ବିଗ୍‌ ବିଙ୍କ ସହ ପୁଣି ଯୋଡି ହେଲେ ଶାହରୁଖ୍‌ ଖାନ୍‌

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଶାହାରୁଖ୍‌ ଖାନ୍‌ ଦୁହେଁ ଏକାଠି ବେଶ୍‌ କେତୋଟି ହିନ୍ଦୀ ସିନେମା ରେ କାମ କରିଛନ୍ତି। ଏଥିମଧ୍ୟରେ ରହିଛି ମୋହବତେଁ, କଭି ଖୁସି କଭି ଗମ୍‌ , ବୀର୍‌-ଜାରା ଆଦି ସିନେମା।

ପ୍ରାୟ ଏକ ଦଶନ୍ଧି ହେଲା ଏ ଦୁଇ ବଡ଼ କଳାକାରଙ୍କୁ ଦର୍ଶକ ଗୋଟିଏ ସିନେମାରେ ଦେଖିବାକୁ ପାଇ ନାହାନ୍ତି। ହେଲେ ଏବେ ଶାହାରୁଖ୍‌ ଖାନ୍‌ ବିଗ୍‌ ବି ଙ୍କ ଅଭିନୀତ ଏକ ନୂଆ ସିନେମାର ପ୍ରଯୋଜନା କରି ପୁଣି ଯୋଡ଼ି ହୋଇଛନ୍ତି ଅମିତାଭ ବଚ୍ଚନଙ୍କ ସହ।

ହଁ ଶାହାରୁଖ୍‌ ଖାନ୍‌ ତାଙ୍କର ପ୍ରଯୋଜନା ସଂସ୍ଥା ରେଡ ଚିଲ୍ଲି ଏଣ୍ଟରଟେନ୍‌ମେଣ୍ଟ ଅକାରୁ ଏଣ୍ଟରଟେନମେଣ୍ଟ ସହିତ ମିଶି ‘ବଦଲା’ ଟାଇଟଲରେ ନିର୍ମାଣାଧୀନ ଏକ ହିନ୍ଦୀ ସିନେମାର ପ୍ରଯୋଜନା କରିଛନ୍ତି।

‘ବଦଲା’ରେ ଅମିତାଭ ବଚ୍ଚନ, ତାପସୀ ପନୁ ଓ ନସିରୁଦ୍ଦିନ ଶାହା ମୁଖ୍ୟ ଭୂମିକାରେ ଅଛନ୍ତି। ଇତିମଧ୍ୟରେ ସ୍କଟଲାଣ୍ଡରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି। ଏହି ଫିଲ୍ମର କାହାଣୀ ଦୁଇ ଜଣ ବ୍ୟକ୍ତିଙ୍କର ପ୍ରତିଶୋଧ ଉପରେ ଆଧାରିତ। ସେ ଦୁହେଁ ପ୍ରାୟ ୧୦ ବର୍ଷ ଯାଏଁ ପ୍ରତିଶୋଧ ନେବା ଲାଗି କାର୍ଯ୍ୟ କରୁଛନ୍ତି। କିନ୍ତୁ ପରିଶେଷରେ ସେ ଦୁହିଁଙ୍କ ଲାଗି ପ୍ରତିଶୋଧର ପରିଭାଷା ବଦଳିଯାଉଛି।

‘ବଦଲା’ର ନିର୍ଦ୍ଦେଶନା ଦେଉଛନ୍ତି ସୁଜୟ ଘୋଷ। ଏହା ଏକ ସସପେନ୍‌ସ ଫିଲ୍ମ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର