ଭୁବନେଶ୍ୱର : ୨୦୧୮ ସରିବାକୁ ଯାଉଛି। ଏବେ ହିସାବ ନିକାଶର ବେଳ। ଏ ବର୍ଷ ମୋଟ୍ ୩୦ଟି ନୂଆ ଓଡ଼ିଆ ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଜଣାଯାଇଛିି। ଏ ବର୍ଷର ପ୍ରଥମ ସିନେମା ହେଲା ‘ଓନ୍ଲି ପ୍ୟାର୍’। ତା’ପରେ ପରଦାକୁ ଆସିଥିଲା ତରଙ୍ଗ ସିନେ ପ୍ରଡକ୍ସନ୍ର ‘ହାପି ଲକି’।ଏ ଦୁଇଟି ସିନେମା ଜାନୁଆରିରେ ପରଦାକୁ ଆସିଥିଲା।
ଫେବୃଆରି ମାସରେ ମୁକ୍ତିଲାଭ କରିଥିଲା କେବଳ ଗୋଟିଏ ସିନେମା ‘ଗୁଡୁ ଆଣ୍ଡ ଗୁଡି’। ମାର୍ଚ୍ଚ ମାସରେ ଚାରିଟି ସିନେମା‘ମନର ମାନସୀ’,‘ଦୀପୁ ଦ ଡ୍ୟାନ୍ସ ବୟ’,‘ହତ୍ୟା’ ଓ ‘ଅଜାତଶତ୍ରୁ’ରିଲିଜ୍ ହୋଇଥିଲା। ଏଗୁଡିକ ନୂଆ କଳାକାରଙ୍କ ସିନେମା ଥିଲା।
୨୦୧୮ ଏପ୍ରିଲ ମାସରେ ଚାରିଟି ଦମ୍ଦାର ଓଡିଆ ସିନେମା ମୁକ୍ତିଲାଭ କରିଥିଲା। ଏଗୁଡ଼ିକ ହେଲା ସିଦ୍ଧାନ୍ତ, ମୁନ୍ନା ଓ ରୀୟାଙ୍କ ଅଭିନୀତ ‘ଦିଓ୍ଵାନା ହେଲି ତୋ’ ପାଇଁ’,ସିଦ୍ଧାନ୍ତ,ଜ୍ୟୋତି ଓ ଝିଲିକ୍ଙ୍କ ଅଭିନୀତ ‘ଓଲେ ଓଲେ ଦିଲ୍ ବୋଲେ’,ଶ୍ରୀଧର ମାର୍ଥାଙ୍କ ‘ଯୋଗୀ’ଓ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶକ୍ତି’।ମଇ ମାସରେ କେବଳ ଗୋଟିଏ ସିନେମା ‘ଲଭ ପ୍ରମିଜ୍’ରିଲିଜ୍ ହୋଇଥିଲା। ଜୁନ୍ ମାସରେ ଦୁଇଟି ବିଗ୍ ବଜେଟ୍ ଓ ବଡ ଷ୍ଟାରକାଷ୍ଟର ସିନେମା ମୁକ୍ତିଲାଭ କରିଥିଲା। ଏ ଦୁଇଟି ଓଡ଼ିଆ ସିନେମା ରଜ ଅବସରରେ ରିଲିଜ୍ ହୋଇଥିଲା। ଏ ଦୁଇ ସିନେମା ହେଲା ବାବୁସାନ୍ଙ୍କ ଅଭିନୀତ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଏବଂ ସବ୍ୟସାଚୀ-ଏଲିନା ଷ୍ଟାରର୍ ‘ଫୋର୍ ଇଡିଅଟ୍ସ’।
ଜୁଲାଇ ମାସରେ ସବ୍ୟସାଚୀ-ଏଲିନାଙ୍କ ଅଭିନୀତ ‘ଟୋକାଟା ଫସିଗଲା’ଓ ରୋନକ ଦାଶ-ମେଘା ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ଏକ୍ସ କ୍ୟୁଜ୍ ମି’ମୁକ୍ତିଲାଭ କରିଥିଲା। ଅଗଷ୍ଟରେ ଆସିଥିଲା ‘ଲୋକାଲ୍ ଟୋକା ଲଭ୍ ଚୋଖା’, ବ୍ଲାକମେଲ୍ ଏବଂ ପ୍ରେମୀ ଦିଓ୍ଵାନା । ସେପ୍ଟେମ୍ବରରେ ପରଦାକୁ ଆସିଥିଲା ‘ଇଶ୍କ ପୁଣି ଥରେ’ ଏବଂ ‘ ଭାଇଜାନ୍’। ଠିକ୍ ସେହିପରି ଅକ୍ଟୋବରରେ ରିଲିଜ୍ ହୋଇଥିଲା ତିନିଟି ଓଡ଼ିଆ ସିନେମା ମା’, ଶ୍ରୀମାନ୍ ସୁରଦାସ ଏବଂ ପ୍ରେମ କୁମାର ।
ନଭେମ୍ବର ମାସରେ ଦୁଇଟି ଓଡ଼ିଆ ସିନେମା ଏକା ତାରିଖ (୨୩ )ରେ ରିଲିଜ୍ ହୋଇଥିଲା। ଏଥିଭିତରୁ ପ୍ରଥମଟି ହେଲା ‘ଲଭ୍ ଅଲଗା ପ୍ରକାର’ । ଏଥିରେ ଜ୍ୟୋତି , ଝିଲିକ୍ ,ବିଜୟ ମହାନ୍ତି ଏବଂ ଜୟୀ ପ୍ରମୁଖ ଅଭିନୟ କରିଥିଲେ। ଆର ସିନେମା ହେଲା ସାଥୀ ତୁ ଫେରିଆ । ଏଥିରେ ଜ୍ୟୋତି, ଅନୁଭା ,ମହାଶ୍ୱେତା , ଶ୍ରୀତମ୍ ଦାସ, ମଣ୍ଟୁ ଏବଂ ଅନୀଶା ପ୍ରମୁଖ ଅଭିନୟ କରିଥିଲେ। ଠିକ୍ ସେହିପରି ଡିସେମ୍ବର ମାସରେ ତୁ ମୋ’ ସୁଇଟ୍ ୧୬, ରହସ୍ୟ ,ଜୀବନର ଚଲାପଥେ ଏବଂ ଲଭ୍ ଏକ୍ସପ୍ରେସ୍ ମୁକ୍ତିଲାଭ କରିଥିଲା।