ରାମାନନ୍ଦଙ୍କ ରାମାୟଣ

ବିଜନ କୁମାର ମହାପାତ୍ର

୧୯୮୭ ଜାନୁଆରି ମାସରେ ଦୂରଦର୍ଶନ ପରଦାରେ ପ୍ରସାରିତ ହୋଇଥିବା ଅତ୍ୟନ୍ତ ଲୋକପ୍ରିୟ ମେଗା ପୌରାଣିକ ଧାରାବାହିକ ‘ରାମାୟଣ’ ଆଜି ପୁନଃ ପ୍ରସାରିତ ହୋଇ କରୋନା ଭାଇରସ୍‌ ଆତଙ୍କ ଯୋଗୁଁ ‘ଲକ୍‌ଡାଉନ୍‌’ ଅଧୀନରେ ଥିବା ଭାରତୀୟ ପରିବାରରେ ପୁଲକ ସୃଷ୍ଟି କରିଛି। ଉଲ୍ଲେଖ ଥାଉ କି ୧୯୮୭ ଜାନୁଆରି ୨୫ରୁ ଆରମ୍ଭ ହୋଇ ଏହି ଧାରାବାହିକ ସେତେବେଳେ ୧୯୮୮ ମସିହା ଜୁଲାଇ ୩୧ ଯାଏଁ ଚାଲିଥିଲା ଓ ଶେଷ ପର୍ଯ୍ୟନ୍ତ ଏହାର ଲୋକପ୍ରିୟତା ଅତୁଟ ଥିଲା। ଦୀର୍ଘ ୩୩ ବର୍ଷ ପରେ ଏବେ ପୁଣି ଯେତେବେଳେ ଏହା ଦୂରଦର୍ଶନର ପରଦାକୁ ପ୍ରତ୍ୟାବର୍ତ୍ତନ କରିଛି, ଏଥି ନେଇ ଲୋକଙ୍କ ମଧ୍ୟରେ ଅନେକ ସ୍ମୃତି ବିଜଡ଼ିତ ଆଗ୍ରହ ଏବଂ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳିଛି। ସେହି ଦୃଷ୍ଟିରୁ ଏହି ଆଲେଖ୍ୟ ପାଠକୀୟ ଆଦର ଲାଭ କରିବ ନିଶ୍ଚୟ।

ରାମାନନ୍ଦ ସାଗରଙ୍କ ରାମାୟଣ ସ˚ପର୍କରେ ରହିଛି ଅନେକ ରୋମାଞ୍ଚକର ତଥ୍ୟ। ଜଣେ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ଭାବେ ସଫଳତା ହାସଲ କରିଥିବା ରାମାନନ୍ଦ ସାଗର କେମିତି ଟେଲିଭିଜନ ମନୋର˚ଜନ ଦୁନିଆରେ ପାଦ ଦେଇ ରାମାୟଣ ଭଳି ମହାକାବ୍ୟକୁ ଧାରାବାହିକର ରୂପ ଦେଇଥିଲେ, ତାହା ଏହି ଧାରାବାହିକର ପୁନଃ ପ୍ରସାରଣ ପରିପ୍ରେକ୍ଷୀରେ କୁହାଯିବା ଉଚିତ। ରାମାନନ୍ଦ ସାଗର ଏକାଧାରରେ ଥିଲେ ଜଣେ ସାହିତ୍ୟିକ, ସାମ୍ବାଦିକ, ନାଟ୍ୟପ୍ରେମୀ ଓ ଚଳଚ୍ଚିତ୍ର ନିର୍ମାତା ନିର୍ଦ୍ଦେଶକ। ଜଣେ ‘କ୍ଲାପର୍‌ ବୟ’ ଭଳି ଏକ ସର୍ବନିମ୍ନ ସ୍ତରର ୟୁନିଟ୍‌ ସଦସ୍ୟ ଭାବେ ସେ ଫିଲ୍ମ ଇଣ୍ତଷ୍ଟ୍ରିରେ ପାଦ ଥାପିଥିଲେ। ରାମାନନ୍ଦ ସାଗରଙ୍କ ପ୍ରକୃତ ନାମ ଥିଲା ଚନ୍ଦ୍ରମୌଲି ଚୋପ୍ରା। ପୂର୍ବରୁ ରାମାନନ୍ଦ ସାଗର ପୃଥ୍ବୀରାଜ କପୁରଙ୍କ ‘ପୃଥ୍ବୀ ଥିଏଟର’ ସହ ମଧ୍ୟ ଜଡ଼ିତ ଥିଲେ। ୧୯୪୯ ମସିହାରେ ରିଲିଜ ହୋଇଥିବା ରାଜ କପୁରଙ୍କ ଅଭିନୀତ ଓ ନିର୍ଦ୍ଦେଶିତ ସୁପରହିଟ୍‌ ସିନେମା ‘ବରସାତ୍‌’ର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ସାଗର। ଏହା ପରେ କିଛି ଫିଲ୍ମର କାହାଣୀ ଓ ସଂଳାପ ଲେଖିଲା ପରେ ସେ ନିଜର ପ୍ରଯୋଜନା କ˚ପାନି ପ୍ରତିଷ୍ଠା କରିଥିଲେ। ସାଗର ଫିଲ୍ମ ପ୍ରାଇଭେଟ୍‌ ଲିମିଟେଡ୍‌ (ପରବର୍ତ୍ତୀ ସମୟରେ ସାଗର ଆର୍ଟ‌୍‌ସ) ବ୍ୟାନର ତଳେ ଅନେକ ଫିଲ୍ମର ପ୍ରଯୋଜନା କରିବା ସହ ସେ ନିର୍ଦ୍ଦେଶନା ଦେବା ମଧ୍ୟ ଆରମ୍ଭ କରିଥିଲେ। ଷାଠିଏ ଓ ସତୁରି ଦଶକରେ ଏକାଧିକ ଲୋକପ୍ରିୟ ଫିଲ୍ମର ନିର୍ଦ୍ଦେଶନା ସେ ଦେଇଥିଲେ। ଘୁଙ୍ଗଟ୍‌, ଆରଜୁ, ଜିନ୍ଦଗୀ, ଆଖେଁ, ଗୀତ୍‌, ଲଲକାର‌୍‌, ଚରସ୍‌, ପ୍ରେମ ବନ୍ଧନ, ଭଗବତ ଇତ୍ୟାଦି ହେଉଛି ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ କିଛି ସୁପର ହିଟ୍‌ ଫିଲ୍ମ। ୧୯୭୬ରେ ସ୍ବିଜରଲାଣ୍ତରେ ଏକ ଫିଲ୍ମର ସୁଟି˚ ବେଳେ ରାମାନନ୍ଦ ସାଗର ଏକ କାଫେରେ ରଂଗିନ ଟେଲିଭିଜନରେ କୌଣସି ଏକ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ଦେଖି ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ ତତ୍‌କ୍ଷଣାତ ସେ ସିନେମା ଛାଡ଼ି ଟେଲିଭିଜନ ପ୍ରଯୋଜନା କ୍ଷେତ୍ରରେ ମନୋନିବେଶ କରିବାକୁ ଆଗେଇ ଆସିଲେ। ଏହି କଥାଟି ତାଙ୍କ ପୁଅ ପ୍ରେମ ସାଗର ନିଜ ବାପାଙ୍କ ଉପରେ ଲେଖିଥିବା ଜୀବନୀରେ ଉଲ୍ଲେଖ କରିଛନ୍ତି।

ସ୍ବିଜରଲାଣ୍ତରୁ ଫେରି ରାମାନନ୍ଦ ସାଗର ଟି.ଭି. ପାଇଁ ରାମାୟଣ ଧାରାବାହିକ ନିର୍ମାଣ କରିବାକୁ ମନ ବଳାଇଥିଲେ। ହେଲେ ଅର୍ଥ ଯୋଗାଡ଼ ଥିଲା ଏକ ବଡ଼ ସମସ୍ୟା। ପୁଅ ପ୍ରେମ ସାଗରଙ୍କ ଜରିଆରେ ସେ ଦେଶବିଦେଶରେ ରହୁଥିବା ନିଜର ସମ୍ଭ୍ରାନ୍ତ ବନ୍ଧୁଙ୍କୁ ନିଜର ଡ୍ରିମ୍‌ ପ୍ରୋଜେକ୍ଟ ବା ସ୍ବପ୍ନର ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଲାଗି ଅନୁରୋଧ କରିଥିଲେ। ହେଲେ ପରିବର୍ତ୍ତିତ ଭାରତୀୟ ସମାଜରେ ‘ମୁକୁଟ ଓ ନିଶ’ବାଲା ପୌରାଣିକ ଧାରାବାହିକ ଚଳିବ ନାହିଁ ବୋଲି କହି ରାମାନନ୍ଦ ସାଗରଙ୍କ ଡ୍ରିମ୍‌ ପ୍ରୋଜେକ୍ଟକୁ ଅର୍ଥ ଯୋଗାଇବାକୁ ତାଙ୍କର ଧନୀ ବନ୍ଧୁମାନେ ମନା କରି ଦେଇଥିଲେ। କିନ୍ତୁ ରାମାନନ୍ଦ ସାଗରଙ୍କ ଭାଗ୍ୟରେ ହିଁ ବୋଧେ ରାମାୟଣ ଧାରାବାହିକ ନିର୍ମାଣ କରିବା କଥା ଲେଖା ଥିଲା। ରାମାୟଣ ପ୍ରୋଜେକ୍ଟ ପୂର୍ବରୁ ରାମାନନ୍ଦ ସାଗର ଦୂରଦର୍ଶନ ପାଇଁ ‘ବିକ୍ରମ ଔର ବେତାଲ’ ଧାରାବାହିକ ନିର୍ମାଣ କରିଥିଲେ। ଏହା ମଧ୍ୟ ବେଶ୍‌ ସଫଳ ହୋଇଥିଲା। ଶିଶୁମାନଙ୍କୁ ଦୃଷ୍ଟିରେ ରଖି ସେ ଏହି ଧାରାବାହିକକୁ ନିର୍ମାଣ କରିଥିଲେ ମଧ୍ୟ ସବୁ ବର୍ଗର ଦର୍ଶକଙ୍କୁ ଏହା ପସନ୍ଦ ଆସିଥିଲା। ତେବେ, ‘ବିକ୍ରମ ଔର ବେତାଲ୍‌’ର ସଫଳତା ପରେ ହିଁ ରାମାୟଣ ଧାରାବାହିକ ପାଇଁ ଅର୍ଥ ଯୋଗାଡ଼ ସମ୍ଭବ ହୋଇପାରିଲା।

ବାପାଙ୍କ ଜୀବନୀ ପୁସ୍ତକରେ ପୁଅ ପ୍ରେମ ସାଗର ଲେଖିଛନ୍ତି ଯେ ‘ବିକ୍ରମ ଔର ବେତାଲ୍‌’ ଧାରାବାହିକର ସଫଳତା ପରେ ରାମାୟଣ ପାଇଁ ପ୍ରାୟୋଜକ ମିଳିଲେ। ସେତେବେଳେ ରାମାୟଣର ପ୍ରତି ଏପିସୋଡ୍‌ ପିଛା ଖର୍ଚ୍ଚ ହେଉଥିଲା ୯ ଲକ୍ଷ ଟଙ୍କା, ଯାହା କି ଆଜିର ସମୟରେ ପ୍ରାୟ ୯୯ ଲକ୍ଷ ହେବ। ରାମାୟଣ ଧାରାବାହିକର ପ୍ରସାରଣକୁ ତତ୍କାଳୀନ କ˚ଗ୍ରେସ ସରକାରର କିଛି ନେତା ଓ ମନ୍ତ୍ରୀ ବିରୋଧ କରିଥିଲେ। ଦୂରଦର୍ଶନ ଭଳି ଏକ ସରକାରୀ ଗଣମାଧ୍ୟମରେ ଏକ ହିନ୍ଦୁ ପୌରାଣିକ ଧାରାବାହିକ ପ୍ରସାରଣ ଗ୍ରହଣୀୟ ନୁହେଁ ବୋଲି ସେମାନେ ମତ ଦେଇଥିଲେ। ଖୋଦ୍‌ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭି.ଏନ ଗାଡଗିଲ୍‌ ମଧ୍ୟ ରାମାୟଣର ପ୍ରସାରଣ ନେଇ କୁଣ୍ଠା ପ୍ରକାଶ କରିଥିଲେ। ଏହା ଦ୍ବାରା ଦୂରଦର୍ଶନର ଧର୍ମ ନିରପେକ୍ଷତା ନୀତିରେ ଆଞ୍ଚ ଆସିବ ବୋଲି ମତପ୍ରକାଶ ପାଇଥିଲା। ହେଲେ ସେତେବେଳର ରାଜନୈତିକ ପରିସ୍ଥିତି ଓ ବିଶେଷ କରି ଶାହ ବାନୋ ମାମଲା ପରେ ହିନ୍ଦୁ ଭୋଟ୍‌ ବ୍ୟାଙ୍କ୍‌ ହରାଇବା ଆଶଙ୍କାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନେତୃୃତ୍ବାଧୀନ ସରକାର ରାମାୟଣ ଧାରାବାହିକ ପ୍ରସାରଣକୁ ମତ ଭେଦ ସତ୍ତ୍ବେ ଅନୁମତି ଦେଇଥିଲେ। ତା ପରେ ଏହା ଭାରତୀୟ ଟେଲିଭିଜନ ଇତିହାସରେ ଏକାଧିକ ନୂଆ ରେକର୍ଡ ସୃଷ୍ଟି କରିଥିଲା। ଏକ ପରିସଂଖ୍ୟାନ କହେ ଯେ ଧାରାବାହିକର ପ୍ରଥମ ପ୍ରସାରଣକୁ ଦେଖିଥିଲେ ୪୦ ନିୟୁତ ଦର୍ଶକ। ପ୍ରାୟ ୮୨ ପ୍ରତିଶତ ଦର୍ଶକ ଏହି ଧାରାବାହିକକୁ ଉପଭୋଗ କରିଥିଲେ। ବିଶ୍ବରେ ୫୦ରୁ ଅଧିକ ଦେଶରେ ରାମାୟଣ ପ୍ରସାରିତ ହୋଇଛି। ରାମାୟଣର ୭୮ଟି ଏପିସୋଡରୁ ଦୂରଦର୍ଶନ ୨୩ କୋଟି ଟଙ୍କାର ରାଜସ୍ବ ଲାଭ କରିଥିଲା। କେବଳ ହିନ୍ଦୁ ନୁହନ୍ତି, ଅନ୍ୟ ଧର୍ମର ଲୋକେ ବି ବେଶ୍‌ ଆଗ୍ରହର ସହ ଏହାକୁ ଦେଖୁଥିଲେ। ଅଶୀ ଦଶକର ଦର୍ଶକଙ୍କୁ ସୁହାଇବା ପାଇଁ ରାମାନନ୍ଦ ସାଗର ମୂଳ ବାଲ୍ମୀକି ରାମାୟଣରେ କିଛି ପରିବର୍ତ୍ତନ ଆଣିଥିଲେ। ରାମାନନ୍ଦ ସାଗର ପରବର୍ତ୍ତୀ ସମୟରେ କୃଷ୍ଣ, ଆଲିଫ ଲୈଲା ଭଳି ଅନ୍ୟ କିଛି ଲୋକପ୍ରିୟ ଧାରାବାହିକ ନିର୍ମାଣ କରିଥିଲେ ମଧ୍ୟ ସବୁଦିନ ପାଇଁ ସେ ରାମାୟଣର ସ୍ରଷ୍ଟା ଭାବେ ମନେ ରହିବେ।
ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର-୮
ମୋ- ୯୭୦୩୬୯୦୮୪୭

ସମ୍ବନ୍ଧିତ ଖବର