କୁଏତ୍‌ ଏୟାରପୋର୍ଟରେ ବଲିଉଡ୍‌ ଗାୟକ ଅଦ୍‌ନାନ ସାମୀଙ୍କ କର୍ମଚାରୀଙ୍କୁ ‘ଭାରତୀୟ କୁକୁର’ ବୋଲି କହିଲେ ଇମିଗ୍ରେସନ ଅଧିକାରୀ, ତୁରନ୍ତ ହସ୍ତକ୍ଷେପ କଲେ ସୁଷମା

ନୂଆଦିଲ୍ଲୀ : କୁଏତ୍‌ ଏୟାରପୋର୍ଟରେ ବଲିଉଡ଼ର ଜଣାଶୁଣା ଗାୟକ ଅଦ୍‌ନାନ ସାମୀଙ୍କ କର୍ମଚାରୀଙ୍କୁ ର୍ଦୁବ୍ୟବହାର କରାଯାଇଥିବା ଜଣାପଡ଼ିଛି । ସେ କୁଏତରେ ଏକ ଲାଇଭ୍‌ ସୋ’ ପାଇଁ ଯାଇଥିବା ବେଳେ ତାଙ୍କ ସହ ଏପରି ଘଟିଥିଲା ବୋଲି ସୂଚନା ମିଳିଛି । ନିଜ କର୍ମଚାରୀଙ୍କ ପ୍ରତି ଏପରି ବ୍ୟବହାର ଦେଖି ସେ ଦୁଃଖପ୍ରକାଶ କରିବା ସହ ନିଜ ଟ୍ଵିଟର ଆକାଉଣ୍ଟକୁ ଯାଇ ଅସନ୍ତୋଷ ପ୍ରକାଶ କରିଥିଲେ । ଟ୍ଵିଟ୍‌ କରି ସେ ପୂରା ଘଟଣା ବିଷୟରେ କୁଏତ୍‌ରେ ଥିବା ଭାରତୀୟ ଦୂତାବାସକୁ ଜଣାଇଥିବା ଦେଖିବାକୁ ମିଳିଛି । ସାମୀ ତାଙ୍କ ଟୁଇଟରେ ଲେଖିଛନ୍ତି, ‘ଆମେ କୁଏତ୍‌କୁ ଭଲପାଇବା ନେଇ ଆସିଥିଲୁ ଏବଂ ଏଠାରେ ଥିବା ଆମର ଭାରତୀୟ ଭାଇମାନେ ଆମକୁ ଖୁସିର ସହ ସ୍ୱାଗତ କରିଥିଲେ । କିନ୍ତୁ କୁଏତ୍‌ର ଇମିଗ୍ରେସନ ଅଧିକାରୀ ମୋ କର୍ମଚାରୀମାନଙ୍କ ସହ ଯେଉଁ ଭଳି ବ୍ୟବହାର କଲେ ତାହା ଆଦୌ ଗ୍ରହଣୀୟ ନୁହେଁ ।’

ସେମାନେ ଏପରି କରିବା ପାଇଁ ସାହାସ କେମିତି କଲେ ବୋଲି ଟ୍ଵିଟ୍‌ କରି ଭାରତୀୟ ଦୂତାବାସ,କେନ୍ଦ୍ରୀୟ ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ୟାଗ୍‌ କରିଥିଲେ । ଅଦ୍‌ନାନଙ୍କ ଏହି ଟ୍ଵିଟ୍‌ ପରେ ସୁଷମା ସ୍ୱରାଜ ତୁରନ୍ତ ତାଙ୍କ ଟ୍ଵିଟ୍‌ର ଜବାବ ଦେଇଥିଲେ । ସେ ତାଙ୍କୁ ତୁରନ୍ତ ଫୋନ ଯୋଗେ ସଂପର୍କ କରିବା ପାଇଁ କହିଥିଲେ । ଏହାର କିଛି ସମୟ ପରେ ଗୃହ ରାଷ୍ଟ୍ରମନ୍ତ୍ରୀ କିରେନ ରିଜୁ ସୁଷମା ସ୍ୱରାଜ ଏହି ମାମଲା ଉପରେ ତଦନ୍ତ କରୁଛନ୍ତି ବୋଲି ସେ ଟ୍ଵିଟ୍‌ କରି ସାମୀଙ୍କୁ ଜଣାଇଥିଲେ । ସୁଷମା ତୁରନ୍ତ ପଦକ୍ଷପକୁ ଦେଖି ସାମୀ ତାଙ୍କୁ ଟ୍ଵିଟ୍‌ କରି ଧନ୍ୟବାଦ୍‌ ଜଣାଇଥିଲେ ।

 

ସମ୍ବନ୍ଧିତ ଖବର