ଜଣେ ଶିଷ୍ୟ ଥରେ ଗୁରୁଙ୍କୁ ଏକୁଟିଆ ପାଇ ସନ୍ତର୍ପଣରେ କହିଲା- ମହାତ୍ମା, ଆପଣ ଅନୁମତି ଦେଲେ, ଗୋଟିଏ କଥା କହନ୍ତି।
ଗୁରୁ କହିଲେ- କୁହ।
ଶିଷ୍ୟ କହିଲା- ଗୁରୁଦେବ, ଆପଣଙ୍କ ପାଖରେ ଶିକ୍ଷା ଲାଭ କରୁଥିବା ପ୍ରତ୍ୟେକ ଶିଷ୍ୟ ପରିମାର୍ଜିତ ହେଉଛନ୍ତି, ସ˚ସ୍କାରୀ ହେଉଛନ୍ତି ସତ, କିନ୍ତୁ ଗୋଟିଏ କଥା ସେମାନଙ୍କୁ ଛାଡୁନାହିଁ। ସେ କଥାଟି ହେଲା ଅନ୍ୟ ଜଣଙ୍କ ବିଷୟରେ ତା ପଛରେ ଚର୍ଚ୍ଚା କରିବା, ସୁଯୋଗ ପାଇଲେ ପର ନିନ୍ଦା କରିବା।
ଗୁରୁ କହିଲେ- ସତେ? ତେବେ କିଏ କିଏ ଏମିତି କରୁଛନ୍ତି କୁହ। ଶିଷ୍ୟ ଜଣକ କିଛି ଅତ୍ୟନ୍ତ ଗୁଣୀ ଶିଷ୍ୟମାନଙ୍କ ନାମ କହିସାରି ଯୋଡ଼ିଲା ଯେ ଏମାନେ ଆପଣଙ୍କ ପଟ୍ଟ ଶିଷ୍ୟ। ଏମାନେ ପ୍ରାୟ ସମସ୍ତ ଭଲ ଗୁଣର ଅଧିକାରୀ। କିନ୍ତୁ ସେମାନେ ମଧୢ ପର ନିନ୍ଦା କରନ୍ତି। ଉପରେ ସେମାନେ ପରସ୍ପରକୁ ସ୍ନେହ କରନ୍ତି ବୋଲି ଦେଖାଇ ହୁଅନ୍ତି, କିନ୍ତୁ ଜଣଙ୍କର ଅନୁପସ୍ଥିତିର ସୁଯୋଗ ନେଇ ଅନ୍ୟ ଜଣେ ତାର ନିନ୍ଦା କରେ।
ଗୁରୁ କହିଲେ- ତେବେ, ତୁମେ ଏଥିରୁ ଦୂରରେ ତ?
ଶିଷ୍ୟ କହିଲା- ମୋତେ ତାହା ଭଲ ଲାଗେନାହିଁ ବୋଲି ତ ଆପଣଙ୍କୁ ଏ ବିଷୟରେ କହିଲି!
ଗୁରୁ କହିଲେ- ଯଦି ଏମିତି କଥା, ତେବେ ଏ ପର୍ଯ୍ୟନ୍ତ ତୁମେ ଏଇଠାରେ ମୋ ଆଗରେ କଅଣ ଆଉ କରି ଚାଲିଛ? ତୁମେ ବି ପରନିନ୍ଦା ତ କରୁଛ! ନିଜକୁ ଦେଖିପାରିବା ସବୁଠାରୁ କଠିନ କାମ। ଏଣିକି ତାହା କରିବା ଶିଖ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/footf.jpg)