁଥିଲେ। ଯେ କୌଣସି ଆଦର୍ଶ ମୁଖ୍ୟମନ୍ତ୍ରୀ ମହାତ୍ମାଙ୍କର ଏହି ଆଦର୍ଶକୁ ଅନୁସରଣ କରିବା ଆଶା କରାଯାଏ। ଦେଶର ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ ଲାଭ କରିଥିବାରୁ ଆମେ ନବୀନ ପଟ୍ଟନାୟକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ ଆଶା କରୁଛୁ ଯେ ମହାତ୍ମାଙ୍କର ଏହି ସ୍ୱପ୍ନକୁ ବାସ୍ତବତାରେ ପରିଣତ କରି ସେ ସମ୍ମାନର ଯଥାର୍ଥତା ପ୍ରତିପାଦନ କରିବେ।

ସମ୍ବନ୍ଧିତ ଖବର