ଏଥର ପୂଜାବଜାରରେ ଅନୁପସ୍ଥିତ ଥିବା ଓଡ଼ିଆ କଳାକାର, ନିର୍ଦ୍ଦେଶକଙ୍କ ତାଲିକା ବେଶ ଲମ୍ବା

ବିଶେଷ: ଶିବଶଙ୍କର ଓଝା

ଭୁବନେଶ୍ବର: ଏଥର ଦଶହରା ଅବସରରେ ମାତ୍ର ଦୁଇଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି।ଏଥିମଧ୍ୟରୁ ପ୍ରଥମଟି ହେଲା ‘ମିଷ୍ଟର ମଜନୁ’। ତରଙ୍ଗ ସିନେ ପ୍ରଡକସନ୍‌ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ବାବୁସାନ୍‌ଙ୍କ ସହ ରୋମାନ୍ସ କରୁଛନ୍ତି ତିନିଜଣ ନାୟିକା। ସେମାନେ ହେଲେ ଶୀତଲ,ସୂରମୟୀ ଏବଂ ଦିବ୍ୟା। ‘ମିଷ୍ଟର ମଜନୁ’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଶୋକ ପତି। ଅଭିଜିତ ମଜୁମଦାର ଏହାର ସଙ୍ଗୀତକାର । ଏଥର ପୂଜା ବଜାରର ଅନ୍ୟ ଏକ ଓଡ଼ିଆ ସିନେମା ହେଲା ‘ଦିସ ଇଜ୍ ମାୟାରେ ବାୟା’। ଏଥିରେ ସିଦ୍ଧାନ୍ତ ମହାପାତ୍ର ,ଝିଲିକ୍ , ଏଲିନା ଏବଂ ସ୍ୱରାଜ ପ୍ରମୁଖ ଅଭିନୟ କରିଛନ୍ତି।।ସୀତାରାମ ଅଗ୍ରଓ୍ବାଲ ଏହାର ପ୍ରଯୋଜକ ଏବଂ ସୁଶାନ୍ତ ମଣି ନିର୍ଦ୍ଦେଶକ। ମଳୟ ମିଶ୍ର ଏହାର ସଙ୍ଗୀତକାର ।

ହେଲେ ଜାଣନ୍ତି କି କେଉଁମାନେ ଏଥର ପୂଜାରେ ଅନୁପସ୍ଥିତ ଅଛନ୍ତି ? ଆସନ୍ତୁ ନଜର ପକାଇବା ସେମାନଙ୍କ ଉପରେ..
ଗତ କିଛି ବର୍ଷର ପୂଜା ବଜାରରେ ନିୟମିତ ନଜର ଆସୁଥିବା ଅନୁଭବ ମହାନ୍ତିଙ୍କୁ ଏଥର ଦେଖିବାକୁ ମିଳିନାହିଁ। ଠିକ୍ ସେହିପରି ଲୋକପ୍ରିୟ ନାୟକ ଅରିନ୍ଦମଙ୍କର ବି କୌଣସି ସିନେମା ରିଲିଜ୍ ହେଲା ନାହିଁ। ଗତଥର ପୂଜାରେ ରିଲିଜ୍ ହୋଇଥିବା ‘ଶ୍ରୀମାନ ସୂରଦାସ’ ରେ ନଜର ଆସିଥିବା ବୁଦ୍ଧାଦିତ୍ୟ ମହାନ୍ତି କିନ୍ତୁ ଏଥର ନାହାନ୍ତି। ଠିକ୍ ସେହିପରି ସବ୍ୟସାଚୀ ଓ ଆକାଶଙ୍କୁ ଏଥର ପୂଜା ବଜାରରେ ଦେଖିବାକୁ ମିଳିଲା ନାହିଁ।
ଆଉ ଜଣେ ହେଲେ ଅମ୍ଳାନ। ୨୦୧୩ରୁ ସିନେମା ‘ଟାର୍ଗେଟ୍‌ ’ରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଅମ୍ଳାନଙ୍କର ୨୦୧୯ ପୂଜା ବଜାରରେ ତାଙ୍କର ଗୋଟିଏ ବି ସିନେମା ରିଲିଜ୍‌ ହୋଇନାହିଁ।
ଓଲିଉଡରେ ଚକ୍‌ଲେଟି ହିରୋ ଭାବେ ପରିଚିତ ଅଭିଷେକଙ୍କୁ ବି ଗୋଟିଏ ବି ସିନେମାରେ ଦେଖିବାକୁ ମିଳିଲା ନାହିଁ। ଓଲିଉଡର ଲୋକପ୍ରିୟ ନାୟକ ଦୀପକ , ଜ୍ୟୋତି,ସମ୍ବିତଙ୍କର ମଧ୍ୟ ୨୦୧୯ ପୂଜା ବଜାରରେ ପରଦା ଉପରେ ଦେଖା ମିଳିଲା ନାହିଁ। । ‘ବାବୁ ଆଇ ଲଭ ୟୁ’ ଓ‘ଭାଇନା କ’ଣ କଲା ସେ’ ଭଳି ସିନେମାର ହିରୋ ଚନ୍ଦନ ବି ଏଥର ଅନୁପସ୍ଥିତ । ମା ମଙ୍ଗଳା’,‘ପ୍ରେମିକା’ ,‘ଅଞ୍ଜଳି’ଓ ‘ରକ୍‌ଷ୍ଟାର୍‌’ଭଳି ଓଡ଼ିଆ ସିନେମାର ନାୟକ ବୁଲୁଙ୍କୁ ବି ୨୦୧୯ ପୂଜା ବଜାରରେ ଦେଖିବାରୁ ବଞ୍ଚିତ ହେଲେ ଓଡ଼ିଆ ଦର୍ଶକ। ‘କଥା ଦେଲି ମଥା ଛୁଇଁ’ ଓ ‘ଛବିରାଣୀ’ ସିନେମାର ନାୟକ ଅମନ୍‌ଙ୍କୁ ପୂଜା ବଜାରରେ ଦେଖିବାକୁ ମିଳି ନାହିଁ।

ଠିକ୍ ସେହିପରି ଏଥର ପୂଜା ବଜାରରେ ଦର୍ଶକ କେତେକ ଜଣ ନାୟିକାଙ୍କୁ ପରଦା ଉପରେ ଦେଖିବାକୁ ପାଇଲେ ନାହିଁ। ଏବର୍ଷର ପୂଜା ବଜାରରେ ଦର୍ଶକ ସେମାନଙ୍କର ପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶନୀଙ୍କୁ କୌଣସିି ସିନେମାରେ ଦେଖିବାକୁ ପାଇଲେ ନାହିଁ। ଓଡିଆ ସିନେ ଜଗତର ଦୁଇ ଟପ୍ ନାୟିକା ଅର୍ଚ୍ଚିତା ଏବଂ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିଲା ନାହିଁ। ଠିକ୍‌ ସେହିପରି ଓଡିଆ ସିନେଜଗତର ଅନ୍ୟତମ ଚୁଲୁବୁଲି ନାୟିକା ଭୂମିକା ଗତ ଦୁଇ ବର୍ଷର ପୂଜାବଜାରେ ନଜର ଆସିଥିଲେ ହେଲେ ଏଥର ସେ ଅଛନ୍ତି ଅନୁପସ୍ଥିତ ତାଲିକାରେ। ଠିକ୍ ସେହିପରି ସନ୍‌ମୀରା ଓ ଶିବାନୀଙ୍କର କୌଣସି ଫିଲ୍ମ ରିଲିଜ୍‌ ହୋଇନାହିଁ। ଓଡିଆ ସିନେଜଗତର ଲୋକପ୍ରିୟ ନାୟିକା ତମନ୍ନା ବି ଏଥର ପୂଜା ବଜାରର କୌଣସି ସିନେମାରେ ଆସିନାହାନ୍ତି।


ଓଲିଉଡର ଆଗଧାଡ଼ିର ନାୟିକା ରୀୟା ଓ ଅନୁଭାଙ୍କର ବି ପୂଜା ବଜାରରେ କୌଣସି ସିନେମା ରିଲିଜ୍‌ ହେଲା ନାହିଁ। ପ୍ରକୃତି ମିଶ୍ରଙ୍କୁ ଦର୍ଶକ ଏଥର ଦେଖିବାକୁ ମିଳିନାହିଁ। ପରଦାରେ ନ ଦେଖି ନିରାଶ ହେଲେ। ପୁନମ୍‌ ମିଶ୍ର ଓ ଲିପ୍‌ସାଙ୍କର ଦେଖା ବି ମିଳିଲା ନାହିଁ।

ଆଗଧାଡ଼ିର ନିର୍ଦ୍ଦେଶକମାନଙ୍କ ମଧ୍ୟରେ ସୁଧାଂଶୁମୋହନ ସାହୁ, ହିମାଂଶୁ ପରିଜା, ଦିଲୀପ ପଣ୍ଡା, ସଂଜୟ ନାୟକ,ରମେଶ ରାଉତ,ତାପସ ସରଘରିଆ, ସୁଧାକର ବସନ୍ତ, ମୁରଲୀ କ୍ରୀଷ୍ଣା ପ୍ରମୁଖଙ୍କର କୌଣସି ଓଡ଼ିଆ ସିନେମା ପରଦାକୁ ଆସିନାହିଁ।

ଅପରପକ୍ଷରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ପ୍ରେମ ଆନନ୍ଦ, ବୈଦ୍ୟନାଥ ଦାସ, ବିକାଶ ଦାସ ପ୍ରମୁଖ ଏଥରର ପୂଜା ବଜାରରେ ଅନୁପସ୍ଥିତ ତାଲିକାରେ ରହିଛନ୍ତି।

ସମ୍ବନ୍ଧିତ ଖବର