ଅନ୍ଧାରି ମୁଲକ !

0 93

ଯୋଜନାବଦ୍ଧ ଭାବରେ ହେଉ ଅଥବା ନିଜର ରାଜନୈତିକ ଅପରିପକ୍ୱତା ଯୋଗୁଁ ହେଉ, ୨୦୧୩ ସେପ୍‌ଟେମ୍ବର ୨୭ ତାରିଖ ଦିନ, ଅର୍ଥାତ୍‌ ଚାରିବର୍ଷ ତଳେ ଆଜି ତାରିଖରେ କଂଗ୍ରେସ ଦଳର ଉପସଭାପତି ରାହୁଲ ଗାନ୍ଧୀ ଦିଲ୍ଲୀର ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆଠାରେ ରାଜନୀତିର ଊର୍ଦ୍ଧ୍ୱକୁ ଯାଇ ଦେଶର ସମସ୍ତ ରାଜନୈତିକ ଦଳମାନଙ୍କର ଅପରାଧୀ ନେତାମାନଙ୍କ ପ୍ରତି ଅନୁକୂଳ ଆଭିମୁଖ୍ୟ ସମ୍ବନ୍ଧରେ ଯେଉଁ ଅପ୍ରିୟ ସତ କଥା କହିଥିଲେ, ବର୍ତ୍ତମାନ କେନ୍ଦ୍ରରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ସରକାର ନିଜର ଆଚରଣ ମାଧ୍ୟମରେ ତାହାକୁ ସ୍ୱୀକାର କରିଛି। ସେପ୍‌ଟେମ୍ବର ୨୨ ତାରିଖରେ ନରେନ୍ଦ୍ର ମୋଦୀ ସରକାର ସୁପ୍ରିମ୍‌ କୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ ଏମ୍‌ପି ଏବଂ ଏମ୍‌ଏଲ୍‌ଏମାନେ ଯଦି କୌଣସି ଆପରାଧିକ ମାମଲାରେ କୌଣସି ନିମ୍ନ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେମାନେ ନିଜ ପଦବି ପାଇଁ ତତ୍‌କ୍ଷଣାତ୍‌ ଅଯୋଗ୍ୟ ବିବେଚିତ ହେବା ଆବଶ୍ୟକ ନୁହେଁ। କେନ୍ଦ୍ର ସରକାରଙ୍କର ମତ ହେଲା ଯେହେତୁ ଉଚ୍ଚତର ଅଦାଲତରେ ସମ୍ପୃକ୍ତ ଦୋଷୀ ସାବ୍ୟସ୍ତ ଏମ୍‌ପି ବା ଏମ୍‌ଏଳଲ୍‌ଏ ଏହି ରାୟ ବିରୋଧରେ ଅପିଲ କରିପାରିବେ, ତେଣୁ ସମସ୍ତ ଅପିଲ ସୁଯୋଗ ଶେଷ ହୋଇ ସମ୍ପୃକ୍ତ ନେତା ଶେଷରେ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ, ସେ ତାଙ୍କର ପଦବି ପାଇଁ ଅଯୋଗ୍ୟ ବିବେଚିତ ହେବେ ନାହିଁ।
ରାହୁଲ ଗାନ୍ଧୀ ସେଦିନ ଦେଶରେ କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳମାନଙ୍କର ଏହିଭଳି ଆଭିମୁଖ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଅପରାଧୀ ନେତାମାନଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ତାଙ୍କ ସରକାର ଜାରି କରିବାକୁ ଉଦ୍ୟତ ଥିବା ଅର୍ଡିନାନ୍‌ସକୁ ‘ନନ୍‌ସେନ୍‌ସ’ ଆଖ୍ୟା ଦେଇ ତାହାକୁ ଚିରି ଫିଙ୍ଗି ଦିଆଯିବା