୧୦୦୦ କୋଟି ବଜେଟ୍‌ର ଫିଲ୍ମ

ଅମିର୍‌ ଖାଁ ମହାଭାରତକୁ ନେଇ ଏକ ବିଗ୍‌ ବଜେଟ୍‌ ଫିଲ୍ମ କରିବାଲାଗି ଯୋଜନା କରୁଛନ୍ତି ବୋଲି କିଛିଦିନ ତଳେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ମହାଭାରତକୁ ନେଇ ଫିଲ୍ମ ତିଆରି କରିବା ତାଙ୍କ ଜୀବନର ସବୁଠୁ ବଡ଼ ସ୍ୱପ୍ନ ବୋଲି ଅମିର୍‌ କହିଥିଲେ, କିନ୍ତୁ ସେ ଆହୁରି ଯୋଡ଼ିଥିଲେ ଯେ ଏ ଫିଲ୍ମ ତିଆରି କଲେ ତାଙ୍କ ଜୀବନର ୧୫-୨୦ ବର୍ଷ ସେଇଥିରେ ଖର୍ଚ୍ଚ କରିବାକୁ ପଡ଼ିବ। ଅବଶ୍ୟ ପୁଣି ଖବର ଆସିଥିଲା ଯେ ‘ବାହୁବଳୀ’ର ନିର୍ଦ୍ଦେଶକ ରାଜାମୌଳୀ ମଧ୍ୟ ସେମିତି ଏକ ଫିଲ୍ମ କରୁଛନ୍ତି! କେହି କେହି ତ କହୁଥିଲେ ଯେ ଶାହ୍‌ରୁଖ୍‌ ଖାଁ ମଧ୍ୟ ମହାଭାରତର କାହାଣୀକୁ ନେଇ ଏକ ଫିଲ୍ମ ତିଆରିବାକୁ ଲକ୍ଷ୍ୟ ରଖିଛନ୍ତି।
ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ଅମିର୍‌ ଏ ଫିଲ୍ମ ପାଇଁ ୟା’ ଭିତରେ ଗୋପନରେ ଗବେଷଣା ଆରମ୍ଭ କରି ଦେଇଛନ୍ତି। ସେ କୁଆଡ଼େ ଶ୍ରୀକୃଷ୍ଣ ବା କର୍ଣ୍ଣ ଭୂମିକାରେ ନିଜେ ଅଭିନୟ କରିବେ। ତାଙ୍କ ଫିଲ୍ମର ବଜେଟ୍‌ ପ୍ରାୟ ଏକ ହଜାର କୋଟି ଟଙ୍କା ରଖା ଯାଇଛି। ଆହୁରି ଚର୍ଚ୍ଚା ହେଉଛି ଯେ ଅମିର୍‌ଙ୍କ ସହିତ ‘ଦଙ୍ଗଲ୍‌’ ଓ ‘ଥଗ୍‌ସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ରେ ଅଭିନୟ କରିଥିବା ନୂଆ ଅଭିନେତ୍ରୀ ଫାତିମା ସନା ଶେଖ୍‌ ମଧ୍ୟ ଏହି ମହାଭାରତରେ ଅଭିନୟ କରିବେ। ନିକଟରେ ଫାତିମା ବି ସୋସିଆଲ୍‌ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ୍‍ କରିଛନ୍ତି, ଯେଉଁଥିରେ ସେ ମହାଭାରତ ପଢୁଛନ୍ତି। ହୁଏତ ସେ ସେହି ଭୂମିକା ପାଇଁ ପ୍ରସ୍ତୁତି କରୁଛନ୍ତି!
ନିକଟରେ ଏକ ସାକ୍ଷାତକାରରେ ଅମିର୍‌ କହିଥିଲେ ଯେ ସେ ଗୋଟିଏ ବଡ଼ ପ୍ରଜେକ୍ଟ୍‌ ଆରମ୍ଭ କରିବାକୁ ଚାହୁଛନ୍ତି। ତାହା ଭାଗ ଭାଗ ହୋଇ ତିଆରି ହେବ ଏବଂ ସଂପୂର୍ଣ୍ଣ ହେବାଲାଗି ପ୍ରାୟ ୧୦ ବର୍ଷ ଲାଗି ଯାଇପାରେ। ହୁଏତ ସେ ଏଇ ମହାଭାରତ କଥା ହିଁ କହିଥିଲେ!

ସମ୍ବନ୍ଧିତ ଖବର