ଏହି ଓଲିଉଡ ନାୟକଙ୍କର ଏକ ସିନେମା ରିଲିଜ୍‌ ହୋଇନାହିଁ ,ଜାଣନ୍ତୁ ତା‘ ବିଷୟରେ ଅଧିକ ତଥ୍ୟ

ଭୁବନେଶ୍ୱର: ଓଲିଉଡର ଜଣେ ଲୋକପ୍ରିୟ ଅଭିନେତା ହେଲେ ମଣ୍ଟୁ। ସେ ଅବଶ୍ୟ ସିନେମା ଅପେକ୍ଷା ଟେଲି ସିରିଆଲ୍‌ରେ ଅଭିନୟ କରି ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି। ମଣ୍ଟୁଙ୍କ ପ୍ରକୃତ ନାମ ହେଲା ଶୁଭାଶିଷ ଶର୍ମା। ତେବେ ମଣ୍ଟୁ ନାଆଁରେ ସେ ଅଧିକ ପରିଚିତ।

ନାୟକ ଭାବେ ମଣ୍ଟୁ ଅଳ୍ପ କେତୋଟି ଓଡ଼ିଆ ସିନେମାରେ ନଜର ଆସିଛନ୍ତି। ଏଥି ମଧ୍ୟରେ ରହିଛି ‘ତୁ ମୋ’ ଆରମ୍ଭ ତୁ ମୋ’ ଶେଷ’। ତା’ଛଡା କ୍ରିଷ୍ଣା ଗୋବିନ୍ଦା, ନୂଆ ନୂଆ ପ୍ରେମରେ, ମାଟ୍ରିକ୍‌ ଫେଲ୍‌ ଓ କାବୁଲା ବାରବୁଲା ଆଦି ସମେତ ବେଶ୍‌ କେତୋଟି ଫିଲ୍ମରେ ମଣ୍ଟୁଙ୍କୁ ସେକେଣ୍ଡ ଲିଡ୍‌ରେ ମଧ୍ୟ ଦେଖିବାକୁ ମିଳିଛି।

ହେଲେ ଆପଣ ଜାଣନ୍ତି କି ନାୟକଭାବେ ମଣ୍ଟୁଙ୍କର ଗୋଟିଏ ଓଡ଼ିଆ ସିନେମା ଏ ଯାଏଁ ରିଲିଜ୍‌ ହୋଇପାରି ନାହିଁ। ଏହି ଫିଲ୍ମର ଅଧିକାଂଶ ସୁଟିଂ ବି ଶେଷ ହୋଇଥିଲା। ଏଠାରେ ଯେଉଁ ଓଡ଼ିଆ ସିନେମାର କଥା କୁହାଯାଉଛି, ତା’ର ଶୀର୍ଷକ ହେଲା ‘ସ୍ପନ୍ଦନ’। ମଂଜରି ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା କରୁଥିଲେ ମିଥିଲେଶ କୁମାର ଓ ମାନସ କୁମାର ବକ୍ସି।

‘ସ୍ପନ୍ଦନ’ରେ ମଣ୍ଟୁଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ଟେଲିଜଗତର ଜଣାଶୁଣା ନାୟିକା ଉପାସନା ମହାନ୍ତି। ସେ ହେଉଛନ୍ତି ଲୋକପ୍ରିୟ ନୃତ୍ୟ ନିର୍ଦ୍ଦେଶକ ଗିରିଶ ମହାନ୍ତିଙ୍କ ଧର୍ମପତ୍ନୀ। ଏତଦ୍‌ବ୍ୟତୀତ ମିହିର ଦାସ, ଅପରାଜିତା,ପ୍ରୀତିରାଜ ଶତପଥୀ, ସଲିଳ ମିତ୍ର, ଚୌଧୁରୀ ବିକାଶ ଦାସ, ପ୍ରବୀର ପ୍ରମୁଖ ଅଭିନୟ କରିଥିଲେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ‘ସ୍ପନ୍ଦନ’ରେ ବଲିଉଡର ଲୋକପ୍ରିୟ ଅଭିନେତା ରାଜ୍‌ ଜୁତ୍ସି ମଧ୍ୟ ଅଭିନୟ କରିଥିଲେ।

‘ସ୍ପନ୍ଦନ’ର ସଂପାଦନା ଓ ନିର୍ଦ୍ଦେଶନା ଦାୟିତ୍ୱ ବହନ କରି ଥିଲେ ପ୍ରଶାନ୍ତ ନାୟକ। ବିଭୂତ ଭୂଷଣ ଗଡନାୟକ ଏହାର ସଙ୍ଗୀତ ନିର୍ଦ୍ଦେଶକ।

ସମ୍ବନ୍ଧିତ ଖବର