ଆମେରିକାରୁ ପତ୍ର, ଗାନ୍ଧୀଜୀଙ୍କ ଅସହଯୋଗ

ଅନାଦି ନାୟକ

ମହାତ୍ମା ଗାନ୍ଧୀଙ୍କ ଉପରେ ଚଳଚ୍ଚିତ୍ର କରିବାର ବହୁ ପୂର୍ବରୁ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରିଚାର୍ଡ ଆଟେନବରୋ ଜବାହରଲାଲ ନେହରୁଙ୍କୁ ଭେଟି ପରାମର୍ଶ ଲୋଡ଼ିଥିଲେ। ନେହରୁଙ୍କର ପରାମର୍ଶ ଥିଲା, ‘ତମେ ଗାନ୍ଧୀଙ୍କୁ ଦେବତା ଭାବରେ ନଦେଖାଇ ଜଣେ ମଣିଷ ଭାବରେ ଦେଖାଅ’। ପରବର୍ତ୍ତୀ କାଳରେ ରିଚାର୍ଡ ଆଟେନବରୋଙ୍କ ନିର୍ଦ୍ଦେଶନାରେ ଗାନ୍ଧୀ ଚଳଚ୍ଚିତ୍ରଟି ପ୍ରସ୍ତୁତ ହେଲା। ୧୯୮୦ ମସିହାରେ ଏହି ଚଳଚ୍ଚିତ୍ର ସମେତ ତାର ଅଭିନେତା ଓ ନିର୍ଦ୍ଦେଶକ ହଲିଉଡର ସର୍ବୋଚ୍ଚ ପୁରସ୍କାର ‘ଓସ୍କାର‌୍‌’ ପାଇଲେ। ୟୁରୋପ ଓ ଉତ୍ତର ଆମେରିକାର ସିନେମା ଘର ମାନଙ୍କରେ ଗାନ୍ଧୀ ଚିତ୍ରଟି ଦେଖିବା ପାଇଁ ଖୁବ୍‌ ଭିଡ଼ ହେଉଥିବାର ଦେଖାଗଲା।

ସେତେବେଳକୁ ରୁଷିଆର କମ୍ୟୁନିଷ୍ଟ ଶାସନ ପୂର୍ବ ୟୁରୋପର ଦେଶମାନଙ୍କୁ କାବୁ କରି ରଖି ଥାଏ। ସେଥିରୁ ହୁଗୁଳି ଆସିବା ପାଇଁ ସେଠା ଲୋକେ ବାଟ ଖୋଜୁ ଥାଆନ୍ତି। ଗାନ୍ଧୀଜୀଙ୍କ ଦ୍ବାରା ବ୍ୟବହୃତ ଅହି˚ସ ଅସହଯୋଗ ପୋଲାଣ୍ତ, ହଙ୍ଗେରୀ କିମ୍ବା ଚେକୋସ୍ଲୋଭାକିଆରେ କିପରି କାର୍ଯ୍ୟ କରିବ ସେକଥା ସେଠାକାର ଚିନ୍ତାଶୀଳ ଲୋକମାନେ ଭାବୁ ଥାଆନ୍ତି। ତେବେ, କାଳକ୍ରମେ ପୂର୍ବ ୟୁରୋପର ଦେଶମାନେ ନିଜ ନିଜର ସ୍ବାଧୀନତା ପାଇଲେ। ମାତ୍ର ସେମାନଙ୍କୁ ଏଥିପାଇଁ ରକ୍ତାକ୍ତ ସଂଗ୍ରାମ କରିବାକୁ ପଡ଼ିଲା ନାହିଁ। ସେମାନେ ଅହି˚ସ ଅସହଯୋଗ ପଦ୍ଧତିର ଉପଯୋଗ କଲେ।
