ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁଜର୍ସିରେ ରହୁଥିବା ଭାରତୀୟମାନେ ଦୀପାବଳିରେ ଫୋଟକା ଫୁଟାଇବାରେ ଆତ୍ମହରା ହୋଇ ଯେତେବେଳେ ସେଠାକାର ‘ଇଣ୍ତିଆ ସ୍କୋୟାର’ରେ ଆବର୍ଜନାର ଏକ ପାହାଡ଼ ସୃଷ୍ଟି କଲେ, ସେତେବେଳେ ସେମାନେ କେବଳ ଗୋଟିଏ କଥାକୁ ସାବ୍ୟସ୍ତ କଲେ, ଯାହା ହେଉଛି ଅପରିଚ୍ଛନ୍ନତା ସହିତ ଭାରତୀୟମାନଙ୍କ ଅଭ୍ୟାସଗତ ସ˚ପର୍କ ରହିଛି। ପର ଦିନ ନ୍ୟୁଜର୍ସି ନଗର ପ୍ରଶାସନ ପକ୍ଷରୁ ମେସିନ ଲଗାଇ ସେହି ଆବର୍ଜନା ସଫା କରାଗଲା। କିନ୍ତୁ ସେଠାରେ ରୁଣ୍ତ ହୋଇଥିବା ଭାରତୀୟମାନଙ୍କ ମନରେ କୌଣସି ଭାବାନ୍ତର ନ ଥିଲା। ଏ କଥାଟି ଏବେ ଗୋଟିଏ ଚଉଦ ସେେକଣ୍ତର ଭିଡିଓ ଜରିଆରେ ଭାଇରାଲ ହେବା ପରେ ଅନେକ ଭାରତୀୟ ଲଜ୍ଜାରେ ମଥାନତ କରୁଛନ୍ତି। ସାମାଜିକ ଗଣମାଧୢମରେ ମଧୢ ଏହି ସ୍ବର ଶୁଭୁଛି, କାରଣ ଅଧିକରୁ ଅଧିକ ଭାରତୀୟ ‘ପୋଷ୍ଟ୍’ କରିବାରେ ଲାଗିଛନ୍ତି ଯେ ‘ଭାରତୀୟ ଭାବେ ଆମେ ଏଥି ଲାଗି ଲଜ୍ଜିତ।’
ଭାରତକୁ ଆସୁଥିବା ବିଦେଶୀ ଭ୍ରମଣ-ଲେଖକମାନେ ପ୍ରାୟ ସହମତ ହୁଅନ୍ତି ଯେ ଭାରତୀୟମାନଙ୍କ ଠାରେ ଏକ ଅଭ୍ୟାସଗତ ଅପରିଚ୍ଛନ୍ନତା ଦେଖିବାକୁ ମିଳେ। କେନ୍ଦ୍ର ସରକାର ‘ସ୍ବଚ୍ଛ ଭାରତ ଅଭିଯାନ’କୁ ଗୁରୁତ୍ବ ଦେବା ପଛରେ ଥିବା ଏକ କାରଣ ହେଉଛି ଭାରତର ଏଭଳି ଭାବମୂର୍ତ୍ତିରେ ପରିବର୍ତ୍ତନ ଆଣିବା।
ଏ ପ୍ରସଙ୍ଗରେ ସିନେମା ନିର୍ଦ୍ଦେଶକ ବାସୁ ଭଟ୍ଟାଚାର୍ଯ୍ୟଙ୍କ ଏକ କଥା ମନେ ପଡେ଼। ଇନ୍ଦିରା ଗାନ୍ଧୀଙ୍କ ଉପରେ ଏକ ବୃତ୍ତ ଚିତ୍ର କରୁଥିବା ବେଳେ ସେ ଯେତେବେଳେ ଇନ୍ଦିରାଜିଙ୍କୁ ଅନୁରୋଧ କଲେ ଯେ ନିଜ ଶାଢ଼ି ପଣତରେ ପିତା ଜଵାହରଲାଲ ନେହରୁଙ୍କ ଏକ ଫଟୋକୁ ପୋଛି ନିଜ ସ୍ନେହ ବ୍ୟକ୍ତ କରନ୍ତୁ, ଇନ୍ଦିରା ଗାନ୍ଧୀ ତତ୍କ୍ଷଣାତ୍ ମନା କରି ଏକ ‘ଡଷ୍ଟର’ ବ୍ୟବହାର କରି କହିଥିଲେ- ମୁଁ ମୋ ବାପାଙ୍କୁ ଭଲ ପାଏ, କିନ୍ତୁ ମଇଳାକୁ ନୁହେଁ।
ତେବେ ଆମ ଭାରତୀୟମାନଙ୍କ ଆଚରଣରୁ ଅନେକ ସମୟରେ ଲାଗେ ସତେ ଯେମିତି ଆମେ ମଇଳାକୁ ଭଲ ପାଇବାକୁ ଲାଗିଲୁଣି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର