ଫିଲ୍ମ ‘ମହାଭାରତ’ ଛାଡ଼ି ଏବେ ନିଜର ସୁପରହିଟ୍ ଫିଲ୍ମ ‘ଗଜନୀ’ର ସିକ୍ୟୁଏଲ କରିବାକୁ ଯାଉଛନ୍ତି ଆମୀର
ମୁମ୍ବାଇ : କିଛି ଦିନ ତଳେ ଆମୀର ଖାନ୍ଙ୍କ ଅଭିନୀତ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ନଜର ଆସିଥିଲେ ବିଗ୍ ବି ଅମିତାଭ ବଚ୍ଚନ, ଆମୀର ଖାନ୍,ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଫାତିମା ସନା ଶେଖ୍ । ଫିଲ୍ମକୁ ନେଇ ନିର୍ମାତା ଏବଂ କଳାକାରମାନେ ବେଶ ଆଶାବାଦୀ ଥିଲେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ସୁପରଫ୍ଲପ୍ ହୋଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଫିଲ୍ମ ଫ୍ଲପ୍ ହେବା ପରେ ଆମୀର ସବୁ ଦୋଷ ନିଜ ଉପରେ ନେବା ସହ ଏବେ ସେ ଫିଲ୍ମ ଚୟନ କରିବାର ଶୈଳୀକୁ ବଦଳାଇଥିବା ଜଣାପଡ଼ିଛି । ଦର୍ଶକଙ୍କୁ ସିନେମା ଘରକୁ ଟାଣି ଆଣିବା ଭଳି ଫିଲ୍ମ ତିଆରି କରିବା ପାଇଁ ସେ ମନସ୍ଥ କରିଥିବା ବେଳେ ମହାଭାରତ ଭଳି ଫିଲ୍ମରେ କାମ କରିବେ ନାହିଁ ବୋଲି ନିଷ୍ପତ୍ତି କରିଛନ୍ତି । ମହାଭାରତ ଛାଡ଼ି ସେ ଏବେ ୨୦୦୮ରେ ରିଲିଜ୍ ହୋଇଥିବା ତାଙ୍କର ସୁପରହିଟ୍ ଫିଲ୍ମ ‘ଗଜନୀ’ର ଦ୍ୱିତୀୟ ଭାଗ ନିର୍ମାଣ କରିବାକୁ ଯାଉଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଫିଲ୍ମ ନିର୍ମାତା କିଛି ଦିନ ପୂର୍ବରୁ ‘ଗଜନୀ-୨’ର ଟାଇଟଲ ରେଜିଷ୍ଟର କରିଥିବା ଜଣା ପଡ଼ିଛି । ଟାଇଟଲଟି ଉଭୟ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରେଜିଷ୍ଟର କରାଯାଇଛି । ଫିଲ୍ମର ନିର୍ମାତା ‘ଗଜନୀ-୨’କୁ ନେଇ ଅଧିକାରୀକ ଭାବରେ କୌଣସି ଘୋଷଣା କରି ନ ଥିବା ବେଳେ ରେଜିଷ୍ଟ୍ରେସନରୁ ଏହି ଫିଲ୍ମ ତିଆରିର ଯୋଜନା ଚାଲୁଥିବା ସ୍ପଷ୍ଟ ହୋଇଛି ।