ଝରକା, ପାକିସ୍ତାନୀ ଭାଇ

ଗଲା ୪ ତାରିଖରେ ଦୁବାଇରେ ଘଟିଥିଲା ଏହି ଘଟଣା। ଇଂଲଣ୍ଡରେ ଆଇନ ପଢୁଥିବା ଭାରତୀୟ ଝିଅ (କେରଳୀ) ରାଚେଲ୍ ରୋଜ୍‍ ଦୁବାଇ ଯାଇଥିବା ବେଳେ ଏକ ଅତ୍ୟନ୍ତ ଅଡୁଆ ଅବସ୍ଥାରେ ପଡ଼ିଲେ। କଥା ହେଲା, ଅତି ଜରୁରୀ କାଗଜପତ୍ର ଓ ବେଶ୍ କିଛି ଟଙ୍କା ଥିବା ତାଙ୍କର ବ୍ୟାଗ୍‌ଟି ଗୋଟିଏ ଟ୍ୟାକ୍ସିରେ ସେ ଭୁଲ୍‌ କ୍ରମେ ଛାଡ଼ି ଦେଲେ। ସେଥିରେ ତାଙ୍କର ଭିସା ମଧ୍ୟ ଥିଲା। ଅତି ବିଚଳିତ ହୋଇ ସେ ପୁଲିସର ଆଶ୍ରୟ ନେଲେ ସିନା, ଗାଡ଼ିର ନମ୍ବର ଜାଣି ନ ଥିବାରୁ ତାଙ୍କ ବ୍ୟାଗ୍‌ ପାଇବାର କୌଣସି ଆଶା ସେ ଦେଖି ପାରୁ ନ ଥିଲେ। କିନ୍ତୁ ବ୍ୟାଗ୍‌ ମିଳିଗଲା। କାରଣ ଟ୍ୟାକ୍ସି ଚାଳକ ବ୍ୟାଗ୍‌ଟି ପ‌ାଇଲେ। ‌‌ତେବେ, ‌େସଥି‌େର ଥିବା କାଗଜପତ୍ରରୁ ରୋଜ୍‌ଙ୍କ ଠିକଣା ବାବଦରେ ବିଶେଷ କିଛି ସୂଚନା ନ ପାଇ ବହୁ ଯୋଗାଡ଼ଯନ୍ତ୍ର କରି ପରିଶେ‌ଷରେ ତାଙ୍କ ନିକଟରେ ପହଞ୍ଚି ବ୍ୟାଗ୍‌କୁ ଫେରାଇଲେ। ରୋଜ୍‌ ଖୁସିରେ ଆତ୍ମହରା ହେଲେ, ଟ୍ୟାକ୍ସି ଚାଳକଙ୍କୁ ପୁରସ୍କାର ଯାଚିଲେ। କିନ୍ତୁ ସେ ତାହା ଗ୍ରହଣ କଲେନାହିଁ। ତେବେ, କଥାଟି ଏତିକିରେ ସରୁନାହିଁ। ପାଠକପାଠିକାମାନଙ୍କ ଲାଗି ଏହି ସୁଖଦ ଅନ୍ତରେ ଆଉ ଟିକିଏ ଟୁଇଷ୍ଟ୍‌ ଅଛି। ତାହା ହେଲା, ଟ୍ୟାକ୍ସି ଚାଳକ ମୋସଦର ‌େହଉଛନ୍ତି ଜଣେ ପାକିସ୍ତାନୀ। ବର୍ତ୍ତମାନର ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ରାଜନୈତିକ ସଂପର୍କର ଏଭଳି ତିକ୍ତତା ସତ୍ତ୍ବେ ତା ଊର୍ଦ୍ଧ୍ବରେ ଏକ ମାନବିକ ସଂପର୍କ ସେହି ଦିନ ସ୍ଥାପିତ ହେଲା, ଯେତେବେଳେ ଟ୍ୟାକ୍ସି ଡ୍ରାଇଭର ମୋସଦର କହିଥିଲେ- ‘ରୋଜ୍ ମୋର ଛୋଟ ଭଉଣୀ ପରି।’ କଥାରେ କହନ୍ତି ରାଜନେତାମାନେ ଦେଶ ଓ ଦେଶକୁ ଲଢ଼ାନ୍ତି, ସୈନିକମାନେ ଲଢ଼ନ୍ତି କିନ୍ତୁ ସାଧାରଣ ନାଗରିକମାନେ ‌ତାର ମଝିରେ କେବଳ ସଂଶୟଗ୍ରସ୍ତ ହୋଇ ରହନ୍ତି। ସେଥିଲାଗି ଭାରତ-ପାକିସ୍ତାନ ସୀମାରେଖା ସେପଟେ ଅମିତାଭ ବଚ୍ଚନ ଓ ଶାହରୁଖ ଖାଁ ଆଦି ହେଉଛନ୍ତି ସେମାନଙ୍କ ହୃଦୟର କଂପନ (ଯେତେବେଳେ କି ପାକିସ୍ତାନ ସରକାର ସେଠାରେ ସେମାନଙ୍କ ସିନେମା ଉପରେ ପ୍ରତିବନ୍ଧ ଲଗାଇ ଦେଉଛି) ଏବଂ ସୀମାରେଖା ଏ ପଟେ ନୁସରତ ଫତେ ଅଲ୍ଲୀ ଖାଁ ବା ମେହଦି ହାସାନ ହେଉଛନ୍ତି ଆମ ଲାଗି ଉଚ୍ଚାଙ୍ଗ ସଂଗୀତର ପ୍ରତୀକ। ସେହି ପରି ଖାଦ୍ୟ, କ୍ରିକେଟ୍‌ ଓ ସାହିତ୍ୟ ଭଳି ଅନେକ କ୍ଷେତ୍ରରେ ଭାବଗତ ସଖ୍ୟର ଆହୁରି ଅଜସ୍ର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଅନେକ ସମୟରେ ସେଥି ଲାଗି କୁହାଯାଏ ଯେ ‘କୋମଳ ଶକ୍ତି’ ଜରିଆରେ ଯେମିତି ବିଜୟ ଲାଭ କରିହୁଏ (ଭାବଗତ ନିବିଡ଼ତା ଦ୍ବାରା), ସେମିତି ରାଜନୈତିକ ବା କୂଟନୈତିକ ବା ସାମରିକ ଶକ୍ତି ଦ୍ବାରା ସମ୍ଭବ ହୁଏ ନାହିଁ।

ସମ୍ବନ୍ଧିତ ଖବର