ଜୀବନର ଶେଷ ସମୟରେ ଏହି ତିନି ସେଲିବ୍ରିଟିଙ୍କ ପାଖରେ ନ ଥିଲା ଚିକିତ୍ସା ପାଇଁ ଅର୍ଥ

କୁହାଯାଏ ମଣିଷ ଯେତେ ଶୀଘ୍ର ଉପରକୁ ଉଠିଥାଏ ସେତେ ଶୀଘ୍ର ତଳକୁ ଖସିଥାଏ । ବଲିଉଡ଼ରେ କିଛି କଳାକାର ଏମିତି ଅଛନ୍ତି ଯେଉଁମାନେ ଏକ ସମୟରେ ଲୋକାମାନଙ୍କ ମନରେ ରାଜ କରୁଥିଲେ । କିନ୍ତୁ ସେମାନଙ୍କ ଶେଷ ସମୟରେ ନିଜର ଚିକିତ୍ସା ପାଇଁ ବି ଟଙ୍କା ଯୋଗାଡ଼ କରିପାରି ନାହାନ୍ତି । ଶନିବାର ମୃତ୍ୟୁବରଣ କରିଥିବା ‘ପାକିଜା’ ଚଳଚ୍ଚିତ୍ରରେ କାମ କରି ସାରିଥିବା ଅଭିନେତ୍ରୀ ଗୀତା କପୁରଙ୍କର ମଧ୍ୟ ସେଭଳି କିଛି କାହାଣୀ ରହିଥିଲା । ୧୦୦ରୁ ଊର୍ଦ୍ଧ୍ୱ ଫିଲ୍ମରେ କାମ କରି ମଧ୍ୟ ଶେଷ ସମୟରେ ତାଙ୍କ ଚିକିତ୍ସାର ଖର୍ଚ୍ଚ ଅନ୍ୟ କଳାକାରମାନେ ଉଠାଇଥିଲେ । ପୁଅ ଡ଼ାକ୍ତରଖାନାରେ ଏକା ଛାଡ଼ ଚାଲି ଯିବା ପରେ ବର୍ଷେ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଅନ୍ୟ କଳାକାରମାନଙ୍କ ସାହାଯ୍ୟରେ ଚାଲିଥିଲା । ବର୍ଷେ ପର୍ଯ୍ୟନ୍ତ ସେ ତାଙ୍କ ପୁଅକୁ ଅପେକ୍ଷା କରି କରି ମେ ୨୬ରେ ମୁମ୍ବାଇର ଏକ ଘରୋଇ ଡ଼ାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି । ପାକିଜାର ଏହି ଅଭିନେତ୍ରୀଙ୍କ ଭଳି ବଲିଉଡ଼ରେ ଆହୁରି ଏମିତି କିଛି କଳାକାର ଅଛନ୍ତି ଯେଉଁମାନଙ୍କ ପାଖରେ ଜୀବନର ଶେଷ ସମୟରେ ଚିକିତ୍ସା ପାଇଁ ଟଙ୍କା ନ ଥିଲା । ଆସନ୍ତୁ ନଜର ପକାଇବା ସେହି କଳାକାରମାନଙ୍କ କାହାଣୀ ଉପରେ…

୧.ଗୀତାଞ୍ଜଳି ନାଗପାଲ : ଅନେକ ନାମୀ ଡ଼ିଜଇନରଙ୍କ ଡ଼୍ରେସ୍‌ ପିନ୍ଧି ର‍୍ୟାମ୍ପ୍‌ରେ ଚାଲିଥିଲେ ଗୀତାଞ୍ଜଳି ନାଗପାଲ କିନ୍ତୁ ନିଜ କ୍ୟାରିୟରରେ ବିଶେଷ ଆଗକୁ ନ ବଢ଼ି ପାରି ୨୦୦୭ରେ ଦିଲ୍ଲୀର ରାସ୍ତା କଡ଼ରେ ଭିକ ମାଗୁଥିବାର ଦେଖିବା ମିଳିଥିଲା । ଚର୍ଚ୍ଚିତ ମଡ଼େଲରୁ ଭିକାରି ହୋଇଥିବା ଗୀତାଞ୍ଜଳି ଡ଼୍ରଗ୍ସ ଅଭ୍ୟାସ ପାଇଁ ଅନେକଙ୍କ ଘରେ ଚାକରାଣୀ କାମ ମଧ୍ୟ କରିଥିଲେ । ଏମିତି କିଛି ଦିନ ଚାଲିବା ପରେ ରାସ୍ତା କଡ଼ରେ ତାଙ୍କର ମୃତଶରୀର ମିଳିଥିଲା ।

indibuzz.wordpress.com

୨.ଶ୍ରୀବଲ୍ଲଭ ବ୍ୟାସ୍‌ : ଆମିର ଖାନ୍‌ଙ୍କ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଲଗାନ୍‌’ରେ ଈଶ୍ୱର କାକା ଭୂମିକାରେ ନଜର ଆସିଥିଲେ ଶ୍ରୀବଲ୍ଲଭ ବ୍ୟାସ୍‌ । ୬୦ବର୍ଷ ବୟସରେ ଜାନୁଆରି ୭,୨୦୧୮ରେ ଜୟପୁରରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମରିବାର କିଛି ବର୍ଷ ପୂର୍ବରୁ ଏକ ଫିଲ୍ମର ସୁଟିଂ କରୁଥିବା ବେଳେ ତାଙ୍କୁ ପାରାଲିସିସ୍‌ ହୋଇଥିଲା । ଯାହା ଫଳରେ ସେ କେବଳ ପାନୀୟ ଜିନିଷ ଖାଇବା ଆରମ୍ଭ କରିଥିଲେ । ୨୦୧୩ରେ ଶ୍ରୀବଲ୍ଲଭ ବ୍ୟାସ୍‌ଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଯୋଧପୁର ଯାଇଥିବା ବେଳେ ସେ ସମୟରେ ପରିବାର ଲୋକଙ୍କ ପାଖରେ ଶ୍ରୀବଲ୍ଲଭଙ୍କ ଚିକିତ୍ସା ପାଇଁ ଟଙ୍କା ନଥିଲା । ଏ ନେଇ ସେ ସିନେମା ଏବଂ ଟେଲିଭିଜନ ଆସୋସିଏସନ୍‌କୁ ସାହାଯ୍ୟ ମାଗିଥିଲେ ମଧ୍ୟ ତାଙ୍କୁ କୌଣସି ସାହାଯ୍ୟ ମିଳି ନଥିଲା । ଶ୍ରୀବଲ୍ଲଭ ଏଭଳି ସମୟରେ ତାଙ୍କୁ ଆମୀର ଖାନ୍‌, ଇମ୍ରାନ୍‌ ଖାନ୍‌ ଏବଂ ମନୋଜ ବାଜ୍‌ପାୟୀ କିଛି ଟଙ୍କା ସାହାଯ୍ୟ କରିଥିଲେ । ଯାହା ଦ୍ୱାରା ତାଙ୍କର ଚିକିତ୍ସା ସମ୍ଭବ ହୋଇଥିଲା ।

Deccan Chronicle

୩.ନିଶା ନୂର : ଏହି ନାଁ ଆପଣଙ୍କୁ ଅଜଣା ଲାଗୁଥିଲେ ମଧ୍ୟ ୮୦ଦଶକରେ ଦକ୍ଷିଣୀ ସିନେମାରେ ସେ ଖୁବ୍‌ ସକ୍ରିୟ ଥିଲେ । ତାଙ୍କ ଲୋକପ୍ରିୟତା ଏତେ ଥିଲା ଯେ ରଜନୀକାନ୍ତ ଏବଂ କମଲ ହସନଙ୍କ ଭଳି କଳାକାର ତାଙ୍କ ସହ କାମ କରିବାକୁ ଚାହୁଁଥିଲେ । କିନ୍ତୁ ଜଣେ ପ୍ରଯୋଜକ ତାଙ୍କୁ ବେଶ୍ୟାବୃତ୍ତିକୁ ଠେଲି ଦେବା ପରେ ଧୀରେ ଧୀରେ ସବୁ କଳାକାର ତାଙ୍କ ଠାରୁ ଦୂରେଇ ଯାଇଥିଲେ । ଏତେ ସବୁ ପରେ ନିଶା ଇଣ୍ଡଷ୍ଟ୍ରି ଛାଡ଼ିବା ସହ ରୋଗଗ୍ରସ୍ତ ହୋଇ ଯାଇଥିଲେ । ରୋଗରେ ପଡ଼ିବାର କିଛି ଦିନ ପରେ ତାଙ୍କର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଥିଲା । ତାଙ୍କୁ ଦେଖିବା ପାଇଁ କେହି ବି କଳାକାର ତାଙ୍କ ପାଖରେ ପହଞ୍ଚି ନଥିଲେ । ମୃତ୍ୟୁର ଶେଷ ସମୟରେ ତାଙ୍କୁ ରାସ୍ତା କଡ଼ରେ ପଡ଼ିଥିବାର ଲୋକେ ଦେଖିବାକୁ ପାଇଥିଲେ । ଡ଼ାକ୍ତରଖାନାରେ ଭର୍ତ୍ତି କରାଇବା ପରେ ତାଙ୍କୁ ଏଡ଼୍‍ସ ହୋଇଛି ବୋଲି ଜଣାପଡ଼ିଥିଲା । କିଛି ଦିନ ଡ଼ାକ୍ତରଖାନାରେ ରହିବା ପରେ ୨୦୦୭ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

tupaki.com
ସମ୍ବନ୍ଧିତ ଖବର