ଭାରତବର୍ଷର ସ୍ବାଧୀନତା ପ୍ରାପ୍ତି ଲାଗି ୧୯୨୧ ମସିହାରେ ଗାନ୍ଧୀଜୀଙ୍କର ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା। ୧୯୪୨ ପର୍ଯ୍ୟନ୍ତ ଅସହଯୋଗଟି ଭିନ୍ନ ଭିନ୍ନ ରୂପ ନେଇ ଚାଲିଥାଏ। ସୂତାକଟା, ଲୁଣମରା, ନୂଆ ପ୍ରକାରର ଶିକ୍ଷା ବ୍ୟବସ୍ଥା, ଜାତିପ୍ରଥା ଲୋପ ଭଳି କାମ ଥିଲା ଅସହଯୋଗର ଗୋଡ଼ ହାତ। ସରକାରକୁ ଟିକସ ନଦେବା ଓ ଯୁଦ୍ଧ ବିରୋଧରେ ଜନମତ ସୃଷ୍ଟି କରିବା କାମ ଅସହଯୋଗର ପଦ୍ଧତି ହୋଇଥିଲେ ମଧ୍ୟ ପ୍ରଚଳିତ ସରକାରର ଦୃଷ୍ଟିରେ ସେ ସବୁ ଥିଲା ଦେଶଦ୍ରୋହ। ଦେଶକୁ ସ୍ବାଧୀନ କରିବାକୁ ଯାଇ ଶାସନ କଳର ଦୃଷ୍ଟିରେ ଦେଶଦ୍ରୋହୀ ହେବାକୁ ପ୍ରତିରୋଧକାରୀମାନେ ଅପମାନ ବୋଲି ଭାବୁ ନଥିଲେ।

ଅସହଯୋଗରେ ଭାଗ ନେବା ଲାଗି କୌଣସି ଗୁଳି ବା ବନ୍ଧୁକର ଆବଶ୍ୟକତା ନଥିଲା। ଅପାଠୁଆ, ଅର୍ଧଶିକ୍ଷିତ, ନିପଟ ଗାଉଁଲୀ ଲୋକଙ୍କ ସମେତ ପଇସାବାଲା, ପାଠୁଆ, ସମ୍ଭ୍ରାନ୍ତ ଲୋକଙ୍କର ଏଥିରେ ସମାନ ସ୍ଥାନ ଥିଲା। ଅଳ୍ପ ବୟସର ପିଲା ଓ ସ୍ତ୍ରୀଲୋକମାନେ ମଧ୍ୟ ଏଥିରେ ଭାଗ ନେଇ ପାରୁଥିଲେ। ୧୯୩୨ର ବାଣୀ ସତ୍ୟାଗ୍ରହରେ କଟକ ସହରରୁ ତିନି ହଳ ମାଆ ପୁଅଙ୍କୁ ଜେଲ୍‌କୁ ନିଆ ଯାଇଥିଲା। ସେମାନେ ହେଲେ ଜାହ୍ନବୀଦେବୀ ଓ ଗୌରଗୋପାଳ ଦାସ, କିରଣବାଳା ସେନ୍‌ ଓ ଉପେନ୍ଦ୍ରନାରାୟଣ ସେନ୍‌, ରମାଦେବୀ ଓ ମନମୋହନ ଚୌଧୁରୀ। ଅସହଯୋଗର ମୂଳ ଚିନ୍ତା ଯେଉଁଠୁ ଆସି ଥାଉ ନା କାହିଁକି, ଭାରତରେ ଗାନ୍ଧୀଜୀ ଥିଲେ ତାର ପ୍ରବର୍ତ୍ତକ। ଅନ୍ୟମାନେ ପରବର୍ତ୍ତୀ କାଳରେ ତାର ଅଧ୍ୟୟନ କଲେ। ସେଥିରୁ ପ୍ରେରଣା ଓ ଆଶା