୩୨ କୋଟି ଠକାମି ମାମଲାରେ ପ୍ରଯୋଜିକା ପ୍ରେରଣା ଗିରଫ

ମୁମ୍ବାଇ: ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜିକା ପ୍ରେରଣା ଅରୋରାଙ୍କୁ ମୁମ୍ବାଇ ପୁଲିସର କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଶାଖା ଗିରଫ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରେରଣାଙ୍କ ପାଖରେ ଏକାଧିକ ପ୍ୟାନ୍‌ କାର୍ଡ ଓ ପାସପୋର୍ଟ ଥିଲା।
ବଲିଉଡର ଖ୍ୟାତନାମା ପ୍ରଯୋଜକ ତଥା ବିତରକ ବାସୁ ଭଗନାନୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରେରଣା ଅରୋରା ତାଙ୍କୁ ଫିଲ୍ମ ‘ଫନ୍ନେ ଖାନ୍‌’ରେ ବିତରକ ଭାବେ କ୍ରେଡିଟ୍‌ ଦେଇ ନ ଥିଲେ,ଯାହା ଉଭୟଙ୍କ ଭିତରେ ହୋଇଥିବା ଚୁକ୍ତିର ଖିଲାପ। ‘ଫନ୍ନେ ଖାନ୍‌’ର ପ୍ରଯୋଜନା କରିଥିଲେ ପ୍ରେରଣା ଅରୋରା ତାଙ୍କର କ୍ରି ଆଜ୍‌ ଏଣ୍ଟରଟେନମେଣ୍ଟ୍‌ ବ୍ୟାନରରେ। ଏହି ବ୍ୟାନରର ଅନ୍ୟ ଚର୍ଚ୍ଚିତ ଫିଲ୍ମ ଗୁଡ଼ିକ ହେଲା ରୁସ୍ତମ୍‌,ଟଏଲେଟ୍‌-ଏକ ପ୍ରେମ କଥା, ପରି ଓ ପ୍ୟାଡମ୍ୟାନ୍‌। ବାସୁ ଭଗନାନୀଙ୍କ ଅଭିଯୋଗ ଅନୁଯାୟୀ କୁମାରୀ ପ୍ରେରଣା ଅରୋରା ତାଙ୍କୁ ୩୨ କୋଟି ଟଙ୍କାର ଠକେଇ କରିଛନ୍ତି। ପ୍ରେରଣା ବାସୁ ଭଗନାନୀଙ୍କ ଫିଲ୍ମ ଫନ୍ନେ ଖାନ୍‌ ଓ ବତ୍ତି ଗୁଲ ମିଟର ଚାଲୁର ଏକ୍ସ କ୍ଲୁସିଭ୍‌ ରାଇଟ୍‌ ଦେବେ ବୋଲି କହି ତାଙ୍କଠାରୁ ୩୨ କୋଟି ଟଙ୍କା ନେଇଥିଲେ,ମାତ୍ର ରାଇଟ୍‌ସ ଦେଇ ନ ଥିଲେ। ଏପରିକି ଧରାଛୁଆଁ ବି ଦେଉ ନଥିଲେ। ଏଣୁ ସେ ପୁଲିସର ଦ୍ୱାରସ୍ଥ ହୋଇଥିଲେ।

ଏହାପୂର୍ବରୁ ପ୍ରେରଣା ଅରୋରା ‘ପରମାଣୁ’ ଓ ‘କେଦାରନାଥ୍‌’ଫିଲ୍ମକୁ ନେଇ ମଧ୍ୟ ବିବାଦରେ ରହିଛନ୍ତି। ଏ ଦୁଇ ଫିଲ୍ମର ମାମଲା ଏବେ ବି ନ୍ୟାୟାଳୟରେ ଚାଲିଛି।

ସମ୍ବନ୍ଧିତ ଖବର