ଏଇ ଅଭିନେତ୍ରୀ ଏବେ ସୁଟିଂ ସେଟକୁ ପ୍ରାଇଭେଟ୍‌ ଜେଟରେ ଯିବା ଆସିବା କରୁଛନ୍ତି !

ହାଇଦ୍ରାବାଦ୍‌ : ଦକ୍ଷିଣୀ ଫିଲ୍ମ ଦୁନିଆର ବ୍ୟସ୍ତ ଅଭିନେତ୍ରୀମାନଙ୍କ ମଧ୍ୟରେ ପୂଜା ହେଗଡ଼େ ଜଣେ। ସେ ଏକ ସଙ୍ଗେ ଏକାଧିକ ଫିଲ୍ମର ସୁଟିଂକୁ ‘ନା’ କହନ୍ତି ନାହିଁ। ନିଜ ପାଇଁ ନିଜେ ସମୟ ପରିଚାଳନା କରନ୍ତି। ନା ସହ-କଳାକାରମାନଙ୍କୁ ହଇରାଣ-ହରକତ କରନ୍ତି ନା ପ୍ରଯୋଜକଙ୍କୁ ଖର୍ଚ୍ଚାନ୍ତ କରାନ୍ତି। ଏବେ ସେ ‘ହାଉସ୍‌ଫୁଲ୍‌ ୪’ ସହ ଏକ ତେଲୁଗୁ ଫିଲ୍ମର ସୁଟିଂରେ ବ୍ୟସ୍ତ। ଏନ୍‌ଟିଆର୍‌ ଜୁନିଅର୍‌ଙ୍କ ସହ ତେଲୁଗୁ ଫିଲ୍ମର ସୁଟିଂ ଚାଲିଛି ହାଇଦ୍ରାବାଦରେ। ଆଉ ସାଜିଦ ନାଡ଼ିୟାଡ଼ଓ୍ଵାଲାଙ୍କ ‘ହାଉସ୍‌ଫୁଲ୍‌ ୪’ର ସୁଟିଂ ସୁଦୂର ଜୈସଲମେରରେ। କାହାକୁ ଅସୁବିଧାରେ ନ ପକାଇବା ପାଇଁ ସେ ନିଜ ଖର୍ଚ୍ଚରେ ପ୍ରାଇଭେଟ୍‌ ଜେଟ୍‌ରେ ଯିବା-ଆସିବା କରୁଛନ୍ତି। ଏକ ସଙ୍ଗେ ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ଫିଲ୍ମର ସୁଟିଂରେ କୌଣସି ଅସୁବିଧା ହେଉନାହିଁ। କେବଳ ଯାହା ନିଜର ସଞ୍ଚିତ ଅର୍ଥରୁ କିଛି ଯାଉଛି। ଏହି ଖର୍ଚ୍ଚକୁ ନେଇ ତାଙ୍କର କୌଣସି ଦୁଶ୍ଚିନ୍ତା ନାହିଁ। ଜୈସଲମେରରେ ଦିନ ଏଗାରଟାରୁ ସନ୍ଧ୍ୟା ଛଅଟା ମଧ୍ୟରେ ଘରୋଇ ବିମାନ ଚଳାଚଳକୁ ଭାରତୀୟ ପ୍ରତିରକ୍ଷା ବିଭାଗ ଅନୁମତି ଦିଏନାହିଁ। ତେଣୁ, ସେ ସେ ସେଠାରେ ଦିନ ୧୧ ପୂର୍ବରୁ ପହଞ୍ଚୁଛନ୍ତି ଓ ୬ଟା ପରେ ବାହାରୁଛନ୍ତି। ଅଖାଡ଼ୁଆ ସମୟରେ ପୂଜାଙ୍କୁ ବିମାନ ଯାତ୍ରା କରିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର