ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି କଣ୍ଠଶିଳ୍ପୀ ଅଦନାନ ସାମୀ, କିଶୋର କୁମାରଙ୍କ ବାୟୋପିକରେ ଆସିବେ ନଜର

ମୁମ୍ବାଇ : ବଲିଉଡ୍‌ରେ ଅନେକ ଆଗ ଧାଡ଼ିର କଣ୍ଠଶିଳ୍ପୀ ରହିଛନ୍ତି । କିନ୍ତୁ ସେ ମଧ୍ୟରୁ ଅଦନାନ ସାମୀଙ୍କ ସ୍ୱର ଟିକେ ନିଆରା । ଶ୍ରୋତାଙ୍କୁ କଭି ତୋ ନଜର, ଭିଗି ଭିଗି ରାତୋଁ ମେଁ, ଲିପ୍ଟ କରାଦେ ଭଳି ଗୀତ ଦେଇ ଅଦନାନ ଲୋକପ୍ରିୟ ହୋଇଥିଲେ । କେବଳ ହିନ୍ଦୀ ଭାଷାରେ ନୁହେଁ, ବରଂ ବିଭିନ୍ନ ଭାଷାରେ ଅଦ୍‌ନାନ ଗୀତ ଗାଇ ଦର୍ଶକଙ୍କ ମନକୁ ଛୁଇଁଛନ୍ତି । ତେବେ ନିଜ କଣ୍ଠ ସ୍ୱରରେ ସମସ୍ତଙ୍କ ଉପରେ ଯାଦୁ କରିଥିବା ଅଦ୍‌ନାନ ଏବେ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଥିବା ଜଣା ପଡ଼ିଛି । ଅନେକ କ୍ରିକେଟର, ରାଜନେତା ଏବଂ ଅଭିନେତାମାନଙ୍କର ବାୟୋପିକ ପାଇଁ ବଡ଼ ବଡ଼ ଅଭିନେତାଙ୍କୁ ଫିଲ୍ମ ନିର୍ମାତା ନେଉଥିବା ବେଳେ ଏବେ ଜଣେ କଣ୍ଠଶିଳ୍ପୀଙ୍କ ବାୟୋପିକ ପାଇଁ ଅଦ୍‌ନାନଙ୍କୁ ଅଫର ମିଳିଛି । ପୂର୍ବରୁ କିଶୋର କୁମାରଙ୍କ ବାୟୋପିକରେ କିଏ ନଜର ଆସିବ ବୋଲି ଚର୍ଚ୍ଚା ଲାଗି ରହିଥିବା ବେଳେ ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ଅଦ୍‌ନାନଙ୍କୁ ଫିଲ୍ମ ଅଫର କରାଯାଇଛି ।

କିଶୋର କୁମାରଙ୍କ ପୁରୁଣା ଗୀତକୁ ନିଜ ସ୍ୱର ଦେଇ ଗାଇବା ସହ ଭିଡିଓକୁ ଟୁଇଟରରେ ସେୟାର କରିଥିଲେ ଅଦ୍‌ନାନ । ଯାହା ପରେ ଭିଡିଓଟି ଭାଇରାଲ ହୋଇଥିଲା । ଭିଡିଓ ଭାଇରାଲ ହେବା ପରେ ଫିଲ୍ମ ନିର୍ମାତା ଅଦ୍‌ନାନଙ୍କୁ ନେବା ପାଇଁ ମନସ୍ଥ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର