ବିଜୁଳି ଦର ବୃଦ୍ଧି- ଦା‌ୟୀ ସରକାରୀ ଅବହେଳା

ଏନ. ନାରାୟଣ ରେଡ୍ଡି

ଏହି ବର୍ଷ ଏପ୍ରିଲ କିମ୍ବା ମେ ମାସରେ ବିଦ୍ୟୁତ୍ ଶୁଳ୍‌କ ବୃଦ୍ଧି ହେବା ଜଳ ଜଳ ଦିଶିଲାଣି। ବଣ୍ଟନ କମ୍ପାନି ଗ୍ରୀଡ୍‌କୋ, ଓଡ଼ିଶା ପାୱାର ଟ୍ରାନ୍‌ସମିସନ୍‌ କର୍ପେ‌ାରେସନ ଲିମିଟେଡ୍ (OPTCL), ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (OHPC), Central Electricity Supply Untility (CESU) ଭଳି ପ୍ରମୁଖ ସଂସ୍ଥାଗୁଡ଼ିକ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ ନିକଟରେ ଶୁଳ୍‌କ ବୃଦ୍ଧି ପାଇଁ ବିଭିନ୍ନ ପ୍ରସ୍ତାବ ରଖିଛନ୍ତି। ରାଜ୍ୟ ସରକାରଙ୍କ ମାଲିକାନାରେ ଚାଲିଥିବା ଗ୍ରୀଡ୍‌କୋ ଘୋର ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଗତି କରୁଛି। କୁହାଯାଉଛି ଯେ ୨୦୨୦-୨୧ ବର୍ଷ ପାଇଁ ବିଦ୍ୟୁତ୍‌ କିଣିବା ଲାଗି ମଧ୍ୟ ଗ୍ରୀଡ୍‌କୋ ପାଖରେ ଅର୍ଥ ନାହିଁ। ଏଣୁ ଗ୍ରୀଡ୍‌କୋ ଋଣ କରିବା ପାଇଁ ରାଜ୍ୟ ସରକାରଙ୍କଠାରୁ ଅନୁମତି ଲୋଡ଼ିବା ସହିତ ବିଦ୍ୟୁତ୍ ଶୁଳ୍‌କ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛି। ଏ ପରିପ୍ରେକ୍ଷୀରେ ଏକ ସଂକ୍ଷିପ୍ତ ଆଲୋଚନା ଜରୁରି।

ଓଡ଼ିଶା ବିଦ୍ୟୁତ୍ ସଂସ୍କାର ଆଇନ ବଳରେ ୨୦ ଏପ୍ରିଲ ୧୯୯୫ରେ ପଞ୍ଜିକୃତ ଗ୍ରୀଡ୍‌କୋ ରାଜ୍ୟ ଓ ରାଜ୍ୟ ବାହାରୁ ବିଦ୍ୟୁତ୍‌ କ୍ରୟ କରି ବିତରଣ କମ୍ପାନିମାନଙ୍କୁ ଯୋଗାଇଥାଏ। ରାଜ୍ୟର ଚାହିଦା ପୂରଣ ପରେ ଗ୍ରୀଡ୍‌କୋ ବଳକା ବିଦ୍ୟୁତ୍‌ ବିକ୍ରୟ କରି ରାଜ୍ୟର ରାଜସ୍ବ ବୃଦ୍ଧି କରିବାରେ ସହାୟକ ହୁଏ। ୨୦୦୩ ବିଦ୍ୟୁତ୍ ଆଇନ ବଳରେ ବିଦ୍ୟୁତ୍ ସରବରାହ କାର୍ଯ୍ୟ ଗ୍ରୀଡ୍‌କୋଠାରୁ ଅପସାରଣ କରିନିଆଯାଇଥିଲା। କାରଣ ସେତେବେଳେ ରିଲାଏନ୍‌ସ କମ୍ପାନି ଗ୍ରୀଡ୍‌କୋ ଉପରେ ୪୨୩୪ କୋଟି ଟଙ୍କା ବକେୟା ରଖି ଚାଲିଗଲା। ୨୦୧୫ ଠାରୁ ସରକାର ତିନିଟି ବିଦ୍ୟୁତ୍‌ ବିତରଣ କମ୍ପାନିମାନଙ୍କ ପରିଚାଳନା ଦାୟିତ୍ବ ପୁଣି ଗ୍ରୀଡ୍‌କୋ ଭପରେ ନ୍ୟସ୍ତ କଲେ। ଏହା ଉଲ୍ଲେଖଯୋଗ୍ୟ ଯେ ଗ୍ରୀଡ୍‌କୋ ତା’ର ପ୍ରାପ୍ୟ ୪୨୩୪ କୋଟି ଟଙ୍କା ଆଜି ପର୍ଯ୍ୟନ୍ତ ଫେରିପାଇନାହିଁ। ଏହାର କାରଣ କ’ଣ ସେ ବାବଦରେ ତନଖି ହେବା ଦରକାର।

ବର୍ତ୍ତମାନ ରାଜ୍ୟରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସଂଖ୍ୟା ୮୬ ଲକ୍ଷ। ଏଣେ ଦେଖାଯାଉଛି ଯେ ବଣ୍ଟନ କମ୍ପାନିଗୁଡ଼ିକ ଗ୍ରାହକଙ୍କୁ ବିଦ୍ୟୁତ୍ ବିକ୍ରୟ କରୁଛନ୍ତି ସିନା, ସେମାନେ କିଣିଥିବା ବିଜୁଳିର ଦାମ୍‌ ଗ୍ରୀଡ୍‌କୋକୁ ପରିଶୋଧ କରୁ ନାହାନ୍ତି। ସେମାନଙ୍କ ଭିତରୁ ‘ସେସୁ’ର ୧୦୭୫ କୋଟି ୯୨ ଲକ୍ଷ, ୱେ‌ସ୍‌କୋର ୧୧୧୮ କୋଟି, ନେ‌େସ୍କାର ୮୮୨ କୋଟି, ସାଉଥ୍‌‌େକାର ୮୬୦.୫୮ କୋଟି ଟଙ୍କା ଓ ତାର ସୁଧ ଇତ୍ୟାଦି ମିଶି ମୋଟ ୫୮୭୩ କୋଟି ୩୩ ଲକ୍ଷ ଟଙ୍କା ବାକି ଅଛି ବୋଲି ଶକ୍ତିମନ୍ତ୍ରୀ ବିଧାନସଭାରେ ୧୩ ମାର୍ଚ୍ଚ ୨୦୨୦ରେ ପ୍ରକାଶ କରିଛନ୍ତି। ଉକ୍ତ କମ୍ପାନିଗୁଡ଼ିକ ୧୫ ବର୍ଷ ମଧ୍ୟରେ ସମସ୍ତ ବକେୟା ପରିଶୋଧ କରିବା ବିଷୟରେ ରାଜ୍ୟ ସରକାରଙ୍କ ସହ ଏକ ଚୁକ୍ତି କରିଥିଲେ, ଯାହାର ସମୟ ମଧ୍ୟ ଏଥିମଧ୍ୟରେ ସରିଗଲାଣି। କିନ୍ତୁ ରାଜ୍ୟ ସରକାର ତାହା ଆଦାୟ ନକରି ହାତବାନ୍ଧି ବସିଛନ୍ତି। ଏଥିରୁ ସ୍ପଷ୍ଟ ଯେ ସରକାର ଗ୍ରୀଡ୍‌କୋ (ଏକ ସରକାରୀ ସଂସ୍ଥା ହୋଇଥିଲେ ହେଁ) ଦେବାଳିଆ ହେବାରୁ ମୁକୁଳାଇବା ଲାଗି ଆଦୌ ଗମ୍ଭୀର ନୁହନ୍ତି।

ପୁଣି ଆମ ଶକ୍ତିମନ୍ତ୍ରୀ ପ୍ରଦୂଷଣ ବିହୀନ ସବୁଜ ଶକ୍ତିର ଅଭିବୃଦ୍ଧି ଉପରେ ଗୁରୁତ୍ବ ଦେଇ ତାପଜ ଶକ୍ତିର ବିକଳ୍ପ ଲୋଡ଼ା ବୋଲି ଗୁରୁତ୍ବାରୋପ କରି ଆସୁଛନ୍ତି। ଶକ୍ତି ବିଭାଗର ଶାସନ ସଚିବ ମଧ୍ୟ କହିଥିବା ଶୁଣାଯାଇଛି ଯେ ଆସନ୍ତା ୧୦ ବର୍ଷ ମଧ୍ୟରେ ରାଜ୍ୟ ୨୭୦୦ ମେଗାୱାଟ୍ ସବୁଜଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖିଛି। ସରକାର ଅକ୍ଷୟଶକ୍ତି ବିକାଶ କଥା କହି ୨୫ ନଭେମ୍ବର ୨୦୧୬ରେ ଅକ୍ଷୟ ଶକ୍ତି ନୀତି ପ୍ରଣୟନ କଲେ। ମାର୍ଚ୍ଚ ୨୦୨୨ ସୁଦ୍ଧା ୨୨୦୦ ମେଗାୱାଟ୍ ସୌରଶକ୍ତି ଉତ୍ପାଦନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ, ନଭେମ୍ବର ୨୦୨୯ ସୁଦ୍ଧା ମାତ୍ର ୧୪ ମେଗାୱାଟ୍ ସୌର ଶକ୍ତି ଉତ୍ପାଦିତ ହୋଇଛି। ବିଶେଷଜ୍ଞଙ୍କ ମତରେ ଆମ ରାଜ୍ୟରେ ୨୦ ହଜାର ମେଗାୱାଟ୍‌ ବିଦ୍ୟୁତ୍ କେବଳ ସୌରଶକ୍ତିରୁ ଉତ୍ପାଦନ କରାଯାଇପାରିବ। ଏ ଦିଗରେ କାର୍ଯ୍ୟ କରିବା ଲାଗି ୧୯୮୪ ମସିହାରେ ଗଠିତ Odisha Renewal Energy Development Agency ବା ‘ଓରେଡା’ ସଂସ୍ଥାଟି ବସ୍ତୁତଃ ଏକ ନିଷ୍କ୍ରିୟ ଅନୁଷ୍ଠାନରେ ପରିଣତ ହୋଇଛି। ପୁଣି ଦୁଃଖର ବିଷୟ ଯେ ରାଜ୍ୟ ସରକାର ଏହାର ବିକାଶ ପାଇଁ ୨୦୧୯-୨୦ରେ ମାତ୍ର ୧୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ସଚିବ କହିବା ଭଳି ଯଦି ଅକ୍ଷୟ ଶକ୍ତିର ବିକାଶ କରାଯାଆନ୍ତା, ତେବେ ହୁଏତ ଉପଭୋକ୍ତାମାନଙ୍କ ପାଖରେ ସୁଲଭ ମୂଲ୍ୟରେ ବିଜୁଳି ପାଇବାର ବିକଳ୍ପ ରହନ୍ତା। ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ଅକ୍ଷୟ ଶକ୍ତି ବିଶେଷ କରି ସୌରଶକ୍ତି ଉତ୍ପାଦନରେ ଅଭିବୃଦ୍ଧି ସକାଶେ ଅନେକ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। କିନ୍ତୁ ଆମ ରାଜ୍ୟ ସରକାର ଏ ଦିଗରେ ଯତ୍ନଶୀଳ ନ ଥିବା ଭଳି ବୋଧ ହେଉଛି। ଏକ ଉଦାହରଣ ସ୍ବରୂପ ବରଗଡ଼ ଜିଲ୍ଲାରେ ୪୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଏକ ସୌରଶକ୍ତି ପ୍ରକଳ୍ପ ୨୦୧୮ରେ ସ୍ଥାପିତ ହୋଇଛି, କିନ୍ତୁ ଉତ୍ପାଦନ ଆରମ୍ଭ ହୋଇନାହିଁ (୨ ଅଗଷ୍ଟ ୨୦୧୯ ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର)। ସେହିଭଳି ୨୦୧୩ ମସିହାଠାରୁ ୧୩ ଗୋଟି କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ କାମ ଆରମ୍ଭ ହୋଇଛି, ଯାହାର କ୍ଷମତା ୧୬୮ ମେଗାୱାଟ୍, କିନ୍ତୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରି ନାହିଁ। ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (OHPC)ର ୪୫୦ କୋଟି ଟଙ୍କା ଦୀର୍ଘ କାଳ ହେଲାଣି ଶିଳ୍ପପତିମାନେ ବାକି ରଖିଛନ୍ତି। ଏହାକୁ ଆଦାୟ କରିବା ଦିଗରେ ସରକାରଙ୍କ ଉଦ୍ୟମ ନାହିଁ।

ବିଦ୍ୟୁତ୍‌ ପରିବହନ ବ୍ୟବସ୍ଥା OPTCL ନାମକ ଏକ ସରକାରୀ ସଂସ୍ଥା ହାତରେ ରହିଛି। ୨୦୧୭ ମସିହାରେ ଏହାର ଉନ୍ନତୀକରଣରେ ସରକାର ୧୦୦ କୋଟି ଟଙ୍କା ଖର୍ଚ୍ଚ କଲେ। କିନ୍ତୁ ପରିବହନ କ୍ଷତି କମିପାରୁନାହିଁ। ଏହା ଏକ ବିଡ଼ମ୍ବନା। ‘ଓପିଟିସିଏଲ୍’ ସାଧାରଣ ଖାଉଟିଙ୍କଠାରୁ ପରିବହନ ଶୁଳ୍‌କ ୟୁନିଟ୍ ପିଛା ୨୫ ପଇସା ନେଉଛି। କିନ୍ତୁ ପ୍ରଶ୍ନ ହେଉଛି ଯେ ବାର୍ଷିକ କେତେ ବିଦ୍ୟୁତ୍ ଅନ୍ୟ ରାଜ୍ୟକୁ ଦେଉଛି, ଏଥିରେ କେତେ ସେ ଆଦାୟ କରୁଛି ତା’ର ହିସାବ ସରକାର ଜାଣନ୍ତି କି? ତଦନ୍ତ କରାଗଲେ ଏହା ଭିତରେ ଥିବା କଥା ପଦାକୁ ଆସନ୍ତା।

୨୦୧୯-୨୦ ବର୍ଷ ପାଇଁ ସରକାର ଆକଳନ କରିଛନ୍ତି ଯେ ଏହି ବର୍ଷ ମୋଟ ରାଜ୍ୟ ଓ କେନ୍ଦ୍ର ପ୍ରଦତ୍ତ ବିଦ୍ୟୁତ୍‌ ମିଶାଇ ୬୬୨୮ ମେଗାୱାଟ୍ ବିଜୁଳି ଉପଲବ୍‌ଧ ହେବାର ଆଶା ରହିଛି। ଏହା ସମ୍ଭବ ମଧ୍ୟ। ଏହା ଚାହିଦା ଠାରୁ ଅଧିକ। ତେଣୁ ବିଦ୍ୟୁତ୍ ଶୁଳ୍‌କ ବୃଦ୍ଧି କରାଯିବା ଅନାବଶ୍ୟକ। ଓଡ଼ିଶା ବିଜୁଳି ବିକ୍ରି କରୁଥିବା ଏକ ରାଜ୍ୟ। ଅପରପକ୍ଷରେ ଦିଲ୍ଲୀ ଆମ ଠାରୁ କୋଇଲା କିଣି ବିଜୁଳି ଉତ୍ପାଦନ କରି ନାଗରିକମାନଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶୁଳ୍‌କ ଛାଡ଼ କରିବାକୁ ସମର୍ଥ ହୋଇଛି।

ଏଥିରୁ ସ୍ପଷ୍ଟ ଯେ ଆମ ରାଜ୍ୟରେ ଗ୍ରୀଡ୍‌କୋର ଦୁରବସ୍ଥା ଲାଗି ସରକାରୀ ଓ ବିଭାଗୀୟ ଅବହେଳା ହିଁ ଦାୟୀ। କିନ୍ତୁ ଏହାର କୁପରିଣାମ ଭୋଗୁଛନ୍ତି ଉପଭୋକ୍ତାମାନେ ଯେଉଁମାନେ ବାରମ୍ବାର ବିଜୁଳି ଶୁଳ୍‌କ ବୃଦ୍ଧିର ଶିକାର ହେଉଛନ୍ତି।

ଭଗବତୀ ଭବନ, ଭୁବନେଶ୍ବର
ମୋ: ୯୪୩୭୦୬୨୫୪୨

ସମ୍ବନ୍ଧିତ ଖବର

Comments are closed.