ବିଭିନ୍ନ ଦେଶରେ ନାଗରିକଙ୍କ ସମସ୍ୟା ତଥା ଅସନ୍ତୋଷର କାରଣ ଭିନ୍ନ ଭିନ୍ନ ହୋଇପାରେ। ତେବେ ସର୍ବତ୍ର ମୌଳିକ ଆବଶ୍ୟକତା ତଥା ଲୋକଙ୍କ ସ୍ବାଭିମାନ ଓ ଆଶାକୁ ପରିପୂରଣ କରିବା ଦିଗରେ ଶାସକ ବର୍ଗ ଏବ˚ ରାଜନୈତିକ ଅନୁଷ୍ଠାନଗୁଡ଼ିକର ବିଫଳତା ହିଁ ଏହାର ମୁଖ୍ୟ କାରଣ।

Advertisment

ଦିଲ୍ଲୀର ସାହୀନବାଗଠାରେ ଶହଶହ ମହିଳାଙ୍କ ଦ୍ବାରା ଦୀର୍ଘ ଦିନ ଧରି ନାଗରିକତା ସ˚ଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତା ପଞ୍ଜିକା (ଏନଆରସି) ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କଥା ସମସ୍ତେ ଜାଣନ୍ତି। ଏହାର ପ୍ରଭାବରେ ଲକ୍ଷ୍ନୌ, ଗୟା, ପାଟଣା, କୋଲକାତା, ଚେନ୍ନାଇ ଭଳି ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ମହିଳାମାନେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିବାକୁ ଆଗେଇ ଆସିଥିଲେ। ଏହି ଆନ୍ଦୋଳନଗୁଡ଼ିକର ନେତୃତ୍ବ ନିର୍ଦ୍ଦିଷ୍ଟ ଭାବେ କୌଣସି ରାଜନୈତିକ ଦଳ, ସ˚ଗଠନ ବା ବ୍ୟକ୍ତିବିଶେଷ ନେଇ ନାହାନ୍ତି। କିନ୍ତୁ ଆନ୍ଦୋଳନ ବିରୋଧୀଙ୍କ ମତ ଯେ ଏହା ପଛରେ କିଛି ରାଜନୈତିକ ଦଳ ଓ ଗୋଷ୍ଠୀଙ୍କ ପରୋକ୍ଷ ସମର୍ଥନ ନ ଥିଲେ ଏହା ଏପରି ବ୍ୟବସ୍ଥିତ ଢଙ୍ଗରେ ଚାଲିପାରନ୍ତା ନାହିଁ କି ପ୍ରଦର୍ଶନ ସ୍ଥଳରେ ପ୍ରଦର୍ଶନକାରୀଙ୍କୁ ବିରିଆନୀ ଖାଇବାକୁ ମିଳନ୍ତା ନାହିଁ। ଆନ୍ଦୋଳନରେ ବସିବା ପାଇଁ ମହିଳାମାନଙ୍କୁ ପାଞ୍ଚ ଶହ ଟଙ୍କା ଲେଖାଏଁ ଦିଆଯାଇ ଅଣା ଯାଉଥିବାର ଅଭିଯୋଗ ସମ୍ବଳିତ ଭିଡିଓ ମଧ୍ୟ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଛି। କିନ୍ତୁ ସେ ଯାହା ହେଉ ଏହି ଆନ୍ଦୋଳନରେ କୌଣସି ଜଣେ ବା ଏକାଧିକ ‌ନେତା ନେତୃତ୍ବ ନେଇଥିବା ଦେଖିବାକୁ ମିଳିନାହିଁ। ଗାନ୍ଧୀ ଓ ଜୟପ୍ରକାଶଙ୍କ ପରିଚାଳିତ ଆନ୍ଦୋଳନ ବିଷୟରେ ଶୁଣିଥିବା ବା ତାକୁ ଦେଖିଥିବା ଲୋକଙ୍କ ପାଇଁ ଏହି ନୂଆ ଫର୍ମାଟ୍‌ର ଆନ୍ଦୋଳନ ବିଚିତ୍ର ଲାଗୁଥାଇପାରେ। ଏବଂ ସେହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିପାରେ ଯେ ନେତାବିହୀନ ଭାବେ ଗୋଟିଏ ଆନ୍ଦୋଳନକୁ ଦୀର୍ଘ କାଳ ଧରି ଚଲାଇ ରଖିବା କ’ଣ ସମ୍ଭବ? ନିକଟ ଅତୀତରେ ଏବଂ ଏବେ ବିଶ୍ବବ୍ୟାପୀ ଅନେକ ଆନ୍ଦୋଳନ ନେତାବିହୀନ ଭାବେ ଚାଲି ଆସି ଥିବାରୁ ଏପରି ଆନ୍ଦୋଳନର ଚରିତ୍ରକୁ ବୁଝିବାର ଆବଶ୍ୟକତା ରହିଛି।

‘ଆରବ ସ୍ପ୍ରିଙ୍ଗ’ ବା ‘ଆରବ ବସନ୍ତ’ ଭାବେ ଖ୍ୟାତ ନେତାବିହୀନ ଆନ୍ଦୋଳନର ପ୍ରଥମ ପର୍ଯ୍ୟାୟ ୨୦୧୧ ମସିହାରେ ଟ୍ୟୁନିସିଆରୁ ଆରମ୍ଭ ହୋଇ ଅଳ୍ପ ସମୟ ମଧ୍ୟରେ ଲିବ୍ୟା, ଇଜିପ୍‌ଟ, ୟେମେନ, ସିରିଆ, ବାହାରିନ ଭଳି ପନ୍ଦରଟି ଦେଶକୁ ବ୍ୟାପି ଯାଇଥିଲା। ଏବେ ହ˚କ˚, ଚିଲି, ସ୍ପେନ, ବଲିଭିଆ, ଇକୁଏଡର, ଇଜିପ୍‌ଟ, ଆଲଜିରିଆ, ଇରାକ, ଫ୍ରାନ୍‌ସ, ରୁଷିଆ, ଇଣ୍ତୋନେସିଆ, ଥାଇଲାଣ୍ତ ଭଳି ଅନେକ ଦେଶରେ ଲୋକମାନେ ସ୍ବତଃପ୍ରବୃତ୍ତ ଭାବେ ହଜାର ହଜାର ସ˚ଖ୍ୟାରେ ରାସ୍ତାକୁ ଓହ୍ଲାଇ ଏହି ନେତାବିହୀନ ଆନ୍ଦୋଳନଗୁଡ଼ିକରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ନେତାବିହୀନ ଆନ୍ଦୋଳନରେ ସାମିଲ ହୋଇ ୨୦୧୯, ଜୁନ୍‌ ୧୬ ତାରିଖରେ ପ୍ରାୟ ୨୦ ଲକ୍ଷ ଲୋକ ହ˚କ˚ର ରାସ୍ତାକୁ ଓହ୍ଲାଇବା ବିଶ୍ବବାସୀଙ୍କୁ କେବଳ ଚକିତ କରି ନାହିଁ, ଏପରି ଆନ୍ଦୋଳନ ଯେ କେତେ ତୀବ୍ର ହୋଇପାରେ ତାର ଏକ ଧାରଣା ସୃଷ୍ଟି କରିଛି। ଏହି ତୃଣମୂଳ ସ୍ତରର ଆନ୍ଦୋଳନ ଯୋଗୁ କେଉଁଠି ସରକାରଙ୍କୁ ଜନବିରୋଧୀ ଆଇନକୁ ପ୍ରତ୍ୟାହାର କରିବାକୁ ପଡ଼ିଛି ତ କେଉଁଠି ପୁଣି ପ୍ରଭାବଶାଳୀ ଶାସକ ଓ ପ୍ରଶାସକଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ହୋଇଛି। ଲେବାନନ ଓ ଇରାକର ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା, ଚିଲିରେ ଆୟୋଜିତ ହେବାକୁ ଥିବା ‘ଏସିଆ ପାସିଫିକ ଇକୋନୋମିକ କୋଅପରେସନ’ର ଶିଖର ସମ୍ମିଳନୀ ବାତିଲ ହେବା ଭଳି ଘଟଣା ଏପରି ଆନ୍ଦୋଳନର ପ୍ରଭାବକୁ ବଖାଣିଥାଏ। ସବୁଠି ଯେ ଏଭଳି ଆନ୍ଦୋଳନର ସୁଫଳ ମିଳିଛି, ତା ନୁହେଁ, ବର˚ ସ୍ଥଳ ବିଶେଷରେ ଏକଛତ୍ରବାଦୀ ଶାସକମାନେ ବଳ ପ୍ରୟୋଗ କରି ଏପରି ଆନ୍ଦୋଳନକୁ ଦବାଇ ଦେବାରେ ସକ୍ଷମ ହୋଇଛନ୍ତି। ତେବେ ସମୁଦ୍ର ଜୁଆର ଭଳି ଏହି ଆନ୍ଦୋଳନଗୁଡ଼ିକ ଶକ୍ତି ସ˚ଗ୍ରହ କରି ପୁନଶ୍ଚ ମଥା ଟେକୁଥିବା ଦେଖିବାକୁ ମିଳୁଛି। ତେଣୁ ଏହାକୁ ଏକ ‘ରାଜନୈତିକ ଜାଗରଣ’ ଭାବେ ମଧ୍ୟ ଚିତ୍ରଣ କରାଯାଉଛି।

ବିଭିନ୍ନ ଦେଶରେ ନାଗରିକଙ୍କ ସମସ୍ୟା ତଥା ଅସନ୍ତୋଷର କାରଣ ଭିନ୍ନ ଭିନ୍ନ ହୋଇପାରେ। ତେବେ ସର୍ବତ୍ର ମୌଳିକ ଆବଶ୍ୟକତା ତଥା ଲୋକଙ୍କ ସ୍ବାଭିମାନ ଓ ଆଶାକୁ ପରିପୂରଣ କରିବା ଦିଗରେ ଶାସକ ବର୍ଗ ଏବ˚ ରାଜନୈତିକ ଅନୁଷ୍ଠାନଗୁଡ଼ିକର ବିଫଳତା ହିଁ ଏହାର ମୁଖ୍ୟ କାରଣ। କ୍ରମବର୍ଦ୍ଧିଷ୍ଣୁ ଭ୍ରଷ୍ଟାଚାର ଓ ଅର୍ଥନୈତିକ ଅସମାନତାରେ ଅତିଷ୍ଠ ହୋଇ ପଡ଼ିଥିବା ସହରର ବିକ୍ଷୁବ୍‌ଧ ଯୁବ ବର୍ଗ ସ˚ଗଠିତ ନ ହେଲେ ବି ସ୍ବତଃପ୍ରବୃତ୍ତ ଭାବେ ଏ ଭଳି ଆନ୍ଦୋଳନରେ ବାହାରି ପଡୁଛନ୍ତି। କାରଣ ଏହାରି ମାଧ୍ୟମରେ ସେମାନଙ୍କ ପ୍ରତିବାଦର ସ୍ବର କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚ‌ାଇ ହେବ ବୋଲି ସେମାନଙ୍କ ବିଶ୍ବାସ ଦୃଢ଼ୀଭୂତ ହୋଇଛି। ଅପର ପକ୍ଷରେ ରାଜନେତାମାନେ ସେମାନଙ୍କ କ୍ଷମତାର ବୈଧତା (ସେମାନେ ଜନସାଧାରଣଙ୍କ ଦ୍ବାରା ନିର୍ବାଚିତ) ଉପରେ ବେଶି ଗୁରୁତ୍ବ ଦେଇଥାନ୍ତି। ସେଥିପାଇଁ କ୍ଷମତାର ସେହି ଶ୍ରେଣୀବଦ୍ଧତା (ହିଅରାର୍କି)କୁ ବଜାୟ ରଖିବା ପାଇଁ ଲୋକଙ୍କ ବିରୋଧ ପ୍ରଦର୍ଶନକୁ ଅଣଦେଖା କରି ପାରମ୍ପରିକ ଶୈଳୀରେ ଉପରୁ ତଳର ରାଜନୀତି (ଟପ୍‌ ଡାଉନ୍‌ ପଲିଟିକ୍‌ସ) ଜରିଆରେ ସମସ୍ୟାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାନ୍ତି। ଏହା ଦ୍ବାରା ଲୋକେ ଦେଖନ୍ତି ଯେ ସେମାନଙ୍କ ସମସ୍ୟାର ସମାଧାନ ହେଉନାହିଁ। ସୁତରାଂ, ହତାଶାର ଶିକାର ଏହି ସାଧାରଣ ବର୍ଗ ଏକ ଗଣତନ୍ତ୍ରରେ ନିଜକୁ କ୍ଷମତାର ପ୍ରମାଣ ଦେବା ଲାଗି ଏକାଠି ହୋଇ ବିରୋଧ କରିବା ପାଇଁ ବାହାରି ପଡ଼ନ୍ତି। ଏହା ନେତାବିହୀନ ଆନ୍ଦୋଳନକୁ ଜନ୍ମ ଦେଇଥାଏ। ଆଜିର ଡିଜିଟାଲ ସୂଚନା ଯୁଗରେ, ଯେଉଁଠି ପ୍ରାୟ ୪୦୦ କୋଟିରୁ ଅଧିକ ଲୋକ ଇଣ୍ଟରନେଟ ସହ ସ˚ଯୁକ୍ତ, ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌, ଟୁଇଟର ଭଳି ସାମାଜିକ ଗଣମାଧ୍ୟମ ସେଗୁଡ଼ିକ ବିଷୟରେ ପ୍ରଚାରକୁ ବିଜୁଳିର ବେଗ ପ୍ରଦାନ କରିଥାନ୍ତି। ଦେଶ ବିଦେଶରେ ଘଟୁଥିବା ଆନ୍ଦୋଳନ ଓ ଘଟଣା ସବୁରୁ ପ୍ରଦର୍ଶନକାରୀଙ୍କୁ ଆନ୍ଦୋଳନ ଗଢ଼ିତୋଳିବା ପାଇଁ ସୂଚନା ଓ ପ୍ରେରଣା ମଧ୍ୟ ମିଳିଥାଏ।
ନେତାବିହୀନ ଆନ୍ଦୋଳନରେ ନେତୃତ୍ବ ଅଦୃଶ୍ୟ ଭଳି ମନେ ହେଉଥିଲେ ବି ପ୍ରକୃତ ପକ୍ଷେ ତାହା ବିକେନ୍ଦ୍ରିତ ଭାବେ ଅନେକଙ୍କଠାରେ ଥାଏ ଓ ସେମାନଙ୍କ ମଧ୍ୟରେ ଏକ ସମନ୍ବୟ ମଧ୍ୟ ରହିଥାଏ। ତେବେ ଆନ୍ଦୋଳନର ନେତୃତ୍ବ ନେଉଥିବା ନେତା‌ମାନେ ପ୍ରଶାସନର କୋପ ଦୃଷ୍ଟିର ଶିକାର ହେଲେ କାଳେ ଆନ୍ଦୋଳନଟି ବ୍ୟାହତ ହେବ, ସେଥିଲାଗି ଆନ୍ଦୋଳନରେ ଭାଗ ନେଉଥିବା ଅନେକ ଛୋଟ ଛୋଟ ଦଳ ଛନ୍ଦି ହୋଇ ନିଜ ନିଜ ଭିତରେ ଏକ ନେଟ୍‌ୱାର୍କ ସୃଷ୍ଟି କରିଥାନ୍ତି, ଯେମିତି ମାନବାଧିକାର କର୍ମୀ, ଛାତ୍ର ସ˚ଗଠନ, ଶ୍ରମିକ ସଂଗଠନଙ୍କ ହ୍ବାଟ୍‌ସଆପ୍‌ ଗ୍ରୁପ ଭଳି। ଏଥିରେ ବିଭିନ୍ନ ସ୍ତରରେ ଅନେକ ନେତା କାର୍ଯ୍ୟ କରିଥାନ୍ତି। ଏଭଳି ଆନ୍ଦୋଳନରେ ଜଣେ କେହି ଦିଗ୍‌ଗଜ ନେତା ସୃଷ୍ଟି ହେବାର ସମ୍ଭାବନା କ୍ଷୀଣ ହୋଇଥିଲେ ମଧ୍ୟ ସ୍ଥଳ ବିଶେଷରେ କିଛି ନେତା ସୃଷ୍ଟି ହୋଇ ପାରନ୍ତି।

ତେବେ ଏପରି ଆନ୍ଦୋଳନର ଏକ ସମସ୍ୟା ହେଉଛି ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆନ୍ଦୋଳନକାରୀଙ୍କ ମଧ୍ୟରେ ସ୍ପଷ୍ଟତାର ଅଭାବ। ତେଣୁ, ବେଳେବେଳେ ଦେଖାଯାଏ ଯେ ଆନ୍ଦୋଳନ ଏତେ ଶକ୍ତିଶାଳୀ ହୋଇଯାଏ ଯେ ଦାବି ପୂରଣ ହେଲା ପରେ ମଧ୍ୟ ଆନ୍ଦୋଳନକାରୀମାନେ ନୂଆ ଦାବି ଉପସ୍ଥାପନ କରି ତାହା ଚାଲୁ ରଖିବାକୁ ବ୍ୟଗ୍ର। ସର୍ବିୟାର ଜନ ଆନ୍ଦୋଳନରୁ ବାହାରିଥିବା ଜଣେ ନେତା ପୋପୋଭିଚଙ୍କ ମତରେ କୌଣସି ଜନ ଅନ୍ଦୋଳନକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରି ସଫଳତା ହାସଲ କରିବା ସକାଶେ ଆନ୍ଦୋଳନକାରୀଙ୍କ ଠାରେ ଏକତା, ଯୋଜନା ଓ ସ˚ଗଠନ ଅପରିହାର୍ଯ୍ୟ। ଏଭଳି ଆନ୍ଦୋଳନଗୁଡ଼ିକରେ ଏ ସବୁ ପରିଦୃଷ୍ଟ ହୋଇଥାଏ।

ପ୍ରାଚୀନ ଚୀନ୍‌ ଦାର୍ଶନିକ ତଥା ତାଓ ଧର୍ମର ପ୍ରବର୍ତ୍ତକ ଲାଓଚିଙ୍କ ଅନୁସାରେ ‘ସେହି ନେତା ସର୍ବଶ୍ରେଷ୍ଠ, ଯାହାର ଉପସ୍ଥିତି ସମ୍ପର୍କରେ ଲୋକମାନେ ଅବଗତ ନଥାନ୍ତି। ଯେତେବେଳେ ତା କାମ ହୋଇଯାଏ, ତା ଲକ୍ଷ୍ୟ ପୂରଣ ହୋଇଯାଏ, ସେମାନେ କହିଥାନ୍ତି, ‘ଆମେ ନିଜେ ଏହା କଲୁ’।’ ତାଙ୍କ ମତାନୁସାରେ ନେତା ନିଜକୁ ପ୍ରକାଶିତ ନ କରି ଅଦୃଶ୍ୟ କରି ରଖିବା ଉଚିତ। ତେବେ, ବର୍ତ୍ତମାନ ହେଉଥିବା ନେତାବିହୀନ ଆନ୍ଦୋଳନଗୁଡ଼ିକରେ ପ୍ରକୃତ ପକ୍ଷେ ନିର୍ଦ୍ଦିଷ୍ଟ ଭାବେ କୌଣସି ନେତା ହିଁ ନ ଥିବା ହେଉଛି ଏକ ନୂଆ କଥା। ଗୋଟିଏ ଗଣତନ୍ତ୍ରରେ ଶାସକଗୋଷ୍ଠୀ ଯେତେ ଅଧିକ ଶକ୍ତିଶାଳୀ ହେବ, ବିରୋଧୀ ଦଳଗୁଡ଼ିକ ସେତିକି ଦୁର୍ବଳ ହୋଇ ବିଶ୍ବସନୀୟତା ହରାଇବେ। ବିରୋଧୀ ଦଳ ନିର୍ବାହ କରୁଥିବା ଭୂମିକାଟିର ଶୂନ୍ୟତା ପୂରଣ କରିବା ପାଇଁ ନେତାବିହୀନ ଆନ୍ଦୋଳନ ସୃଷ୍ଟି ହେବା ଏକ ସ୍ବାଭାବିକତା ମାତ୍ର। ସେହି ଦୃଷ୍ଟିରୁ ମନେ ହୁଏ ଯେ ଆଗକୁ ନେତାବିହୀନ ଆନ୍ଦୋଳନଗୁଡ଼ିକ ଅଧିକ ଉଗ୍ର ଓ ଶକ୍ତିଶାଳୀ ଭାବେ ଉଭା ହେବ। ଆକ୍ରମଣ କଲା ଭଳି କୌଣସି ପରିଚିତ ପ୍ରତିପକ୍ଷଙ୍କ ଅଭାବରେ ଶାସକ ଗୋଷ୍ଠୀ ପକ୍ଷରେ କାହାରିକୁ ନିର୍ଦ୍ଦିଷ୍ଟ ଭାବେ ଆକ୍ରମଣ କରିବା ମଧ୍ୟ ସହଜ ହେବନାହିଁ, ଯାହା ଫଳରେ ଆନ୍ଦୋଳନକୁ ନିୟନ୍ତ୍ରଣ ଭିତରେ ରଖିବା କଷ୍ଟସାଧ୍ୟ ହେବ। ଏହି ଦୃଷ୍ଟିରୁ ବିଚାର କଲେ ଏକ ଦୁର୍ବଳ ବିରୋଧୀ ଦଳ ଶାସକ ଗୋଷ୍ଠୀ ପାଇଁ ନୂତନ ମୁଣ୍ତବ୍ୟଥାର କାରଣ ହୋଇପାରେ। ରାଜନୀତିକୁ ଏକ ପୂର୍ଣ୍ଣକାଳୀନ ପେସା ଭାବେ ଗ୍ରହଣ ନ କରି ସୁଦ୍ଧା ଶିକ୍ଷିତ ଯୁବ ସମାଜ ଆଗାମୀ ଦିନରେ ବିଭିନ୍ନ ପ୍ରସଙ୍ଗରେ ନେତାବିହୀନ ଆନ୍ଦୋଳନମାନରେ ଅଧିକରୁ ଅଧିକ ସ˚ଖ୍ୟାରେ ସାମିଲ ହେବା ବିଷୟଟି ପ୍ରାୟ ନିଶ୍ଚିତ ଭଳି ଲାଗୁଛି। ସାହୀନବାଗ ଆନ୍ଦୋଳନକୁ ସେହି ଦୃଷ୍ଟିରୁ ଏକ ‘ପ୍ରୟୋଗ’ ବୋଲି କୁହାଯାଇପାରେ। ଦେଶରେ ନେତାବିହୀନ ଆନ୍ଦୋଳନର ପ୍ରଥମ ପ୍ରୟୋଗ ସାହୀନବାଗରେ ହୋଇସାରିଛି। ଏଭଳି ଅନେକ ଆନ୍ଦୋଳନ ହୁଏତ ଆଗକୁ ଦେଖିବାକୁ ମିଳିପାରେ, ଯାହା ଶାସକ ଦଳର ଅବିମୃଶ୍ୟକାରିତାରେ ଲଗାମ ଦେଇପାରେ।

ଭୁବନେଶ୍ବର
ମୋ-୯୪୩୭୦୩୮୦୧୫
saraljatil.com