ଓଡ଼ିଆରେ ବାହୁବଳୀ : ଶାରଦୀୟ ସିନେ ଉତ୍ସବ ଅବସରରେ ଓଡ଼ିଶାର ଦର୍ଶକମାନଙ୍କୁ ଓଡ଼ିଆ ଭାଷାରେ ଭେଟି ଦେବାକୁ ଯାଉଛି ବହୁ ଚର୍ଚ୍ଚିତ ସୁପରହିଟ୍ ଚଳଚିତ୍ର ‘ବାହୁବଳୀ’

ଭୁବନେଶ୍ବର : ମାହିସ୍ମତି ରାଜଉଆସରୁ ଶୁଭିବ ଓଡ଼ିଆ କଣ୍ଠସ୍ୱର। ପ୍ରଜାଙ୍କ ରକ୍ଷା ପାଇଁ କଟପ୍ପାଙ୍କୁ ଓଡ଼ିଆରେ ଆଦେଶ ଦେବେ ଶିବ୍‌ଗାମୀ ଦେବୀ। ବାହୁବଳୀ, ଭଲ୍ଲାଳଦେବ୍, ଦେବ୍‌ସେନାଙ୍କ ବଳିଷ୍ଠ ସଂଳାପକୁ ଓଡ଼ିଆରେ ଉପଭୋଗ କରିବାର ସୁଯୋଗ ମିଳିବ। ଅମରେନ୍ଦ୍ର ବାହୁବଳୀ ଓ ଅବନ୍ତିକାଙ୍କ ପ୍ରେମ କାହାଣୀ ଠାରୁ ନେଇ ରାକ୍ଷସ ରାଜା କାଳକେୟର ସଂହାରର କଥାବସ୍ତୁକୁ ଓଡ଼ିଆରେ ଦେଖିବାର ସୁଯୋଗ ପାଇବେ ଦର୍ଶକ। ଓଡ଼ିଶାର ଲୋକପ୍ରିୟ ଚ୍ୟାନେଲ୍ ‘ଜୀ ସାର୍ଥକ’ ଏଇ ଶାରଦୀୟ ସିନେ ଉତ୍ସବ ଅବସରରେ ଓଡ଼ିଶାର ଦର୍ଶକମାନଙ୍କୁ ଓଡ଼ିଆ ଭାଷାରେ ଭେଟି ଦେବାକୁ ଯାଉଛି ବହୁ ଚର୍ଚ୍ଚିତ ସୁପରହିଟ୍ ଚଳଚିତ୍ର ‘ବାହୁବଳୀ’। ଆଗରୁ ତେଲୁଗୁ, ତାମିଲ୍, ହିନ୍ଦୀ ଓ ମାଲାୟଲମ୍ ଭାଷାରେ ମୁକ୍ତିଲାଭ କରି ସାରିଥିବା ବେଳେ ଏଇ ରବିବାର ସନ୍ଧ୍ୟାରେ ଏହା ପ୍ରଥମ ଥର ପାଇଁ ଓଡ଼ିଆରେ ଦର୍ଶକମାନଙ୍କ ପାଖରେ ପହଞ୍ଚିବ। ସୋସିଆଲ୍ ମିଡିଆରେ ଓଡ଼ିଆ ବାହୁବଳୀର ପ୍ରୋମୋ ଆସିବା ପରେ ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହେଇଯାଇଥିବା ବେଳେ ବହୁ ସଂଖ୍ୟାରେ ଲାଇକ୍‌, କମେଣ୍ଟ୍‌ ଓ ସେୟାର ମିଳିସାରିଛି। ଦକ୍ଷିଣୀ ସୁପର୍‌ଷ୍ଟାର ପ୍ରଭାସ, ରାଣା ଡଗୁବତି, ଅନୁଷ୍କା ସେଟ୍ଟି, ତମନ୍ନା ଭାଟିଆଙ୍କ ସଂଳାପକୁ ଓଡ଼ିଆରେ ଉପଭୋଗ କରିବା ପାଇଁ ଏବେଠୁ ଉତ୍କଣ୍ଠା ଦେଖିବାକୁ ମିଳିଲାଣି। ଓଡ଼ିଆ ଭାଷାରେ ‘ଜୀ ସାର୍ଥକ’ ବାହୁବଳୀ ନେଇ ଆସୁଥିବାରୁ ସିନେପ୍ରେମୀମାନେ ଚ୍ୟାନେଲ୍‌ର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଓଡ଼ିଆରେ ପ୍ରସ୍ତୁତ ଏହି ସିନେମାଟି ଦର୍ଶକଙ୍କ ଦ୍ୱାରା ନିଶ୍ଚୟ ଆଦୃତ ହେବ ଏବଂ ‘ଜୀ ସାର୍ଥକ’ର ମନୋରଂଜନର ଧାରାକୁ ତ୍ୱରାନ୍ୱିତ କରିବ ବୋଲି ଚ୍ୟାନେଲ୍ କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର