ପିତା କିଏ?

ଜିଏସ୍‌ଟି ଯଦି ଏକ ଟିକସ ନହୋଇ ରୋହିତ ଶେଖର ଶର୍ମା କିମ୍ବା ସଞ୍ଜିତା ଢାଲିଙ୍କ ପରି ଜଣେ ବ୍ୟକ୍ତି ହୋଇଥାନ୍ତା, ତେବେ ଗତ ସପ୍ତାହ ଆରମ୍ଭରେ ଗୁଜରାଟର ଗାନ୍ଧୀନଗରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଶୁଣିବା ପରେ ନିଜର ପିତାଙ୍କ ପରିଚୟ ଜାଣିବା ଉଦ୍ଦେଶ୍ୟରେ ଡିଏନ୍‌ଏ ପରୀକ୍ଷା କରାଯିବା ପାଇଁ ଦାବି କରନ୍ତା। ନିଜର ଭାଷଣ ମଝିରେ ହଠାତ୍‌ ହିନ୍ଦୀରୁ ଗୁଜରାଟୀକୁ ଭାଷା ବଦଳାଇ ନରେନ୍ଦ୍ର ଭାଇ ସଫେଇ ଦେଇଥିଲେ ଯେ ଜିଏସ୍‌ଟି କେବଳ ତାଙ୍କର ସନ୍ତାନ ନୁହେଁ, ଏହାର ଜନ୍ମରେ କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳ ତଥା ସମସ୍ତ ରାଜ୍ୟମାନଙ୍କର ଅବଦାନ ରହିଛି। ସେ ଗୁଜରାଟୀରେ ଏକଥା କହିବାର କାରଣ ହେଲା ଏହା ଗୁଜରାଟର ଛୋଟ ବଡ଼ ବ୍ୟବସାୟୀମାନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା, ଯେଉଁମାନେ ଜିଏସ୍‌ଟି ଦ୍ୱାରା ଆକ୍ରାନ୍ତ ହୋଇ ମୋଦୀ ଓ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି ପ୍ରତି ବିମୁଖ ହୋଇ ପଡ଼ିଲେଣି। ମୋଦୀ ବୋଧହୁଏ ଆଶା କରୁଛନ୍ତି ମାତୃଭାଷା ସେମାନଙ୍କ ଘା ପାଇଁ ମଲମ ଭଳି କାମ କରିବ।

ଏହା ଜଣାଶୁଣା ଯେ ବ୍ୟବସାୟୀ ଗୋଷ୍ଠୀମାନେ ହେଉଛନ୍ତି ଭାଜପାର ମୂଳ ସମର୍ଥକ। ଆରମ୍ଭରୁ ସେମାନଙ୍କ କାନ୍ଧରେ ଚଢ଼ି ଭାଜପା ଓ ମୋଦୀ ଆଜିର ରାଜନୈତିକ ସଫଳତା ହାସଲ କରିଛନ୍ତି। କିନ୍ତୁ ଲାଗ ଲାଗ ବିମୁଦ୍ରୀକରଣ ଓ ଜିଏସ୍‌ଟି ଭଳି ଦୁଇଟି ଅସ୍ଥିରତା ସୃଷ୍ଟିକାରୀ ଅର୍ଥନୈତିକ ପ୍ରହାର ସେମାନଙ୍କୁ ଏପରି ଘାଇଲା କରି ସାରିଲାଣି ଯେ ସେମାନେ ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ କିମ୍ବା ଲୋକସଭା ନିର୍ବାଚନରେ ଯଦି ଭାଜପା ବିରୋଧରେ ଏକଜୁଟ ହୁଅନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତେଣୁ ନରେନ୍ଦ୍ର ମୋଦୀ ଛାନିଆ ହୋଇ ଗୁଜରାଟୀ କହି ଜିଏସ୍‌ଟି ପାଇଁ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଚେଷ୍ଟା କରିଛନ୍ତି।

ବିମୁଦ୍ରୀକରଣ ଏକ ଅବାଞ୍ଛିତ, ଦିଗଭ୍ରଷ୍ଟ ପଦକ୍ଷେପ ଥିଲା ବୋଲି ଏହି ସମ୍ବାଦପତ୍ର ଆରମ୍ଭରୁ ମତପ୍ରକାଶ କରି ଆସିଛି, ଯାହା ବର୍ତ୍ତମାନ ପ୍ରମାଣିତ ହେବାରେ ଲାଗିଛି। ଏହା କେବଳ ଏକ ଭ୍ରମାତ୍ମକ ନୀତି ଥିଲା, ତାହା ନୁହେଁ, ଏହାକୁ ଏପରି ଅଦକ୍ଷ ଏବଂ ଦୂରଦୃଷ୍ଟିହୀନ ଭାବରେ କାର୍ଯ୍ୟକାରୀ କରାଯାଇଥିଲା ଯାହା ସାଧାରଣ ନାଗରିକମାନଙ୍କର ଦୈନନ୍ଦିନ ଜୀବନଯାତ୍ରାକୁ ଦୁର୍ବିଷହ କରି ତୋଳିଥିଲା। ଯେଉଁ ଅମଲା ଓ ବାବୁମାନଙ୍କ ପରାମର୍ଶ ଓ ସହଯୋଗ ଦ୍ୱାରା ମୋଦୀ ତାଙ୍କର ଏହି ତଥାକଥିତ କଳାଧନ ବିଲୋପ ଅଭିଯାନ ଆରମ୍ଭ କରିଥିଲେ ସେମାନଙ୍କ ଅପାରଗତା ଏହାର ବିଫଳତା ପାଇଁ ଅନେକାଂଶରେ ଦାୟୀ।

ବିମୁଦ୍ରୀକରଣ ତୁଳନାରେ ଜିଏସ୍‌ଟି କିନ୍ତୁ ଏକ ସମ୍ପୂର୍ଣ୍ଣ ଅଭିନନ୍ଦନୀୟ ଲକ୍ଷ୍ୟ ରୂପେ ସର୍ବଜନସ୍ୱୀକୃତ। କିନ୍ତୁ ଲକ୍ଷ୍ୟ ମହତ ହେଲେ ଯେ ତାହା ଆପେ ଆପେ ହାସଲ ହୋଇଯିବ ତାହା ନୁହେଁ। ଏପରି ବି ହୋଇପାରେ ଏକ ମହତ ଲକ୍ଷ୍ୟ ଦିଗରେ ଅଗ୍ରସର ହେବା ସମୟରେ ଜଣେ ବାଟ ହୁଡ଼ି ଭୁଲ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନିଜର କ୍ଷତି ସାଧନ କରିପାରେ। ଯେଉଁ ପରାମର୍ଶଦାତା ଏବଂ ସହାୟକମାନେ ବିମୁଦ୍ରୀକରଣ କାର୍ଯ୍ୟକାରୀ କରିବାରେ ଘୋର ଅପାରଗତା ପ୍ରଦର୍ଶନ କରିଥିଲେ, ସେଇମାନେ ମଧ୍ୟ ଜିଏସ୍‌ଟି ଭଳି ଏକ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ଅନୁରୂପ ଅବିମୃଶ୍ୟକାରିତା ପ୍ରଦର୍ଶନ କରି ଦେଶର ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଏକ ମନୁଷ୍ୟକୃତ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ଏହାକୁ ସ୍ୱୀକାର କଲା ଭଳି କେନ୍ଦ୍ର ସରକାରଙ୍କର ରାଜସ୍ୱ ସଚିବ ହସମୁଖ ଆଢ଼ିଆ (ବିମୁଦ୍ରୀକରଣ ବେଳର ଶକ୍ତିକାନ୍ତ ଦାସଙ୍କୁ ଆଉ ଦେଖିବାକୁ ମିଳୁନାହିଁ) ବର୍ତ୍ତମାନ ଘୋଷଣା କରିଛନ୍ତି ଯେ ଦେଶରେ କାର୍ଯ୍ୟକାରୀ ହୋଇଥିବା ଜିଏସ୍‌ଟିର ଆମୂଳଚୂଳ ପରିବର୍ତ୍ତନ ଲୋଡ଼ା। ଛୋଟ ବ୍ୟବସାୟୀଙ୍କ ପାଇଁ ଟିକସ ପୈଠ ବୋଝକୁ ହାଲୁକା କରିବାରୁ ଆରମ୍ଭ କରି ବିଭିନ୍ନ ଟିକସ ହାର ଲାଗୁ ହେବା ପାଇଁ ଦ୍ରବ୍ୟମାନଙ୍କର ଶ୍ରେଣୀ ବିଭାଜନର ଜଟିଳତା ହ୍ରାସ ପର୍ଯ୍ୟନ୍ତ ଏହି ପ୍ରସ୍ତାବିତ ପୁନର୍ଗଠନର ଅଂଶ।

ଏବେ ମୋଦୀଙ୍କୁ ବର୍ତ୍ତମାନ ଛାନିଆଁ କରିଥିବା ଜିଏସ୍‌ଟି କିଭଳି ଲକ୍ଷ୍ୟଚ୍ୟୁତ ହୋଇଛି, ତା’ଉପରେ ଏକ ସଂକ୍ଷିପ୍ତ ଦୃଷ୍ଟି ପକାଇବା ସମୀଚୀନ ହେବ। ଜିଏସ୍‌ଟିର ପ୍ରଥମ ଓ ଅନ୍ୟତମ ପ୍ରଧାନ ଲକ୍ଷ୍ୟ ହେଉଛି ଏହା କାର୍ଯ୍ୟକାରୀ ହେଲେ ସରକାରଙ୍କର ରାଜସ୍ୱରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ। ନୂଆ ନୂଆ ଦ୍ରବ୍ୟ, ସେବା ଏବଂ ସେ ସବୁର ନିର୍ମାତା ଓ ଯୋଗାଣକାରୀ ମାନେ ଟିକସ ଜାଲ ଭିତରେ ପ୍ରବେଶ କରିବା ଦ୍ୱାରା ଏହି ଫଳ ଫଳିବ। ଦ୍ୱିତୀୟରେ ଜିଏସ୍‌ଟି କାର୍ଯ୍ୟକାରୀ ହେଲେ ଉତ୍ପାଦନ ଖର୍ଚ୍ଚରେ ଆଖିଦୃଶିଆ ହ୍ରାସ ଘଟିବା ସଙ୍ଗେ ସଙ୍ଗେ ଉତ୍ପାଦନ ଦକ୍ଷତାରେ ବୃଦ୍ଧି ଘଟିବ। ଏଥିଯୋଗୁଁ ଭାରତୀୟ ଉତ୍ପାଦନକାରୀ ମାନେ ଅପେକ୍ଷାକୃତ ଶସ୍ତାରେ ନିଜର ଉପାର୍ଜିତ ଦ୍ରବ୍ୟ ଓ ସେବା ବିକ୍ରୟ କରି ବଜାରରେ ଅଧିକ ପ୍ରତିଯୋଗିତାକ୍ଷମ ହୋଇ ପାରିବେ। ତୃତୀୟରେ ଜିଏସ୍‌ଟି ଅଧୀନରେ ଟିକସ ପୈଠ କରିବା ଏପରି ସହଜ ଓ ସରଳ ହୋଇଯିବ ଯେ ଛୋଟ ଛୋଟ ବ୍ୟବସାୟ ଓ କମ୍ପାନିମାନେ ଆପଣାଛାଏଁ ଟିକସ ଦେବା ପାଇଁ ଆଗ୍ରହ ପ୍ରକାଶ କରି ଟିକସ ଜାଲ ଭିତରକୁ ଡେଇଁପଡ଼ିବେ। ଏହା ଦ୍ୱାରା ସେମାନେ ସମାନ୍ତରାଳ ଅର୍ଥନୀତିର ଅନ୍ଧାର ଗଳିରୁ ବାହାରି ବିଧିବଦ୍ଧ ଅର୍ଥନୀତିରେ ସାମିଲ ହୋଇ ନିଜର ଉତ୍ତରୋତ୍ତର ଅଭିବୃଦ୍ଧି ସାଧନ କରିବେ। ଶେଷରେ, ଜିଏସ୍‌ଟି ଭାରତର ସମସ୍ତ ରାଜ୍ୟମାନଙ୍କୁ ଏକାଠି କରି ଗୋଟିଏ ପ୍ରକୃତ ଏକକ ବଜାରରେ ପରିଣତ କରିବ।

ବର୍ତ୍ତମାନ ଯାହା ଦେଖାଯାଉଛି କେବଳ ଚତୁର୍ଥ ଲକ୍ଷ୍ୟଟି ହାସଲ ଦିଗରେ ଦେଶ ଅଗ୍ରସର ହେଉଥିବା ବେଳେ ଅନ୍ୟ ତିନିଗୋଟି ଲକ୍ଷ୍ୟ ମରୀଚିକାରେ ପରିଣତ ହେବାର ଆଶଙ୍କା ଦେଖାଦେଲାଣି। ପୃଥିବୀର ଯେଉଁ ସବୁ ଦେଶମାନଙ୍କରେ ଜିଏସ୍‌ଟି ସଫଳ ଭାବରେ ଲାଗୁ ହୋଇଛି ସେଠାରେ ଗୋଟିଏ ଅପେକ୍ଷାକୃତ ନୀଚା ଟିକସ ହାର କାର୍ଯ୍ୟ କରିଥାଏ; ଭାରତ ଭଳି ଆଠ ପ୍ରକାର ହାର ନୁହେଁ ଯାହା ସର୍ବୋଚ୍ଚ ସ୍ତରରେ ୪୩% ହୋଇଥାଏ! ଏପରି ଏକ ଜଟିଳ ଟିକସ ବ୍ୟବସ୍ଥାରୁ କେତେ ପରିମାଣର ରାଜସ୍ୱ ସଂଗୃହୀତ ହେବ ତାହାର ପୂର୍ବାନୁମାନ କରିବା ସହଜ ନୁହେଁ। ତେଣୁ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଆଶା କରାଯାଉଥିବା ଅପେକ୍ଷା କମ୍‌ ପରିମାଣର ରାଜସ୍ୱ ଆଦାୟ ହେବା ଦେଖାଯାଉଛି। ଛୋଟ ଛୋଟ ବ୍ୟବସାୟ ମାନଙ୍କ ପାଇଁ ଜିଏସ୍‌ଟି ହିସାବ ଓ ପୈଠ ପ୍ରଣାଳୀ ଏପରି ଅବୋଧ୍ୟ ହୋଇଛି ଯେ ସେମାନେ ଏଥିପାଇଁ ଟିକସ ବିଶେଷଜ୍ଞ ନିଯୁକ୍ତ କରିବାକୁ ବାଧ୍ୟ ହେଉଛନ୍ତି।

ଏଥିରେ ସେମାନଙ୍କର ଯେଉଁ ସମ୍ବଳ, ଶକ୍ତି ଓ ସମୟ ନିୟୋଜିତ ହେଉଛି ତାହା ଅନ୍ୟ କୌଣସି ଉତ୍ପାଦନଶୀଳ କାର୍ଯ୍ୟରେ ବିନିଯୁକ୍ତ ହୋଇ ପାରନ୍ତା। ଅନେକ ଛୋଟ ଛୋଟ ବ୍ୟବସାୟ ଏହାର ଚାପରେ ପଡ଼ି ବନ୍ଦ ହୋଇଯିବା ଦେଖାଦେଲାଣି। ଯେହେତୁ ଜିଏସ୍‌ଟି ଅଧୀନରେ ପାଇକାରୀ ବ୍ୟବସାୟୀଙ୍କ ଠାରୁ ମାଲ ଆଣିବାକୁ ହେଲେ ଛୋଟ ବ୍ୟବସାୟୀ ମାନଙ୍କୁ ଜିଏସ୍‌ଟି ବ୍ୟବସ୍ଥାର ଅନ୍ତର୍ଗତ ହେବା ବାଧ୍ୟତାମୂଳକ ତେଣୁ ଯେଉଁ କ୍ଷୁଦ୍ର ବ୍ୟବସାୟୀମାନେ ନିଜର ବ୍ୟବସାୟ ଚାଲୁ ରଖିବାକୁ ଚାହୁଁଛନ୍ତି, ସେମାନେ ବାଧ୍ୟ ହୋଇ ଏଥିରେ ସାମିଲ ହେଉଛନ୍ତି। କିନ୍ତୁ ଦେଖାଯାଉଛି ଯେ ଇନ୍‌ପୁଟ୍‌ କ୍ରେଡିଟ୍‌ ମିଳିବାରେ ଅହେତୁକ ବିଳମ୍ବ ହେଉଥିବାରୁ ସେମାନଙ୍କ ସମ୍ବଳ ନିଷ୍ଫଳ ଭାବରେ ସରକାରଙ୍କ ପାଖରେ ଅଟକି ରହୁଛି। ଯଦି ହସମୁଖ ଆଢ଼ିଆ ସୂଚାଇଥିବା ପୁନର୍ଗଠନ ଦ୍ୱାରା ଏ ସମସ୍ତ ଦୁର୍ବଳତା ଦୂର ହୋଇ ପାରିବ, ତେବେ ଜିଏସ୍‌ଟିକୁ ସମସ୍ତେ ସ୍ୱାଗତ କରିବେ। ନଚେତ୍‌ ପିତୃତ୍ୱ ଅସ୍ୱୀକାର କଲେ ମଧ୍ୟ ଜିଏସ୍‌ଟି ମୋଦୀଙ୍କ ପାଇଁ ଏକ ଦୁଃସ୍ୱପ୍ନରେ ପରିଣତ ହୋଇପାରେ।

ସମ୍ବନ୍ଧିତ ଖବର