ଡେଙ୍ଗୁ ରୋଗରେ ପୀଡ଼ିତ ହେଲେ ହାସ୍ୟ ଅଭିନେତ୍ରୀ ଭାରତୀ ଏବଂ ସ୍ୱାମୀ ହର୍ଷ, ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: କିଛି ଦିନ ତଳେ ବିଗ୍‌ ବସ୍‌ରେ ଏଣ୍ଟ୍ରିକୁ ନେଇ ଚର୍ଚ୍ଚାରେ ଥିଲେ କମେଡି କୁଇନ୍‌ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ । କିନ୍ତୁ ସୋ’ ଆରମ୍ଭ ହେବା ଦିନ ହିଁ ଦୁହେଁ ଏହି ସୋ’ରେ ପ୍ରତିଯୋଗୀ ହିସାବରେ ରହିବେ ନାହିଁ ବୋଲି ଜଣା ପଡ଼ିଥିଲା । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା । ଏବେ ଦୁହେଁ ଡ଼ାକ୍ତରଖାନାରେ ଭର୍ତ୍ତି  ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁହେଁ ଏକା ସାଙ୍ଗରେ ଡ଼େଙ୍ଗୁ ରୋଗରେ ପୀଡ଼ିତ ହୋଇଥିବା ବେଳେ ସେମାନଙ୍କୁ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି । ଦୁହିଁଙ୍କ ଅବସ୍ଥା ଗୁରୁତର ହେବାରୁ ଡ଼ାକ୍ତର ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି  ହେବା ପାଇଁ କହିଥିଲେ ।

ଏବେ ଦୁହିଁଙ୍କୁ ଡ଼ାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯାଇଥିବା ସୂଚନା ମିଳିଛି । ଏହି ଖବର ଆସିବା ପରେ ଭାରତୀ ସିଂହଙ୍କ ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ ତାଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି ।  ସୂଚନା ମୁତାବକ, କିଛି ଦିନ ପୂର୍ବରୁ ଦୁହିଁଙ୍କୁ ସାମାନ୍ୟ ଥଣ୍ଡା ହେବା ପରେ ତାହା ଭଲ ହୋଇ ନଥିଲା । ରକ୍ତ ପରୀକ୍ଷା କରିବା ପରେ ସେମାନଙ୍କୁ ଡ଼େଙ୍ଗୁ ହୋଇଥିବା ସାମ୍ନାକୁ ଆସିଲା । ଯାହା ପରେ ଡ଼ାକ୍ତର ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ କହିଥିଲେ । ପରେ ସେପ୍ଟେମ୍ବର ୨୩ ରବିବାର ଦିନ ଦୁଇ ଜଣ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ସମ୍ବନ୍ଧିତ ଖବର