ଉଚିତ ବୋଲି କହି ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଅର୍ଡିନାନ୍‌ସର ପ୍ରଣେତା ଆଇନ ମନ୍ତ୍ରୀ କପିଲ ଶିବଲ୍‌, ପ୍ରେସ୍‌ କ୍ଲବ୍‌ରେ ଉପସ୍ଥିତ କଂଗ୍ରେସ ମୁଖପାତ୍ର ଅଜୟ ମାକେନ୍‌, ନିଜ ମାତା କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ସମେତ ସମସ୍ତ ତୁଙ୍ଗ କଂଗ୍ରେସ ନେତାଙ୍କୁ ଅପ୍ରସ୍ତୁତ କରି ଦେବା ସହିତ ଦେଶର ରାଜନୈତିକ ଦୁନିଆରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଥିଲେ। ତାଙ୍କର ଏହି ଦୁଃସାହସିକ କାର୍ଯ୍ୟର ସୁଫଳ ସ୍ୱରୂପ ୨୦୧୩ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଏହି ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଅର୍ଡିନାନ୍‌ସ୍‌ ଏବଂ ତାହାର ପୃଷ୍ଠଦେଶରେ ଥିବା ବିଲ୍‌କୁ ସମାଧି ଦିଆଯାଇଥିଲା।
ରାହୁଲଙ୍କର ଏହି ଅପ୍ରତ୍ୟାଶିତ ପଦକ୍ଷେପର ଗୁରୁତ୍ୱ ଉପଲବ୍‌ଧି କରିବା ପାଇଁ ଏଠାରେ ଚୁମ୍ବକରେ ଏହାର ପୃଷ୍ଠଭୂମି ମନେ ପକାଇ ଦିଆଯାଇପାରେ। ଲିଲି ଥମାସ୍‌ ବନାମ ୟୁନିଅନ୍‌ ଅଫ୍‌ ଇଣ୍ଡିଆ (ଲୋକ ପ୍ରହରୀ ବନାମ ୟୁନିଅନ୍‌ ଅଫ୍‌ ଇଣ୍ଡିଆ ସମେତ) ମାମଲାର ଶୁଣାଣି କରି ଜୁଲାଇ ୧୦ ତାରିଖ ୨୦୧୩ ଦିନ ସୁପ୍ରିମ୍‌କୋର୍ଟର ତତ୍କାଳୀନ ମାନ୍ୟବର ବିଚାରପତି ଦ୍ୱୟ ଅନଙ୍ଗ କୁମାର ପଟ୍ଟନାୟକ ଏବଂ ସୁଧାଂଶୁ ଜ୍ୟୋତି ମୁଖୋପାଧ୍ୟାୟ ରାୟ ପ୍ରଦାନ କରିଥିଲେ ଯେ ଯଦି କୌଣସି ଏମ୍‌ପି, ଏମ୍‌ଏଲ୍‌ଏ କିମ୍ବା ଏମ୍‌ଏଲ୍‌ସି କୌଣସି ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସର୍ବନିମ୍ନ ଦୁଇବର୍ଷ ପାଇଁ ଜେଲ୍‌ ଦଣ୍ଡ ପାଆନ୍ତି, ତେବେ ସେ ତୁରନ୍ତ ସମ୍ପୃକ୍ତ ପ୍ରତିନିଧି ସଭାରେ ନିଜର ସଭ୍ୟପଦ ହରାଇବେ। ଏଥିପୂର୍ବରୁ ଲୋକ ପ୍ରତିନିଧି ଆଇନ (ଆର୍‌ପିଏ)ର ଧାରା-୮ ଉପଧାରା-୪ ଅନୁଯାୟୀ ଏଭଳି ଦୋଷୀ ସାବ୍ୟସ୍ତ ନେତା ରାୟ ପ୍ରକାଶ ପାଇବାର ତିନିମାସ ମଧ୍ୟରେ ଉଚ୍ଚତର ଅଦାଲତରେ ଅପିଲ କରି ଦେଇ ନିଜର ସଦସ୍ୟ ପଦ ହରାଇବାରୁ ରକ୍ଷା ପାଇ ଯାଉଥିଲେ। ବିଚାରପତି ଦ୍ୱୟ ଏହି ଆର୍‌ପିଏ-୮ (୪) ଧାରା ପ୍ରଣୟନ କରି ସମ୍ବିଧାନ ଅନୁସାରେ ପାର୍ଲାମେଣ୍ଟ ନିଜର କ୍ଷମତା ବହିର୍ଭୂତ କାର୍ଯ୍ୟ କରିଛି ବୋଲି ସିଦ୍ଧାନ୍ତରେ ପହଞ୍ଚି ଏହି ଧାରାକୁ ଅବୈଧ ଘୋଷଣା କରିଦେଲେ। ଏହି ଗଳା ବାଟ ବନ୍ଦ ହୋଇ ଯିବା ପରେ ଏଣିକି ଏଭଳି ଦୋଷୀ ସାବ୍ୟସ୍ତ ନେତାମାନଙ୍କୁ ତତ୍‌କ୍ଷଣାତ୍‌ ପଦ ହରାଇବା ଛଡ଼ା ଗତି ରହିଲା ନାହିଁ ବୋଲି ମନେ ହେଲା। ରାହୁଲ ଗାନ୍ଧୀଙ୍କ ଯୋଗୁଁ ଯେଉଁ ଅର୍ଡିନାନ୍‌ସ ଏବଂ ବିଲ୍‌ର ମୃତ୍ୟୁ ଘଟିଲା ତାହା ସୁପ୍ରିମ୍‌ କୋର୍ଟଙ୍କର ଏହି ରାୟକୁ ଅକାମି କରି ପୁଣି ଆର୍‌ପିଏ ଧାରା-୮ (୪)କୁ ବଳବତ୍ତର କରିବା ପାଇଁ ଉଦ୍ଦିଷ୍ଟ ଥିଲା। ବାସ୍ତବରେ ଏହି ରାୟ ଯୋଗୁଁ ସଦସ୍ୟ ପଦ ହରାଇବାରେ ପ୍ରଥମ ହେଲେ କଂଗ୍ରେସ ରାଜ୍ୟ ସଭା ସାଂସଦ ରସିଦ୍‌ ମାସୁଦ୍‌ ଯିଏ ଠକେଇ, ଦୁର୍ନୀତି ଆଦି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଚାରିବର୍ଷର କାରାଦଣ୍ଡ ପାଇବାରୁ ୨୦୧୩ ଅକ୍ଟୋବର ୧ ତାରିଖରେ ନିଜର ସଦସ୍ୟ ପଦ ହରାଇଥିଲେ।
ପରେ କିନ୍ତୁ ଦେଖାଯାଇଛି ଯେ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ନିର୍ବାଚନ କମିସନ୍‌ କିମ୍ବା ସଂସଦ/ ବିଧାନସଭା/ ବିଧାନ ପରିଷଦର ସେକ୍ରେଟାରିଆଟ୍‌ରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନ ପାଇବାକୁ ଆଳ କରି ନିର୍ବାଚିତ ପ୍ରତିନିଧିମାନେ ନିଜ ନିଜର ସଦସ୍ୟ ପଦ ତ୍ୟାଗ ନ କରି ପଦବି ଜାବୁଡ଼ି ଧରି ରହି ଯାଉଛନ୍ତି। ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଆଦିରେ ଏପରି ଘଟିବା ଦେଖାଯାଇଛି। ଏଥିଯୋଗୁଁ ସମ୍ପୃକ୍ତ ଆସନ ପାଇଁ ପୁନଃ ନିର୍ବାଚନ ମଧ୍ୟ ଠିକ୍‌ ସମୟରେ ଅନୁଷ୍ଠିତ ହୋଇ ପାରୁନାହିଁ। ସମ୍ପୃକ୍ତ ଲୋକ ପ୍ରତିନିଧିମାନେ ଏହି ସମୟ ମଧ୍ୟରେ ଉଚ୍ଚତର ଅଦାଲତରେ ଅପିଲ କରି ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଲଗାଇ ଇସ୍ତଫା ଦେବାରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି। ସୁପ୍ରିମ୍‌ କୋର୍ଟଙ୍କର ୨୦୧୩ ଆଦେଶ ପଛରେ ଥିବା ଏନ୍‌ଜିଓ ‘ଲୋକପ୍ରହରୀ’ ସେମାନଙ୍କର ଏହି କୌଶଳକୁ ଭଣ୍ଡୁର କରିବାକୁ ପୁଣି ସୁପ୍ରିମ୍‌ କୋର୍ଟଙ୍କର ଦ୍ୱାରସ୍ଥ ହୋଇ ଦୋଷୀ ସାବ୍ୟସ୍ତ ଲୋକ ପ୍ରତିନିଧିମାନେ ତତ୍‌କ୍ଷଣାତ୍‌ ସଦସ୍ୟ ପଦ ହରାଇବାକୁ ନିର୍ଦ୍ଦେଶ ଦେବା ପାଇଁ ପ୍ରାର୍ଥନା କରିଛି। ଏହି ପରିପ୍ରେକ୍ଷୀରେ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାକିବାରୁ କେନ୍ଦ୍ର ସରକାର ଉପରୋକ୍ତ ସତ୍ୟପାଠ ଦାଖଲ କରିଛନ୍ତି।
ଏଥିରୁ ମନେ ହେଉଛି ଭାରତରେ ରାଜନୀତିକୁ ଅପରାଧୀମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପେକ୍ଷା ରାହୁଲ ଗାନ୍ଧୀଙ୍କର ଅଧିକ ଆନ୍ତରିକତା ରହିଛି। କେନ୍ଦ୍ର ସରକାରଙ୍କର ମତ ହେଲା ତତ୍‌କ୍ଷଣାତ୍‌ ଅଯୋଗ୍ୟ ସାବ୍ୟସ୍ତ ହେବା କାର୍ଯ୍ୟକାରୀ ହେଲେ ସରକାର ଗଠନରେ ଅସ୍ଥିରତା ପ୍ରବେଶ କରିବ। ଯେଉଁଠି କ୍ଷୀଣ ସଂଖ୍ୟା ଗରିଷ୍ଠତା ଭିତ୍ତିରେ ସରକାର ଗଠିତ ହୋଇଥାଏ ସେଠାରେ ଜଣେ ମାତ୍ର ସାଂସଦ ବା ବିଧାୟକ ଯଦି ତାଙ୍କର ସଦସ୍ୟ ପଦ ତତ୍‌କ୍ଷଣାତ୍‌ ହରାନ୍ତି, ସେଥିଯୋଗୁଁ ସରକାରର ପତନ ଘଟିପାରେ। ଅର୍ଥାତ୍‌ ଅପରାଧୀମାନଙ୍କ ସମର୍ଥନ ଉପରେ ନିର୍ଭର କରି ସରକାର ଗଠନ କରିବା ସରକାର ଗଠନ ନକରିବା ସମ୍ଭାବନା ଅପେକ୍ଷା ଅଧିକ ଆକର୍ଷଣୀୟ। ଯେକୌଣସି ଉପାୟରେ କ୍ଷମତା ଲାଭ କରିବା ହେଉଛି ରାଜନୈତିକ ଦଳମାନଙ୍କର ମୂଳମନ୍ତ୍ର। ଏଭଳି ମାନସିକତାର ଆହୁରି ବିପଜ୍ଜନକ ଦିଗ ହେଲା ଏହାଦ୍ୱାରା ଆଇନ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଆଇନ ଭଙ୍ଗକାରୀମାନେ ସଂସଦ ବା ବିଧାନସଭାରେ ବସି ଦେଶର ଆଇନ ପ୍ରଣୟନ କରିବେ। ‘ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌’ ସଂସ୍ଥାର ଅନୁଶୀଳନ ଅନୁସାରେ ବର୍ତ୍ତମାନ ସଂସଦରେ ଅପରାଧ ଅଭିଯୁକ୍ତ ଅବସ୍ଥାରେ ସର୍ବାଧିକ ସଂଖ୍ୟକ ସଦସ୍ୟ ରହିଛନ୍ତି। ଯୁକ୍ତି ଛଳରେ କୁହାଯାଇପାରେ ଏମାନେ ସମସ୍ତେ ଯଦି ଦୋଷୀ ସାବ୍ୟସ୍ତ ହୋଇ ସାଂସଦ ରୂପେ ଆଇନ ପ୍ରଣୟନ କରି ଚାଲିବେ, ତେବେ ଦେଶ ଏକ ଅନ୍ଧାରି ମୁଲକରେ ପରିଣତ ହେବ।

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.