ପାଇଲେ। ଗାନ୍ଧୀଜୀଙ୍କ ସତ୍ୟର ପ୍ରୟୋଗ ନୂତନ ସତ୍ୟାଗ୍ରହୀମାନଙ୍କ ପାଇଁ ହେଲା ନୂଆ ବାଇବେଲ୍‌। ଗାନ୍ଧୀଜୀଙ୍କର ଅସହଯୋଗ କଥାଟା ଆସିଥିଲା ଭାରତୀୟ ପରମ୍ପରାରୁ ଯେତିକି ପାଶ୍ଚାତ୍ୟ ଚିନ୍ତାଧାରାରୁ ମଧ୍ୟ ସେହି ପରିମାଣରେ। ଗୁଜୁରାଟୀ ବୈଶ୍ୟ ଭାବରେ ଅହି˚ସା ଥିଲା ତାଙ୍କ ପାଇଁ ପରମ ବିଶ୍ବାସର କଥା (creed)। ମାତ୍ର ଅହି˚ସକ ଅସହଯୋଗ କଥାଟା ଆସିଥିଲା ଜଣେ ଆମେରିକାନ୍‌ ସ୍କୁଲ୍‌ ଶିକ୍ଷକ ଡେଭିଡ୍‌ ଥୋରୋ, ରୁଷୀୟ ସାହିତ୍ୟିକ ଲିଓ ଟଲଷ୍ଟୟ ଏବ˚ ଜଣେ ପ୍ରତ୍ନତତ୍ତ୍ବବିତ୍‌ ଜନ୍‌ ରସ୍କିନଙ୍କ ବିଚାରାବଳୀ ଭିତରୁ। ଛୁଆଁ ଅଛୁଆଁ ମନୋଭାବ ଛାଡ଼ିବା, ଦେହ ମିହନ୍ତକୁ ଛୋଟ ବୋଲି ନଭାବିବା, ସ୍ତ୍ରୀ ଓ ପୁରୁଷ ଏକାଠି ମିଶି କାମ କରିବା- ଏ ସବୁ ଥିଲା ପାଶ୍ଚାତ୍ୟ ପ୍ରଭାବର ଫଳ।

‘‘ଅସୂର୍ଯ୍ୟ˚ ପଶ୍ୟାତ୍‌’’ ସ˚ସ୍କୃତିରେ ଗାଆଁଗଣ୍ତାର ସ୍ତ୍ରୀଲୋକ ମାନଙ୍କୁ ଓଢ଼ଣା ଛାଡ଼ି ମୁଣ୍ତଟେକି ଜେଲ୍‌ ଯିବାକୁ ଉତ୍ସାହିତ କରିବା ଥିଲା ପ୍ରକୃତରେ ଯୁଗାନ୍ତକାରୀ। ଏହି ପରିପ୍ରେକ୍ଷୀରେ ଏକ ଅନ୍ୟାୟୀ ସମାଜ ବ୍ୟବସ୍ଥାକୁ ବେଖାତିର କରି ଓ ତା ବିରୋଧରେ ଯାଇ ଆବଶ୍ୟକ ପରିଣତି ଭୋଗିବା ଥିଲା ଅତ୍ୟନ୍ତ ସାହସିକତାର କଥା। ଆମେରିକାରେ ରୋଜା ପାର୍କ ନାମକ ଜଣେ କଳା-ମହିଳା ପ୍ରଚଳିତ ନିୟମ ଅନୁସାରେ ଜଣେ ଗୋରା ଲୋକ ପାଇଁ ବସ୍‌ ଭିତରେ ନିଜ ସ୍ଥାନଟି ଛାଡ଼ିଲେ ନାହିଁ। ସେଥିପାଇଁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଲା ଓ ସେଇଠୁ ଆରମ୍ଭ ହେଲା ଆମେରିକାର ନାଗରିକ ଅଧିକାରର