ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର : ଓଲିଉଡର ଟପ୍‌ ହିରୋଇନ୍‌ମାନଙ୍କ ମଧ୍ୟରୁ ବର୍ଷା ପ୍ରିୟଦର୍ଶିନୀ ଅନ୍ୟତମ। ସେ ୨୦୦୩ରେ ମୁକ୍ତିପ୍ରାପ୍ତ ସୁପରହିଟ୍‌ ସିନେମା ‘ଏ ଯୁଗର କୃଷ୍ଣ ସୁଦାମା’ରୁ ଓଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ବର୍ଷା ଆଉ ପଛକୁ ଫେରି ଚାହିଁ ନାହାନ୍ତି।

ବର୍ଷା ୨୦୦୩ରୁ ୨୦୧୭ ମଧ୍ୟରେ ପ୍ରତିବର୍ଷ ଏକ ବା ଏକାଧିକ ଓଡ଼ିଆ ଛବିରେ ନଜର ଆସିଛନ୍ତି। ତାଙ୍କ ଅଭିନୀତ ଅନ୍ୟ ଉଲ୍ଲେଖନୀୟ ସିନେମା ମଧ୍ୟରେ ରହିଛି- ସୁନାଶଂଖାଳି, ସାବତ ମା, ଟୋପାଏ ସିନ୍ଦୂର ଦି ଟୋପା ଲୁହ, ତୁ ମୋ’ ଆଖିର ତାରା, ଥ୍ୟାଙ୍କ୍‌ ୟୁ ଭଗବାନ, ନେଇ ଯା’ରେ ମେଘ ମତେ, ତତେ ମୋ’ ରାଣ, ପ୍ରେମରୋଗୀ, ବାଜି, ସୁନା ଚଢ଼େଇ ମୋ’ ରୂପା ଚଢ଼େଇ, ଆମ ଭିତରେ କିଛି ଅଛି, ଧୀରେ ଧୀରେ ପ୍ରେମ ହେଲା, ମୋ’ ଦୁନିଆଁ ତୁ ହି ତୁ, କିଏ ସେ ଡାକୁଛି କୋଉଠି ମୋତେ, ଛାତିରେ ଲେଖିଛି ତୋ’ରି ନାଆଁ, ଶୁଭ ବିବାହ, ମାଟ୍ରିକ୍‌ ଫେଲ୍‌, ବାଳୁଙ୍ଗା ଟୋକା, ପ୍ରେମ ସବୁଠୁ ବଳବାନ୍‌, ମେଣ୍ଟାଲ୍‌, ଗପ ହେଲେ ବି ସତ, କେହି ଜଣେ ଭଲ ଲାଗେରେ, ସମ୍‌ଥିଙ୍ଗ୍‌ ସମ୍‌ଥିଙ୍ଗ୍‌, ଗୋଟେ ଶୁଆ, ଗୋଟେ ଶାରୀ, ଛାତି ତଳେ ଡିଂ ଡଙ୍ଗ୍‌ ଏବଂ ରୋମିଓ ଜୁଲିଅଟ୍‌ ଆଦି।

୨୦୧୭ରେ ବର୍ଷା ପ୍ରିୟଦର୍ଶିନୀଙ୍କୁ କେବଳ ଗୋଟିଏ ସିନେମାରେ ସନ୍ତୁଷ୍ଟ ହୋଇ ରହିବାକୁ ପଡ଼ିବ, କାରଣ ଏ ବର୍ଷ ଏଯାବତ୍‌ ତାଙ୍କ ଅଭିନୀତ କେବଳ ଗୋଟିଏ ଓଡ଼ିଆ ଛବି ମୁକ୍ତିଲାଭ କରିଛି। ଏହି ସିନେମାଟି ହେଲା ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ରୋମିଓ ଜୁଲିଅଟ୍‌, ଯେଉଁଥିରେ ଅରିନ୍ଦମ୍‌ଙ୍କ ବିପକ୍ଷରେ ଅଭିନୟ କରିଥିଲେ ବର୍ଷା। ବର୍ଷାଙ୍କୁ ଏ ବର୍ଷ ଅନ୍ୟ କୌଣସି ଓଡ଼ିଆ ଛବିରେ ଦେଖିବାର ସମ୍ଭାବନା ନାହିଁ, କାରଣ ତାଙ୍କର କୌଣସି ନୂଆ ଓଡ଼ିଆ ଛବି ଏବେ ଫ୍ଲୋର୍‌ରେ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ବର୍ଷା ପ୍ରିୟଦର୍ଶନୀଙ୍କ ସ୍ୱାମୀ ତଥା ଓଲିଉଡ୍‌ ନାୟକ ଅନୁଭବଙ୍କର ଏ ବର୍ଷ ଏଯାବତ୍‌ ଦୁଇଟି ଓଡ଼ିଆ ଛବି ‘ଅଭୟ-ଏ କମନ୍‌ ମ୍ୟାନ୍‌’ ଓ ‘କାବୁଲା ବାରବୁଲା’ ରିଲିଜ୍‌ ହୋଇଛି।

ସମ୍ବନ୍ଧିତ ଖବର