ଶାନ୍ତିର ଇଲମ

କଥାଟିଏ - ଯାଯାବର

ଜେନ୍‌ ଗୁରୁ ନେନେଙ୍କୁ ଜଣେ ଅନୁଗାମୀ ପଚାରିଲେ- ଶାନ୍ତିରେ ରହିବାର ସବୁଠାରୁ ଭଲ ଉପାୟଟି କ’ଣ?

ନେନେ କହିଲେ- ମୋ ପିଲା ଦିନ କଥା ମନେ ପଡୁଛି। ମୋ ବାପା ବହୁତ ଧନୀ ଥିଲେ। ସେ ଯେତେବେଳେ ଘରୁ ବାହାରୁଥିଲେ ସେତିକି ‌ବେଳେ ଗୋଟିଏ ଯୋଡ଼ା ଘୋଡ଼ା ଦ୍ବାରା ଟଣା ଗାଡ଼ି ପ୍ରସ୍ତୁତ ହୋଇ ରହୁଥିଲା। ମୋ ବାପାଙ୍କ ବନ୍ଧୁମାନେ ବି ବହୁତ ବିତ୍ତଶାଳୀ ଥିଲେ। କିନ୍ତୁ ଗୋଟିଏ କଥା ମୁଁ ଲକ୍ଷ୍ୟ କରିପାରୁଥିଲି ଯେ ବାପା ବହୁତ ଶାନ୍ତିରେ ରହୁଥିବା ବେଳେ ତାଙ୍କ ବନ୍ଧୁମାନେ କେମିତି ବ୍ୟବସାୟ ଚଳାଇବେ, କେମିତି ଧନ ସଂପତ୍ତିକୁ ବ୍ୟବହାର କରିବେ ଏ ସବୁ ନେଇ ସର୍ବଦା ବ୍ୟସ୍ତ ଓ ଉଦ୍‌ବିଗ୍ନ ରହୁଥିଲେ।

ଦିନେ ମୋ ବାପାଙ୍କ ଏମିତି ଖରାପ ସମୟ ଆସିଲା ଯେ ସେ ପୂରା ଗରିବ ହୋଇଗଲେ। ଘୋଡ଼ା ଗାଡ଼ି କ’ଣ, କାମ କରି କିଛି ଉପାର୍ଜନ କରିବା ଲାଗି ପାଦରେ ଚାଲି ଚାଲି ଦୂର ଜାଗାକୁ ଯାଉଥିଲେ। ସେମିତି ଦରିଦ୍ର ଅବସ୍ଥାରେ ସେ ଜୀବନ ଅତିବାହିତ କଲେ ଓ ଶେଷରେ ପରଲୋକ ଗମନ କଲେ। କିନ୍ତୁ ସର୍ବଦା ସେ ଶାନ୍ତିରେ ହିଁ ରହୁଥିଲେ।

ସେତିକି ବେଳେ ଦିନେ ମୋତେ କହିଥିଲେ- ପୃଥିବୀରେ ସବୁ କିଛି ବଦଳି ଯାଇପାରେ; ସେଥିରେ କିଛି ଯାଏଆସେ ନାହିଁ। କାରଣ ଦୁନିଆ ପରିବର୍ତ୍ତନଶୀଳ। ହେଲେ, ସମସ୍ୟା ହୁଏ ଯେତେବେଳେ ମଣିଷ ନିଜେ ତାଳ ଦେଇ ବଦଳି ପାରେ ନାହିଁ। ସେଇଠି ଅସଂଗତି ଦେଖାଦିଏ। ତୁମେ ଯଦି ନିଜକୁ ବଦଳାଇ ଦେଇ ପାରିବ, ତବେ ତୁମେ କାହିଁକି ଶାନ୍ତି ହରାଇବ?

ସମ୍ବନ୍ଧିତ ଖବର