ଆନ୍ଦୋଳନ ଯାହାକି ଆମେରିକାରେ ଜାତୀୟ ଜୀବନର ସବୁ କ୍ଷେତ୍ରରେ ସବୁ ପ୍ରକାରର ପରିବର୍ତ୍ତନ ଆଣିଲା। ଆମେରିକାର ନାଗରିକ ଆନ୍ଦୋଳନ- ଯାହାକୁ ସିଭିଲ୍‌ ରାଇଟ୍‌ସ୍‌ ଆନ୍ଦୋଳନ ବୋଲି କୁହାଯାଏ – ଗୋରା ଲୋକଙ୍କ ପ୍ରତିପତ୍ତି ବିରୋଧରେ କଳାଲୋକଙ୍କର ସଂଗ୍ରାମ ହୋଇଥିଲେ ବି ତାହା ଅହି˚ସକ ଥିଲା। ସେଥିପାଇଁ ସମାଜର ବିଭିନ୍ନ କ୍ଷେତ୍ରରୁ ଅନେକ ଗୋରା ପୁରୁଷ ଓ ସ୍ତ୍ରୀ ଏଥିରେ ଭାଗ ନେଇ ପାରିଥିଲେ। କାହାରିକୁ ଶତ୍ରୁ ଭାବରେ ଦେଖିବା ଥିଲା ଅହି˚ସକ ଆନ୍ଦୋଳନର ବିରୋଧୀ। ଆମେରିକାର ନାଗରିକ ଅଧିକାର ଆନ୍ଦୋଳନରେ ଗୋରା ଲୋକମାନେ କଳା ଲୋକଙ୍କର ଶତ୍ରୁ ନଥିଲେ। ପ୍ରଚଳିତ ଆଇନ ଉଭୟଙ୍କ ପାଇଁ ଥିଲା କ୍ଷତିକାରକ।

ଭାରତକୁ ସ୍ବାଧୀନତା ଆଣିବା ପାଇଁ ଗାନ୍ଧୀଜୀ ଯେଉଁ ପଦ୍ଧତିଟି ଜନସାଧାରଣଙ୍କ ହାତକୁ ଦେଲେ ସେଥିରେ ଭାରତ ସ୍ବାଧୀନ ତ ହେଲା। ତାର ସ୍ବାଧୀନତା ପ୍ରାପ୍ତି ଦୁନିଆସାରା ଏକ ନୂଆ ଚେତନା ସୃଷ୍ଟି କଲା। ସାମ୍ରାଜ୍ୟବାଦ ବିରୋଧରେ ଲଢ଼େଇ କରିବା ପାଇଁ ଆଫ୍ରିକା, ଏସିଆ ଓ କାରାବିଆନ୍‌ର ଛୋଟ ବଡ଼ ଦେଶମାନେ ସାହସ ପାଇଲେ। ସ୍ବାଧୀନ ଦେଶ ଭାବରେ ଜାତିସଂଘରେ ଯୋଗ ଦେଇ ଭାରତ ପରାଧୀନ ଥିବା ଦେଶମାନଙ୍କର ସ୍ବାଧୀନତା ପାଇଁ ସାହାଯ୍ୟ କଲା। ସ୍ବାଧୀନତା ପରେ ଲୋକମାନେ ଅନେକ ଜାଗାରେ ସେମାନଙ୍କର ଦେଶୀ ସରକାରର ନୀତି ବିରୋଧରେ ଉଠିଲେ ବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କଲେ ଗାନ୍ଧୀଜୀଙ୍କର ଅସହଯୋଗକୁ ବ୍ୟବହାର କଲେ। ସରକାରଗୁଡ଼ିକ ଏ ସବୁକୁ ଦବାଇବା ଲାଗି ବଳ ପ୍ରୟୋଗ କଲେ ବି ଅହିଂସ ଆନ୍ଦୋଳନ ପ୍ରଭାବଶାଳୀ ହେଲା। ଆଣବିକ ଅସ୍ତ୍ରଗୁଡ଼ିକୁ ନଷ୍ଟ କରିଦିଆଯାଉ ବୋଲି ଜନମତ ସୃଷ୍ଟି କରିବାକୁ ରାଜଗୋପାଳାଚାରୀଙ୍କ ନେତୃତ୍ବରେ ଏକ ଭାରତୀୟ ପ୍ରତିନିଧି ଦଳ ଆମେରିକାର ରାଷ୍ଟ୍ରପତି ଜନ୍‌ କେନେଡି, ରୁଷିଆର ରାଷ୍ଟ୍ରପତି ନିକିତା କ୍ରୁଶ୍ଚେଭ, ଇ˚ଲଣ୍ତର ପ୍ରଧାନମନ୍ତ୍ରୀ ଆନ୍ଥୋନି ଏଡେନ୍‌ ଓ ଫ୍ରାନ୍‌ସର ରାଷ୍ଟ୍ରପତି ଚାର୍ଲ‌୍‌ସ୍‌ ଡିଗଲଙ୍କୁ ଭେଟିଥିଲେ। ବିଭିନ୍ନ ଦେଶର ଶାନ୍ତିବାଦୀମାନଙ୍କର ଉଦ୍ୟମ ଫଳରେ ଜାତିସଂଘ ତରଫରୁ ଆଣବିକ ଅସ୍ତ୍ର ବ୍ୟବହାର ନକରିବା ଲାଗି ଚୁକ୍ତି ପ୍ରସ୍ତୁତ ହେଲା।

ଉତ୍ତର ଆୟାରଲାଣ୍ତକୁ କେନ୍ଦ୍ର କରି ସନ୍ତ୍ରାସବାଦୀ ଗୋଷ୍ଠୀ ଆଇରିସ୍‌ ରିପବ୍ଲିକାନ୍‌ ଆର୍ମି ଓ ବ୍ରିଟିସ ସରକାର- ଏ ଉଭୟଙ୍କ ଭିତରେ ଗୁଳି ଚାଲିଲା। ସାଧାରଣ ଲୋକେ ଏଥିରେ ହଇରାଣ ହେଲେ। କାରଣ ଉଭୟଙ୍କ ସମର୍ଥକମାନେ ମଧ୍ୟ ପରସ୍ପର ବିରୋଧରେ ପିଟାପିଟିରେ ଲାଗିଲେ। ଏହି ସମୟରେ ଘର କାମରେ ଲାଗିଥିବା ଦୁଇ ଜଣ ସାଧରଣ ମହିଳା ବେଟ୍ଟି ଓ ମେରି ନିଜ ଅଞ୍ଚଳରେ, ଉତ୍ତର ଆୟାରଲାଣ୍ତରେ, ରାସ୍ତାର ଏପାଖରୁ ସେପାଖକୁ ଚାଲିଲେ। ଦୁଇ ପଟରୁ ଅନ୍ୟମାନେ ମଧ୍ୟ ଆସି ତାଙ୍କ ସହିତ ଯୁଟିଲେ। ଶାନ୍ତି ପାଇଁ ଏକ ପରିବେଶ ଆପଣା ଛାଏଁ ସୃଷ୍ଟି ହୋଇଗଲା। ଏହି ପଦକ୍ଷେପ ପାଇଁ ସେମାନେ ନୋବେଲ୍‌ ପୁରସ୍କାର ପାଇଥିଲେ। ଏବେ ହଙ୍ଗ୍‌କଙ୍ଗ୍‌ରେ ଛାତ୍ରମାନେ, ରୁଷିଆରେ ଗଣତନ୍ତ୍ରକୁ ସମର୍ଥନ କରୁଥିବା ଲୋକମାନେ ଅହି˚ସ ଅସହଯୋଗ କଥାଟାକୁ ବେଦର ଗାର ବୋଲି