ରହସ୍ୟମୟୀ ବିଷକନ୍ୟା!

ମୁମ୍ବାଇ :୨୦୧୩ ପରଠାରୁ କୌଣସି ବଲିଉଡ୍‌ ଫିଲ୍ମ ପାଇ ନ ଥିବା ମିନିଷା ଲାଂବା ଶେଷରେ ଛୋଟ ପରଦାରେ ପାଦ ଦେଇଛନ୍ତି। ‘ତେନାଲୀ ରାମ’ ଟେଲି-ଧାରାବାହିକରେ, ବିଷକନ୍ୟା ଚନ୍ଦ୍ରକଳା ଭୂମିକାରେ ଅଭିନୟ କରିବା ପାଇଁ ତାଙ୍କୁ ଅନୁବନ୍ଧିତ କରାଯାଇଛି। ଭୂମିକା ଖଳନାୟିକାର ହୋଇଥିଲେ ହେଁ ସେ ବିଶେଷ ଉତ୍ସାହିତ। କାରଣ, ଏ ଭଳି ଭୂମିକାରେ ସେ ପ୍ରଥମ ଥର ପାଇଁ ଅଭିନୟ କରୁଛନ୍ତି। ଧାରାବାହିକର କାହାଣୀ ଐତିହାସିକ। ବିଜୟନଗର ସାମ୍ରାଜ୍ୟର ଶକ୍ତିଶାଳୀ ହିନ୍ଦୁ ରାଜା କୃଷ୍ଣଦେବ ରାୟ, ତାଙ୍କର ମୁଖ୍ୟ ଦରବାରୀ କବି ତେନାଲୀ ରାମ ଏବଂ ମହାରାଣୀ ତିରୁମଲମ୍ବା ଆଦିଙ୍କ ଉପରେ କାହାଣୀ ଆଧାରିତ। ରାଜାଙ୍କ ଶତ୍ରୁଙ୍କ ଦ୍ୱାରା ବିଷକନ୍ୟା ଚନ୍ଦ୍ରକଳା ପ୍ରେରିତା। ଚନ୍ଦ୍ରକଳା ଅତି ରୂପସୀ ଏବଂ ତାଙ୍କ ଶରୀର ବିଷଧର ସର୍ପ ପରି ବିଷାକ୍ତ।

YouTube

ତେବେ, ଚତୁର ତେନାଲୀ ରାମ ଚତୁରତାର ସହ ରହସ୍ୟମୟୀ ବିଷକନ୍ୟାଙ୍କୁ ନିଜ ପ୍ରୟାସରେ ସଫଳକରାଇଦେଉନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ, ତେତିଶ ବର୍ଷ ବୟସ୍କା ମିନିଷା ଶେଷ ଥର ପାଇଁ ‘ଜିଲ୍ଲା ଗାଜିୟାବାଦ’ରେ ଏକ ଛୋଟ ଭୂମିକାରେ ବାହାରିଥିଲେ। ୨୦୧୫ରେ ପୂଜା ବେଦୀଙ୍କ ସଂପର୍କୀୟ ଭାଇ ତଥା ନାଇଟ୍‌-କ୍ଲବ୍‌ ମାଲିକ ନିକୁଂଜଙ୍କୁ ବିବାହ କଲା ପରେ ସେ ଅଭିନୟ ଦୁନିଆଠାରୁ ଦୂରେଇଯାଇଥିଲେ। ତିନି ବର୍ଷ ପରେ ଟେଲିଭିଜନ୍‌ ଦୁନିଆରେ ପ୍ରବେଶ, ତାଙ୍କ ପ୍ରଶଂସକମାନଙ୍କୁ ଚମତ୍କତ କରିଛି।

ସମ୍ବନ୍ଧିତ ଖବର