ଏହି ଓଲିଉଡ଼୍‍ ନାୟିକାଙ୍କୁ ଏଥର ସୁଯୋଗ ମିଳିଲା ନାହିଁ

ଭୁବନେଶ୍ୱର : ଓଲିଉଡ଼୍‍ର ପ୍ରତିଷ୍ଠିତ ପ୍ରଡକସନ୍‌ ହାଉସ ତରଙ୍ଗ ସିନେ ପ୍ରଡ଼କସନ୍‌ସ ଜଣେ ହିରୋଇନ୍‌ଙ୍କୁ ଲଞ୍ଚ୍‌ କରିଥିଲେ ତାଙ୍କୁ ଏଥର ଆଉଟ୍‌ କରିଛନ୍ତି। ଖାଲି ବ୍ରେକ୍‌ ଦେଇଥିଲେ ବୋଲି ତ କୁହାଗଲେ ଠିକ୍‌ ହେବ ନାହିଁ,ବରଂ ଲଗାତାର ସେହି ବ୍ୟାନର୍‌ ଦୁଇଟି ଫିଲ୍ମରେ ଫିମେଲ୍‌ ଲିଡ଼ରେ ନେଇଥିଲେ। ଆଉ ଦୁଇଟି ଯାକ ସିନେମାର ବି ପ୍ରଭାବଶାଳୀ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ ଏହି ନାୟିକା ଜଣକ।

ଏଠାରେ ଯେଉଁ ଓଲିଉଡ଼୍‍ ନାୟିକାଙ୍କ କଥା କୁହାଯାଉଛି,ସେ ହେଲେ ଭୂମିକା।ହଁ ଭୂମିକାଙ୍କୁ ତରଙ୍ଗ ସିନେ ପ୍ରଡ଼କସନ୍‌ସ ‘ତୁ ମୋ ଲଭ୍‌ଷ୍ଟୋରି ’ ଫିଲ୍ମରେ ବ୍ରେକ୍‌ ଦେଇଥିଲେ ନାୟିକା ଭାବେ। ଏହି ଫିଲ୍ମରେ ନବାଗତ ସ୍ୱରାଜଙ୍କୁ ମିଳିଥିଲା ନାୟକ ଭାବେ ବ୍ରେକ୍‌। ଏହାପରେ ପୁଣି ସେହି ପ୍ରଯୋଜନା ସଂସ୍ଥା ତା’ର ପରବର୍ତ୍ତୀ ସିନେମା ‘ହିରୋ ନଂ ୧’ରେ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ଭୂମିକାରେ ନେଇଥିଲେ ଭୂମିକାଙ୍କୁ।

 


ହେଲେ ଏଥର ରଜ ପାଇଁ ଉକ୍ତ ପ୍ରଯୋଜନା ସଂସ୍ଥା ଯେଉଁ ଦୁଇଟି ଓଡ଼ିଆ ଛବି ନିର୍ମିତ କରୁଛି,ସେଥିମଧ୍ୟରୁ କୌଣସି ଗୋଟିକରେ ନାହାଁନ୍ତି ଭୂମିକା। କିଛି ମାସ ତଳେ ଚର୍ଚ୍ଚା ହେଉଥିଲା ଯେ,ଭୂମିକାଙ୍କୁ ବାବୁସାନ୍‌ଙ୍କ ଅପୋଜିଟ୍‌ରେ କାଷ୍ଟ କରାଯାଇ ତରଙ୍ଗ ସିନେ ପ୍ରଡ଼କସନ୍‌ସ ଏକ ଫିଲ୍ମ ନିର୍ମାଣ କରିବ,କିନ୍ତୁ ସେଭଳି ହେଲାନି। ବାବୁସାନ୍‌ଙ୍କ ସହିତ ନବାଗତା ଦିବ୍ୟାଙ୍କୁ ନିଆଗଲା। ତେଣେ ଅନୁଭବଙ୍କୁ ନେଇ ପ୍ରଯୋଜନା ସଂସ୍ଥା ଯେଉଁ ସିନେମା ନିର୍ମାଣ କରୁଛି,ସେଥିରେ ଶିବାନୀ ଓ ତମନ୍ନାଙ୍କୁ ନିଆଯାଇଛି।
ଭୂମିକା ଏବେ ଯେଉଁ ଓଡ଼ିଆ ସିନେମାରେ କାମ କରିବେ ,ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର