ଅମ୍ଳାନଙ୍କ ଏହି ସିନେମାରେ ସ୍ପେସିଆଲ୍‌ ଆପିଅରାନ୍ସରେ ଥିଲେ ଆକାଶ

ଭୁବନେଶ୍ୱର: ଓଲିଉଡରେ ଆଜିକାଲି ମଲଟିଷ୍ଟାରର ସିନେମା ପ୍ରାୟତଃ ତିଆରି ହେଉ ନାହିଁ । ଏପରିକି ଦୁଇ ହିରୋ ଥିବା ଫିଲ୍ମରେ କାମ କରିବାକୁ ରାଜି ହେଉ ନାହାନ୍ତି ଆଗ ଧାଡିର ନାୟକମାନେ । ଏହି କାରଣରୁ ଓଲିଉଡର ଦୁଇ ଟପ୍‌ ହିରୋ ଅନୁଭବ ଓ ଅରିନ୍ଦମ୍‌ , ସବ୍ୟସାଚୀ –ଅରିନ୍ଦମ୍‌ ବାବୁସାନ୍‌ –ଅରିନ୍ଦମ୍‌ କେବଳ ଗୋଟିଏ ସିନେମାରେ ଏକାଠି ନଜର ଆସିଛନ୍ତି ।

ଆଉ ଏକ୍ଷେତ୍ରରେ ଆଉ ଦୁଇ ଜଣ ଚର୍ଚ୍ଚିତ ନାୟକ ହେଲେ ଆକାଶ ଓ ଅମ୍ଳାନ । ଆକାଶ ଦେବାନନ୍ଦ ପଣ୍ଡାଙ୍କ ପ୍ରଯୋଜିତ ତଥା ବରଦା ପ୍ରସନ୍ନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ‘ କଳିଙ୍ଗ ପୁତ୍ର’ ଜରିଆରେ ଓଲିଉଡରେ ହିରୋଭାବେ ପ୍ରବେଶ କରିଥିଲେ । ଏହା ୨୦୦୮ରେ ରିଲିଜ୍‌ ହୋଇଥିଲା । ଅନ୍ୟପକ୍ଷରେ ଅମ୍ଳାନ ୨୦୧୩ରେ ରିଲିଜ୍‌ ହୋଇଥିବା ସିନେମା ‘ଟାର୍ଗେଟ’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଏହାର ପ୍ରଯୋଜନା କରିଥିଲେ ନିରଞ୍ଜନ ରଣା ଏବଂ ନିର୍ଦ୍ଦେଶନା ଦେଇଥିଲେ ଏସ କେ ମୁରଲୀଧରନ୍‌। ଏଥିରେ ଝିଲିକ୍‌ ନାୟିକାଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ।


ଏ ଦୁହେଁ ଅଳ୍ପ ଦିନ ଭିତରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିଲେ । ହେଲେ ଆକାଶ ଓ ଅମ୍ଳାନ ଏକାଠି ନଜର ଆସିଥିଲେ ୨୦୧୬ରେ ମୁକ୍ତିପ୍ରାପ୍ତ ଓଡ଼ିଆ ଛବି ‘ତୁ କହିବୁ ନା ମୁଁ’ରେ । ଏଥିରେ ଅମ୍ଳାନ ଥିଲେ ନାୟକ ଓ ନବାଗତା ନିହାରିକା ବନିଥିଲେ ନାୟିକା । ଏଥିରେ ସ୍ପେସିଆଲ୍‌ ଆପିଅରାନ୍ସରେ ଥିଲେ ଆକାଶ । ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ ତୁ କହିବୁ ନା ମୁଁ’ ପରେ ଆଉ ଆକାଶ ଓ ଅମ୍ଳାନ ଏକାଠି ନଜର ଆସି ନାହାଁନ୍ତି ।

ସମ୍ବନ୍ଧିତ ଖବର