ଧରି ନିଜ ନିଜ ବାଟରେ ତାର ଉପଯୋଗ କରୁଛନ୍ତି। କମ୍ପାନି, ସରକାର, ବିଶ୍ବବିଦ୍ୟାଳୟ ସମସ୍ତଙ୍କୁ ସୁଧାରିବା ଲାଗି ଅହି˚ସ ଅସହଯୋଗ କରାଯାଉଛି। ମାତ୍ର ସ୍ବାଧୀନତା ପ୍ରାପ୍ତି ପରେ ଭାରତର ବୁଦ୍ଧିଜୀବୀ ଶ୍ରେଣୀ ଗାନ୍ଧୀଜୀଙ୍କୁ ଭକ୍ତି କଲେ ସତ; ତାଙ୍କ କଥା ଶୁଣିଲେ ନାହିଁ। ଇଂରେଜୀ ଚାଲିଚଳଣ ଓ ଶିକ୍ଷାରେ ଦୀକ୍ଷିତ ବଡ଼ବଡ଼ିଆମାନେ ଗାନ୍ଧୀ ବିଚାରକୁ ଅବହେଳା ଓ ଅବମାନନା କରି ‘ଗାନ୍ଧୀ ବିଚାରଧାରା ଆମକୁ ଗୋବର ଯୁଗକୁ ନେଇ ଯିବ’ ବୋଲି କହିଲେ। ଗାନ୍ଧୀଜୀ ମୁସଲମାନ ମାନଙ୍କୁ ଅଧିକ ଭଲ ପାଉଛନ୍ତି ବୋଲି ସମ୍ପ୍ରଦାୟବାଦୀମାନଙ୍କର ଅଭିଯୋଗ ତ ଆଗରୁ ଥିଲା। ଭାରତର କମ୍ୟୁନିଷ୍ଟମାନେ ମଧ୍ୟ ଗାନ୍ଧୀଜୀଙ୍କୁ ବୁର୍ଜୁଆ ମାନଙ୍କର ହାତବାରିସି ବୋଲି ଆଖ୍ୟା ଦେଇଥିଲେ। କମ୍ୟୁନିଷ୍ଟ ଓ ଜନସଂଘ ଦଳର ଲୋକମାନେ ନିଜ ନିଜ ଦୃଷ୍ଟିରୁ ଗାନ୍ଧୀ ବିଚାରର ବିରୋଧୀ ଥିଲେ। ଏବେ ସେହି ଦୃଷ୍ଟିରୁ ଭାରତର ସ୍ବାଧୀନତା ପ୍ରାପ୍ତି ପାଇଁ ଅହି˚ସ ଅସହଯୋଗର ଅବଦାନକୁ ଶ୍ଳାଘ୍ୟ କରି ସାବରକର ଓ ସୁଭାଷ ବୋଷଙ୍କ ବୀରତ୍ବକୁ ଅଧିକ ଗୌରବାନ୍ବିତ କରିବା ବିଚିତ୍ର କଥା ନୁହେଁ। ତା ସାଙ୍ଗକୁ ବଢ଼ି ଚାଲିଥିବା ସମସ୍ୟା ସବୁର ସମାଧାନ ଲାଗି କାଳକ୍ରମେ ନକ୍ସଲପନ୍ଥୀମାନଙ୍କର ଆବିର୍ଭାବ ହେଲା। କେବେ ସେ ସବୁର ସମାଧାନ ହେବ- ଠିକଣା ନାହିଁ। ତେବେ, ଅହି˚ସ ଉପାୟରେ ସମାଧାନ କରିବାର ପ୍ରୟାସ କରାଗଲେ ସେମାନଙ୍କ ଦାବିର ପୂର୍ତ୍ତି ହୋଇ ପାରନ୍ତା।
ଫ୍ରେଡେରିକ୍‌, ୟୁ.ଏସ୍‌.ଏ.
[email protected]

ସମ୍ବନ୍ଧିତ ଖବର