Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

୭୫ରେ ମହାନାୟକ : ସାତ ହିନ୍ଦୁସ୍ତାନୀରୁ କେବିସି

0 458

୭୫ ବର୍ଷରେ ପଦାର୍ପଣ କରିଛନ୍ତି ମହାନାୟକ ଅଭିତାଭ ବଚ୍ଚନ। ବଲିଡଡ୍ ବାଦଶାହ ଅମିତାଭ ବଚ୍ଚନଙ୍କର ଆଜି ୭୫ତମ ଜନ୍ମଦିନ । ଏଥର ମାଳଦ୍ୱୀପରେ ଜନ୍ମଦିନ ପାଳୁଛନ୍ତି ଅମିତାଭ । ନିଜ ପରିବାର ସହ ନିରାଡମ୍ବର ଜନ୍ମ ଦିନ ପାଳିବାକୁ ମାଳଦ୍ୱୀପ ଯାଇଛନ୍ତି ବିଗ-ବି । ଅମିତାଭ ବଚ୍ଚନଙ୍କ ସହ ପତ୍ନୀ ଜୟାବଚ୍ଚନ, ପୁଅ ଅଭିଷେକ, ବୋହୁ ଐଶ୍ୱର୍ଯ୍ୟା ଓ ନାତୁଣୀ ଆରାଧ୍ୟା ମଧ୍ୟ ମାଳଦ୍ୱୀପ ଗସ୍ତ କରିଛନ୍ତି ।

ତେବେ ହିନ୍ଦୀ ସିନେମା ଜଗତର ଶେହେନଶାହ ବିଗ୍ ବିଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ। ଅମିତାଭ ବଚ୍ଚନଙ୍କ ସଫଳତାକୁ ସମସ୍ତେ ଜାଣିଛନ୍ତି କିନ୍ତୁ ଏହି ସଫଳତା ପଛରେ ଲୁଚି ରହିଥିବା ସଂଘର୍ଷକୁ ବହୁତ କମ ଲୋକ ଜାଣନ୍ତି । ବିଗ୍ ବିଙ୍କ ଜନ୍ମଦିନ ଅବସରରେ, ଆସନ୍ତୁ ନଜର ପକେଇବା ତାଙ୍କର ଏହି ସଂଘର୍ଷରୁ ସଫଳତାର କାହାଣୀ ଉପରେ ।

ସାତ ହିନ୍ଦୁସ୍ତାନୀରେ ଅନୱର : ଅନୱର ଅଲ୍ଲୀ ଅନୱର । ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରଥମ ସ୍କ୍ରିନ୍ ନାଁ । ଏହାକୁ ପ୍ରାୟ ଦର୍ଶକ ଶୁଣି ନ ଥିବେ । କାରଣ ୧୯୬୯ରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ର ସାତ ହିନ୍ଦୁସ୍ତାନୀ, ଦର୍ଶକଙ୍କ ମଧ୍ୟରେ ସେତେ ଆଦୃତ ହୋଇ ନଥିଲା । ହେଲେ ଆଜି ଯେତେବେଳେ ଏହି ମହାନାୟକଙ୍କ ବିଷୟରେ ଚର୍ଚ୍ଚା କରୁଛୁ, ତେବେ ତାଙ୍କ ଜୀବନର ପ୍ରଥମ ଚଳଚ୍ଚିତ୍ରକୁ ବାଦ ଦିଆଯାଇ ନପାରେ ।

ଆନନ୍ଦରେ ମିଳିଥିଲା ରାଜେଶଙ୍କ ସାଥ୍ ଓ ପ୍ରଥମ ସଫଳତା :ସାଥ ହିନ୍ଦୁସ୍ତାନୀ ପରେ ବି ୨/ ୩ଟି ଫ୍ଲପ୍ ଚଳଚ୍ଚିତ୍ରରେ ନଜର ଆସିଲେ ଅମିତାଭ । ୧୯୭୧ରେ ରିଲିଜ୍ ହେଲା ତତ୍କାଳୀନ ସୁପରଷ୍ଟାର୍ ରାଜେଶ ଖନ୍ନାଙ୍କ ଫିଲ୍ମ ଆନନ୍ଦ । ଯେଉଁଥିରେ ଅମିତାଭଙ୍କ ସହ-ଅଭିନେତା ଭାବେ ଦେଖିବାକୁ ମିଳିଥିଲା । ରାଜେଶ ଖନ୍ନାଙ୍କ ଉପସ୍ଥିତି ସତ୍ୱେ ନିଜ ଅଭିନୟର ଏକ ଭିନ୍ନ ଛାପ ଛାଡିବାକୁ ସଫଳ ହୋଇଥିଲେ ଅମିତାଭ । ଆଉ ଅମିତାଭଙ୍କୁ ଫିଲ୍ମ ଫେୟାର୍ ତରଫରୁ ମିଳିଲା ଶ୍ରେଷ୍ଠ ସହ କଳାକାରର ସମ୍ମାନ ।

ଫ୍ଲପ୍ ଭିତରେ ବି ଉଲ୍ଲେଖଯୋଗ୍ୟ ବମ୍ବେ ଟୁ ଗୋଆ :ଆନନ୍ଦରେ ଦମଦାର ଅଭିନୟ ପରେ ଲାଗୁଥିଲା ଅମିତାଭଙ୍କ କ୍ୟାରିୟର୍ ଏକ ଭିନ୍ନ ମୋଡ ନେବ । ମାତ୍ର ବିଫଳତା ଯେପରି ତାଙ୍କ ପିଛା ଛାଡିବାକୁ ନାରାଜ ଥିଲା । ଗୋଟିଏ ପରେ ଗୋଟିଏ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହେବାକୁ ଲାଗିଥିଲା । ପ୍ୟାର୍ କି କାହାନୀ, ସଂଯୋଗ, ପିୟା କା ଘର, ବଂଶୀ ବିରଜୁ, ରାସ୍ତେ କା ପଥ୍ର, ଗରମ ମସାଲା ଭଳି ଏକାଧିକ ଫିଲ୍ମ ତାଙ୍କ କ୍ୟାରିୟର ରେ ଯୋଡି ହୋଇ ଚାଲିଥିଲା । କିନ୍ତୁ ଏହି ଫ୍ଲପ୍ ସିରିଜ୍ ଭିତରେ ଗୋଟିଏ ଚଳଚ୍ଚିତ୍ର ଥିଲା ବମ୍ବେ ଟୁ ଗୋଆ । ଯାହାର ଗୀତକୁ ଆଜି ବି ଦର୍ଶକ ମନେପକାନ୍ତି ।

ଜଞ୍ଜିରରୁ ଆରମ୍ଭ ହେଲା ସଫଳତା ଯାତ୍ରା :ବିଶିଷ୍ଟ କବି ତଥା ଲେଖକ ହରିବଂଶ ରାୟ ବଚ୍ଚନଙ୍କ ପୁଅ ହେବା ସତ୍ୱେ ଅମିତାଭଙ୍କୁ ବଲିଉଡରେ ପ୍ରବେଶ କରିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ଲଗାତାର ଫ୍ଲଫ୍ ସିନେମା ତାଙ୍କ କ୍ୟାରିୟରକୁ ଅସ୍ତ ଆଡକୁ ନେଇଯାଇଥିଲା । ଅନେକ ଲୋକ ତାଙ୍କୁ ଇଣ୍ଡଷ୍ଟ୍ରି ଛାଡି ଫେରିଯିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ମାତ୍ର ହାର ମାନିନଥିଲେ ଅମିତାଭ। ୧୯୭୩ରେ ରିଲିଜ୍ ହୋଇଥିଲା ପ୍ରକାଶ ମେହେରାଙ୍କ ଫିଲ୍ମ ଜଞ୍ଜିର । ଯେଉଁଥିରେ ସେ ପ୍ରଥମ ଥର ପାଇଁ ସଫଳତାର ସ୍ୱାଦ ଚାଖିଲେ ଓ ରାତାରାତି ପାଲଟିଗଲେ ସୁପରଷ୍ଟାର । ଏହି ସିନେମା ପରେ ଦର୍ଶକ ତାଙ୍କୁ ଦେଇଥିଲେ ଆଙ୍ଗ୍ରି ୟଙ୍ଗ୍ ମ୍ୟାନର ଆଖ୍ୟା ।

ଆଉ ପାଦେ ଆଗକୁ ନେଲା ଦିୱାର : ଜଞ୍ଜିର ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଅମିତାଭ । ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଭେଟିଦେଇଥିଲେ ସିନେ ପ୍ରେମୀଙ୍କୁ । ଏହି ଧାରାରେ ୧୯୭୫ ମସିହାର ପ୍ରଥମ ଭାଗରେ ରିଲିଜ୍ ହୋଇଥିଲା ବୋହୁ ଚର୍ଚ୍ଚିତ ଫିଲ୍ମ ଦିୱାର । ସିନେମାରେ ଅମିତାଭଙ୍କର ଆକ୍ସନ୍ ସିନ୍ ଓ ଦମଦାର ଡାଇଲଗ୍ସ ବେଶ୍ ପ୍ରଭାବିତ କରିଥିଲା ଦର୍ଶକଙ୍କୁ ।

ଶୋଲେରେ କଲେ ବାଜିମାତ୍ :୧୫ ଅଗଷ୍ଟ ୧୯୭୫, ରିଲିଜ୍ ହୋଇଥିଲା ଚଳଚ୍ଚିତ୍ର ଶୋଲେ ଯାହା ହିନ୍ଦୀ ସିନେମା ଜଗତରେ ରଚିଥିଲା ଇତିହାସ। ଏଥିରେ ଅମିତାଭଙ୍କ ଅଭିନୟ ଓ ଅନ୍ଦାଜର ଦିୱାନା ହୋଇଯାଇଥିଲେ ଦର୍ଶକ ।

ଚୁପକେ ଚୁପକେ ଓ ମିଲିରେ ନୂଆ ଇମେଜ୍ :ଗୋଟିଏ ପଟେ ଦିୱାର୍, ଜମିର୍ ଓ ସୋଲେ ଭଳି ଆକ୍ସନ ମୁଭି ଅମିତାଭଙ୍କୁ ଆଙ୍ଗ୍ରି ୟଙ୍ଗମାନର ପରିଚୟ ଦେଉଥିବାବେଳେ ଅନ୍ୟପଟେ ସେହି ମସିହାରେ ହିଁ ଅମିତାଭଙ୍କୁ ନେଇ ରିଲିଜ୍ ହୋଇଥିଲା ହ୍ରୁଷୀକେଶ ମୁଖାର୍ଜୀଙ୍କ ଦୁଇଟି ଚଳଚ୍ଚିତ୍ର ଚୁପକେ ଚୁପକେ ଓ ମିଲି । ଏହି ସିନେମାରେ ଅମିତାଭଙ୍କୁ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିଲା ।

କଭି କଭିରେ ରୋମାଣ୍ଟିକ୍ ହିରୋ :୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ର କଭି କଭି । ଏହି ସିନେମା ଅମିତାଭଙ୍କୁ ରୋମାଣ୍ଟିକ ନାୟକର ପରିଚୟ ଦେଇଥିଲା ।

ଅମର ଅକବର୍ ଆନ୍ଥୋନି ଦେଲା ପ୍ରଥମ ଥର ପାଇଁ ଫିଲ୍ମ ଫେୟାର ପୁରସ୍କାର: ଅମର ଅକବର ଆନ୍ଥୋନୀ ଅମିତାଭ ବଚ୍ଚନଙ୍କ କ୍ୟାରିୟରର ଅନ୍ୟତମ ସୁପରହିଟ ସିନେମା । ଏହି ଫିଲ୍ମ ପାଇଁ ଅମିତାଭ୍ ପ୍ରଥମ ଥର ପାଇଁ ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତାର ସମ୍ମାନ ହାତେଇଥିଲେ ।

ଡନ୍, ୟାରାନା ଓ ଶେହେନଶାହ :ଧିରେ ଧିରେ ବଲିଉଡ୍ର ନମ୍ବର ୱାନ ନାୟକର ସ୍ଥାନ ଅକ୍ତିଆର କରିବାରେ ଲାଗିଥିଲେ ଅମିତାଭ୍ । ୭୦ ଦଶକରେ ଯେପରି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଛାଇ ଯାଇଥିଲେ ସେ । ଯେଉଁ ଫିଲ୍ମରେ ବି ଅଭିନୟ କରୁଥିଲେ ତାହା ହିଟ୍ ହେଉଥିଲା । ଏହାରି ଭିତରେ ଅମିତାଭଙ୍କ ଖଳନାୟିକିର ମଧ୍ୟ ଝଲକ ଦେଖିବାକୁ ମିଳିଥିଲା ୧୯୭୮ର ସିନେମା ଡନରେ।
୭୦ ଦଶକ ଭଳି ୮୦ ଦଶକରେ ବି ବଲିଉଡରେ ଛାଇ ରହିଲେ ଅମିତାଭ । ୮୦ ଦଶକର ପ୍ରଥମ ଭାଗରେ ନସିବ୍, ଲାୱାରିସ୍, ସିଲସିଲା, କାଲିଆ, ସତେ ପେ ସତା, ନମକ ହଲାଲ ଭଳି ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ରର ଲମ୍ବା ଲାଇନ୍ ଲାଗିଥିଲା ଅମିତାଭଙ୍କ କ୍ୟାରିୟରରେ ।

କୁଲିରେ ମିଳିଲା ନୂଆ ଜୀବନ!୧୯୮୩ ମସିହାରେ ବଲିଉଡର ଏହି ମେଗା ଷ୍ଟାରଙ୍କ ଉପରେ ଯେମିତି ନଜର ଲାଗିଗଲା । କ୍ୟାରିୟରର ଶୀର୍ଷରେ ଥିବା ଅମିତାଭ, କୁଲି ଚଳଚ୍ଚିତ୍ରର ସୁଟିଂ ସେଟରେ ସାମ୍ନା କରିଥିଲେ ଏକ ବଡ ଦୁର୍ଘଟଣା । ଫାଇଟ୍ ସିନ୍ ସୁଟ କରିବା ସମୟରେ ଆହତ ହୋଇ ପଡିଥିଲେ । ସେତେବେଳେ ଲାଗୁଥିଲା ଅମିତାଭଙ୍କ କ୍ୟାରିୟରରେ ଏଇଠି ପୂର୍ଣ୍ଣଚ୍ଛେଦ ପଡିଯିବ । ମାତ୍ର ଆସନ୍ନ ମୃତ୍ୟୁକୁ ପଛରେ ପକାଇ ପୁଣି ଥରେ ପରଦାକୁ ଫେରିଥିଲେ ବଲିଉଡର ସେହେନ୍ସା ।
୯୦ ଦଶକରେ ଅମିତାଭ ବଚ୍ଚନଙ୍କ ସଫଳତାର କାହାଣୀ ଆରମ୍ଭ ହୋଇଥିଲା ଚଳଚ୍ଚିତ୍ର ଅଗ୍ନିପଥ ସହିତ । ହମ୍, ଅଜୁବା, ଆଜକା ଅର୍ଜୁନ, ଖୁଦା ଗୱା ଭଳି ଭିନ୍ନ ଭିନ୍ନ ଚରିତ୍ରର ସିନେମା ଭେଟି ଦେଇଥିଲେ ଅମିତାଭ ।

ମୋହବତେଁ ଓ ବାଗବାନରେ ସଫଳ ଚରିତ୍ର ଅଭିନେତା :ଏହାପରେ ଧିରେ ଧିରେ କ୍ୟାରାକ୍ଟର ରୋଲରେ ନଜର ଆସିଲେ ବଲିଉଡ୍ର ଏହି ସେହେନ୍ସା । ବର୍ଷ ୨୦୦୦ରେ ମୋହବତେଁ, ୨୦୦୧ରେ କଭି ଖୁସି କଭି ଗମ୍, ୨୦୦୨ରେ ଆଖେଁ, ୨୦୦୩ରେ ବାଗବାନ ଭଳି ସିନେମାରେ ଅମିତାଭ୍ ବଚ୍ଚନଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଲା । ଏଠି ବି ଦର୍ଶକ ଭରପୁର ପସନ୍ଦ କଲେ ବିଗ୍ ବିଙ୍କ ଅଭିନୟକୁ ।

ଛୋଟ ପରଦାର ବାଦଶାହ : କୌନ ବନେଗା କରୋଡ ପତିରେ କୁଇଜ୍ ମାଷ୍ଟର :ବଡ ପରଦା ସହ ଛୋଟ ପରଦାରେ ମଧ୍ୟ ଢେର୍ ଲୋକପ୍ରିୟତା ହାସଲ କଲେ ବିଗ୍ ବି ଅମିତାଭ୍ । ରିୟାଲିଟି ସୋ କୌନ ବନେଗା କରୋଡପତି ସିରିଜ୍ରେ ଅମିତାଭଙ୍କ ନିଆରା ଉପସ୍ଥାପନା ଶୈଳିକୁ ବେଶ ପସନ୍ଦ କଲେ ଦର୍ଶକ ।

ସେହିପରି, ପା, ବ୍ଲାକ୍, ସରକାର ଭଳି ସିନେମାରେ ଅମିତାଭ ବଚ୍ଚନଙ୍କ ଦମଦାର୍ ଅଭିନୟ ତାଙ୍କୁ ଇଣ୍ଡଷ୍ଟ୍ରୀର ନମ୍ବାର ଏକ ଅଭିନେତାର ପରିଚୟ ଦେଲା । ନିଜର ବଳିଷ୍ଠ ଓ ବାସ୍ତବବାଦୀ ଅଭିନୟ ପାଇଁ ଅମିତାଭ ଚାରି ଚାରିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏହା ଛଡା ଭାରତ ସରକାର ତାଙ୍କୁ ପଦ୍ନଶ୍ରୀ ଓ ପଦ୍ମବିଭୁଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରିଛନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

eleven − 1 =