ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସହ କାମ କରିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି ଆଲିଆ , ଜାଣନ୍ତୁ ଏହାର କାରଣ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ଆଲିଆ ଭଟ୍ଟ ଏବେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ସହ କାମ କରିବାକୁ ବିଶେଷ ଆଗ୍ରହ ଦେଖାଉଥିବା ଜଣାଯାଇଛି। ହେଲେ ଆପଣ ଏହାକୁ ନେଇ ଆଦୌ ବିସ୍ମିତ ହୁଅନ୍ତୁ ନାହିଁ।
ଅସଲ କଥାଟା ହେଲା ଯେ ଆଲିଆ ଭଟ୍ଟ ପୁରୁଷ ନିର୍ଦ୍ଦେଶକମାନଙ୍କ ଅପେକ୍ଷା ମହିଳା ନିର୍ଦ୍ଦେଶକମାନଙ୍କ ସହ କାମ କରିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି। ବିଶେଷ କରି ଜଣାଶୁଣା ନିର୍ଦ୍ଦେଶିକା ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରାଜି’ ବକ୍ସ ଅଫିସରେ ବ୍ଲକବଷ୍ଟର ହେବା ପରେ ଆଲିଆ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ରାଜି ଇତିମଧ୍ୟରେ ଶହେ କୋଟି କ୍ଲବରେ ସାମିଲ ହୋଇ ସାରିଛି।
ଖାଲି ‘ରାଜି’ ହିଟ୍‌ ଯେ ହୋଇଛି, ତାହା ନୁହେଁ ବରଂ ଏଥିରେ ଉଚ୍ଚକୋଟିର ଅଭିନୟ କରି ମଧ୍ୟ ସେ ପ୍ରଶଂସା ସାଉଁଟିଛନ୍ତି। ଏବେ ଶୁଣିବାକୁ ମିଳୁଛି ଯେ ଆଲିଆ ଭଟ୍ଟ ପ୍ରଖ୍ୟାତ ମହିଳା ନିର୍ଦ୍ଦେଶକ ଗୌରୀ ସିନ୍ଦେ ଓ ପୂଜା ଭଟ୍ଟଙ୍କ ଫିଲ୍ମରେ ବି କାମ କରିବେ। ଆଗରୁ ଆଲିଆ ଗୌରୀଙ୍କ ନିର୍ଦ୍ଦେଶିତ ‘ଡିଅର୍‌ ଜିନ୍ଦେଗି’ ରେ କାମ କରିଥିଲେ। ଏବେ ଦୁହେଁ ପୁଣି ଏକ ସିନେମାରେ କାମ କରୁଛନ୍ତି।
ତେଣେ ପୂଜା ଭଟ୍ଟ ଆଲିଆଙ୍କୁୁ ନେଇ ‘ସଡକ୍‌-୨’ ନିର୍ମାଣ କରୁଛନ୍ତି। ଏହାର ନିର୍ଦ୍ଦେଶନା ଦେବେ ପୂଜା।
ଆଲିଆ ଭଟ୍ଟ ନିକଟରେ ଆଉ ଜଣେ ଚର୍ଚ୍ଚିତ ନିର୍ଦ୍ଦେଶିକା ଜୋୟା ଅଖତରଙ୍କ ଫିଲ୍ମ ‘ଗୁଲି ବୟ’ରେ କାମ କରୁଛନ୍ତି। ଏଥିରେ ରଣବୀର ସିଂହଙ୍କ ସହିତ ପ୍ରଥମ ଥର ପାଇଁ ନଜର ଆସିବେ ଆଲିଆ ଭଟ୍ଟ।


ଆଲିଆ ଆଉ ଜଣେ ନିର୍ଦ୍ଦେଶିକା ଅଶ୍ୱିନୀ ଅୟର ତିଓ୍ଵାରିଙ୍କ ଫିଲ୍ମରେ ମଧ୍ୟ କାମ କରିବେ ବୋଲି ଜଣାଯାଇଛି। ଆଲିଆଙ୍କ ଅନୁଯାୟୀ ମହିଳା ନିର୍ଦ୍ଦେଶକମାନେ ତାଙ୍କ ଚରିତ୍ରକୁ ପରଦାରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଣୁ ସେମାନଙ୍କ ସହ କାମ କରିବାକୁ ବେଶି ଗୁରୁତ୍ୱ ଦେଉଛନ୍ତି ଆଲିଆ ଭଟ୍ଟ।

ସମ୍ବନ୍ଧିତ ଖବର