ନୋବେଲ ପୁରସ୍କାର ପ୍ରାପ୍ତ ପର୍ତ୍ତୁଗୀଜ ଲେଖକ ଜୋସେ (ହୋଜେ) ସାରାମାଗୋ ତାଙ୍କ ପରିଣତ ବୟସରେ ‘ଇନ୍ସୋମାନିଆ’ ବା ନିଦ୍ରାହୀନତାର ଶିକାର ହୋଇ ନିଶାର୍ଦ୍ଧରେ ନିଜ ଶୟନ କକ୍ଷର ଝରକା ରେଲି˚ ପାଖରେ ଛିିଡ଼ା ହୋଇ ସହରଟିକୁ ଅବଲୋକନ କରୁଥିବା ବେଳେ ଯେଉଁ ଇଚ୍ଛା ପ୍ରକଟ କରିଥାଆନ୍ତି ବୋଲି ଠାଏ କହିଥିଲେ, ତାହା ହେଲା ‘ଏଭଳି ନିସ୍ତବ୍ଧ ପ୍ରହରରେ ସହରକୁ ଆଲୋକିତ କରି ହଠାତ୍ ଆକାଶରେ ସୂର୍ଯ୍ୟ ପ୍ରତିଭାତ ହୋଇଯାଆନ୍ତା କି? ତାହା ହେଲେ ଏହି ଚଳଚଞ୍ଚଳ ସହର ମୃତ ହୋଇଗଲେ କେମିତି ଦିଶନ୍ତା, ତାହା ଦେଖି ପାରନ୍ତି!’ ଯଦି ସାରାମାଗୋ ଆଜି ଜୀବିତ ଥାଆନ୍ତେ, ତେବେ ସେ ତାଙ୍କ ଅନ୍ତିମ ସମୟ କାଟିଥିବା ସ୍ପେନ୍ର ‘ଲାନ୍ଜାରୋଟେ’ ସହରରେ ଏବର ସ˚ପୂର୍ଣ୍ଣ ‘ଲକ୍ଆଉଟ୍’ କାଳରେ ସେ ଚାହିଁଥିବା ଭଳି ଦୃଶ୍ୟଟିଏ ଅବଶ୍ୟ ଦେଖିପାରିଥାଆନ୍ତେ। ସ˚ପ୍ରତି ଯେତେବେଳେ ପୃଥିବୀର ଅନେକ ରାଷ୍ଟ୍ର ସ˚ପୂର୍ଣ୍ଣ ‘ଲକ୍ଆଉଟ୍’ ଅଧୀନରେ, ସେତିକି ବେଳେ ସାରାମାଗୋ କହିଥିବା ଭଳି ବିଭିନ୍ନ ଚଳଚଞ୍ଚଳ ନଗରୀ ଓ ମହାନଗରୀରେ ବିରାଜମାନ କରୁଥିବା ଶ୍ମଶାନତୁଲ୍ୟ ନିରବତା ସମଗ୍ର ବିଶ୍ବର ମାନବଜାତି ଲାଗି କରୋନା ମହାସ˚କ୍ରମଣ କାଳରେ ଏକ ଅଭୂତପୂର୍ବ ଓ ଅଶ୍ରୁତପୂର୍ବ ଅନୁଭୂତିରେ ପରିଣତ ହେବା ସହିତ ଏହା ମଧୢ ବୋଧଗମ୍ୟ କରାଇ େଦଇଛି ଯେ ୨୦୨୦ ପରବର୍ତ୍ତୀ ପୃଥିବୀ ସତେ ଯେମିତି ଏକ ଭୂଚଳନର ଶିକାର ହୋଇ ୨୦୨୦ ପୂର୍ବବର୍ତ୍ତୀ ପୃଥିବୀ ଠାରୁ ବିଚ୍ଛିନ୍ନ ଓ ଭିନ୍ନ ହେବାକୁ ବସିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
‘ବଟର ଫ୍ଲାଇ ଥିଓରି’ ବା ‘ପ୍ରଜାପତିର ଡେଣା ଝଡ଼ା’ ତତ୍ତ୍ବ ସହିତ ଯେଉଁ ପାଠକପାଠିକାମାନେ ପରିଚିତ ଥିବେ, ସେମାନେ ଜାଣନ୍ତି ଯେ ଏହି ତତ୍ତ୍ବ କହିଥାଏ କିଭଳି ଏ ପୃଥିବୀ ଏକ ଅତ୍ୟନ୍ତ ସୂକ୍ଷ୍ମ ସ˚ପର୍କ ଦ୍ବାରା ସ˚ଯୋଜିତ, ଯାହା ଫଳରେ ଆମାଜନ ବୃଷ୍ଟି ବଣରେ ଗୋଟିଏ ପ୍ରଜାପତି ଡେଣା ହଲାଇବାଜନିତ ସୃଷ୍ଟ ଅତ୍ୟନ୍ତ ମୃଦୁ କ˚ପନ ଅଜସ୍ର ମାଇଲ ଦୂରରେ ଏବ˚ ଏକ ଅକଳ୍ପନୀୟ ସ୍ଥାନରେ ଏକ ଭୟାବହ ଟାଇଫୁନ୍ (ସାମୁଦ୍ରିକ ଝଡ଼)ର କାରଣ ହୋଇପାରେ। ଗଲା ନଭେମ୍ବର ମାସରେ ଚୀନ୍ର କେତେକ ଚିକିତ୍ସା ବିଜ୍ଞାନୀ ଓ ଗବେଷକ ‘କୋଭିଡ୍-୧୯’ ଭୂତାଣୁ ଦ୍ବାରା ମଣିଷରୁ ମଣିଷର ସ˚କ୍ରମିତ ହେଉଥିବାର ସୂଚନା ପ୍ରଦାନ କରିଥିଲେ ଯାହାକୁ ଚୀନ୍ ସରକାର ଅତ୍ୟନ୍ତ ସୁବ୍ୟବସ୍ଥିତ ଭାବେ ଚାପି ଦେଇଥିଲେ। ସେତିକି ବେଳକୁ ଉହାନ ନଗରୀର ପ୍ରଥମ ଭୂତାଣୁ ସ˚କ୍ରମିତମାନେ ନିଜର ତଥା ଅନ୍ୟମାନଙ୍କ ଅଗୋଚରରେ ଚୀନ୍ର ସରହଦ ଅତିକ୍ରମ କରି ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଅତି ନିରୀହତାର ସହିତ ଏଭଳି ଏକ ଭୟାବହ ‘ପାନ୍ଡେମିକ୍’ ଲାଗି କ୍ଷେତ୍ର ପ୍ରସ୍ତୁତ କରିଥିଲେ, ଯାହାର ତୁଳନା ବିଶ୍ବ ଇତିହାସରେ ପୂର୍ବରୁ ନାହିଁ। ‘ବଟର ଫ୍ଲାଇ ଥିଓରି’ ଅନୁସାରେ ସେହି ନଭେମ୍ବର ମାସରେ ଦେଶାନ୍ତର ଯାତ୍ରା କରିଥିବା ପ୍ରଥମ ସ˚କ୍ରମିତ ଉହାନ ବିମାନଯାତ୍ରୀଙ୍କ କାରଣରୁ ଏହାର ଛଅ ମାସ ମଧୢରେ ଏବେ ସାରା ବିଶ୍ବରେ କରୋନା ସ˚କ୍ରମିତଙ୍କ ସ˚ଖ୍ୟା ପହଞ୍ଚିଛି ୫,୪୨,୪୦୫ରେ ଏବ˚ ୨୪,୩୬୯ ଜଣ ମୃତ୍ୟୁବରଣ କରିସାରିଲେଣି ଏବ˚ କରୋନାର ତାଣ୍ତବ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ବୋଲି କୁହାଯାଉଛି। ଦ୍ବିତୀୟ ବିଶ୍ବଯୁଦ୍ଧ ଥିଲା ଆଧୁନିକ ମାନବ ଜାତିର ଇତିହାସକୁ ଦ୍ବିଧା ବିଭକ୍ତ କରିଥିବା ଭଳି ଏକ ଘଟଣା। ଏବେ ହୋଇପାରେ, କରୋନା ‘ପାନ୍ଡେମିକ୍’ ତାର ସ୍ଥାନ ନେଇଛି। କରୋନା ସ˚କ୍ରମଣ କାଳରେ ପୃଥିବୀ ବ୍ୟାପୀ ଅହୋରାତ୍ର ଚାଲିଥିବା ସଘନ ଗବେଷଣା ସତ୍ତ୍ବେ ଯଦିଓ ଏ ଯାବତ୍ କୌଣସି ଫଳପ୍ରଦ ପ୍ରତିଷେଧକ ଉଦ୍ଭାବିତ ହୋଇପାରିନାହିଁ, ତଥାପି ଆଜକୁ ୮୬ ବର୍ଷ ତଳେ ଅର୍ଥାତ୍ ୧୯୩୪ରେ ପ୍ରସ୍ତୁତ ମ୍ୟାଲେରିଆ ନିବାରକ ‘କ୍ଲରୋକୁଇନ୍’ ଦ୍ବାରା ଯେ ରୋଗୀମାନଙ୍କ ସଫଳ ଚିକିତ୍ସା କରାଯାଇପାରୁଛି, ତାର ସପ୍ରମାଣ ସୂଚନା ପହଞ୍ଚୁଛି। ସେହି ଭଳି ନିକଟରେ ‘ଫରେନ୍ ପଲିସି ମ୍ୟାଗାଜିନ୍’ରେ ପ୍ରକାଶିତ ଏକ ନିବନ୍ଧରେ ଡକ୍ଟର ଆନେ ସ୍ପାରୋ ନାମକ ଜଣେ ପ୍ରସିଦ୍ଧ ଗବେଷିକା ମତ ପ୍ରଦାନ କରିଛନ୍ତି ଯେ ଯକ୍ଷ୍ମା ପ୍ରତିଷେଧକ ‘ବି.ସି.ଜି.’ ‘କୋଭିଡ୍-୧୯’କୁ ପ୍ରତିରୋଧ କରିବାରେ ସହାୟକ ହୋଇପାରେ। ଏକ ନୂଆ ଭୂତାଣୁର ଗତିରୋଧ କରିବା ଲାଗି ଏଭଳି ପୁରୁଣା ଔଷଧ ବା ଉପଚାରର ଫଳପ୍ରଦତା ଯଦି ଅଧିକ ଦୃଢ଼ତାର ସହିତ ସାବ୍ୟସ୍ତ ହୋଇପାରେ, ତେବେ ତାହା ହୁଏତ ହେବ ‘କରୋନା’ ସ˚କ୍ରମଣ କାଳର ଏକ ଚମକପ୍ରଦ ଘଟଣା।
ଏହି ସ˚ଦର୍ଭରେ ଆଲୋଚନା କଲା ବେଳେ ଭାରତକୁ ଉପଲକ୍ଷ୍ୟ କରି ଏବେ ଶୁଣିବାକୁ ମିଳୁଥିବା ଏକ ଆରୋପର ଆ˚ଶିକ ଉତ୍ତର ଦେବାର ସୂତ୍ରଟି ମଧ୍ୟ ମିଳିଯାଇପାରେ। ଏହି ଆରୋପ, ଯାହା ପାଶ୍ଚାତ୍ୟ ବିଶ୍ବରୁ ଶୁଣିବାକୁ ମିଳୁଛି, କହିଥାଏ ଯେ ଭାରତରେ ସ˚କ୍ରମଣର ଶିକାର ବୋଲି ଯଥେଷ୍ଟ ସ˚ଖ୍ୟକ ସନ୍ଦେହାସ୍ପଦଙ୍କ ରକ୍ତ ଓ କଫ ‘ନମୁନା’ର ପରୀକ୍ଷଣ କରାଯାଉନାହିଁ, ଯେଉଁ କାରଣରୁ ପ୍ରକୃତ ସ୍ଥିତି ଜଣାପଡୁନାହିଁ। ତେବେ, କେବଳ ସାଧାରଣ ଜ୍ଞାନର ଉପଯୋଗ କରି ଏଭଳି ଆରୋପର ଉତ୍ତରରେ ଏକ ପ୍ରଶ୍ନ କରାଯାଇପାରେ ଯେ ଯେଉଁଭଳି ଭାବେ ସ˚କ୍ରମିତଙ୍କ ଜୁଆର ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ପରିଦୃଶ୍ୟ ହେଉଛି, ସେଭଳି ସ୍ଥିତି ଭାରତରେ ହେଲେ ତାକୁ ଗୋପନୀୟ କରି ରଖିବା ସମ୍ଭବପର ହେବ କି? ଇଣ୍ଡିଆନ ମେଡିକାଲ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ କେ.କେ. ଅଗ୍ରୱାଲଙ୍କ ଭଳି ଅନେକ ବିଶେଷଜ୍ଞ ଏହା ବିଶ୍ବାସ କରନ୍ତି ଯେ ପାଶ୍ଚାତ୍ୟ ରାଷ୍ଟ୍ରର ଅଧିବାସୀମାନଙ୍କ ତୁଳନାରେ ଅପେକ୍ଷାକୃତ ଅଧିକ ପ୍ରତିକୂଳ ପରିସ୍ଥିତିରେ ବଢ଼ିଥିବା ଭାରତୀୟମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସ୍ବାଭାବିକ ଭାବେ ଅଧିକ ଦୃଢ଼। ଏକ ଉଦାହରଣ ସ୍ବରୂପ ଇଟାଲିରେ ପ୍ରତି ଏକ ଲକ୍ଷ ଜନସ˚ଖ୍ୟାରେ ହାରାହାରି ମାତ୍ର ଛଅ ଜଣ ଯକ୍ଷ୍ମା ରୋଗୀ ଉପଲବ୍ଧ। ଏହି କାରଣରୁ ସେଠାରେ ବି.ସି.ଜି. ଟିକାର ପ୍ରଚଳନ ନାହିଁ। ସ୍ଥଳ ବିଶେଷରେ କେବଳ ଡାକ୍ତରମାନଙ୍କ ଛଡ଼ା ଅନ୍ୟ କାହାକୁ ଏହା ଦିଆଯାଇ ନ ଥାଏ। ସେହି ଆଧାରରେ କୁହାଯାଇପାରେ କି ବି.ସି.ଜି ଟିକା ଦ୍ବାରା ଶରୀରରେ ସୃଷ୍ଟ ପ୍ରତିରୋଧକ ଶକ୍ତି ଯଦି କିଛି ଅ˚ଶରେ ‘କୋଭିଡ୍-୧୯’ର ମୁକାବିଲା କରିବାକୁ ସମର୍ଥ, ତେବେ ତାହା ଉନ୍ନତ ପାଶ୍ଚାତ୍ୟ ଦେଶର ନାଗରିକଙ୍କ ଶରୀରରେ ନାହିଁ। ସୁତରା˚, ଯଦିଓ ଜାନୁଆରି ୩୦ରୁ ଫେବ୍ରୁଆରି ପ୍ରଥମ ସପ୍ତାହ ମଧୢରେ ଭାରତ ଠାରୁ ଆରମ୍ଭ କରି ଇଟାଲି ଓ ଯୁକ୍ତରାଷ୍ଟ୍ର ଆମେରିକା ପର୍ଯ୍ୟନ୍ତରେ ପ୍ରାୟ ସବୁ ଗୁରୁତ୍ବପୂର୍ଣ୍ଣ ଦେଶରେ ପ୍ରଥମ କରୋନା ସ˚କ୍ରମିତ ଚିହ୍ନଟ ହୋଇଥିଲେ, ଉପରେ ବର୍ଣ୍ଣିତ କାରଣରୁ ହୁଏ’ତ ଭାରତ ବା ପାକିସ୍ତାନ ବା ଫିଲିପାଇନ୍ସ ଭଳି ଦେଶରେ ଏହି ଭୂତାଣୁର ସ˚କ୍ରମଣ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଭଳି ବିସ୍ଫୋରକ ସ୍ଥିତିରେ ପହଞ୍ଚିନାହିଁ। ଅବଶ୍ୟ ଏହି ସ˚କ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟ ଚାଲିଥିବା ବେଳେ ଏତେ ଶୀଘ୍ର ଏଭଳି କୌଣସି ନିଷ୍କର୍ଷରେ ପହଞ୍ଚିଯିବା ଅବିମୃଶ୍ୟକାରିତା ହୋଇପାରେ ଏବ˚ ଏହି କାରଣରୁ ସତର୍କତାମୂଳକ ପଦକ୍ଷେପରେ ଆଦୌ କୌଣସି ହାଲୁକାପଣ ପ୍ରଦର୍ଶନ କରାଯାଇ ନ ପାରେ, ତଥାପି ଏହି ବିମର୍ଷକର କାଳରେ ହୁଏତ ଏହା ସାନ୍ତ୍ବନାର ବାରିଧାରା ଭଳି ପ୍ରତୀତ ହୋଇପାରେ। କୁହାଯାଉଛି ଯେ ‘କୋଭିଡ୍-୧୯’ ଭୂତାଣୁ ଉଡ଼ାଜାହାଜ ଯୋେଗ ବିଶ୍ବ ପରିଭ୍ରମଣ ଆରମ୍ଭ କରି ସର୍ବତ୍ର ହାହାକାର ସୃଷ୍ଟି କରିଛି। ଆଜି ଯେତେବେଳେ ଅର୍ଦ୍ଧାଧିକ ପୃଥିବୀ ‘ଲକ୍ଡାଉନ୍’ରେ ସେହି ଉଡ଼ାଜାହାଜଗୁଡ଼ିକ ଏବେ ଭୂମି ଆବଦ୍ଧ ହୋଇ ରହିବାକୁ ବାଧୢ ହୋଇଛନ୍ତି। ଅନ୍ତର୍ଦେଶୀୟ ଓ ରାଷ୍ଟ୍ର ଅଭ୍ୟନ୍ତରରେ ବିମାନ ଉଡ଼ାଣ ବନ୍ଦ ହୋଇଯାଇଥିବା କାରଣରୁ ‘ପ୍ରାକ୍-କରୋନା’ କାଳରେ ଦିନର ଯେ କୌଣସି ସମୟରେ ପୃଥିବୀର ଆକାଶରେ ଉଡ଼ି ବୁଲୁଥିବା ପ୍ରାୟ ୨୦,୦୦୦ ବିମାନ ଏବେ ମାଟି ଉପରେ ଛିଡ଼ା ହେବା ଲାଗି ଜାଗା ଟିକିଏ ପାଇବା ପାଇଁ ବ୍ୟାକୁଳ। ‘ଲକ୍ଡାଉନ୍’ ହେଉ ବା କୁଇନାଇନ୍ର ପୁନର୍ଜନ୍ମ ହେଉ ଅଥବା ପୃଥିବୀ ପୃଷ୍ଠରେ ସ୍ଥବିର ଉଡ଼ାଜାହାଜଙ୍କ ଭିଡ଼ ହେଉ; କରୋନା-କାଳୀନ ଅସ୍ବାଭାବିକତାର ଏହା ଗୋଟିଏ ଗୋଟିଏ ଅ˚ଶ। ଏହା ଏକ ଅପରିଚିତ ବିଶ୍ବ ଭଳି ଦିଶୁନାହିଁ କି?