ରିଲିଜ୍‌ ପୂର୍ବରୁ ରେକର୍ଡ, ପୁଣି ଦର୍ଶକଙ୍କ ଭିତରେ ‘ବାହୁବଳୀ’ କ୍ରେଜ୍‌

ନୂଆଦିଲ୍ଲୀ: ମନେପକାନ୍ତୁ ଠିକ୍‌ ବର୍ଷେ ତଳର କଥା। ‘ବାହୁବଳୀ-୨: ଦ କନ୍‌କ୍ଲୁଜନ୍‌’ ନିଶାରେ ମାତାଲ ହୋଇଥିଲେ ଅଗଣତି ସିନେ ପ୍ରେମୀ। ଧୀରେ ଧୀରେ କମିଥିଲା ଚଳଚ୍ଚିତ୍ରର କ୍ରେଜ୍‌। କଟ୍ଟପା କାହିଁକି ବାହୁବଳୀକୁ ମାରିଥିବା ପ୍ରଶ୍ନର ଉତ୍ତର ପାଇବା ପରେ ସିନେପ୍ରେମୀମାନେ ଯେପରି ଥଣ୍ଡା ପଡ଼ିଯାଇଥିଲେ। ମାତ୍ର ଏବେ ପୁଣି ଥରେ ହଲ୍ଲା ମଛାଇଛି ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜମୈଲୀଙ୍କ ନିର୍ଦ୍ଦେଶିତେ ଚଳଚ୍ଚିତ୍ର ‘ବାହୁବଳୀ-୨’। ଗତବର୍ଷ ସିନା ଭରତରେ ଚହଳ ପକାଇଥିଲା, ଏବର୍ଷ ଚଳଚ୍ଚିତ୍ରଟି ଚୀନ ସିନେ ପ୍ରେମୀଙ୍କୁ ବାଇଆ କରିଛି।

ମେ ୪ ଅର୍ଥାତ ଆଜି ଚୀନରେ ଏହି ଚଳଚ୍ଚିତ୍ରଟି ପରଦାରେ ଆସିଛି। ଚଳଚ୍ଚିତ୍ରଟି ରିଲିଜ୍‌ ପରେ ବ୍ୟବସାୟିକ ରେକର୍ଡ ସୃଷ୍ଟି କରିବ ବୋଲି ତ ନିର୍ଦ୍ଦେଶକ ଆଶା ରଖିଥିଲେ ନିଶ୍ଚୟ। ମାତ୍ର ଖୁସିର କଥା ହେଉଛି ଚଳଚ୍ଚିତ୍ରଟି ରିଲିଜ୍‌ ପୂୂର୍ବରୁ ହିଁ ଏହାର ରେକର୍ଡ ସୃଷ୍ଟି କରିସାରିଛି। ଚଳଚ୍ଚିତ୍ରଟି ଚୀନରେ ୭୦୦୦ରୁ ଊର୍ଧ୍ୱ ପରଦାରେ ରିଲିଜ୍‌ ହେଉଛି। ଜାଣିବାକୁ ମିଳିଛି ଯେ ଏହି ଚଳଚ୍ଚିତ୍ରଟି ଦେଖିବା ପାଇଁ ଦର୍ଶକଙ୍କ ଭିତରେ ପ୍ରବଳ ଉତ୍ସୁକତା ରହିଛି। ଇତି ମଧ୍ୟ ୨ଲକ୍ଷ ୫୦ ହଜାର ଡଲାରର ଆଗୁଆ ଟିକେଟ୍‌ ବୁକିଂ ହୋଇ ସାରିଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ମେ ୨୮ ତାରିଖରେ ରିଲିଜ୍‌ ହୋଇଥିବା ‘ବାହୁବଳୀ-୨’ ଭାରତୀୟ ସିନେ ଜଗତ ପାଇଁ ଏକ ଇତିହାସ ପାଲଟି ଯାଇଛି। ଏହା ଏକ ବଲିଉଡ୍‌ ଚଳଚ୍ଚିତ୍ର ନ ହୋଇ ମଧ୍ୟ ବ୍ୟବସାୟିକ, ଲୋକପ୍ରିୟତା ସମସ୍ତ ଦିଗରୁ ବଲିଉଡ୍‌ ଚଳଚ୍ଚିତ୍ରଗୁଡ଼ିକର ରେକର୍ଡ କାଟି ଚର୍ଚ୍ଚା ପାଲଟିଛି ରାଜମୌଲୀଙ୍କ ‘ବାହୁବଳୀ-୨’।

ସମ୍ବନ୍ଧିତ ଖବର