ପିତାଙ୍କ ଶେଷ ଉପଦେଶ

କଥାଟିଏ - ଯାଯାବର

ଜଣେ ତରୁଣଙ୍କୁ ତାଙ୍କ ପିତା ମୃତ୍ୟୁଶଯ୍ୟା ନିକଟକୁ ଡାକି କହିଲେ- ତୁମକୁ ଦେବା ଲାଗି ମୁଁ କୌଣସି ପାର୍ଥିବ ବସ୍ତୁ ବା ସଂପତ୍ତି ଛାଡ଼ି ଯାଉନାହିଁ। କାରଣ ମୁଁ ଜାଣେ ତାହା ଅସାର। ତାହା ମୋ ପାଖରେ କେବେ ହେଲେ ନ ଥିଲା। ଯାହାଙ୍କ ପାଖରେ ସେ ସବୁ ଅଛି ବୋଲି ତୁମେ ଭାବୁଥିବ, ପ୍ରକୃତରେ ତାହା ସେମାନଙ୍କ ପାଖରେ ନାହିଁ। କାରଣ ସେମାନେ ଓ ସେମାନଙ୍କ ପାଖରେ ଥିବା ସଂପଦ ସବୁ ଅସ୍ଥାୟୀ। କିନ୍ତୁ, ମୋର କିଛି ନ ଥିବା ସତ୍ତ୍ବେ ରାଜା ଓ ମହାରାଜାମାନେ ମୋତେ ଈର୍ଷା କରୁଥିଲେ। କାରଣ ଯାହା ସେମାନଙ୍କ ପାଖରେ ନ ଥିଲା, ତାହା ମୋ ପାଖରେ ଥିଲା। ସେହି ସଂପଦର ନାମ ହେଉଛି ସନ୍ତୋଷ।

ପିତା କହି ଚାଲିଲେ- ଏହା ସୁଖ ବା ପୁଲକ ନୁହେଁ; ଏହା ହେଉଛି ଏକ ନିର୍ମଳ ପୁଷ୍ମରିଣୀର ତରଙ୍ଗ ବିରହିତ ଶାନ୍ତ ସୁଶୀତଳ ଜଳରାଶି ଭଳି। ତେ‌େବ, ଯେଉଁ ଉପଲବ୍‌ଧି ହେତୁ ତାହା ମୋ ପାଖରେ ସମ୍ଭବ ହୋଇଥିଲା, ତାକୁ ମୁଁ ଗୋଟିଏ ବାକ୍ୟରେ ତୁମକୁ କହିବି। ଯଦି ପାରିବ ନିଜ ଜୀବନରେ ତାକୁ ପ୍ରୟୋଗ କରିବ।

ପିତାଙ୍କ ସେହି ବାକ୍ୟଟି ଥିଲା: ତୁମ ମନକୁ ଆସୁଥିବା ପ୍ରତିଟି ଆବେଗ-କ୍ରୋଧ, ଆନନ୍ଦ, ଘୃଣା ବା ଈର୍ଷା ଇତ୍ୟାଦି- ସହିତ ଅତିଥି ଭଳି ବ୍ୟବହାର କରିବ।

ଯୁବକ ଥିଲେ ବିଚକ୍ଷଣ। ପିତାଙ୍କ ଅନ୍ତେ ତାଙ୍କ ଉପଦେଶକୁ ପାଳନ କଲେ। ଏହା ଯଦିଓ ଥିଲା ଏକ ସାଧନା, କିନ୍ତୁ ଅସମ୍ଭବ ନ ଥିଲା। ପ୍ରତି କ୍ଷଣ ଆବେଗର ତରଙ୍ଗ ମନକୁ ଆସିଲା। ଯୁବକ ତାକୁ ସ୍ବାଗତ କଲେ, ତାର ସତ୍କାର କଲେ, ତା ଭିତରେ ମଜ୍ଜି ନ ଯାଇ ତାକୁ ନିରୀକ୍ଷଣ କଲେ। ତାର ମାର୍ଜନା କରା ନ ଗଲେ ସେ କିଭଳି ବଦଳି ଯାଇପାରନ୍ତି, ତାହା ଅନୁମାନ କଲେ। କିଛି ସମୟ ପରେ ସେ ଆବେଗକୁ ବିଦା‌ୟ ଦେଲେ।

ଏହାଦ୍ବାରା ଲବ୍‌ଧ ସନ୍ତୁଷ୍ଟି ତାଙ୍କୁ ପରବର୍ତ୍ତୀ ଜୀବନରେ ଯାହା ସେ ହେଲେ, ତାହା ହେବାରେ ସାହାଯ୍ୟ କଲା। ସେ ଥିଲେ ପ୍ରଖ୍ୟାତ ଜେନ୍‌ ଗୁରୁ ନେନେ।

ସମ୍ବନ୍ଧିତ ଖବର