ତୁମେମାନେ ସମସ୍ତେ ଦାୟୀ

କଥାଟିଏ ଯାଯାବର

ରାଜାଙ୍କ ନିକଟକୁ ଜଣେ ଚୋର ଧରା ହୋଇ ଆସିଲା। ତାକୁ ଧରି ଆଣିଥିବା ଲୋକେ କହିଲେ- ମଣିମା, ଆମେ ବରାବର ଦେଖୁ ଯେ ଏ ଲୋକଟି ଆମ ଗାଁ ବାହାରେ ଗୋଟିଏ ଗଛ ମୂଳେ ତାର ପିଲା ପରିବାର ଧରି ରହିଥାଏ। କିନ୍ତୁ ଆମେ କେହି ଜାଣି ନ ଥିଲୁ ଯେ ସେ ଜଣେ ଚୋର ବୋଲି। କାଲି ଆମ ଗାଁର ସାହୁକାରଙ୍କ ଘରେ ପଶିଥିବା ବେଳେ ଧରା ପଡ଼ିଲା। ଏହି ଅପରାଧୀକୁ ଏବେ ଦଣ୍ତ ଦିଅନ୍ତୁ। ଧରା ହୋଇ ଆସିଥିବା ଲୋକଟିକୁ ରାଜା ପଚାରିଲେ- ତୁମେ ଯଦି ଚୋରି କରିଛ, ତେବେ ମୁଁ ଜାଣିବାକୁ ଚାହେଁ ଯେ ତୁମେ ଏଭଳି କାମ କଲ କାହିଁକି?

ସେହି ବ୍ୟକ୍ତି ଭୟରେ ଜଡ଼ସଡ଼ ହୋଇ କହିଲା- ମଣିମା, ମୋର ଭୁଲ ହୋଇଯାଇଛି। ମୁଁ ହିଁ ଚୋର। ମୁଁ ଅତି ଗରିବ। ମୋର ପିଲାଟିର ଭୋକ ବିକଳ କାନ୍ଦ ସହି ପାରିଲି ନାହିଁ ବୋଲି ଚୋରି କରିବାକୁ ପଶିଗଲି। ଏହା ଶୁଣିବା ପରେ ରାଜା ଗମ୍ଭୀର ଦେଖାଗଲେ। ସମସ୍ତେ ଚାହିଁ ରହିଥିଲେ ରାଜା କ’ଣ ଦଣ୍ତ ଦେବେ, ତାହା ଶୁଣିବା। ରାଜା କହିଲେ- ଯଦି ନ୍ୟାୟର ବିଚାର କରିବି, ତେବେ ଏହି ବ୍ୟକ୍ତି ଅପରାଧୀ ନୁହେଁ। ବର˚, ତାକୁ ଧରି ଆଣିଥିବା ତୁମେ ସମସ୍ତେ ହେଉଛ ଅପରାଧୀ! ଲୋକେ କିଛି ବୁଝି ପାରିଲେ ନାହିଁ। ତା ପରେ ରାଜା କହିଲେ- ଟିକିଏ ଭାବି ଦେଖ। ତୁମ ଗାଁରେ ସମସ୍ତେ ଊଣାଅଧିକେ ଭଲରେ ରହୁଥିବା ବେଳେ ତୁମମାନଙ୍କ ସହିତ ରହୁଥିବା ଏହି ବ୍ୟକ୍ତି କିଭଳି ସ୍ଥିତିରେ ଅଛି, ତାହା କାହାର ନଜରରେ ନ ଥିଲା। ତୁମେ ସମସ୍ତେ ସମ୍ବେଦନଶୂନ୍ୟ ଓ ପଥର ହୃଦୟଧାରୀ। ସେ ଆଜି ଯାହା କରିଛି ତା ଲାଗି ତୁମେମାନେ ହିଁ ଦାୟୀ। ତୁମେମାନେ ଟିକିଏ ସମ୍ବେଦନଶୀଳ ହୋଇଥିଲେ ତାକୁ ଚୋରି କରିବାକୁ ପଡ଼ି ନ ଥାଆନ୍ତା।

ସମ୍ବନ୍ଧିତ ଖବର

Comments are closed.