୩ବର୍ଷ ତଳେ ମା’ଙ୍କଠାରୁ ଟଙ୍କା ନେଇ ବୁଲିବାକୁ ଯାଇଥିଲେ ଏହି ବଲିଉଡ୍‌ ଅଭିନେତା, ଏ ପର୍ଯ୍ୟନ୍ତ ମିଳୁନି ପତ୍ତା

ମୁମ୍ବାଇ: ମୁମ୍ବାଇରେ ଜୀବନ ବଞ୍ଚିବାର ଶୈଳୀ ଏବଂ ବଲିଉଡ୍‌ରେ ସଂଘର୍ଷ କରିବା କେତେ କଷ୍ଟ ତାହା କେବଳ ଭୁକ୍ତ ଭୋଗୀ ହିଁ ଜାଣେ । ଏମିତି ଅନେକ ଉଦାହରଣ ବଲିଉଡ୍‌ରେ ଦେଖିବାକୁ ମିଳିଛି, ଯେଉଁଠି ଅନେକ କଳାକାରଙ୍କୁ ବଲିଉଡ୍‌ରୁ ଉଭାନ ହୋଇ ଯାଇଥିବା ଦେଖା ଯାଇଛି । ବଲିଉଡ୍‌ ଫିଲ୍ମ ଏବଂ ଧାରାବାହିକରେ କାମ କରୁଥିବା ଅଭିନେତା ବିଶାଲ ଠକ୍କର ମଧ୍ୟ ୩ବର୍ଷ ହେଲାଣି ନିଖୋଜ ଥିବା ଜଣା ପଡ଼ିଛି । ୩ବର୍ଷ ତଳେ ସେ ଫିଲ୍ମ ଦେଖିବା ପାଇଁ ବାହାରିଥିବା ବେଳେ ଆଉ ଫେରି ନାହାନ୍ତି । ସେ କେଉଁଠି ଅଛନ୍ତି, କେମିତି ଅଛନ୍ତି, ତାହା କେହି ଜାଣି ନାହାନ୍ତି । ବିଶାଲଙ୍କ ମା’ ଏବେ ବି ନିଜ ପୁଅର ଫେରିବା ବାଟକୁ ଚାହିଁ ବସିଥିବା ଜଣା ପଡ଼ିଛି । ମୁଁ ଯାଇଥିଲେ ମୋ ପୁଅର କିଛି ହୋଇ ନଥାନ୍ତା ବୋଲି କହି ବିଶାଲଙ୍କ ମା’ ନିଜକୁ ଦୋଷୀ ବୋଲି ଭାବି ବସିଛନ୍ତି ।

The Indian Express

ସୂଚନା ମୁତାବକ, ଡିସେମ୍ବର ୩୧,୨୦୧୫ରେ ବିଶାଲ ନିଖୋଜ ହୋଇଥିଲେ । ରାତି ୧୦.୩୦ରେ ମା’ଙ୍କ ଠାରୁ ୫୦୦ଟଙ୍କା ନେଇ ବିଶାଲ ଫିଲ୍ମ ଦେଖି ବାହାରିଥିଲେ । ବିଶାଲ ନିଜ ମା’ଙ୍କୁ ତାଙ୍କ ସହ ଯିବା ପାଇଁ କହିଥିଲେ ମଧ୍ୟ ତାଙ୍କ ମା’ ମନା କରି ଦେଇଥିଲେ । ଯାହା ପାଇଁ ସେ ଏବେ ପର୍ଯ୍ୟନ୍ତ ନିଜକୁ କ୍ଷମା କରି ପାରି ନାହାଁନ୍ତି । ବିଶାଲ ଫିଲ୍ମ ଦେଖିବା ପରେ ରାତି ୧ଟା ସମୟରେ ନିଜ ବାପାଙ୍କୁ ମେସେଜ କରି ମୁଁ ପାର୍ଟିକୁ ଯାଉଛି । କାଲି ଦେଖା ହେବା ବୋଲି ଲେଖିଥିଲେ । ଏହା ସହ ଫେସ୍‌ବୁକ୍‌ରେ ନିଜ ସାଙ୍ଗମାନଙ୍କୁ ନବବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଥିଲେ । କିନ୍ତୁ ପର ଦିନ ସକାଳୁ ବିଶାଲଙ୍କ ଫୋନ ବନ୍ଦ ହୋଇ ଯାଇଥିଲା । ଯାହା ଏବେ ପର୍ଯ୍ୟନ୍ତ ଖୋଲି ନାହିଁ । ଏ ନେଇ ପୁଲିସକୁ ଖବର ଦିଆ ଯାଇଥିଲେ ମଧ୍ୟ ପୁଲିସ ବିଶାଲଙ୍କୁ ଖୋଜି ପାଇ ନାହିଁ । ବିଶାଲ ମୁନ୍ନା ଭାଇ ଏମ୍‌ବିବିଏସ୍‌ ଏବଂ ତାରକ୍‌ ମେହେତା କା ଉଲଟା ଚଷମା ଭଳି ଧାରାବାହିକରେ କାମ କରି ସାରିଛନ୍ତି ।

ସମ୍ବନ୍ଧିତ ଖବର