ଆଜ୍ଞାକାରୀ ପୁଅ!

କଥାଟିଏ - ଯାଯାବର

ଥରେ ରାଜା ମୁଲ୍ଲା ନସିରୁଦ୍ଦିନଙ୍କୁ ପଚାରିଲେ- ମୁଲ୍ଲା, ମୁଁ ଶୁଣୁଛି ଯେ ତୁମର ତିନି ଯାକ ପୁଅ ପୂରା ଅଯୋଗ୍ୟ।

ମୁଲ୍ଲା କହିଲେ- ନା ନା, ଜାହାଁପନା। ସେମାନେ ଭାରି ଆଜ୍ଞାକାରୀ।

ଗୋଟିଏ ଦିନର କଥା କହୁଛି। ସେଥିରୁ ଜାଣିବେ ସେମାନେ ମୋ କଥା କେତେ ମାନନ୍ତି!

ଦିନେ ମୋ ତିନି ପୁଅଙ୍କୁ ଡାକି କହିଲି- ପିଲାଏ, କିଛି ଭଲ କାମ ତ କର! ତ ସେମାନଙ୍କ ଭିତରୁ ଜଣେ ପଚାରିଲା- ବାପା, ଭଲ କାମ ବୋଇଲେ କ’ଣ?

ମୁଁ କହିଲି- ଧର, ଜଣେ ବୁଢ଼ୀଙ୍କୁ ରାସ୍ତା ପାର କରାଇ ଦେଲ। ତାହା ହେଉଛି ଗୋଟିଏ ଭଲ କାମ।

ପର ଦିନ ତିନି ହେଁ ସ˚ଧୢାରେ ଆସି ମୋତେ କହିଲେ- ବାପା, ଆମେମାନେ ଭଲ କାମ କରି ଆସିଛୁ।

ମୁଁ ବଡ଼କୁ ପଚାରିଲି- ତୁ କି କଲୁ?

ସେ କହିଲା ଯେ ସେ ଜଣେ ବୁଢ଼ୀଙ୍କୁ ରାସ୍ତା ପାର କରାଇଛି।

ତା’ପରେ ମଝିଆକୁ ପଚାରିଲି। ଆଶ୍ଚର୍ଯ୍ୟ ସେ ବି ସମାନ କଥା କହିଲା। ସାନକୁ ପଚାରିଲି। ସେ ବି କହିଲା- ଜଣେ ବୁଢ଼ୀଙ୍କୁ ରାସ୍ତା ପାର କରାଇଛି।

ମୁଁ କହିଲି- କି କଥା? ତିନି ଜଣ ଯାକ ସେଇ ସମାନ କାମ କରିଛ? ବାଃ ବାଃ।

ବଡ଼ କହିଲା- ଖାଲି ଆମେ ତିନି ଜଣ ନୁହେଁ। ଆମେ ଏ କାମ କରିବା ଲାଗି କକା ପୁଅର ସାହାଯ୍ୟ ବି ନେଇଛୁ। ଏକେ ତ ସେ ବୁଢ଼ୀ ଭାରି ଓଜନିଆ, ପୁଣି ସେ ରାସ୍ତା ପାର ହେବାକୁ ରାଜି ନ ଥିଲା। ଆମେ ଚାରି ଜଣ ମାଡ଼ି ବସି ତାକୁ ଟେକି ନେଇ ରାସ୍ତା ଆର ପଟେ ଛାଡ଼ିଲୁ।

ଏଥିରୁ ବୁଝନ୍ତୁ, ସେମାନେ କେତେ ଆଜ୍ଞାକାରୀ!

ସମ୍ବନ୍ଧିତ ଖବର