ଦେବଦାସଙ୍କ ପ୍ରେମିକା ଭୂମିକାରେ ଓଲିଉଡର ଏହି ଟିନଏଜର୍‌ ନାୟିକା

ଭୁବନେଶ୍ୱର: ସେ ଜଣେ ଓଲିଉଡର ଟପ୍‌ ହିରୋଇନ୍‌ , ତାଙ୍କର ଚେହେରା ଯେମିତି ଆକର୍ଷଣୀୟ, ତାଙ୍କର ଅଭିନୟ ବି ସେମିତି ମନମତାଣିଆ। ଖାଲି ସେତିକି ନୁହେଁ ତାଙ୍କର ନୃତ୍ୟ ବି ମତୁଆଲା କରେ ଦର୍ଶକଙ୍କୁ। ଏହି ଟିନ୍‌ଏଜ୍‌ର ଓଲିଉଡ୍‌ ହିରୋଇନ୍‌ ଜଣକ ଇତିମଧ୍ୟରେ ଦୁଇଟି ଓଡ଼ିଆ ସିନେମାରେ ଅଭିନୟ କରି ସାରିଲେଣି।
ହଁ ,ଏଠାରେ ଯେଉଁ ସୁନ୍ଦରୀ ଟିନ୍‌ଏଜ୍‌ର ହିରୋଇନ୍‌ଙ୍କ କଥା କୁହାଯାଇଛି, ସେ ହେଲେ ଭୂମିକା ଦାଶ। ଶିଶୁ କଳାକାରରୁ ନାୟିକା ବନିଥିବା ଭୂମିକାଙ୍କ ଯେଉଁ ଦୁଇଟି ଓଡ଼ିଆ ଛବି ରିଲିଜ୍‌ ହୋଇସାରଛିି, ତାହା ହେଲା ‘ତୁ ମୋ ଲଭଷ୍ଟୋରି’ ଓ ‘ହିରୋ ନମ୍ବର ଓ୍ଵାନ୍‌’। ଏଥିମଧ୍ୟରୁ ପ୍ରଥମଟିରେ ନବାଗତ ସ୍ୱରାଜ ଓ ଦ୍ୱିତୀୟଟିରେ ସୁପରଷ୍ଟାର ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ବନିଥିଲେ ଭୂମିକା।
ଏବେ ଭୂମିକା ତାଙ୍କର ତୃତୀୟ ଓଡ଼ିଆ ସିନେମା ପାଇଁ ବ୍ୟସ୍ତ ଅଛନ୍ତି। ଏହାର ସୁଟିଂ ଜୋରସୋରରେ ଚାଲିଛି। ଏଠାରେ ଯେଉଁ ସିନେମାର କଥା କୁହାଯାଉଛି, ତା’ର ଟାଇଟଲ୍‌ ହେଲା ‘ନାୟକର ନାଆଁ ଦେବଦାସ’।

ଏହି ସିନେମାରେ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି ଭୂମିକା। ଏଥିରେ ତାଙ୍କ ଚରିତ୍ରଟି ହେଲା ପାରୋ। ଏଥିରେ ପ୍ରଥମ ଥର ପାଇଁ ତାଙ୍କୁ ଅସିତଙ୍କ ବିପକ୍ଷରେ ଦେଖିବାକୁ ପାଇବେ ଦର୍ଶକ। ଅସିତ୍‌ ଏହା ପୂର୍ବରୁ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ‘ଭୈରବ’ରେ ଲିଡ୍‌ ରୋଲ କରିଥିଲେ। ‘ନାୟକର ନାଆଁ ଦେବଦାସ’ ରେ ଅସିତ୍‌ ଓ ଭୂମିକାଙ୍କ ଯୋଡ଼ିକୁ ଦର୍ଶକ କେତେ ଦୂର ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।


ଏହି ଫିଲ୍ମରେ ଅନୁ ଚୌଧୁରୀ, ଅପରାଜିତା, ବିଜୟ ମହାନ୍ତି ଓ ବବି ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ଭୂମିକା ପାରୋ ଚରିତ୍ରକୁ ଭଲ ଭାବେ ନିଭାଇବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର