ଭୁବନେଶ୍ୱର:ଲୋକପ୍ରିୟ ନାୟିକା ଝିଲିକ୍ ୨୦୧୩ରେ ମୁକ୍ତିଲାଭ କରିଥିବା ନିରଞ୍ଜନ ରଣାଙ୍କ ଓଡ଼ିଆ ଛବି ‘ଟାର୍ଗେଟ୍’ରୁ ଓଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହାର ନିର୍ଦ୍ଦେଶକ ଥିଲେ ଏସ୍.କେ.ମୁରଲୀଧରନ୍ । ଏହାପରେ ତାଙ୍କୁ ଓଲିଉଡରେ ଭଲ ଭଲ ଅଫର୍ ମିଳିବା କାରଣରୁ ସେ ବଙ୍ଗୀୟା ହୋଇ ମଧ୍ୟ ଓଡ଼ିଶାରେ ରହି ଯାଇଛନ୍ତି ।ଏହାପରେ ଝିଲିକ୍ ଇତିମଧ୍ୟରେ ‘ଆଖିରେ ଆଖିରେ’, ‘ଲେଖୁ ଲେଖୁ ଲେଖି ଦେଲି’, ‘ସୁପର ମିଛୁଆ’, ‘ଲଭ୍ ୟୁ ହମେଶା’, ‘ଜବରଦସ୍ତ ପ୍ରେମିକ’,‘ଜଗା ହାତରେ ପଘା’,‘ଅଗସ୍ତ୍ୟ’, ‘ବେବି’, ‘ତୁମକୁ ଦେଖିଲା ପରେ’ ଏବଂ ‘ ତୁ ମୋ’ ହିରୋ’ ଆଦି ଓଡ଼ିଆ ଛବିରେ ଅଭିନୟ କରିଛନ୍ତି।
ହେଲେ ଆପଣ ଜାଣନ୍ତି କି ଝିଲିକ୍ଙ୍କର ଏଯାବତ୍ ଯେଉଁସବୁ ଫିଲ୍ମ ରିଲିଜ୍ ହୋଇଛନ୍ତି, ସେଥିମଧ୍ୟରୁ ଅଧିକାଂଶଙ୍କ ସହ ଥରଟିଏ କାମ କରିଛନ୍ତି । କେବଳ ଜଣେ ନିର୍ଦ୍ଦେଶକଙ୍କ ସହ ତିନିଟି ସିନେମାରେ କାମ କରିଛନ୍ତି। ଏହି ନିର୍ଦ୍ଦେଶକଜଣକ ହେଲେ କେ ମୁରଳୀକ୍ରିଷ୍ଣା। ତାଙ୍କ ନିର୍ଦ୍ଦେଶନାରେ ଝିଲିକ ଯେଉଁ ତିନିଟି ଛବିରେ କାମ କରିଛନ୍ତି ସେଗୁଡିକ ହେଲା ,‘ଜଗା ହାତରେ ପଘା’,‘ଅଗସ୍ତ୍ୟ’ ଏବଂ ‘ବେବି’ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏହିସବୁ ସିନେମାରେ ଝିଲିକଙ୍କ ନାୟକ ଥିଲେ ଅନୁଭବ।
ଏଠାରେ ସୂଚନାଯୋଗ୍ୟ ଯେ ନିଜର ଡେବ୍ୟୁ ଫିଲ୍ମର ନିର୍ଦ୍ଦେଶକ ଏସ୍.କେ.ମୁରଲୀଧରନ୍ଙ୍କ ସହ ଝିଲିକ ଦ୍ୱିତୀୟ ଥର କାମ କରିନାହାନ୍ତି । ଠିକ୍ ସେହିପରି ଓଲିଉଡର ପ୍ରତିଭାବାନ୍ ନିର୍ଦ୍ଦେଶକ ଅଶୋକ ପତିଙ୍କ କେବଳ ଗୋଟିଏ ସିନେମା ‘ସୁପର ମିଛୁଆ’ରେ କାମ କରିଥିଲେ । ଅତ୍ୟତମ ଖ୍ୟାତନାମା ନିର୍ଦ୍ଦେଶକ ହିମାଂଶୁ ପରିଜାଙ୍କର କେବଳ ଗୋଟିଏ ସିନେମା ‘ଲଭ୍ ୟୁ ହମେଶା’ ରେ ନାୟିକା ବନିଥିଲେ ଝିଲିକ୍ ।
ଠିକ୍ ସେହିପରି ଡେବ୍ୟୁଟାଣ୍ଟ ଡିରେକ୍ଟର୍ ରାଜୁ ସରଭେୟାଙ୍କ ‘ଜବରଦସ୍ତ ପ୍ରେମିକ’, ଚନ୍ଦନ ମହାପାତ୍ରଙ୍କ ‘ତୁମକୁ ଦେଖିଲା ପରେ’ ରେ ନାୟିକା ଭୂମିକାରେ ଦେଖିବାକୁ ମିଳିଛନ୍ତି । ସଂଯୋଗ ବଶତଃ ଏହି ନିର୍ଦ୍ଦେଶକମାନେ ଦ୍ୱିତୀୟ ଓଡ଼ିଆ ସିନେମା ତିଆରି କରିନାହାନ୍ତି । ତେବେ ଜଣାଶୁଣା ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ସହ ସିନେମା ‘ ତୁ ମୋ’ ହିରୋ’ରେ ପ୍ରଥମ ଥର ପାଇଁ କାମ କରିଛନ୍ତି ଝିଲିକ୍ ।