ଏହି ନିର୍ଦ୍ଦେଶକଙ୍କ ଫିଲ୍ମରେ ନାହାନ୍ତି ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର : ଓଲିଉଡର ଲୋକପ୍ରିୟ ନାୟିକାମାନଙ୍କ ମଧ୍ୟରୁ ଜଣେ ହେଲେ ବର୍ଷା ପ୍ରିୟଦର୍ଶିନୀ। ସେ ଓଡ଼ିଆ ସିନେ ଶିଳ୍ପ ସହ ପ୍ରାୟ ୧୪ ବର୍ଷ ହେବ ଜଡ଼ିତ ଅଛନ୍ତି। ଏହି ସମୟ ମଧ୍ୟରେ ବର୍ଷା ଓଲିଉଡର ଅଧିକାଂଶ ଟପ୍‌ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି। ହେଲେ ଏଯାବତ୍‌ ତାଙ୍କୁ କେତେଜଣ ନିର୍ଦ୍ଦେଶକ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇନାହାନ୍ତି।

ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ଥିଲା ‘ଏ ଯୁଗର କୃଷ୍ଣ ସୁଦାମା’, ଯାହାର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ସେ ହରଙ୍କ ବ୍ୟତୀତ ଓଡ଼ିଆ ସିନେ ଦୁନିଆର ବହୁ ଚର୍ଚ୍ଚିତ ନିର୍ଦ୍ଦେଶକଙ୍କ ଫିଲ୍ମରେ ନାୟିକା ସାଜିଛନ୍ତି। ହେଲେ ଯେଉଁ ନିର୍ଦ୍ଦେଶକଙ୍କ ସହ ଆଦୌ କାମ କରିନାହାନ୍ତି, ତାଙ୍କ ଭିତରେ ଅଛନ୍ତି ସଂଗ୍ରାମ ବିଶ୍ୱାଳ। ‘ରଖିଲେ ଶିବ ମାରିବ କିଏ’ରୁ ଆରମ୍ଭ କରି ‘ଲାଲ ଟୁକ୍‌ଟୁକ୍‌ ସାଧବ ବୋହୁ’ ଯାଏଁ ବେଶ୍‌ କେତୋଟି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିବା ସଂଗ୍ରାମଙ୍କ କୌଣସି ବି ସିନେମାରେ ନଜର ଆସିନାହାନ୍ତି ବର୍ଷା ପ୍ରିୟଦର୍ଶିନୀ।

ଠିକ୍‌ ସେହିପରି ‘ପଞ୍ଜୁରି ଭିତରେ ଶାରି’ରୁ ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ ଯାଏଁ ବେଶ୍‌ କେତୋଟି ଲୋକପ୍ରିୟ ଓଡ଼ିଆ ଛବି ଦର୍ଶକଙ୍କୁ ଉପହାର ଦେଇଥିବା ନିର୍ଦ୍ଦେଶକ ଅବତାର ସିଂହଙ୍କର କୌଣସି ବି ସିନେମାରେ ଅଭିନୟ କରିନାହାନ୍ତି ଲୋକପ୍ରିୟ ନାୟିକା ବର୍ଷା। ନାୟିକା ଭାବେ ସୋ’ମ୍ୟାନ୍‌ ପ୍ରଶାନ୍ତ ନନ୍ଦଙ୍କ ସହ ବି କାମ କରିନାହାନ୍ତି ସେ। ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ରମେଶ ରାଉତ ଇତିମଧ୍ୟରେ ଚାନ୍ଦ ନା ତୁମେ ତାରା, ଗଡ଼ଫାଦର ଓ କାବୁଲା ବାରବୁଲା ଭଳି ସିନେମା ନିର୍ମାଣ କରିଥିଲେ ବି ଏଯାବତ୍‌ ବର୍ଷାଙ୍କୁ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇନାହାନ୍ତି। ଠିକ୍‌ ସେହିପରି ‘ଗଡବଡ’ ଓ ‘ଗୁଣ୍ଡା’ ଫେମ୍‌ ନିର୍ଦ୍ଦେଶକ ଶୁଭାଷିଶ ପତିଙ୍କୁ ବି ଏହି ସୁଯୋଗ ମିଳିନାହିଁ। ସଲାମ ସିନେମା, ରାସ୍ତା, ପ୍ରେମ ଏମିତି ବି ହୁଏ, ତୁ ଆଉ ମୁଁ ଭଳି ସିନେମାର ନିର୍ଦ୍ଦେଶକ ନିଶିକାନ୍ତ ଦଳବେହେରା ମଧ୍ୟ ଏଯାଏଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶନା ଦେଇନାହାନ୍ତି।

ସମ୍ବନ୍ଧିତ ଖବର