ଅଟୋ ଚାଳକଙ୍କୁ ଅନୁପମ୍‌ ଖେର୍‌ଙ୍କ ପ୍ରଶ୍ନ: କ’ଣ ପାଇଁ ଦ ଆକ୍ସିଡ଼େଣ୍ଟାଲ ପ୍ରାଇମ୍‌ ମିନିଷ୍ଟର ଦେଖିବାକୁ ଚାହୁଁଛ? ମିଳିଲା ଏଭଳି ଉତ୍ତର

ମୁମ୍ବାଇ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ତିଆରି ହୋଇଥିବା ଫିଲ୍ମ ‘ଦ ଆକ୍ସିଡ଼େଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର ରିଲିଜ୍‌ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ୟୁଟ୍ୟୁବ୍‌ରୁ ଟ୍ରେଲରକୁ ହଟାଇ ଦିଆଯିବା ସହ ଫିଲ୍ମକୁ ରିଲିଜ୍‌ ନ କରିବା ପାଇଁ ଅନେକ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ଫିଲ୍ମଟି ସଞ୍ଜୟ ବାରୁଙ୍କ ରଚିତ ପୁସ୍ତକ ଆଧାରରେ କରାଯାଇଥିବା ବେଳେ ଟ୍ରେଲର ରିଲିଜ୍‌ ପରେ ମନମୋହନ ସିଂହଙ୍କ ଚରିତ୍ରରେ ନଜର ଆସୁଥିବା ଅଭିନେତା ଅନୁମପ୍‌ ଖେର୍‌ଙ୍କ ଉପରେ ମାମଲା ରୁଜୁ କରାଯାଇଛି । ଫିଲ୍ମଟି ଜାନୁଆରି ୧୧ରେ ରିଲିଜ୍‌ ହେବାକୁ ଥିବା ବେଳେ ଫିଲ୍ମକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ତେବେ ଏତେ ବିବାଦ ସତ୍ତ୍ୱେ ଅଭିନେତା ଅନୁପମ୍‌ ଖେର୍‌ ଫିଲ୍ମର ପ୍ରମୋସନ କରିବାରେ ଲାଗି ପଡ଼ିଛନ୍ତି । ଏ ମଧ୍ୟରେ ସେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଭିଡିଓରେ ସେ ଏକ ଅଟୋ ଚାଳକଙ୍କୁ ପ୍ରଶ୍ନ ପଚାରୁଥିବା ଦେଖା ଯାଇଛି ।

ପୋଷ୍ଟ କରାଯାଉଥିବା ଭିଡିଓରେ ଅନୁପମ୍‌ ଖେର୍‌ଙ୍କ ଅଟୋ ଚାଳକଙ୍କୁ,”ତୁମେ ଦ ଆକ୍ସିଡ଼େଣ୍ଟାଲ ପ୍ରାଇମ୍‌ ମିନିଷ୍ଟର କ’ଣ ପାଇଁ ଦେଖିବାକୁ ଚାହୁଁଛ?”ବୋଲି ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ “କିଏ ଠିକ୍‌ ରାଜନେତା ଏବଂ କିଏ ଭୁଲ ତାହା ଜାଣିବା ପାଇଁ ମୁଁ ଏହି ଫିଲ୍ମ ଦେଖିବାକୁ ଚାହିଁବି” ବୋଲି କହିଥିଲେ ଅଟୋ ଚାଳକ । ଏହା ଶୁଣି “ଫିଲ୍ମକୁ ରିଲିଜ୍‌ ନ କରିବା ପାଇଁ ଆମମାନଙ୍କ ଉପରେ ମାମଲା ରୁଜୁ କରାଯାଇଛି” ବୋଲି ଅନୁପମ ଖେର୍‌ କହିବା ପରେ ନିଜର ପ୍ରତିକ୍ରିୟା ରଖି ଯେହେତୁ ରାଜନେତା ତ ସେମାନେ ଏଭଳି ଫିଲ୍ମକୁ ରୋକିବା ପାଇଁ କିଛି ତ କରିବେ ନାଁ”ବୋଲି କହିଥିଲେ ଅଟୋ ଚାଳକ । ଅଭିନେତା ଅନୁପମ୍‌ ଖେର୍‌ ଏବଂ ଅଟୋ ଚାଳକଙ୍କ ଏହି କଥା ବାର୍ତ୍ତାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର