ମୂତ୍ରପାତ୍ରର ମାଛି

ପ୍ରାୟ ଦଶ ବର୍ଷ ତଳେ ଆମଷ୍ଟର୍‌ଡ୍ୟାମ୍‌ ନଗରୀର ସିଫୋଲ୍‌ ବିମାନ ବନ୍ଦର କିମ୍ବା ନ୍ୟୁୟର୍କ ନଗରୀର ଜନ୍‌ଏଫ କେନେଡି ବିମାନ ବନ୍ଦରର ଚାରି ନମ୍ବର ଟର୍ମିନାଲରେ ଥିବା ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ପରିସ୍ରାଗାରରେ ଏକ ମାଛିର ଆବିର୍ଭାବ ଘଟିବା ଦେଖିବାକୁ ମିଳିଲା। କ୍ରମେ ପୃଥିବୀର ଅନ୍ୟ କେତେକ ବିମାନ ବନ୍ଦରରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଥିବା ପୁରୁଷ ଓ ପୁଅ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପରିସ୍ରାଗାର ମାନଙ୍କରେ ମଧ୍ୟ ଏ ମାଛିକୁ ଦେଖିବାକୁ ମିଳିଲା। ତେବେ ମାଛିଟି ଏକ ସତସତିକା ମାଛି ନଥିଲା। ଏହା ଥିଲା ଏହିସବୁ ପରିସ୍ରାଗାର ମାନଙ୍କରେ ଲାଗିଥିବା ମୂତ୍ରପାତ୍ର ମାନଙ୍କର ନିଷ୍କାସନ ରନ୍ଧ୍ରର ଠିକ୍‌ ଉପରେ ଅଙ୍କନ କରାଯାଇଥିବା ଏକ ମାଛିର ଚିତ୍ର। ଏହି ସ୍ତମ୍ଭର ପୁରୁଷ ପାଠକମାନେ ନିଶ୍ଚିତ ରୂପେ ତତ୍‌କ୍ଷଣାତ୍‌ ଏ ମାଛିର ତାତ୍ପର୍ଯ୍ୟ ବୁଝି ସାରିଥିବେ। କାରଣ କୌଣସି ଏକ ସ୍ଥାନକୁ ଲକ୍ଷ୍ୟ କରି ପରିସ୍ରା କରିବା ହେଉଛି ପୁରୁଷ ମାନଙ୍କର ଓ ବିଶେଷ କରି ଛୋଟ ପୁଅ ପିଲାମାନଙ୍କର ଏକ ସହଜାତ ପ୍ରବୃତ୍ତି। ମୂତ୍ରପାତ୍ରର ମାଛି ସେମାନଙ୍କୁ ଏହି ଲକ୍ଷ୍ୟସ୍ଥଳୀ ବା ଟାର୍ଗେଟ୍‌ ଯୋଗାଇ ଦେଇଥାଏ।
ପୁରୁଷମାନେ ମଧ୍ୟ ସ୍ୱଭାବତଃ ଅଧିକ ଅପରିଚ୍ଛନ୍ନ ହୋଇଥାନ୍ତି। ପରିସ୍ରାଗାର ବ୍ୟବହାର ସମୟରେ ଏଥିଯୋଗୁଁ ସେମାନେ ଲକ୍ଷ୍ୟହୀନ ଭାବରେ ମୂତ୍ର ତ୍ୟାଗ କରିବା ଫଳରେ ସେମାନଙ୍କର ମୂତ୍ର ଏଣେତେଣେ ଛିଟିକି ଚଟାଣକୁ ଅପରିଷ୍କାର କରିଥାଏ ଏବଂ ପରିବେଶକୁ ଦୁର୍ଗନ୍ଧଯୁକ୍ତ କରିଥାଏ। ମୂତ୍ରପାତ୍ରର ନିଷ୍କାସନ ରନ୍ଧ୍ର ନିକଟରେ ମାଛିଟିକୁ ଦେଖିଲା ମାତ୍ରେ ସେମାନେ ତାକୁ ହିଁ ଲକ୍ଷ୍ୟ କରି ମୂତ୍ର ତ୍ୟାଗ କରିବାକୁ ଆରମ୍ଭ କରିବାରୁ ଏହି ସମସ୍ୟାର ଆପେ ଆପେ ସମାଧାନ ହୋଇଯିବା ଦେଖାଗଲା ଏବଂ ପରିସ୍ରାଗାରରେ ସ୍ୱଚ୍ଛତା ବିରାଜମାନ କଲା। (‘ସ୍ୱଚ୍ଛ ଭାରତ’ ଅଭିଯାନର ପ୍ରବର୍ତ୍ତକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏହି ମାଛି ଏଠାରେ ବହୁତ ସମ୍ଭାବନା ବହନ କରୁଛି। ମାଛି ଛାପା ଥିବା ସେରାମିକ୍‌ ମୂତ୍ର ପାତ୍ର ନିର୍ମାଣ କରିବା ପାଇଁ ସେ ଅନ୍ତତଃ ଦେଶର ସେରାମିକ୍‌ ନିର୍ମାତା ମାନଙ୍କୁ ଆହ୍ଵାନ ଦେଇ ପାରିବେ।)
ମୂତ୍ର ପାତ୍ରରେ ମାଛିର ମୂଳ ପରିକଳ୍ପନା ହେଉଛି ଜସ୍‌ ଭାନ୍‌ ବେଡଫ୍‌ ନାମକ ୧୯୬୦ ଦଶକରେ ହଲାଣ୍ଡ୍‌ର ସେନାବାହିନୀରେ କାର୍ଯ୍ୟ କରିଥିବା ଜଣେ ପରିଚାଳନା କର୍ମଚାରୀଙ୍କର। ସେ ସୈନିକ ଥିବା ସମୟରେ ସେନା ଛାଉଣି (ବାରାକ୍‌ସ)ର ପରିସ୍ରାଗାରରେ ମୂତ୍ରପାତ୍ର ମାନଙ୍କରେ କେହି ନିଷ୍କାସନ ରନ୍ଧ୍ର ଉପରେ ନାଲି ରଙ୍ଗର ଡଟ୍‌ (ବିନ୍ଦୁ) ମାନ ଆଙ୍କିଦେଇ ଥିବା ଦେଖିଥିଲେ ଯାହାଫଳରେ ସୈନିକ ମାନଙ୍କର ମୂତ୍ରଧାର ବାଟ ନହୁଡ଼ିବା ଦ୍ୱାରା ପରିସ୍ରାଗାର ସଫା ସୁତୁରା ରହୁଥିଲା। ସେ ତାଙ୍କର ଏହି ଅନୁଭୂତି ଆଧାରରେ ଯେତେବେଳେ ବିମାନ ବନ୍ଦରର ନିର୍ଦ୍ଦେଶକ ମଣ୍ଡଳୀକୁ ଏହାର ଅନୁକରଣ କରିବା ପାଇଁ ପ୍ରସ୍ତାବ ଦେଲେ, ସେତେବେଳେ ସେ ନାଲି ଡଟ୍‌କୁ ଏକ ମାଛିରେ ରୂପାନ୍ତରିତ କରିବା ପାଇଁ କହିଲେ। ତାଙ୍କର ଧାରଣା ଯେ ବ୍ୟବହାରକାରୀ ପୁରୁଷମାନେ ଏହାକୁ ଏକ ଜୀବନ୍ତ ପତଙ୍ଗ ରୂପେ କଳ୍ପନା କରି ନିଜର ମୂତ୍ର ମାଡ଼ରେ ତାକୁ ଅଚଳ କରି ଦେବାର କାଳ୍ପନିକ ଆତ୍ମସନ୍ତୋଷ ଲାଭ କରିବେ।
ମୂତ୍ରାଗାରରେ ମାଛିର ପ୍ରୟୋଗ ଯେଉଁ ମାନବୀୟ ମନସ୍ତତ୍ତ୍ୱ ଉପରେ ପ୍ରତିଷ୍ଠିତ ତାହାକୁ କିନ୍ତୁ ଏକ ବିଧିବଦ୍ଧ ଅର୍ଥଶାସ୍ତ୍ରୀୟ ତତ୍ତ୍ୱର ମର୍ଯ୍ୟାଦା ଦେବାରେ ଯେଉଁମାନେ ପ୍ରଧାନ ଭୂମିକା ନିର୍ବାହ କରିଛନ୍ତି ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେଉଛନ୍ତି ଚିକାଗୋ ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ର ଅଧ୍ୟାପକ ରିଚାର୍ଡ ଥେଲର୍‌। ନିର୍ଦ୍ଦିଷ୍ଟ ଭାବରେ କହିଲେ ୨୦୦୮ରେ ଥେଲର୍‌ ଓ କାସ୍‌ ସନ୍‌ଷ୍ଟାଇନ୍‌ ମିଳିତ ଭାବରେ ରଚନା କରିଥିବା ପୁସ୍ତକ ‘ନଜ୍‌’ ଏହି ମାଛି ବ୍ୟବହାରର ଅନ୍ତର୍ନିହିତ ଧାରଣା ସମ୍ବନ୍ଧରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଅର୍ଥନୀତିଜ୍ଞ ମାନଙ୍କ ପର୍ଯ୍ୟନ୍ତଙ୍କର ଆଖି ଖୋଲି ଦେଲା। ପେଙ୍ଗୁଇନ୍‌ ଦ୍ୱାରା ପ୍ରକାଶିତ ସେ ପୁସ୍ତକର ମଲାଟରେ ଥିବା ଛବିଟି ‘ନଜ୍‌’ର ତାତ୍ପର୍ଯ୍ୟ ସମ୍ବନ୍ଧରେ ପୁସ୍ତକଟିକୁ ପାଠ କରିବା ପୂର୍ବରୁ ମଧ୍ୟ ଏକ ସ୍ପଷ୍ଟ ଧାରଣା ପ୍ରଦାନ କରିଥାଏ। ମଲାଟର ଚିତ୍ରରେ ହାତୀ ଛୁଆଟିଏ ଆଗରେ ଚାଲିଛି ଓ ତା’ ପଛରେ ବଡ଼ ଦନ୍ତାହାତୀଟିଏ ଚାଲିଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ବଡ଼ ହାତୀଟି ନିଜର ଶୁଣ୍ଢ ଦ୍ୱାରା ଛୁଆ ହାତୀର ପିଚାକୁ ଆସ୍ତେ କରି ଛୁଇଁଛି- ଚିତ୍ରଟିରୁ ସ୍ପଷ୍ଟ ହୋଇଥାଏ ଯେ ଏ ଛୁଇଁବାରେ ଅନୁଶାସନର ଚିହ୍ନବର୍ଣ୍ଣ ନାହିଁ। ବଡ଼ ହାତୀର ଏହି ପ୍ରାୟ ଅଦୃଶ୍ୟ କୋମଳ ସ୍ପର୍ଶ କିନ୍ତୁ ଛୁଆ ହାତୀଟିକୁ ଠିକ୍‌ ବାଟରେ ଚାଲିବା ପାଇଁ ପ୍ରବୃତ୍ତ କରିଥାଏ। ଏହି କୋମଳ ସ୍ପର୍ଶ ପାଇଁ ଇଂରେଜୀ ଭାଷାରେ ଥିବା ଶବ୍ଦ ହେଉଛି ‘ନଜ୍‌’, ଯାହାର ନିକଟତମ ଓଡ଼ିଆ ଅନୁବାଦ ହୋଇପାରେ ଇଶାରା ବା ଠାର।
ଉପରବର୍ଣ୍ଣିତ ହାତୀ ବା ମାଛିର କାହାଣୀକୁ ଆଧାର କରି ଗଢ଼ିଉଠିଛି ଅର୍ଥଶାସ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ତଥା ଚିତ୍ତାକର୍ଷକ ନୂତନ ଶାଖା- ଆଚରଣାତ୍ମକ ଅର୍ଥଶାସ୍ତ୍ର (ବିହେଭିଅରାଲ୍‌ ଇକନମିକ୍‌ସ୍‌)। ସମାଜରେ ମନୁଷ୍ୟ ହିଁ ଉତ୍ପାଦନ, ଉପଭୋଗ ଭଳି ବିଭିନ୍ନ ଅର୍ଥନୈତିକ ନିଷ୍ପତ୍ତି ନେଇଥାଏ। କୌଣସି ଏକ ନିଷ୍ପତ୍ତି ନେବା ବେଳେ ତା ସମ୍ମୁଖରେ ବିଭିନ୍ନ ବିକଳ୍ପ ଉପଲବ୍‌ଧ ଥାଏ। ଆଚରଣାତ୍ମକ ଅର୍ଥଶାସ୍ତ୍ରୀ ମାନେ ‘ନଜ୍‌’ ବା ଏକ କୋମଳ ସ୍ପର୍ଶ ମାଧ୍ୟମରେ ଜଣେ ନାଗରିକକୁ କିଂବା ଏକ ଗୋଷ୍ଠୀକୁ ଏକ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ଗ୍ରହଣ କରିବା ପାଇଁ କିଂବା ଏକ ନିର୍ଦ୍ଦିଷ୍ଟ ଆଚରଣ ପ୍ରଦର୍ଶନ କରିବା ପାଇଁ ପ୍ରବୃତ୍ତ କରିଥାନ୍ତି ଯେମିତି ଉପରେ ମାଛି ବା ହାତୀ ମାଧ୍ୟମରେ ପ୍ରଦର୍ଶିତ ହୋଇଛି। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ‘ନଜ୍‌’ କୌଶଳର ପ୍ରୟୋଗ କୌଣସି ନିର୍ଦେଶ ବା ନିଷେଧାଦେଶ ବ୍ୟବହାର କରି ନଥାଏ। ଏହା ଏପରି ନିଃଶବ୍ଦ ଭାବରେ ପ୍ରୟୋଗ କରାଯାଇଥାଏ ଯେ ବ୍ୟକ୍ତି ବା ଗୋଷ୍ଠୀ ନିଜ ଅଜାଣତରେ ପ୍ରୟୋଗକାରୀ ଚାହୁଁଥିବା ଭଳି ଆଚରଣ ପ୍ରଦର୍ଶନ କରିଥାନ୍ତି। ଉଦାହରଣ ସ୍ୱରୂପ ପରିସ୍ରାଗାରକୁ ସଫା ରଖିବା ପାଇଁ ଏକ କଡ଼ା ବିଜ୍ଞପ୍ତି କିଂବା ଅର୍ଥଦଣ୍ଡ ଆଦି ବ୍ୟବହାର କରାଯାଇ ପାରିଥାନ୍ତା। କିନ୍ତୁ ତା ବଦଳରେ ଏକ ମାଛିର ଚିତ୍ର ଏଭଳି ସହଜରେ ଉଦ୍ଦେଶ୍ୟ ସାଧନ କରିପାରୁଛି ଯେ ବ୍ୟବହାରକାରୀ ସେ ସମ୍ବନ୍ଧରେ ଆଦୌ ସଚେତନ ମଧ୍ୟ ନୁହେଁ।
ବିଭିନ୍ନ ଦେଶରେ ସରକାର ମାନେ ମଧ୍ୟ ଏହି ନଜ୍‌ ତତ୍ତ୍ୱକୁ କାମରେ ଲଗାଇବା ଦେଖାଗଲାଣି। ଟିକସ ପୈଠ କରିବା ଶେଷ ତାରିଖର କିଛି ଦିନ ପୂର୍ବରୁ ନାଗରିକ ମାନଙ୍କ ପାଖକୁ ଏକ ମେସେଜ୍‌ ପଠାଇ ଦିଆଯାଉଛି ଯେ ଅମୁକ ଶତାଂଶ କରଦାତାମାନେ ଟିକସ ପୈଠ କରିସାରିଲେଣି। ବାସ୍‌ ସେତିକି ସୂଚନା ବାକି କରଦାତା ମାନଙ୍କୁ ତରବର ହୋଇ ଟିକସ ପୈଠ କରିବା ପାଇଁ ଉତ୍ସାହିତ କରିଥାଏ। ସେମିତି ଦେଖାଯାଇଛି ଅଙ୍ଗଦାନ ଠାରୁ ପେନ୍‌ସନ୍‌ ସ୍କିମ୍‌ରେ ସାମିଲ ହେବା ପର୍ଯ୍ୟନ୍ତ ଆଚରଣକୁ ଏହିଭଳି କୋମଳ ପଦ୍ଧତି ଦ୍ୱାରା ନିୟନ୍ତ୍ରଣ କରାଯାଇ ପାରୁଛି। କହିବା ବାହୁଲ୍ୟ ଯେଉଁମାନେ କମ୍ୟୁନିଷ୍ଟ ବ୍ୟବସ୍ଥାର କଠୋର ନିର୍ଦ୍ଦେଶ ଓ ଦଣ୍ଡ ବ୍ୟବସ୍ଥାକୁ ବିରୋଧ କରନ୍ତି ତଥା ପୁଞ୍ଜିବାଦୀ ବ୍ୟବସ୍ଥାର ହୃଦୟହୀନ ସମ୍ପଦ ସୃଷ୍ଟି ବ୍ୟବସ୍ଥାକୁ ଘୃଣା କରନ୍ତି ସେମାନଙ୍କ ପାଇଁ ‘ନଜ୍‌’ ହେଉଛି ଦମକାଏ ସୁଲୁସୁଲୁ ପବନ ଭଳି ଯିଏ ନୌକାର ପାଲକୁ ଫୁଲାଇ ନିର୍ବିଘ୍ନରେ ଏବଂ ଅନାୟାସରେ ଗନ୍ତବ୍ୟ ସ୍ଥଳକୁ ନେଇଯାଇଥାଏ। ଏହାକୁ ସ୍ୱୀକାର କରି ରିଚାର୍ଡ ଖେଲରଙ୍କୁ ୨୦୧୭ ପାଇଁ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର