ମଙ୍ଗୁର ଉତ୍ତରରେ ଗୋଳମାଳ ହେଲା ପ୍ରଶ୍ନକର୍ତ୍ତାଙ୍କ ମୁଣ୍ଡ !

ମୋବାଇଲରେ ଖୁଡୁଖୁଡୁ କରୁଥିବା ବେଳେ ହଠାତ ଆମ ଟୋକା ମଙ୍ଗୁ କିଏ ହେବ ଟଙ୍କାପତି ପ୍ରତିଯୋଗିତାରେ ଖେଳିବାର ସୁଯୋଗ ପାଇଲା | ପ୍ରଶ୍ନର ଉତ୍ତର ଦେଇ ଟଙ୍କା ପାଇବାର ଲୋଭ ମଙ୍ଗୁକୁ ପ୍ରତିଯୋଗିତାରେ ଭାଗ ନେବାକୁ ଉତ୍ସାହିତ କଲା | ଏହି କଥାଟି ଭିନ୍ନ ଯେ ମଙ୍ଗୁ ଆମର ବହୁ ଦିନରୁ ତା’ ପ୍ରେମିକାକୁ ଅନାରକଲି ଡ୍ରେସଟିଏ ଦେବାର ଶପଥ ନେଇସାରିଥିଲା, ତେଣୁ ଯାହା ବି ଉତ୍ତର ଦେଇ ୩ ହଜାର ଟଙ୍କା ପାଇବାର ପ୍ରଶ୍ନ ମଙ୍ଗୁକୁ କାର୍ଯ୍ୟକ୍ରମରେ ଭାଗ ନେବାକୁ ଭିଡି ନେଇଥିଲା | ରଙ୍ଗାରଙ୍ଗ ମଞ୍ଚରେ କିଛି ଦର୍ଶକଙ୍କ ଗହଣରେ ବସିଥିଲେ ମଙ୍ଗୁବାବୁ | ପ୍ରଶ୍ନକର୍ତ୍ତା ଆସିଲେ ଆଉ ପଚାରିଲେ ସ୍ୱାଗତ କରିବା ଢଙ୍ଗରେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହେଲା |

ପ୍ରଶ୍ନକର୍ତ୍ତା: ମଙ୍ଗୁ ବାବୁ ଆପଣଙ୍କୁ ଏହି ଟଙ୍କା ଖେଳକୁ ସ୍ୱାଗତ | ଆପଣଙ୍କୁ ତିନିଟି ପ୍ରଶ୍ନ ପଚରାଯିବ ଓ ସଠିକ ଉତ୍ତର ଦେଲେ ତିନି ହଜାର ଟଙ୍କା ଜିତିପାରିବେ | ଖେଳ ଆରମ୍ଭ କରିବା ପୂର୍ବରୁ ଆପଣ କିଛି ସ୍ମରଣୀୟ ଓ ଖୁସିର ମୁହୂର୍ତ୍ତକୁ ମନେପକାନ୍ତୁ ଓ ଦର୍ଶକଙ୍କ ସହ ଆପଣ ସେୟାର ମଧ୍ୟ କରିପାରିବେ |

ମଙ୍ଗୁ: ଆଜ୍ଞା,ମୋର ସେହି ମୁହୂର୍ତ୍ତ ସବୁବେଳେ ମନେପଡେ | ମୋ ଘର ପାଖରେ ଦିନେ ବଡ ବଡ କୁଠା ନଥିଲା | ରାତିରେ ମୁଁ ପେଟେ ଚିକେନ ଖାଉଥିଲି, ସକାଳୁ ମୋ ପେଟ ଗଡବଡ ହେଲେ ପଛ ପଡିଆକୁ ଧାଉଁଥିଲି | ସୁଲୁସୁଲୁ ପବନ ସହ ବୁଦୁବୁଦିଆ ଘାସ ମଧ୍ୟରେ ପେଟ ଖଲାସ କରିବା କି ଆନନ୍ଦ | ଓଃ, ସବୁ ମନେପଡୁଛି | ଏବେ ତ ମାଳମାଳ କୁଠା ହୋଇସାରିଲାଣି, ଆଉ କୁଆଡେ ଯିବି | ଘରେ ଶୌଚାଳୟଟିଏ ହୋଇଥିଲେ ବି ସେ ମୁହୂର୍ତ୍ତ ସତରେ ଅଭୁଲା |

ପ୍ରଶ୍ନକର୍ତ୍ତା: ଛାଡ଼ନ୍ତୁ ମଙ୍ଗୁବାବୁ ପ୍ରଥମ ପ୍ରଶ୍ନ ଆପଣଙ୍କ ପାଇଁ | ଏହି ପ୍ରଶ୍ନର ଉତ୍ତରରେ ଆପଣ ୧ ହଜାର ଟଙ୍କା ଜିତିପାରିବେ | ଅଭିମନ୍ୟୁ କିଏ ଥିଲେ ?
ଅପସନ-୧ ଅର୍ଜୁନଙ୍କ ପୁଅ
ଅପସନ -୨ ଭୀମଙ୍କ ପୁଅ
ଅପସନ-୩ କୃଷ୍ଣଙ୍କ ପୁଅ
ଅପସନ-୪ ଧୃତରାଷ୍ଟ୍ରଙ୍କ ପୁଅ
ମଙ୍ଗୁ: ଆଜ୍ଞା ଦିଆଯାଇଥିବା ଅପସନରେ ଉତ୍ତର ନାହିଁ | ସଠିକ ଉତ୍ତର ହେଉଛି ଅଭିମନ୍ୟୁ ହେଉଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି | ହଲରେ ଯାଇକି ପ୍ରେମିକା ସହ ଫସିଗଲା ଅଭିମନ୍ୟୁ ଫିଲ୍ମ ଦେଖିଥିଲି, ଅନୁଭବ ଅଭିନୟ କରିଥିଲେ ଆପଣ କାହା କାହା କଥା କହୁଛନ୍ତି |

ପ୍ରଶ୍ନକର୍ତ୍ତା: ମଙ୍ଗୁ ବାବୁ ଆପଣ ଭୁଲ ଉତ୍ତର ଦେଲେ, କିଛି କଥା ନାହିଁ ଏବେ ଦ୍ଵିତୀୟ ପ୍ରଶ୍ନ | ଚନ୍ଦ୍ରକୁ ଯାଇଥିବା ଚନ୍ଦ୍ରଯାନ କେଉଁଠି ଅଛି |
ଅପସନ-୧ ଚନ୍ଦ୍ରର କକ୍ଷପଥରେ ପହଂଚିଛି
ଅପସନ-୨ ପୃଥିବୀର କକ୍ଷପଥରେ ଅଛି
ଅପସନ -୩ ଲ୍ୟାଣ୍ଡର ବିକ୍ରମ ଅବତରଣ କରାଇଛି
ଅପସନ ୪ ଇସ୍ରୋ ଏବେ ଅନୁସନ୍ଧାନ କରୁଛି
ମଙ୍ଗୁ: ଆଜ୍ଞା, କାହିଁକି ଏଭଳି ପ୍ରଶ୍ନ କରୁଛନ୍ତି, ଯାହାର ଉତ୍ତର ଅପସନରେ ନାହିଁ | ପ୍ରକୃତରେ ଚନ୍ଦ୍ରଯାନ କେଉଁଠି ଅଛି ମୁଁ କଣ କେହି ବି କହିପାରିବେ ନାହିଁ | ବୁଢ଼ୀ ମା କହୁଥିଲା ଜହ୍ନରେ ଠେକୁଆଟିଏ ଅଛି, ତେଣୁ ଠେକୁଆ ହିଁ କହିପାରିବ ଚନ୍ଦ୍ରଯାନ କୁଆଡେ ଗଲା |

ପ୍ରଶ୍ନକର୍ତ୍ତା: ମଙ୍ଗୁବାବୁ ଆପଣ ଭୁଲ ଉତ୍ତର ଦେଲେ, ଏଇଟା ଆପଣଙ୍କର ଶେଷ ପ୍ରଶ୍ନ | କହିଦେଲେ ଜିତିଯିବେ ୩ ହଜାର ଟଙ୍କା | ବାଇକରେ କେତେଜଣ ବସିବାର ନିୟମ ଅଛି ?
ଅପସନ-୧ ଜଣେ
ଅପସନ-୨ ଦୁଇ ଜଣ
ଅପସନ -୩ ତିନିଜଣ
ଅପସନ ୪ -ଜଣାନାହିଁ
ମଙ୍ଗୁ: ଆଜ୍ଞା ନିୟମ କ’ଣ ମୁଁ ଜାଣିନି କିନ୍ତୁ ସତ ହେଉଛି ବାଇକର ସିଟ ଦେଖିକି ମୁଁ ଓ ମୋ ସାଙ୍ଗମାନେ ବସିଥାଉ | କେତେବେଳେ ତିନିଜଣ ଓ ପୁଣି କେତେବେଳେ ୫ ଜଣ ବି ଲଦି ହୋଇ ବସିକି ଝିଅଙ୍କୁ କମେଣ୍ଟ ମାରିଥାଉ, ତେଣୁ ନିୟମକୁ କିଏ ପଚାରେ |

ମଙ୍ଗୁଆର ଉତ୍ତର ଶୁଣି ପ୍ରଶ୍ନକର୍ତ୍ତା ବେହୋସ ହୋଇଗଲେ ଓ ମଙ୍ଗୁ ବି ଜାଣି ପାରିଲାନି ଏଭଳି କାହିଁକି ଘଟିଲା ?
(ବି.ଦ୍ର: କାହାକୁ ଉପହାସ କରିବା ଆମର ଉଦ୍ଦେଶ୍ୟ ନୁହେଁ, ଏହା କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ଲେଖାଯାଇଛି)

ସମ୍ବନ୍ଧିତ ଖବର