ପାକିସ୍ତାନ: ନନ୍ଦିତା ଦାସଙ୍କ ‘ମଣ୍ଟୋ’ ଚଳଚ୍ଚିତ୍ରର ପ୍ରଦର୍ଶନ ସପକ୍ଷରେ ସ୍ୱର ଉଠାଇ ରାସ୍ତାକୁ ଓହ୍ଲାଇଲେ ଲେଖକ, ସମାଜକର୍ମୀ ଓ ସାମ୍ବାଦିକ

ମୁମ୍ବାଇ: ବିଶିଷ୍ଟ ସିନେ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମଣ୍ଟୋ’ର ପ୍ରଦର୍ଶନ ଉପରେ ପାକିସ୍ତାନ ରୋକ୍‌ ଲଗାଇବା ପରେ ପାକିସ୍ତାନରେ ଅନେକ ଲେଖକ, ସାମାଜିକକର୍ମୀ ଏବଂ ସାମ୍ବାଦିକ ଏକ ଜାତୀୟ ସ୍ତରୀୟ ପ୍ରତିବାଦ ଆରମ୍ଭ କରିଛନ୍ତି। ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ‘ମଣ୍ଟୋ’ ଚଳଚ୍ଚିତ୍ରଟି ଊର୍ଦ୍ଦୁ ଲେଖକ ସଦତ ହସନ ମଣ୍ଟୋଙ୍କ ଜୀବନ କାହାଣୀ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରର ପ୍ରଦର୍ଶନ ଦାବି କରି ବହୁ ଲୋକ ପାକିସ୍ତାନ ରାସ୍ତାରେ ବିକ୍ଷୋଭ କରୁଥିବାର ଦେଖିବାକୁ ମିଳିଛି।

ଏହି ପ୍ରତିବାଦ ସଂପର୍କରେ ନନ୍ଦିତା ଟୁଇଟର୍‌ରେ ନିଜର ଖୁସି ବ୍ୟକ୍ତ କରିବା ସହ ବିରୋଧକାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି କି ‘ ପାକିସ୍ତାନରେ ‘ମଣ୍ଟୋ’ ଚଳଚ୍ଚିତ୍ର ରୋକକୁ ବିରୋଧ କରି ରାସ୍ତାକୁ ଆସିଥିବା ସମସ୍ତ ବିକ୍ଷୋଭକାରୀଙ୍କୁ ଧନ୍ୟବାଦ୍‌। ମୁଁ ସେଠାରେ ଆତ୍ମିକ ଭାବେ ଆପଣମାନଙ୍କ ସହ ଅଛି। ମୋ ସହ ‘ମଣ୍ଟୋ’ର ପୂରା ଟିମ୍‌ ବି ଆପଣମାନଙ୍କ ସହ ଅଛନ୍ତି ।’

ଆଉ ଏକ ଟୁଇଟ୍‌ କରି ନନ୍ଦିତା ସଲିମା ହାସ୍ମିଙ୍କ ସହ ସହ ଅନ୍ୟମାନଙ୍କୁ ବି ସମ୍ବୋଧନ କରିଛନ୍ତି। ରାସ୍ତାକୁ ଆସି ବିରୋଧ ପ୍ରଦର୍ଶନ କରିଥିବା ଲୋକଙ୍କୁ ଦେଖି ସେ ଚମତ୍କାର ଅନୁଭବ କରୁଛନ୍ତି ବୋଲି ଲେଖିଛନ୍ତି।

ସଦତ ହସନ ମଣ୍ଟୋଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ପାକିସ୍ତାନରେ ପ୍ରଦର୍ଶନ ଅନୁମତି ନ ମିଳିବା ନେଇ ୨୦୧୮ ମସିହାରେ ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ନନ୍ଦିତାଙ୍କୁ ଆଶ୍ୱାସନା ଦେଇଥିଲେ।

ସେ ଏକ ଟୁଇଟ୍‌ କରି ଜଣାଇଥିଲେ ଯେ ‘ ମୁଁ ଏହି ଚଳଚ୍ଚିତ୍ରକୁ ପାକିସ୍ତାନରେ ପ୍ରଦର୍ଶନ କରିବାର ଚେଷ୍ଟା କରୁଛି। ମୋତେ ବିଶ୍ୱାସ ଅଛି ଯେ କେହି ହେଲେ ଜଣେ ନିଶ୍ଚୟ ଦର୍ଶକଙ୍କୁ ଏହି ସ୍ୱଳ୍ପ ବ୍ୟବସାୟିକ ଚଳଚ୍ଚିତ୍ର ଦେଖାଇବାର ସାହସ କରିବ।’

ଚଳଚ୍ଚିତ୍ରରେ ଅଭିନେତା ନଓ୍ଵାଜୁଦ୍ଦିନ ସିଦ୍ଦିକି ମଣ୍ଟୋଙ୍କ ଭୂମିକା ନିଭାଇଛନ୍ତି। ‘ମଣ୍ଟୋ’ର ପୋଷ୍ଟର୍‌ ୨୦୧୭ ମସିହାରେ ‘କାନ୍ ଫିଲ୍ମ ଫେଷ୍ଟିଭାଲ୍‌’ରେ ପ୍ରଦର୍ଶିତ ହୋଇଥିଲା। ନନ୍ଦିତା ଏହା ପୂର୍ବରୁ ୨୦୧୭ ମସିହା ମାର୍ଚ ୨୩ ତାରିଖରେ ‘ଇନ୍‌ ଡିଫେନ୍ସ ଅଫ୍‌ ଫ୍ରିଡମ୍‌’ ଶୀର୍ଷକରେ ୟୁଟ୍ୟୁବ୍‌ରେ ଆଉ ଏକ ସର୍ଟ ଫିଲ୍ମ ରିଲିଜ୍‌ କରିଥିଲେ। ସେଥିରେ ବି ମୁଖ୍ୟ ଭୂମିକାରେ ନଓ୍ଵାଜୁଦ୍ଦିନ ସିଦ୍ଧିକ ଅବତ୍ତୀର୍ଣ୍ଣ ହୋଇଥିଲେ।

ସମ୍ବନ୍ଧିତ ଖବର