କଥାଟିଏ ଯାଯାବର, ଫଳ ପାଚିବା

ପ୍ରସିଦ୍ଧ ଜେନ୍‌ ଗୁରୁ ନେନେଙ୍କୁ ତାଙ୍କର ଜଣେ ଶି‌‌ଷ୍ୟ ପଚାରିଲେ- ଆପଣ ଅଧିକାଂଶ ସମୟ ବଗିଚାରେ କାଟନ୍ତି। ଫଳ ଗଛଗୁଡ଼ିକୁ ଘଣ୍ଟା ଘଣ୍ଟା ଧରି ଚାହିଁ ବସିଥାଆନ୍ତି। କାରଣ?
ନେନେ କହିଲେ- ବଗିଚାରେ ମୋତେ ଯେଉଁ ଜ୍ଞାନ ମିଳୁଛି ତାହା ଆଉ କେଉଁଠି ମିଳିବ କି?
ଫଳ ପାଚିଲେ ଝଡ଼ି ପଡ଼ିବ। ଯେଉଁ ମୁହୂର୍ତ୍ତରେ ପାଚିବା ସମାପ୍ତ ହେଲା, ସେହି ମୁହୂର୍ତ୍ତରେ ତାହା ଗଛରୁ ଅଲଗା ହେବା ନିଶ୍ଚିତ। ଏ ହେଲା ନିର୍ବାଣ ବା ମୁକ୍ତି ପଛର ସତ୍ୟ। ସେ ଅବସ୍ଥା ହାସଲ କରିବା ଲାଗି ପାଚିବା ଦରକାର। ଦେଖ, ଏ ଗଛରୁ କେତେ ପାଚିଲା ଫଳ ଖସି ପଡ଼ିଛି। ଫଳ ପାଚିଲେ ଗଛରୁ ମୁକ୍ତ ହୋଇଯିବା ହେଉଛି ଏକମାତ୍ର ନିୟମ।
କିନ୍ତୁ କେଉଁ ଫଳ କେମିତି ପାଚିବ, ତା ଭିତରେ ଭିନ୍ନତା ଅଛି। ସବୁ ଫଳ ସମ ଭାବେ ପାଚେ ନାହିଁ। ତେଣୁ ପରିପକ୍ବ ହେବାର ପ୍ରକ୍ରିୟା ବି ହେଉଛି ଗୋଟିଏ ବଡ଼ କଥା। ଫଳ ପକ୍ବ ହେବାରେ ବିହନର ଯାତ୍ରା ସମା‌ପ୍ତ ହୁଏ। କିନ୍ତୁ କେବେ ଓ କିପରି ସମାପ୍ତ ହେବ ତାହା ହେଉଛି ଗୁରୁତ୍ବପୂର୍ଣ୍ଣ। ଦିନ ଦିନ ଧରି ପ୍ରତିଦିନ ମୁଁ ଏହି ପରିପକ୍ବତା ବା ପରିପୂର୍ଣ୍ଣତାର ଯାତ୍ରାକୁ ଦେଖି ଆସୁଛି।
ଜେନ୍‌ ଗୁରୁମାନେ ସେହି ଭଳି ହିଁ ଥିଲେ। ସେମାନଙ୍କ ଦର୍ଶନର ଏକ ବିଶେଷ ଦିଗ ହେଲା ‘ଅତି ସାଧାରଣତା’। ନେନେ ଯେମିତି ଭାବେ ଜୀବନ, ମୃତ୍ୟୁ ଓ ନିର୍ବାଣର ଖେଳକୁ ପ୍ରତି ଦିନ ମୁଗ୍‌ଧ ଚିତ୍ତରେ ବଗିଚାରେ ଦେଖି ଚାଲିଥିଲେ, ତାହା ଦେଖାଏ ଅତି ସାଧାରଣତା ଭିତରେ ଜୀବନର ଗୂଢ଼ତାକୁ ଆବିଷ୍କାର କରିବାର ସାମର୍ଥ୍ୟ।

ସମ୍ବନ୍ଧିତ ଖବର

Comments are closed.