ସୁନାର ଉପଯୋଗ

କଥାଟିଏ - ଯାଯାବର

ଜଣେ ରାଜା ଥିଲେ। ସେ ପ୍ରତି ଦିନ ସକାଳେ ସୁବର୍ଣ୍ଣ ଦାନ କରୁଥିଲେ। ରାଜା ଭାବୁଥିଲେ ଯେ ସବୁଠାରୁ ମୂଲ୍ୟବାନ ଜିନିଷ ହେଲା ସୁନା। ପ୍ରଜାମାନେ ବି ସେୟା ଭାବୁଥିଲେ। ପ୍ରତିଦିନ ସକାଳୁ ରାଜଉଆସ ଆଗରେ ନାହିଁ ନ ଥିବା ଭିଡ଼ ଜମୁଥିଲା।

ଥରେ ଜଣେ ସାଧୁ ସକାଳେ ରାଜଉଆସକୁ ଆସିଲେ। ସେଇ ସମୟରେ ରାଜା ସୁବର୍ଣ୍ଣ ଦାନ କରୁଥିଲେ। ସାଧୁଙ୍କୁ ଦେଖି ରାଜା ଗୋଟିଏ ବଡ଼ ମୁଣାରେ ଶହେ ସରିକି ସୁବର୍ଣ୍ଣ ମୁଦ୍ରା ଧରାଇ ଦେଲେ। ସେ ତାହା ନେଇ ଚୁପଚାପ ଚାଲିଗଲେ।

ସେ ଗଲା ପରେ ରାଜା ନିକଟରେ ଥିବା ମନ୍ତ୍ରୀଙ୍କୁ କହିଲେ- ମୁଁ ଭାବୁଥିଲି ସାଧୁ ସୁନା ନେବାକୁ ମନା କରିବେ। କିନ୍ତୁ ସୁନା ପ୍ରତି କାହାର ଲୋଭ ନାହିଁ କହିଲେ?

ମନ୍ତ୍ରୀ କହିଲେ- ଠିକ୍‌ କହିଛନ୍ତି। ଯାହାହେଉ, ଏ ସୁନା ତକ ସାଧୁଙ୍କ ଜୀବନକୁ ବଦଳାଇ ଦେବ। ସେ ଆଉ ଏମିତି ଭିକ୍ଷୁକଙ୍କ ଭଳି ବୁଲିବେ ନାହିଁ।

ଏହାର କିଛି ମାସ ପରେ ଅଗତ୍ୟା ଦିନେ ରାଜା ସେଇ ସାଧୁଙ୍କୁ ଭେଟିଲେ। ସାଧୁଙ୍କ କିଛି ପରିବର୍ତ୍ତନ ଆସି ନ ଥିଲା। ରାଜା ବିସ୍ମିତ ହୋଇ ସାଧୁଙ୍କୁ ପଚାରିଲେ- ମହାଶୟ, ମୁଁ ଦେଇଥିବା ସୁନା ମୋହର ସବୁ ଆପଣ କ’ଣ କଲେ? ସେ ସବୁ ଚୋରି ହୋଇଗଲା କି?

ସାଧୁ କହିଲେ- ନା। ମୁଁ କେବଳ ତିନିଟି ଉପଯୋଗ କରିଛି। ରାଜା କହିଲେ- ଗୋଟିଏ ଉପଯୋଗ କରିଥିଲେ ତ ଆପଣଙ୍କ ଅବସ୍ଥା ବଦଳି ଯାଇଥାଆନ୍ତା! ଆଉ ଆପଣ ତିନିଟି ଉପଯୋଗ କରିବା କଥା କହୁଛନ୍ତି!

ଏଥର ସାଧୁ ରାଜାଙ୍କୁ କହିଲେ- ମୋ ସହ ଚାଲନ୍ତୁ। କୁଡ଼ିଆରେ ପହଞ୍ଚି ସେ ରାଜାଙ୍କୁ ଗୋଟିଏ ପାଣି ଭରା ପାତ୍ର ଦେଖାଇ କହିଲେ- ଏଥିରେ ତିନିଟି ଛିଦ୍ର ହୋଇଯାଇଥିବାରୁ ତିନିଟି ମୋହର ଦେଇ ସେଇ ଛିଦ୍ର ବନ୍ଦ କରିଛି।

ରାଜା କ’ଣ କହିବେ ବୁଝି ପାରିଲେ ନାହିଁ।

ସମ୍ବନ୍ଧିତ ଖବର

Comments are closed.